ରାଜ୍ୟ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ନେଇ ଚର୍ଚ୍ଚା ଏବେ ଜୋରଦାର ହୋଇଛି। ସଭାପତିଙ୍କ ଇଙ୍ଗିତ ଏହାକୁ ଖୋରାକି ଦେଇଛି। ଯଦିଓ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ମୁଖ୍ୟମନ୍ତ୍ରୀଙ୍କ ଇଚ୍ଛାଧୀନ ବ୍ୟାପାର କିନ୍ତୁ ଦଳରେ ଭିନ୍ନ ଭିନ୍ନ ଗୋଷ୍ଠୀ, ବିଭାଜନ ମାନଅଭିମାନକୁ ପ୍ରଶମିତ କରିବା ଏବେ ମୁଖ୍ୟମନ୍ତ୍ରୀଙ୍କ ଆଗରେ ଏକ ଚ୍ୟାଲେଞ୍ଜ ହୋଇ ଠିଆ ହୋଇଛି। ପୁଣି ରାଜ୍ୟର ସର୍ବାଧିକ ୨୧ଜଣିଆ ମନ୍ତ୍ରିମଣ୍ଡଳକୁ ପରିପୂର୍ଣ୍ଣ କରିବା ଲାଗି କେଉଁ ମୁହଁଙ୍କୁ ଭର୍ତ୍ତି କରାଯିବ ତାହା ଯେତିକି ଚର୍ଚ୍ଚା ନାହିଁ, ଏବେ କାହାକୁ କଢ଼ାଯିବ ତାହା ଚର୍ଚ୍ଚା ବିଷୟ ପାଲଟିଛି। କୁହାଯାଉଛି ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀଙ୍କ ଦ୍ୱାରା ଗଠନ କରାଯାଇଥିବା ପ୍ରଥମ ମନ୍ତ୍ରିମଣ୍ଡଳରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବହୁତ ପ୍ରଭାବ ରହିଥିଲା। ତେଣୁ ତାଙ୍କ ସମର୍ଥକମାନେ ଯୋଗ୍ୟତା ଥାଉ ବା ନ ଥାଉ ମନ୍ତ୍ରୀ ହେବାକୁ ସକ୍ଷମ ହୋଇଥିଲେ। ଏବେ କିନ୍ତୁ ସଭାପତିଙ୍କ ପ୍ରଭାବ ଅଖଣ୍ଡ ହେବ।
ଗତ ବର୍ଷକ ମଧ୍ୟରେ ଯଦି ଆମେ ରାଜ୍ୟ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କର କାର୍ଯ୍ୟ ଦକ୍ଷତା ମାପିବା ତେବେ ଜଣେ ଦୁଇଜଣଙ୍କୁ ଛାଡ଼ି ଦେଲେ ଅନ୍ୟକେହି ନିଜର ଦକ୍ଷତା ପ୍ରମାଣିତ କରିପାରି ନାହାନ୍ତି। ଏହି ମନ୍ତ୍ରୀମାନେ କେବଳ ବାକ୍ଚାତୁରୀ କରିବା ସହିତ ନିଜକୁ ଅଯୋଗ୍ୟ ବୋଲି ନିଜେ ପ୍ରମାଣିତ କରିଛନ୍ତି। ଏହିଭଳି ମନ୍ତ୍ରୀ ତାଲିକାରେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ପଞ୍ଚାୟତିରାଜ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାଏକ, କ୍ରୀଡ଼ା ଓ ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଥିବାବେଳେ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ, ସମବାୟ ଓ ବୟନଶିଳ୍ପମନ୍ତ୍ରୀ ପ୍ରଦୀପ ବଳସାମନ୍ତ ପ୍ରଥମରୁ ବିବାଦରେ ରହିବା ପାଇଁ ପସନ୍ଦ କରିଛନ୍ତି। ସେହିପରି ଖଣିମନ୍ତ୍ରୀ ବିଭୁତିଭୂଷଣ ଜେନା, ପଶୁସମ୍ପଦ ଓ ଏମଏସଏମଇ ଗୋକୁଳାନନ୍ଦ ମଲ୍ଲିକ, ସ୍ୱାସ୍ଥ୍ୟ ଓ ଆଇଟି ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ନିଜ ବିଭାଗର କାମ ସମ୍ଭାଳିବାରେ ବିଫଳ ହୋଇଛନ୍ତି।
ପ୍ରଥମେ ଆସିବା ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ବିଭାଗକୁ। ତାଙ୍କ ପାଖରେ ମହିଳା ସଶକ୍ତିକରଣ ଓ ପର୍ଯ୍ୟଟନ ବିଭାଗ ରହିଛି। ବିଜେପି ସରକାର କ୍ଷମତାକୁ ଆସିବାର ବର୍ଷକ ପରେ ବି ରାଜ୍ୟରେ ସୁଭଦ୍ରା ଯୋଜନାର ହିତାଧିକାରୀ ଚୟନ ସରିପାରିନାହିଁ। ପର୍ଯ୍ୟଟନ ବିଭାଗକୁ ଏପରି ସମ୍ଭାଳୁଛନ୍ତି ଓଡ଼ିଶାର ପର୍ଯ୍ୟଟନସ୍ଥଳଗୁଡ଼ିକ ମହିଳାମାନଙ୍କ ପାଇଁ ସୁରକ୍ଷିତ ନୁହେଁ ବୋଲି ଯେ ସମଗ୍ର ବିଶ୍ୱରେ ନିନ୍ଦିତ ହୋଇଛି ରାଜ୍ୟ।
ସେହିପରି ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଜଣେ ମିଡିଆ ପ୍ରେମୀ ମନ୍ତ୍ରୀ ବୋଲି କୁହାଯାଉଛି। ସେ ବିଭାଗକୁ ସମ୍ଭାଳିବା ପରିବର୍ତ୍ତେ କେବଳ ମିଡିଆରେ ନିଜର ମତ ରଖିବାକୁ ଭଲ ପାଆନ୍ତି। ପୁରୀ ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲିବା, ରତ୍ନ ଭଣ୍ଡାରର ରତ୍ନ ଗଣତି ମଣତି ନେଇ ସେ ଯେତେଥର କଥା କହିଛନ୍ତି ସେଥିରୁ ଜଣାପଡ଼ୁଛି ଯେ ମନ୍ତ୍ରୀ ଶ୍ରୀମନ୍ଦିର ମୁଖ୍ୟପ୍ରଶାସକଙ୍କ ହାତରେ ଖେଳନା ସାଜିଛନ୍ତି। ଶ୍ରୀମନ୍ଦିରରେ ଏପର୍ଯ୍ୟନ୍ତ କୌଣସି ସଂସ୍କାର ଆଣିପାରିନଥିବାବେଳେ କେବଳ ଭାଷଣରେ ସୀମିତ ଅଛନ୍ତି। ଶ୍ରୀମନ୍ଦିର ସମ୍ଭାଳିବା ପାଇଁ ବିଜେପି ସରକାର ଅଯୋଗ୍ୟ ବୋଲି ଗତବର୍ଷ ଓ ଚଳିତ ବର୍ଷ ରଥଯାତ୍ରାରେ ସେ ପ୍ରମାଣିତ କରି ଦେଖାଇଛନ୍ତି। ଗତବର୍ଷ ବଡ଼ଠାକୁର ଗଣ୍ଡିଚା ମନ୍ଦିରକୁ ପହଣ୍ଡିବେଳେ ଖସି ପଡ଼ିଥିବାବେଳେ ଚଳିତ ବର୍ଷ ରଥଟଣାରେ ଅହେତୁକ ବିଳମ୍ବ ଓ ଦଳାଚକଟାରେ ୩ଜଣ ଭକ୍ତଙ୍କ ମୃତ୍ୟୁ ତାଙ୍କ ପାରିଲାପଣିଆକୁ ପ୍ରମାଣିତ କରିଛି।
ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସମୟରେ କନ୍ଧମାଳ ଜିଲ୍ଲା ମାଣ୍ଡିପକା ଗ୍ରାମର ଆଦିବାସୀମାନେ ମାଗଣା ଚାଉଳ ନ ପାଇଁ ଆମ୍ବ ଟାକୁଆ ଜାଉ ଖାଇ ମୃତ୍ୟୁବରଣ କରିବା ଘଟଣାରେ ଗତବର୍ଷ ସାରାଦେଶରେ ମୋହନ ସରକାରଙ୍କୁ ନିନ୍ଦିତ ହେବାକୁ ପଡ଼ିଥିଲା। କ୍ଷମତାକୁ ଆସିବାର ବର୍ଷକ ପରେ ଏପର୍ଯ୍ୟନ୍ତ ଗରିବ ଲୋକମାନଙ୍କୁ ନୂଆ ରାସନକାର୍ଡ ବଣ୍ଟନ ହୋଇପାରିନାହିଁ। ମନ୍ତ୍ରୀ ମିଲ୍ ମାଲିକମାନଙ୍କଠାରୁ ବଟି ଆଦାୟ କରୁଛନ୍ତି ବୋଲି ବିରୋଧୀଦଳ ବିଧାୟକ ତାରା ପ୍ରସାଦ ବାହିନୀପତି ବିଧାନସଭାରେ ତାଙ୍କୁ ଠନ୍ ଠନ୍ ମନ୍ତ୍ରୀ ବୋଲି ଅଭିହିତ କରିଛନ୍ତି।
ପଞ୍ଚାୟତିରାଜ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାଏକ ନିଜ ବିଭାଗ କାମକୁ ଆଦୌ ଗୁରୁତ୍ୱ ଦେଉଥିବା ପରି ମନେହୁଏ ନାହିଁ। ଏପର୍ଯ୍ୟନ୍ତ ରାଜ୍ୟରେ କେଉଁ ଗରିବ ଲୋକକୁ ଆବାସ ଯୋଜନା ଘର ମିଳିବ ତାର ତାଲିକା କରିବାରେ ବିଫଳ ହୋଇଛନ୍ତି। ଫଳରେ ଗରିବ ଲୋକମାନଙ୍କୁ ଭଙ୍ଗା ଘରେ ରହିବା ପାଇଁ ଛାଡ଼ି ଦେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମିଛୁଆ ବୋଲି ମନ୍ତ୍ରୀ ଶ୍ରୀ ନାଏକ ପ୍ରମାଣିତ କରିବାରେ ଲାଗିଛନ୍ତି।
କ୍ରୀଡ଼ା ଓ ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଯୁବ ମନ୍ତ୍ରୀ ହୋଇଥଇବାରୁ ତାଙ୍କଠାରୁ ରାଜ୍ୟବାସୀ ବହୁତ କିଛି ଆଶା କରୁଥିଲେ। କିନ୍ତୁ ସେ ରାଜ୍ୟବାସୀଙ୍କ ଆଶାକୁ ଧୂଳିସାତ କରି ବିଭାଗୀୟ ଅଧିକାରୀଙ୍କ ହାତରେ କଣ୍ଢେଇ ସାଜି ମୋହନ ସରକାରକୁ ନିନ୍ଦିତ କରୁଛନ୍ତି। ବିଜୁ ପଟ୍ଟନାୟକ ଖେଳ ପୁରସ୍କାର ପ୍ରସଙ୍ଗ ହେଉ କି ଯୁକ୍ତ ଦୁଇ ପରୀକ୍ଷା ଫଳ ବାହାରିବା ପୂର୍ବରୁ ଯୁକ୍ତ ତିନିରେ ନାମ ଲେଖା ତାରିଖ ଶେଷ କରିବା ଘଟଣା ତାଙ୍କ ଅପରିପକ୍ୱତାର ପ୍ରମାଣ ଦେଉଛି। ରାଜ୍ୟର କଲେଜଗୁଡ଼ିକରେ ପିଲା ହେଉନଥିବାରୁ ସେଗୁଡ଼ିକୁ ବନ୍ଦ କରିବା ପାଇଁ ତାଙ୍କ ବିଭାଗ ଯୋଜନା କରିଛି।
ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ ତାଙ୍କ ବିଭାଗରେ କ’ଣ ହେଉଛି ସେ ନିଜେ ଜାଣିପାରୁନାହାନ୍ତି। ତାଙ୍କ କାମ ସବୁ ମୁଖ୍ୟମନ୍ତ୍ରୀ କରୁଛନ୍ତି। ତାଙ୍କର ବିଭାଗ ଉପରେ କମାଣ୍ଡ ନ ଥିବାରୁ ବିଭାଗୀୟ ସଚିବ ତାଙ୍କ ସହିତ ଆଲୋଚନା କରିବା ପରିବର୍ତ୍ତେ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ କରିବାକୁ ଉଚିତ ମନେକରୁଛନ୍ତି। ତେଣୁ ସେ ଏବେ ନିଜ ମନ୍ତ୍ରୀ ପଦ ବଞ୍ଚାଇବା ପାଇଁ ନିଜର ପୁରୁଣା ନେତା ଥିବା ଧର୍ମେନ୍ଦ୍ର ପ୍ରଧାନଙ୍କ ପରିବର୍ତ୍ତେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସହିତ ଛାଇଭଳି ରହୁଥିବା ଦେଖିବାକୁ ମିଳୁଛି।
ସମବାୟ ଓ ବୟନଶିଳ୍ପମନ୍ତ୍ରୀ ପ୍ରଦୀପ ବଳସାମନ୍ତ ନିଜ ବିଭାଗରେ କାମ କରିବା ଅପେକ୍ଷା ଖଣି ଅଞ୍ଚଳରେ ନିଜର ପ୍ରଭାବ କିପରି ବୃଦ୍ଧି ପାଇବ ସେହି ଚିନ୍ତାରେ ଅଧିକ ଅଛନ୍ତି। ଏଥିପାଇଁ ସେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଅଣଦେଖା କରି ତାଙ୍କ ଜିଲ୍ଲା କେନ୍ଦୁଝରର ଖଣି ଉପରେ କର୍ତ୍ତୃତ୍ୱ ଜାହିର କରୁଥିବାରୁ ତେଲକୋଇ ବିଧାୟକଙ୍କ ସହିତ ସବୁବେଳେ ବିବାଦରେ ଅଛନ୍ତି।
ସ୍ୱାସ୍ଥ୍ୟ ଓ ଆଇଟି ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ନିଜ ବିଭାଗର କାମ ସମ୍ଭାଳିବାରେ ବିଫଳ ହୋଇଛନ୍ତି। ଗତ ମାସରେ ଉତ୍ତର ଓଡ଼ିଶାରେ ଯେପରି ହଇଜା ବ୍ୟାପିଲା ତାହାକୁ ଅଣଦେଖା କରିବାରୁ ଅନେକ ଜୀବନହାନୀ ହୋଇଛି। ରାଜ୍ୟରେ ଗରିବ ଲୋକମାନଙ୍କୁ ଚିକିତ୍ସା ସୁବିଧା ପାଇଁ ଏପର୍ଯ୍ୟନ୍ତ ସ୍ୱାସ୍ଥ୍ୟକାର୍ଡ ଯୋଗାଇବାରେ ସେ ବିଫଳ ହୋଇଥିବାବେଳେ ଆଇଟି ବିଭାଗରେ ସେଭଳି ଆଖିଦୃଶିଆ କାମ କରିନାହାନ୍ତି। କେବଳ ଅଫିସରଙ୍କ କଥାରେ ଉଠ୍ବସ୍ ହେଉଛନ୍ତି ବୋଲି ଆଲୋଚନା ହେଉଛି।
ପଶୁସମ୍ପଦ ଓ ଏମଏସଏମଇ ଗୋକୁଳାନନ୍ଦ ମଲ୍ଲିକ ନାମରେ ଜଣେ ମନ୍ତ୍ରୀ ଅଛନ୍ତି ବୋଲି ଲୋକମାନେ ଜାଣିପାରୁନାହାନ୍ତି। ଖଣିମନ୍ତ୍ରୀ ବିଭୁତିଭୂଷଣ ଜେନା ରାଜ୍ୟରେ ଖଣି ଚୋରୀକୁ ରୋକିବାରେ ବିଫଳ ହୋଇଥିବାବେଳେ ନଗର ଉନ୍ନୟମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କେବଳ ଅବସରପ୍ରାପ୍ତ ଓଏଏସ ଅଧିକାରୀମାନଙ୍କ ଦ୍ୱାରା ପରିଚାଳିତ ବୋଲି ଆଲୋଚନା ହେଉଛି।
ଯେଉଁ ୬ଟି ମନ୍ତ୍ରୀ ପଦ ଖାଲି ରହିଛି ସେଥିପାଇଁ ସବୁଠାରୁ ଆଗରେ ଜୟନାରାୟଣ ମିଶ୍ର ଥିବାବେଳେ ବାଚସ୍ପତି ସୁରମା ପାଢ଼ୀ, ବିଧାୟିକା ସଞ୍ଜାଳୀ ମୁର୍ମୁ, ବିଧାୟକ ସିଦ୍ଧାନ୍ତ ମହାପାତ୍ର, ଅମର ନାୟକଙ୍କ ନାମ ଆଗରେ ରହିଛି।
ଏସବୁକୁ ଦୃଷ୍ଟିରେ ରଖି କାହାକୁ ମନ୍ତ୍ରୀ ପଦରୁ ବାହାର କରିବେ, କାହାକୁ ନୂଆମନ୍ତ୍ରୀ କରିବେ ଓ କାହାର ବିଭାଗକୁ ପରିବର୍ତ୍ତନ କରି ତାଙ୍କୁ ହାଲୁକା କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ପାଇଁ ଅଗ୍ନି ପରୀକ୍ଷାଠାରୁ କମ୍ ନୁହେଁ। ଏହାକୁ ସେମାନେ କିପରି ସମ୍ଭାଳିବେ ତାହା ଖୁବ୍ଶୀଘ୍ର ଜଣାପଡ଼ିବ।
Also readhttps://purvapaksa.com/rahul-gandhi-to-hold-2-closed-door-meetings-during-odisha-visit/
