ନେପାଳର ଅନ୍ତରୀଣ ପ୍ରଧାନମନ୍ତ୍ରୀ ଦୌଡ଼ରେ ନେପାଳ ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ସୁଶୀଳା କାର୍କୀଙ୍କ ନାମ ଥିଲା । ଏବେ କିନ୍ତୁ ଶୁଣିବାକୁ ମିଳୁଛି ଯେ, ତାଙ୍କ ନାମକୁ ନେଇ ସହମତି ହୋଇ ପାରୁନାହିଁ । ଅବଶ୍ୟ ଏହା ଅଲଗା କଥା ଯେ, ବୁଧବାର ଦିନ ଦୀର୍ଘ ୧୮ ଘଣ୍ଟା ନେପାଳ ସେନାମୁଖ୍ୟ ତାଙ୍କୁ ମନାଇବାକୁ ଉଦ୍ୟମ କରୁଥିଲେ। ଏବେ ପୂର୍ବତନ ପ୍ରଶାସକ କୁଲମନ ଘିସିଂଙ୍କ ନାମ ସାମ୍ନାକୁ ଆସୁଛି । କାର୍କୀ କି ଘିସିଂ ଅନ୍ତରୀଣ ପ୍ରଧାନମନ୍ତ୍ରୀ ହେବେ ତାହା ସମୟ କହିବ,କିନ୍ତୁ କାର୍କୀଙ୍କ ପରିବାରର ଗଣତନ୍ତ୍ର ପ୍ରତି ସମର୍ପଣ ଭାବରେ କୌଣସି ସନ୍ଦେହ ନାହିଁ । କାର୍କୀଙ୍କ ସ୍ୱାମୀ ଗଣତାନ୍ତ୍ରିକ ବ୍ୟବସ୍ଥା ପାଇଁ ଭାରତୀୟ ଜେଲରେ ଦୀର୍ଘ ୪୦ ବର୍ଷ ରହିଥିଲେ ।
ରାଜନୀତିରୁ ନ୍ୟାୟାଳୟ
ସୁଶୀଳା କାର୍କୀ ନେପାଳର ସର୍ବୋଚ୍ଚ ନ୍ୟାୟାଳୟର ପ୍ରଥମ ମହିଳା ମୁଖ୍ୟ ବିଚାରପତି ଥିଲେ। ସେ ୧୧ ଜୁଲାଇ ୨୦୧୬ରେ ଏହି ପଦ ଗ୍ରହଣ କରିଥିଲେ ଓ ୬ ଜୁନ ୨୦୧୭ ପର୍ଯ୍ୟନ୍ତ ଏହି ପଦରେ କାର୍ଯ୍ୟ କରିଥିଲେ। ସେ ୨୦୦୯ ମସିହାରେ ବିଚାରପତି ଭାବେ ନେପାଳର ସର୍ବୋଚ୍ଚ ନ୍ୟାୟାଳୟରେ ଯୋଗ ଦେଇଥିଲେ। ତାଙ୍କ କାର୍ଯ୍ୟକାଳକୁ ନ୍ୟାୟପାଳିକାରେ ମହିଳାଙ୍କ ଅଂଶଗ୍ରହଣ ଓ ସ୍ୱାଧୀନତାର ପ୍ରତୀକ ଭାବେ ଦେଖାଯାଏ। ସେ ଜଣେ ଏମିତି ପ୍ରଧାନ ବିଚାରପତି ଭାବେ ମଧ୍ୟ ସ୍ମରଣୀୟ, ଯିଏ ପୂର୍ବତନ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ବିରୋଧରେ ଅନେକ ରାୟ ଦେଇଥିଲେ। ସରକାରୀ କାର୍ଯ୍ୟକୁ ନିଷ୍ପତ୍ତି ମାଧ୍ୟମରେ ସମାଲୋଚନା କରିଥିଲେ ।
ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳରେ ଶିକ୍ଷା
ସୁଶୀଳା କାର୍କୀଙ୍କ ଜନ୍ମ ୭ ଜୁନ ୧୯୫୨ରେ ନେପାଳର ବିରାଟନଗରରେ ହୋଇଥିଲା। ତାଙ୍କର ପ୍ରାରମ୍ଭିକ ଶିକ୍ଷା ବିରାଟନଗରରେ ହିଁ ହୋଇଥିଲା। ନେପାଳର ମେଧାବୀ ଛାତ୍ରମାନେ ବହୁ ସଂଖ୍ୟାରେ ବାରାଣସୀର ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ (ବିଏଚୟୁ)ରେ ପଢ଼ିବାକୁ ଆସନ୍ତି। ଏହି କାରଣରୁ ଏହି ବିଶ୍ୱବିଦ୍ୟାଳୟ ନେପାଳକୁ ଅନେକ ପ୍ରଧାନମନ୍ତ୍ରୀ ଓ ଉଚ୍ଚସ୍ତରୀୟ ନେତା ଦେଇଛି। ସୁଶୀଳା ଏଠାକୁ ରାଜନୀତି ବିଜ୍ଞାନରେ ଏମଏ କରିବାକୁ ଆସିଥିଲେ। ସେ ଦୁଇ ବର୍ଷ ଏଠାରେ ପାଠ ପଢ଼ିଥିଲେ। ବାରାଣସୀ ତାଙ୍କ ଜୀବନରେ ସବୁ ଦୃଷ୍ଟିରୁ ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ଥିଲା।
ଯେତେବେଳେ ସୁଶୀଳା ବିଏଚୟୁକୁ ଆସିଥିଲେ, ସେତେବେଳେ ଏହା ୧୯୭୦ ଦଶକର ଆରମ୍ଭ ଥିଲା। ସେହି ସମୟରେ ବିଏଚୟୁରେ ନେପାଳର ଜଣେ ଉତ୍ସାହୀ ଯୁବ ନେତା ମଧ୍ୟ ପାଠ ପଢୁଥିଲେ। ତାଙ୍କ ନାମ ଥିଲା ଦୁର୍ଗା ପ୍ରସାଦ ସୁବେଦୀ। ସେତେବେଳେ ନେପାଳରେ ପଞ୍ଚାୟତ ଶାସନ ଚାଲୁଥିଲା। ବାରାଣସୀରେ ପଢୁଥିବା ନେପାଳୀ ଯୁବକମାନଙ୍କର ଏକ ଗୋଷ୍ଠୀ ଏହି ବ୍ୟବସ୍ଥାର ବିରୋଧ କରୁଥିଲା। ଏହି ଛାତ୍ରମାନେ ଏକ ସଂଗଠନ ଗଠନ କରିଥିଲେ।
ବୈଠକରୁ ପ୍ରେମ
ନିଜ ଦେଶର ପରିସ୍ଥିତି ଉପରେ ସେମାନଙ୍କ ମଧ୍ୟରେ ସବୁବେଳେ ବୈଠକ ହେଉଥିଲା। ଦେଶର ଏହି ପରିସ୍ଥିତିକୁ କିପରି ମୁକାବିଲା କରାଯିବ, ସେ ନେଇ ଚର୍ଚ୍ଚା ଓ ବିତର୍କ ହେଉଥିଲା। ଅନେକ ବିପ୍ଳବୀ ଯୋଜନା ତିଆରି ହେଉଥିଲା। ଏହି ଗ୍ରୁପରେ ସେତେବେଳେ ସୁଶୀଳା କାର୍କୀ ଓ ଦୁର୍ଗା ପ୍ରସାଦ ସୁବେଦୀ ମଧ୍ୟ ଥିଲେ। ଏହି ସ୍ଥାନରେ ହିଁ ଦୁହେଁ ପରସ୍ପର ସହ ପରିଚିତ ହୋଇଥିଲେ।
ବାରାଣସୀରେ ପ୍ରେମ ଓ ତା’ପରେ ବିବାହ
କୁହାଯାଏ ଯେ, ବିଏଚୟୁରେ ପଢୁଥିବା ବେଳେ ହିଁ ସେମାନେ ବିବାହ କରିଥିଲେନେପାଳରେ ତାଙ୍କ ଯୋଡ଼ିକୁ ସାମାଜିକ ଓ ରାଜନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ବିଏଚୟୁରୁ ରାଜନୀତି ଶାସ୍ତ୍ରରେ ପାଠ ଶେଷ କରିବା ପରେ ସୁଶୀଳା କାଠମାଣ୍ଡୁର ତ୍ରିଭୁବନ ବିଶ୍ୱବିଦ୍ୟାଳୟରେ ଆଇନ ପଢ଼ିବାକୁ ଗଲେ। ଅନ୍ୟପକ୍ଷରେ ଦୁର୍ଗା ନେପାଳରେ ପୂର୍ଣ୍ଣତଃ ରାଜନୀତିରେ ଡେଇଁ ପଡ଼ିଲେ।
ବିମାନ ଅପହରଣ କରି ୪୦ ବର୍ଷ ଜେଲ
ବିବାହ ପରେ ଦୁର୍ଗା ସୁବେଦୀ ନେପାଳୀ କଂଗ୍ରେସର ଜଣେ ପ୍ରମୁଖ ଯୁବ ନେତା ଭାବେ ଉଭା ହେଲେ। ସେ ନେପାଳରେ ପଞ୍ଚାୟତ ଶାସନର ବିରୋଧରେ ଆନ୍ଦୋଳନ ଆରମ୍ଭ କଲେ। ପ୍ରାରମ୍ଭରେ ସୁଶୀଳା ମଧ୍ୟ ରାଜନୀତି କ୍ଷେତ୍ରରେ ସକ୍ରିୟ ହୋଇଥିଲେ, କିନ୍ତୁ ପରେ ସେ ଓକିଲାତି ପେଶା ଗ୍ରହଣ କଲେ। ତା’ପରେ ସେ ନିଜର ଏକ ପରିଚୟ ଗଢ଼ିଲେ। ଏହା ତାଙ୍କୁ ନ୍ୟାୟପାଳିକାରେ ପ୍ରବେଶ କରିବାର ପଥ ମଜବୁତ କଲା। ସେ ନେପାଳର ନିର୍ଭୀକ ବିଚାରପତି ଭାବେ ଜଣାଶୁଣା, ଯିଏ କୌଣସି ଚାପରେ ଆସୁ ନ ଥିଲେ। ଅନ୍ୟପକ୍ଷରେ, ତାଙ୍କ ସ୍ୱାମୀ ପଞ୍ଚାୟତ ଶାସନର ବିରୋଧ ଓ ଗଣତନ୍ତ୍ରର ସମର୍ଥନରେ ନେପାଳ ସରକାରୀ ବିମାନକୁ ଅପହରଣ କରିଥିଲେ। ଏହାକୁ ଆଜି ମଧ୍ୟ ନେପାଳ ପ୍ଲେନ ହାଇଜାକିଂ କେସ, ୧୯୭୩ ନାମରେ ଜଣାଯାଏ।
ଅପହୃତ ବିମାନକୁ ନେଇ ଭାରତ ଆସିଥିଲେ
ଦୁର୍ଗା ପ୍ରସାଦ ସୁବେଦୀ ଓ ତାଙ୍କ ସାଙ୍ଗମାନେ ନେପାଳରେ ଗଣତନ୍ତ୍ର ପୁନଃସ୍ଥାପନ ପାଇଁ ନେପାଳ ସରକାରର ଏକ ବିମାନକୁ ଅପହରଣ କରି ଭାରତର ଫୋରବିସଗଞ୍ଜ ବିମାନବନ୍ଦରରେ ଅବତରଣ କରାଇଥିଲେ। ଏହି ବିମାନରେ ୩୦ ଲକ୍ଷ ଭାରତୀୟ ଟଙ୍କା ଥିଲା, ଯାହା ନେପାଳ ସରକାରର ଥିଲା। ଏହି ପଦକ୍ଷେପକୁ ନେପାଳରେ ଗଣତନ୍ତ୍ର ପୁନଃସ୍ଥାପନ ଲଢ଼େଇରେ ଏକ ସାହସୀ ମାଇଲଖୁଣ୍ଟ ବୋଲି ବିବେଚନା କରାଯାଇଥିଲା। କିନ୍ତୁ ଭାରତ ସରକାର ଦୁର୍ଗା ପ୍ରସାଦଙ୍କୁ ଗିରଫ କରି ଦମଦମ କେନ୍ଦ୍ରୀୟ କାରାଗାରରେ ବନ୍ଦୀ କରିଥିଲେ।
୪୦ ବର୍ଷ ଧରି ଭାରତର ଜେଲ୍ରେ ରହିଲେ
ପ୍ରାୟ ୪୦ ବର୍ଷ ପର୍ଯ୍ୟନ୍ତ ସେ ଜେଲରେ ଥିଲେ । କାରଣ ଭାରତ ଓ ନେପାଳ ମଧ୍ୟରେ ରାଜନୈତିକ ସହମତି ଓ ଚୁକ୍ତି ହୋଇ ନ ଥିଲା। ୨୦୧୩ରେ ଦୁର୍ଗା ପ୍ରସାଦ ସୁବେଦୀଙ୍କୁ ନେପାଳ ଫେରାଇ ଆଣାଗଲା। ନେପାଳ ସରକାର ତାଙ୍କ ଚିକିତ୍ସା ଓ ଜୀବନ ଯତ୍ନର ଦାୟିତ୍ୱ ନେଇଥିଲେ। ତାଙ୍କର ସଂଘର୍ଷ ନେପାଳରେ ଗଣତନ୍ତ୍ର ସଂଘର୍ଷର ପ୍ରତୀକ ହୋଇଗଲା। ଉଭୟର ଗୋଟିଏ ଝିଅ ଅଛି, କିନ୍ତୁ ସେ ସାର୍ବଜନୀନ ଜୀବନରୁ ଦୂରରେ ରହିଛି।
ଅବସରପ୍ରାପ୍ତ ମୁଖ୍ୟ ବିଚାରପତି ସୁଶୀଳା କୁମାରୀଙ୍କ ନାମ ଏବେ ନେପାଳର ଅନ୍ତରୀଣ ପ୍ରଧାନମନ୍ତ୍ରୀ ଭାବେ ଉଠୁଛି, କାରଣ ସେ ସର୍ବୋଚ୍ଚ ନ୍ୟାୟାଳୟରେ ମୁଖ୍ୟ ବିଚାରପତି ଥିବା ସମୟରେ ତାଙ୍କ ନିଷ୍ପତ୍ତି ମାଧ୍ୟମରେ ଦୁର୍ନୀତି ଓ ସୁଯୋଗବାଦୀ ରାଜନୀତି ବିରୋଧରେ ଦେଶରେ ଏକ ଆଶା ସୃଷ୍ଟି କରିଥିଲେ।
