- ପର୍ଥ ଭଳି ଆଡିଲେଡରେ ବି ବିଫଳ
- ୧୮୦ ରନରେ ଅଟକିଲା ପ୍ରଥମ ଇନିଂସ
- ନୀତୀଶଙ୍କୁ ଛାଡ଼ି ସବୁ ନିରାଶ କଲେ
ଆଡ଼ିଲେଡରେ ଆରମ୍ଭ ହୋଇଥିବା ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜର ଦ୍ୱିତୀୟ ଟେଷ୍ଟ ଭାରତୀୟ କ୍ରିକେଟ ପ୍ରେମୀଙ୍କୁ ପୁନର୍ବାର ନିରାଶ କରିଛି। ପର୍ଥ ଭଳି ଏଠାରେ ମଧ୍ୟ ଭାରତୀୟ ବ୍ୟାଟର ଫେଲ ମାରିଛନ୍ତି। ପର୍ଥରେ ଭାରତ ପ୍ରଥମ ଇନିଂସରେ ମାତ୍ର ୧୫୦ ରନ୍ କରିଥିଲା। ଆଡିଲେଡ୍ରେ ନୈରାଶ୍ୟଜନକ ବ୍ୟାଟିଂ କରି ମାତ୍ର ୧୮୦ ରନରେ ସମସ୍ତ ୱିକେଟ ହରାଇଛି। କେବଳ ଯୁବ ଅଲ୍ରାଉଣ୍ଡର ନୀତୀଶ କୁମାର ରେଡ୍ଡୀଙ୍କୁ ଛାଡ଼ିଦେଲେ ବାକି ସବୁ ବିଫଳ ହୋଇଛନ୍ତି।
ପିଙ୍କ ବଲ୍ ଦିବା ରାତ୍ର ଟେଷ୍ଟରେ ସଫଳ ହେବା ପାଇଁ କ୍ରିଜରେ ଧୈର୍ଯ୍ୟର ସହ ବ୍ୟାଟିଂ କରିବା ଆବଶ୍ୟକ। ମାତ୍ର ଆମ ଦଳର କୌଣସି ବ୍ୟାଟର କ୍ରିଜରେ ଛିଡ଼ା ହେବା ପାଇଁ ଚାହିଁନଥିଲେ। ପ୍ରଥମ ଟେଷ୍ଟର ଦ୍ୱିତୀୟ ଇନିଂସରେ ୧୬୧ ରନ୍ର ଇନିଂସ ଖେଳିଥିବା ଯଶସ୍ୱୀ ଜୈସ୍ୱାଲ ପ୍ରଥମ ବଲରେ ଆଉଟ ହୋଇଥିଲେ। କେଏଲ ରାହୁଲ ଓ ଶୁଭମନ ଗିଲ୍ ଧୈର୍ଯ୍ୟର ସହ ବ୍ୟାଟିଂ କରିଥିଲେ ଓ ୬୯ ରନ୍ର ଭାଗିଦାରୀ ଗଠନ କରିଥିଲେ। ରାହୁଲ ୩୭ ରନ୍ କରି ଆଉଟ ହେବା ପରେ ଭାରତର ବିପର୍ଯ୍ୟୟ ଆରମ୍ଭ ହୋଇଯାଇଥିଲା। ମିଚେଲ ଷ୍ଟାର୍କଙ୍କ ଘାତକ ବୋଲିଂର ମୁକାବିଲା କରିବା କଷ୍ଟକର ହୋଇଥିଲା। ବିରାଟ କେହାଲି ୭, ଶୁଭମନ ଗିଲ୍ ୩୧ ଓ ରୋହିତ ଶର୍ମା ୩ ରନ୍ କରି ଆଉଟ ହେବା ସହ ଭାରତ ୮୭ ରନରେ ୫ଟି ୱିକେଟ ହରାଇଥିଲା। ରିଷଭ ପନ୍ତ ଓ ରବି ଚନ୍ଦ୍ରନ ଅଶ୍ୱିନ ଉପଯୋଗୀ ବ୍ୟାଟିଂ କରିଥିଲେ। ମାତ୍ର ୨୧ ବର୍ଷିୟ ନୀତୀଶ କୁମାର ରେଡ୍ଡୀ ଲଢୁଆ ୪୨ ରନ୍ ସଂଗ୍ରହ କରିବା ଫଳରେ ଦଳୀୟ ସ୍କୋର ୧୦ରେ ପହଞ୍ଚିଥିଲା। ସେ ଏହି ଇନିଂସରେ ୩ଟି ଚୌକା ଓ ୩ଟି ଛକା ମାରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପନ୍ତ ୨୧ ଓ ଅଶ୍ୱିନ ୨୨ ରନ୍ କରିଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ଷ୍ଟାର୍କ ୬ଟି ୱିକେଟ ଅକ୍ତିଆର କରିଥିବା ବେଳେ ପ୍ୟାଟ୍ କମିନ୍ସ ଓ ସ୍କଟ୍ ବୋଲାଣ୍ଡ ୨ଟି ଲେଖାଏଁ ୱିକେଟ ନେଇଥିଲେ।
previous article: https://purvapaksa.com/classical-chess-can-be-a-bit-of-a-tough-watch-at-the-best-of-times/