ବିଧାନସଭାରେ ଏବେ କିଛିଦିନ ହେଲା ସୃଷ୍ଟି ହେଉଥିବା ଦୃଶ୍ୟଗୁଡ଼ିକୁ ଦେଖିଲେ ଲାଗୁଛି ସତେ ଯେମିତି ଓଡ଼ିଶା ପୁଣିଥରେ ନିର୍ବାଚନକୁ ଯାଉଛି। କାରଣ ନିର୍ବାଚନ ପୂର୍ବରୁ ହିଁ ପ୍ରତି ବିଧାନସଭା ଓ ଲୋକସଭାରେ ଏମିତି ରଣକ୍ଷେତ୍ର ସୃଷ୍ଟି ହେବାର ନଜିର ରହିଛି। ଏବେ ଯେମିତି ବିହାର ବିଧାନସଭାରେ ନୀତିଶ କୁମାରଙ୍କ ଆକ୍ରମଣାତ୍ମକ ମନ୍ତବ୍ୟ ଏବଂ ସେଠାର ବିଧାନସଭା ବାହାରେ ଆରଜେଡି ନେତ୍ରୀ ରାବିଡି ଦେବୀଙ୍କ ନିରୀହ ବୟାନ ତାହାର ଜ୍ୱଳନ୍ତ ଉଦାହରଣ ଦେଉଛି।
କିନ୍ତୁ ଆମ ରାଜ୍ୟରେ ତ ଏବେ ନିର୍ବାଚନ ସରିଛି, ତେବେ ଏମିତି କାହିଁକି? ରାଜ୍ୟର ନେତାମାନେ କି ପ୍ରକାର ପରମ୍ପରା ତାଙ୍କର ଉତ୍ତରପିଢ଼ି ପାଇଁ ପ୍ରସ୍ତୁତ କରୁଛନ୍ତି?
ଯେ କୌଣସି ରାଜ୍ୟର ବ୍ୟବସ୍ଥାପିକାରେ ଶୃଙ୍ଖଳିତ ଢଙ୍ଗରେ ତର୍କ ଉପସ୍ଥାପନ କରିବା ଲାଗି ଏକ ଲିଖିତ ବିଧିବଦ୍ଧ ବ୍ୟବସ୍ଥା ରହିଛି। ବିଧାନସଭାର ପରିଚାଳନା ନୀତିକୁ ଏହି ଦିଗରେ ସର୍ବୋଚ୍ଚଭାବେ ଗ୍ରହଣ କରାଯାଏ। ଏଥିରେ ସରକାରଙ୍କ କାର୍ଯ୍ୟକ୍ରମକୁ କିପରି ବିରୋଧ କରିବ ତାହା ବି ଦର୍ଶାଯାଇଛି। ପୁଣି ସମସ୍ତ ବିଧାୟକଙ୍କ ମନ୍ତବ୍ୟ, ତର୍କକୁ ରେକର୍ଡ କରାଯାଇ ଭବିଷ୍ୟତ ପିଢ଼ି ଲାଗି ଦୃଷ୍ଟାନ୍ତଭାବେ ଗଢ଼ି ତୋଳିବାର ବ୍ୟବସ୍ଥା ରହିଛି। ଏପରିକି ଏହି ରେକର୍ଡକୁ ଆଧାର କରି ପ୍ରତିବର୍ଷ ବିଧାୟକମାନଙ୍କ ଭିତରୁ ଶ୍ରେଷ୍ଠ ବିଧାୟକ ବାଛି ତାହାଙ୍କୁ ସମ୍ମାନୀତ କରିବା ଲାଗି ବ୍ୟବସ୍ଥା କରାଯାଇଛି। କିନ୍ତୁ ଏସବୁ ଏବେକାର ଓଡ଼ିଶା ବିଧାନସଭା ଅଧିବେଶନରେ ଗୋଟିଏ ପାଖରେ ରହିଥିବାବେଳେ ଅପର ପକ୍ଷରେ ଗୃହ ଭିତରେ ଶକ୍ତି ପ୍ରଦର୍ଶନ, ବିଶୃଙ୍ଖଳା, ମାରପିଟ, ମାଇକ୍ ଭଙ୍ଗା, ବାଚସ୍ପତିଙ୍କୁ ଅଙ୍ଗୁଳି ନିର୍ଦ୍ଦେଶ ଆଦି ଘଟଣା ଅଧିକ ଗୁରୁତ୍ୱ ବହନ କରୁଛି। ଏହାର ଜ୍ୱଳନ୍ତ ଉଦାହରଣ ପାଲଟିଛି ଓଡ଼ିଶା ବିଧାନସଭା।
ବିଧାନସଭା ଅଧିବେଶନ ଚଳାଇବା ଲାଗି ସରକାର ଦିନକୁ ୫୦ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରନ୍ତି। କିନ୍ତୁ କିଛି ବିଧାୟକ ନିଜ କଥାକୁ ଜୋର୍ ଦେବା ଲାଗି ଲୋକଙ୍କ ସମ୍ପତ୍ତି ନଷ୍ଟ କରିବାକୁ ମଧ୍ୟ ଭୁଲୁ ନାହାନ୍ତି। ଏପରିକି ବିଧାୟକମାନେ ଏହି କାଣ୍ତକୁ ଲୋକପ୍ରିୟତାର ମାଧ୍ୟମ ବୋଲି ଗ୍ରହଣ କରୁଛନ୍ତି। କିନ୍ତୁ ଆପଣଙ୍କୁ ଯଦି ଭଲ ନ ଲାଗିଲେ ବି ରାଜନୀତି ପ୍ରତି ରୁଚି ରଖୁଥିଲେ ଆପଣ ଏହାକୁ ଦେଖିବା, ପଢ଼ିବା ଓ ଆଲୋଚନା କରିବାକୁ ବାଧ୍ୟ।
ଏ ବିଷୟକୁ ନେଇ ଆପଣ କୋର୍ଟରେ ବି ଚ୍ୟାଲେଞ୍ଜ କରିପାରିବେ ନାହିଁ। ୨୦୨୧ ମସିହାରେ ସୁପ୍ରିମକୋର୍ଟ ଏହି କଥାକୁ ବେଶ୍ ସ୍ପଷ୍ଟଭାବେ ଶୁଣାଇ ସାରିଛନ୍ତି। କେରଳ ବିଧାନସଭାରେ ବଜେଟ୍ ଉପସ୍ଥାପନବେଳେ ବିଧାୟକମାନେ ଯେଉଁ ପ୍ରକାର ମାରପିଟରେ ସାମିଲ ହୋଇଥିଲେ ତାହାକୁ ବିଷୟ କରି ଆବେଦନ କରାଯାଇଥିବା ମାମଲାର ଶୁଣାଣିବେଳେ ସୁପ୍ରିମକୋର୍ଟ ଏହା କହିଥିଲେ। ଅର୍ଥାତ୍ ଆମେ ଯଦି ଏହି ନେତାଙ୍କୁ ଶୃଙ୍ଖଳା ଶିଖାଇବାରେ ଅଛି ତ କେବଳ ପାଞ୍ଚବର୍ଷ ପରର ଭୋଟ୍କୁ ଅପେକ୍ଷା କରିବା।
ଆପନଶମାନେ ପ୍ରଶ୍ନ ଉଠାଇପାରିବେ ଏହା କ‘ଣ ନୂଆ କଥା କି? ବିଧାୟକମାନଙ୍କର ଏହି କାର୍ଯ୍ୟ ତ ଆମର ଦେହସୁହା ହୋଇସାରିଛି। କାରଣ ବିରୋଧି ଦଳରେ ଯେଉଁ ଦଳ ବି ଥାଆନ୍ତି ସେମାନେ ଏମିତି ପ୍ରଦର୍ଶନ କରନ୍ତି। ତେଣୁ ପ୍ରଶ୍ନ ଉଠୁଛି ତାଙ୍କ ଶୀର୍ଷ ନେତାମାନେ କ’ଣ ଶୃଙ୍ଖଳା ଶିକ୍ଷା ଦିଅନ୍ତି ନାହିଁ? ସେମାନେ ଏମିତି କିଛି ସୁସ୍ଥ ପରମ୍ପରା କାହିଁକି ସୃଷ୍ଟି କରୁନାହାନ୍ତି ଯାହାଦ୍ୱାରା ନୂତନ ପିଢ଼ିର ବିଧାୟକମାନେ ଅନୁପ୍ରାଣିତ ହେବେ?
ଏ ପ୍ରଶ୍ନର ଉତ୍ତର ଖୋଜିବାବେଳେ ମୋର ମନେପଡ଼େ ୯୦ ଦଶକର କଥା। ଏହି ସମୟରେ ରାଜ୍ୟରେ ନୂଆ ବିଧାୟକଭାବେ ନିର୍ବାଚିତ ହୋଇଥାଆନ୍ତି ଜୁଏଲ୍ ଓରାମ। ରାଜ୍ୟରେ ସେତେବଳେ ଜନତା ଦଳର ସରକାର ଥାଏ। ମୁଖ୍ୟମନ୍ତ୍ରୀ ଥାଆନ୍ତି ବିଜୁ ପଟ୍ଟନାୟକ। ବଣାଇ ବିଧାୟକ ଜୁଏଲ୍ ଓରାମ ସେତେବେଳେ ମାଇକ୍ ଭାଙ୍ଗି ବେଶ୍ ଚର୍ଚ୍ଚିତ ହୋଇଥାଆନ୍ତି। କେନ୍ଦ୍ରୀୟ ନେତାଙ୍କଠାରୁ ବାହାବା ନେବା ଲାଗି ଦିଲ୍ଲୀ ଯାଇଥିଲେ। କିନ୍ତୁ ସେଠାରେ ତାଙ୍କୁ କେନ୍ଦ୍ରୀୟ ନେତାମାନେ ପ୍ରଶଂସା କରିବା ବଦଳରେ ତାଗିଦ୍ କରିଥିଲେ। ସେତେବଳର ଚର୍ଚ୍ଚା ଅନୁସାରେ ଦଳର ବରିଷ୍ଠ ନେତା ଅଟଳ ବିହାରୀ ବାଜପେୟୀ କହିଥିଲେ, ନିଜ କଥାରେ ଦମ୍ ରହିବା ଦରକାର। ମାଇକ ଭାଙ୍ଗି ଗୃହ ବନ୍ଦ କରିବା ସୁସ୍ଥ ପରମ୍ପରା ନୁହେଁ। ଏମିତି ଢଙ୍ଗରେ ଆପଣ ଯୁକ୍ତି ରଖନ୍ତୁ ଯେମିତି ବାଚସ୍ପତି ଆପଣଙ୍କ କଥା ଶୁଣିବାକୁ ବାଧ୍ୟ ହେବେ। ଏହି କଥାକୁ ବିଜେପିର ପୁରୁଣା ନେତାମାନେ ନିଶ୍ଚିତଭାବେ ମନେରଖିଥାଇ ପାରନ୍ତି।
ଓଡ଼ିଶାର ନେତାମାନେ ଯେ ଏ ବିଷୟରେ ଦୃଷ୍ଟାନ୍ତ ସୃଷ୍ଟି କରିନାହାନ୍ତି ତା’ ନୁହେଁ। ବିଜୁ ଜନତା ଦଳର ସରକାର ଆସିବା ପରେ ଦୀର୍ଘ ଦିନ ମୁଖ୍ୟମନ୍ତ୍ରୀ ରହିଥିବା ଜାନକୀ ବଲ୍ଲଭ ପଟ୍ଟନାୟକ ବିରୋଧୀ ଦଳର ନେତା ଆସନରେ ଥିଲେ। ବିଧାନସଭାରେ ଯେତେ ବିଶୃଙ୍ଖଳା ହେଲାବି ସେ ଆସନରୁ ଉଠନ୍ତି ନାହିଁ। ଆଉ ଯେତେବେଳେ ଉଠନ୍ତି, ସେତେବେଳେ ଖାଲି ବିରୋଧୀ ନୁହଁନ୍ତି ସାରାଗୃହରେ ନୀରବତା ଆସିଯାଏ। ସମସ୍ତେ ତାଙ୍କୁ ଶୁଣିବା ଲାଗି କାନପାତି ରହିଥାନ୍ତି। ବିଧାନସଭାରେ ତଥ୍ୟ ପ୍ରମାଣ ସହ ଯୁକ୍ତି ଉପସ୍ଥାପନ ହୁଏ।
ପୁଣି ମନେପଡ଼େ, ଅରୁଣ ଦେ’, ନଳିନୀ ମହାନ୍ତି, ଅମର ଶତପଥିଙ୍କ କଥା। ଏମାନଙ୍କ ଯୁକ୍ତିର ଉତ୍ତର ରଖିବାକୁ ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସେତେବଳେ ଅନେକ କସରତ କରିବାକୁ ପଡ଼ୁଥିଲା। ନିଜର ବୌଦ୍ଧିକ ଜ୍ଞାନ, ପ୍ରମାଣ ସମ୍ବଳିତ ପୁସ୍ତକକୁ ସେ ବିଧାନସଭାରେ ଉପସ୍ଥାପନ କରି ନିଜ ତର୍କର ଓଜନ ବଢ଼ାଉଥିଲେ।
ଏବେ ଏସବୁ ଇତିହାସ ପ୍ରାୟ। କାରଣ ଗଲା ଦୁଇଦଶନ୍ଧି ହେଲା ଆମେ ସ୍ଥିର ଶାସନରେ କେବଳ ନିର୍ବାଚନ ରାଜନୀତିକୁ ମାଧ୍ୟମ କରି ବିଧାନସଭାକୁ କେବଳ କିଛି ସରକାରୀ କାର୍ଯ୍ୟକୁ ପରିଚାଳନା କରିବା ଅର୍ଥରେ ହିଁ ବ୍ୟବହାର କରାଯାଉଛି। ଆଉ ଯେତେବେଳେ ଆଲୋଚନା ହେଉଛି, ସେତେବେଳେ ନିର୍ବାଚିତ ପ୍ରତିନିଧିମାନେ ଟେଲିଭିଜନ୍ ପର୍ଦ୍ଦା ବା ଫେସ୍ବୁକ୍, ଇନ୍ଷ୍ଟା ରିଲରେ ରହିବା ଲାଗି କାର୍ଯ୍ୟ କରୁଥିବା ଅଭିଯୋଗ ହେଉଛି। ପ୍ରଶ୍ନୋତ୍ତର କାଳରେ କ୍ୟାମେରା ରହିଥିବା ଜାଣି ଅଧିକ ବିରୋଧ ପ୍ରଦର୍ଶନ କରାଯାଉଛି, ମାଇକ୍ ଭଙ୍ଗାଯାଉଛି, ବାଚସ୍ପତିଙ୍କ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ ହେଉଛି। ଶାସକ ବିରୋଧୀଙ୍କ ଭିତରେ ଧକା ଶଙ୍ଖିଆ ବି ଦେଖୁବାକୁ ମିଳୁଛି। କ୍ୟାମେରା ବନ୍ଦ ହୋଇଗଲେ ଏ ସବୁ ସମ୍ପୂର୍ଣ୍ଣ ଶାନ୍ତ ପଡ଼ୁଛି। କ୍ୟାମେରା ଆଗରେ ଏହି ବିଶୃଙ୍ଖଳା ସ୍ପଷ୍ଟ କରୁଛି ଯେ ନିର୍ବାଚିତ ପ୍ରତିନିଧିଙ୍କ ପାଖରେ ପାଯୁକ୍ତି ନାହିଁ, ତର୍କ ନାହିଁ, କି ବିଷୟ ବି ନାହିଁ, ଯାହାଦ୍ୱାରା ସେମାନେ ଲୋକପ୍ରିୟତା ପାଇପାରିବେ। ଦଳ ବି ଏହାକୁ ସମର୍ଥନ କରୁଛି, ଏଣୁ ଆମ ନେତାମାନେ ଉତ୍ସାହିତ ହେଉଛନ୍ତି।
ଏବେକାର ଉଦାହରଣ ହେଉଛି, ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ମାଇକ ଭଙ୍ଗା, ବାଚସ୍ପତିଙ୍କ ପୋଡ଼ିୟମ ଚଢ଼ାକୁ କଂଗ୍ରେସର ସମର୍ଥନ। ପୁଣି ଗୃହ ଚାଲିଥିବାବେଳେ ଗୃହର ମଧ୍ୟଭାଗକୁ ଆସି ହାତାହାତି ହୋଇଥିବା ଶାସକ ଦଳର ବିଧାୟକମାନଙ୍କୁ ଶାସକ ଦଳର ସମର୍ଥନ। ଅତୀତରେ ବାଚସ୍ପତିଙ୍କ ମାଇକ୍ ଉପାଡ଼ିବା, ଏଥିପାଇଁ ଦଣ୍ଡିତ ବିଧାୟକମାନେ କ୍ଷତିଭରଣା କରିବାକୁ ଗୃହକୁ ଖୁଚୁରା ପଇସା ଧରି ଆସିବା, ବାଚସ୍ପତିଙ୍କ ଟେବୁଲ ଉପରକୁ ଡାଲି ଫୋପାଡ଼ିବା, ଗୃହ ଭିତରେ ଜଣେ ତତ୍କାଳୀନ ବିଧାୟକ ମାନସ ମଲିକଙ୍କୁ ଗୋଇଠା ମାଡ଼, ମହିଳା ବିଧାୟିକାଙ୍କୁ ଅଶାଳୀନ ମନ୍ତବ୍ୟ ଦେବା ପ୍ରଭୃତି ଅନେକ ଉଦାହରଣ ଏହି ପରିପ୍ରେକ୍ଷୀରେ ଗଣମାଧ୍ୟମରେ ବର୍ଣ୍ଣନା ହୋଇଛି।
ଖାଲି ଆମ ରାଜ୍ୟରେ ନୁହେଁ, ଦକ୍ଷିଣ ପ୍ରାନ୍ତ କେରଳରୁ ଆରମ୍ଭ କରି ତାମିଲନାଡ଼ୁ, ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ, ଦିଲ୍ଲୀ ବିଧାନସଭାରେ ମଧ୍ୟ ଏମିତି ଅଶୋଭନୀୟ ଘଟଣାର ଅନେକ ପୁନରାବୃତ୍ତି ହୋଇଛି। ପ୍ରଶ୍ନ ହେଉଛି ଏସବୁର କ’ଣ ଅନ୍ତ ନାହିଁ? ଆମେ କ’ଣ ଆମକୁ ନିୟନ୍ତ୍ରଣ କରିବାକୁ ଅକ୍ଷମ? ବ୍ୟବସ୍ଥାପିକାକୁ ନିୟନ୍ତ୍ରଣ କରିବାକୁ କ’ଣ ଆଉ ଏକ ବ୍ୟବସ୍ଥାର ଆବଶ୍ୟକତା ରହିଛି? ଯଦି ସଂସଦରେ ମନ୍ତ୍ରୀ ଏବଂ ଶାସକ ଦଳର ସାଂସଦ ନିଜ ଭାଷଣରେ ବ୍ୟବହୃତ ଶବ୍ଦକୁ ବିରୋଧୀ ଦଳର ଅନ୍ୟ ସାଂସଦଙ୍କୁ ଆଘାତ ଦେଇଥିବା ଜାଣି ତାହାକୁ ପ୍ରତ୍ୟାହାର କରିପାରୁଛନ୍ତି ତେବେ ଶୃଙ୍ଖଳା ରକ୍ଷା ପାଇଁ ଓଡ଼ିଶାର ବିଧାୟକମାନେ ଗୃହରେ ଦୁଃଖ ପ୍ରକାଶ କରିବା ଭଳି ପରମ୍ପରାକୁ କାହିଁକି ଆପଣାଉ ନାହାନ୍ତି? ଏହା ହେଲେ ସେମାନଙ୍କର ଗାରିମା ବଢ଼ିବା ସହିତ ଓଡ଼ିଶା ବିଧାନସଭା ମଧ୍ୟ ପ୍ରଶଂସିତ ହୁଅନ୍ତା।
ଓଡ଼ିଶା ଉପକୂଳରେ ସ୍ୱଦେଶୀ ଅସ୍ତ୍ର କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କଲା ତେଜସ ଲଢୁଆ ବିମାନ