Swati Maliwal: ସ୍ୱାତୀ ମାଲିୱାଲ ସୋସିଆଲ ମିଡିଆରେ ଦ୍ରୌପଦୀ ବସ୍ତ୍ର ହରଣର ଚିତ୍ର ଛାଡ଼ି କେଜ୍ରିୱାଲଙ୍କୁ ଚିଡ଼ାଇଛନ୍ତି। ଯାହାର ମଜା ସୋସିଆଲ ମିଡିଆ ୟୁଜର ନେଉଛନ୍ତି। ଦିଲ୍ଲୀ ନିର୍ବାଚନର ଫଳାଫଳ ଯାହା ହେଉନା କାହିଁକି ସ୍ୱାତୀ ନିର୍ବାଚନ ମୈଦାନକୁ ନଓହ୍ଲାଇ ବି ସବୁଠାରୁ ବଡ଼ ବିଜେତାଭାବେ ଉଭା ହୋଇଛନ୍ତି।
ଦିଲ୍ଲୀ ନିର୍ବାଚନ ଫଳାଫଳ ଚକିତ କଲା ଭଳି ହୋଇଛି। ଭୋଟ୍ ସରିବା ପରେ ପରେ ଆସିଥିବା ଏକଜିଟ୍ ପୋଲ୍ ବିଜେପି ବିଜୟ ଉପରେ ମୋହର ମାରିଥିଲା। କିନ୍ତୁ ଗତ କେଇବର୍ଷ ହେଲା ଫେଲ୍ ହୋଇ ଆସୁଥିବା ଏକଜିଟ୍ ପୋଲକୁ ଲୋକ ବିଶ୍ୱାସ କରୁନଥିଲେ। କିନ୍ତୁ ଶନିବାରର ଫଳାଫଳ ସମସ୍ତଙ୍କୁ ନହେଲେ ବି ଅତି କମରେ ଆପ୍ ଓ ଏହାର ସମର୍ଥକଙ୍କୁ ଚମକାଇ ଦେଇଛି। କଟର ଇମାନଦାର,ଅଲାଗ ରାଜନୀତି କଥା କହି ଗଲା ୧୦ବର୍ଷ ଧରି କ୍ଷମତାରେ ଥିବା ଅରବିନ୍ଦ କେଜ୍ରିୱାଲ ଓ ତାଙ୍କ ମଣ୍ଡଳୀକୁ ଏହି ଫଳାଫଳ ତୃଣମୂଳସ୍ତରରେ ଲୋକଙ୍କ ମଧ୍ୟରେ କେଉଁଭଳି ଅସନ୍ତୋଷ ଥିଲା ଜଣାଇଦେଇଛି। ଶନିବାର ଦିନର ଅସଲ ଖବର ଯଦି କେହି ଭାବନ୍ତି ଯେ, ବିଜେପିର ବିଜୟ ତେବେ ସେମାନେ ଭୁଲ। ଶନିବାରର ଅସଲ ଖବର ଥିଲା ବ୍ରାଣ୍ଡ୍ କେଜ୍ରିୱାଲର ପତନ। ଆଉ ବ୍ରାଣ୍ଡ୍ କେଜ୍ରିୱାଲକୁ ଲାଗିଥିବା ଧକ୍କା ଦ୍ୱାରା ଯଦି କେହି ଅଧିକ ଖୁସି ହୋଇଥାନ୍ତି ସେମାନେ ହେଉଛନ୍ତି କବି କୁମାର ବିଶ୍ୱାସ ଓ ସ୍ୱାତି ମାଲିୱାଲ। କୁମାର ତ ସାକ୍ଷାତ୍କାର ଦେଇ କହି ସାରିଛନ୍ତି; ନିଚ, ବାମନର କୁଶାସନରୁ ଦିଲ୍ଲୀ ମୁକ୍ତି ପାଇଛି। ଏଣେ ସ୍ୱାତୀ ମାଲିୱାଲ ସୋସିଆଲ ମିଡିଆରେ ଦ୍ରୌପଦୀ ବସ୍ତ୍ର ହରଣର ଚିତ୍ର ଛାଡ଼ି କେଜ୍ରିୱାଲଙ୍କୁ ଚିଡ଼ାଇଛନ୍ତି। ଯାହାର ମଜା ସୋସିଆଲ ମିଡିଆ ୟୁଜର ନେଉଛନ୍ତି। ଦିଲ୍ଲୀ ନିର୍ବାଚନର ଫଳାଫଳ ଯାହା ହେଉନା କାହିଁକି ସ୍ୱାତୀ ନିର୍ବାଚନ ମୈଦାନକୁ ନଓହ୍ଲାଇ ବି ସବୁଠାରୁ ବଡ଼ ବିଜେତାଭାବେ ଉଭା ହୋଇଛନ୍ତି। ସ୍ୱାତୀଙ୍କୁ କେଜ୍ରିୱାଲ ଯେଉଁଭଳି କ୍ରେଜି କରିଥିଲେ,ଏବେ ଭୋଟର ଆପ୍ ସୁପ୍ରିମୋଙ୍କୁ ସେମିତି କ୍ରେଜି କରିଦେଇଛନ୍ତି।
ନ ଲଢ଼ି ବିରାଟ ବିଜୟ
ଜଣେ ମହିଳାଙ୍କୁ ତାଙ୍କ ଅପମାନ ହିଁ ସବୁଠାରୁ ଅଧିକ କ୍ରୋଧିତ କରିଥାଏ। ଏହା କେବଳ ପ୍ରେମରେ ପ୍ରଜୁଜ୍ୟ ନୁହେଁ,ଏହା ମଧ୍ୟ ରାଜନୀତି ପାଇଁ ବି ସତ୍ୟ! ସ୍ୱାତୀ ମାଲିୱାଲଙ୍କ କ୍ଷେତ୍ରରେ ମଧ୍ୟ ସମାନ କଥା ଘଟିଥିଲା। ଦିଲ୍ଲୀ ନିର୍ବାଚନ ଲଢ଼ି ନାହାଁନ୍ତି କିନ୍ତୁ ସେ ସବୁଠାରୁ ବଡ଼ ବିଜୟୀ ଭାବରେ ଉଭା ହୋଇଛନ୍ତି। ଯେତେବେଳେ ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱାଧୀନ ଆପ ଏକ ଶୋଚନୀୟ ପରାଜୟ ଆଡ଼କୁ ଗତି କରୁଥିଲା, ମାଲିୱାଲ ଦ୍ରୌପଦୀଙ୍କ ବସ୍ତ୍ରହରଣ ଚିତ୍ର ପୋଷ୍ଟ କରିବାରେ କୌଣସି ସମୟ ନଷ୍ଟ କରିନଥିଲେ। ଆପର ପରାଜୟ ମଧ୍ୟରେ ମାଲିୱାଲ କିପରି ପ୍ରକୃତ ବିଜୟୀ ଭାବରେ ଉଭା ହୋଇଛନ୍ତି ସେନେଇ ସୋସିଆଲ ମିଡିଆ ମିମ୍ସରେ ଭରି ଯାଇଥିଲା।
୨୦୨୪ ମସିହାର ମଇ ମାସରେ, ଆମ ଆଦମୀ ପାର୍ଟି (ଆପ୍) ନେତା ମାଲିୱାଲଙ୍କ ଚମକାଇବା ଭଳି ଅଭିଯୋଗ ଦିଲ୍ଲୀ ରାଜନୀତିରେ ଭୂକମ୍ପ ଆଣିତିଲା। ସେତେବେଳେ ସେ ଦାବି କରିଥିଲେ ଯେ, କେଜ୍ରିୱାଲଙ୍କ ଘରେ ତାଙ୍କ ସହିତ ମାରପିଟ୍ ହୋଇଥିଲା। ସେ ଦାବି କରିଥିଲେ ଯେ ଯେତେବେଳେ ସେ କେଜରିୱାଲଙ୍କୁ ଭେଟିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନକୁ ଯାଇଥିଲେ, ସେଠାରେ ତାଙ୍କ ବ୍ୟକ୍ତିଗତ ସହାୟକ ବିଭବ କୁମାର ତାଙ୍କୁ ଚାପୁଡ଼ା ଓ ବିଧା ମାରିଥିଲେ ଏବଂ ଏପରିକି ତାଙ୍କୁ ଘର ଭିତରେ ଟଣା ଓଟରା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଘରେ ଏସବୁ ଘଟୁଥିବା ବେଳେ ତାଙ୍କୁ ବଂଚାଇବାକୁ କେହି ଆସିନଥିଲେ ବୋଲି ସେ କହିଥିଲେ। ଏହାକୁ ନେଇ ସେ ଦିଲ୍ଲୀ ପୋଲିସ ନିକଟରେ ଅଭିଯୋଗ ମଧ୍ୟ କରିଥିଲେ। କଥିତ ଆକ୍ରମଣର ଗୋଟିଏ ଦିନ ପରେ, ଆପ ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ ବିଭବ କୁମାରଙ୍କ କାର୍ଯ୍ୟକୁ ସର୍ବସାଧାରଣରେ ନିନ୍ଦା କରିଥିଲେ ଏବଂ କଠୋର କାର୍ଯ୍ୟାନୁଷ୍ଠାନର ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ମାତ୍ର ତିନି ଦିନ ପରେ, ଆତିଶି ଏକ ସାମ୍ବାଦିକ ସମ୍ମିଳନୀରେ ମାଲିୱାଲଙ୍କ ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଥିଲେ।
ବାସନ୍ଦ ମାଲିୱାଲ ପ୍ରତିଶୋଧ ଚାହୁଁଥିଲେ
ଦିଲ୍ଲୀରେ ନିର୍ବାଚନ ପ୍ରଚାର ବେଳେ , ମାଲିୱାଲ ନିର୍ବାଚନ ଲଢ଼ି ନଥିଲେ କିନ୍ତୁ ସେ ଦିଲ୍ଲୀର ତ୍ରୁଟି ଏବଂ ନାଗରିକ ସମସ୍ୟାଗୁଡ଼ିକୁ ଆଲୋକପାତ କରିଥିଲେ। ଅଳିଆ ଗଦା, ପାଣି ଜାମଠାରୁ ଆରମ୍ଭ କରି ଅସ୍ୱାସ୍ଥ୍ୟକର ଜୀବନଶୈଳୀ ପର୍ଯ୍ୟନ୍ତ, ସବୁ କିଛିକୁ ନେଇ ସ୍ୱାତୀ କେଜ୍ରିୱାଲଙ୍କୁ ଘେରିଥିଲେ। ସ୍ୱାତୀ ଦିଲ୍ଲୀର ବିଭିନ୍ନ ଅଞ୍ଚଳ ବୁଲିଥିଲେ। ସ୍ୱାତୀଙ୍କ ସହିତ ବୁଲୁଥିଲା ମିଡିଆ ଟିମ୍। ଯାହା କେଜ୍ରିୱାଲଙ୍କ ବିକାଶ ଦାବିର ହାୱା ବାହାର କରିବାରେ ବିଜେପିକୁ ସାହାଯ୍ୟ କରିଥିଲା। ଫେବୃଆରୀ ୩ ତାରିଖରେ, ସ୍ୱାତୀ ମାଲିୱାଲ କେଜରିୱାଲଙ୍କ ବାସଭବନ ମଧ୍ୟକୁ ନିଜ ଲଢ଼େଇ ନେଇ ଯାଇଥିଲେ।
ପୂର୍ବାଞ୍ଚଳର କିଛି ମହିଳାଙ୍କ ସହିତ, ମାଲିୱାଲ ପ୍ରଦୂଷିତ ଯମୁନା ନଦୀରୁ ପାଣି ଧରି କେଜରିୱାଲଙ୍କ ବାସଭବନରେ ପହଞ୍ଚିଥିଲେ। ନଦୀ ଜଳ ବିଶାକ୍ତ ହେଉଥିବା ବେଳେ କେଜରିୱାଲ ବିଳାସପୂର୍ଣ୍ଣ ଜୀବନଯାପନ କରୁଥିବା ଅଭିଯୋଗ କରିଥିଲେ ସ୍ୱାତୀ। ସେ କେଜରିୱାଲଙ୍କୁ ବିଷାକ୍ତ ପାଣିରେ ବୁଡ଼ ପକାଇବାକୁ ଚ୍ୟାଲେଞ୍ଜ କରିଥିଲେ।
ମାଲିୱାଲଙ୍କ ଏହି ସବୁ କେଜ୍ରିୱାଲ ବିରୋଧୀ ବୟାନବାଜୀ ଓ ପବ୍ଲିକ୍ ଷ୍ଟଣ୍ଟ୍ ଆପ୍ ବିରୋଧରେ ଜନମତ ସୃଷ୍ଟି କରିବାରେ ସାହାଯ୍ୟ କରିଥିଲା। ନିର୍ବାଚନ ଫଳାଫଳ ଆସିବା ପରେ ସ୍ୱାତୀ ଯାହା କହିଛନ୍ତି ତାହା ଆହୁରି ଗୁରତର।
କେଜ୍ରିୱାଲ ଏବେ ଖାଲି ରାଗରେ ଗରଗର ହେଉଥିବେ
କେଜ୍ରିୱାଲ ନିଜେ ପରାସ୍ତ ହେବା ପରେ ସ୍ୱାତୀ ତାଙ୍କ ଉପରେ ଆକ୍ରମଣକୁ ଜୋରଦାର କରିଥିଲେ। କେଜ୍ରିୱାଲଙ୍କୁ କଟାକ୍ଷ କରି ସେ କହିଥିଲେ ଯେ, କେଜ୍ରିୱାଲ ଏବେ ମାନସମନ୍ଥନ କରୁନଥିବେ। ଏବେ ସେ ରାଗରେ ଗରଗର ହେଉଥିବେ। ଏବେ ଜିନିଷ ଭାଙ୍ଗୁଥିବେ। ଆଭଦ୍ର ଭାଷା ପ୍ରୟୋଗ କରୁଥିବେ। କାରଣ କେଜ୍ରିୱାଲ ରାଗିଲାବେଳେ କାଳେ ଏମିତି କରନ୍ତି।
ସ୍ୱାତୀଙ୍କ ଦାବିରେ କେତେ ସତ୍ୟତା ଅଛି ତାହା କେଜ୍ରିୱାଲ ଜାଣିଥିବେ କିମ୍ବା ନିଜେ ସ୍ୱାତୀ। କିନ୍ତୁ ଗୋଟିଏ କଥା ସତ,ଏହି ନିର୍ବାଚନରେ ଭୋଟ୍ ମୈଦାନକୁ ନଓହ୍ଲାଇବି ସ୍ୱାତୀ ସବୁଠାରୁ ବଡ଼ ବିଜେତା ଭାବେ ଉଭା ହୋଇଛନ୍ତି। ଏମିତିକି ୩୨ବର୍ଷ ପରେ ଦିଲ୍ଲୀରେ ପଦ୍ମ ଫୁଟାଇଥିବା ମୋଦୀ-ଶାହା ଯୋଡ଼ିଙ୍କଠାରୁ ବି ବଡ଼ ବିଜେତା। କେଜ୍ରିୱାଲ ଏବଂ ତାଙ୍କ ରାଜନୀତି ଆଗକୁ କେଉଁ ମୋଡ଼ ନେଉଛି ତାହା ଦେଖିବାକୁ ବାକି ରହିଲା। କିନ୍ତୁ ଗୋଟିଏ କଥା ସତ,ସ୍ୱାତୀଙ୍କ ରାଜନୈତିକ କ୍ୟାରିୟର ଆଗରୁ ଟପ୍ ଗିୟରରେ ଚାଲିବ। କାରଣ କେଜ୍ରିୱାଲ ବିରୋଧୀ ବଡ଼ ଦଳଙ୍କ ରାଡାରକୁ ସେ ଆସି ସାରିଲେଣି। ହୁଏତ ସ୍ୱାତୀ ନିଜ ଦ୍ୱିତୀୟ ଇନିଂସ ଆଉ କୌଣସି ଦଳରୁ ଆରମ୍ଭ କରିପାରନ୍ତି। କିନ୍ତୁ ଶନିବାର ରାତିରେ ସ୍ୱାତୀ ମାଲିୱାଲ ନିଶ୍ଚିତ ଭାବେ ଶାନ୍ତିରେ ଶୋଇବେ। ଆଉ କବି କୁମାର ବିଶ୍ୱାସ କିଛି ନୂଆ କବିତା ଲେଖିବେ। ତେଣିକି ତାହା ତାଙ୍କ ପୁରୁଣା ମିତ୍ର -ବାମନଙ୍କ ବାଦରେ ହେଉନା କାହିଁକି।
Also readhttps://purvapaksa.com/what-does-delhi-election-result-implies-to-regional-parties-3/
ବିଜେପିରେ ବଢ଼ୁଥିବା ବୈଜୟନ୍ତ ପଣ୍ଡା ଏବେ ଓଡ଼ିଶା ନେତାଙ୍କ ଲାଗି ହୋଇପାରନ୍ତି ଝଡ଼
