ସୁପ୍ରିମକୋର୍ଟ ନଡ଼ା ପୋଡ଼ିବା ପ୍ରସଙ୍ଗରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ପ୍ରତିବର୍ଷ ଶୀତ ଆରମ୍ଭ ହେବା ପୂର୍ବରୁ ଦିଲ୍ଲୀ-ଏନସିଆରରେ ପ୍ରଦୂଷଣ ସ୍ତର ବୃଦ୍ଧି ପାଇଥାଏ । ନଡ଼ା ପୋଡ଼ିବା ଏହାର ଏକ କାରଣ ବୋଲି କୁହାଯାଉଛି । ଦିଲ୍ଲୀ-ଏନସିଆରରେ ବାୟୁ ପ୍ରଦୂଷଣ ସମ୍ପର୍କିତ ଆବେଦନର ଶୁଣାଣି ସମୟରେ ସୁପ୍ରିମକୋର୍ଟ କହିଛନ୍ତି ଯେ କିଛି ଚାଷୀଙ୍କୁ ଜେଲଦଣ୍ଡ ଦେବା ଅନ୍ୟମାନଙ୍କ ପାଇଁ ଏକ ଶିକ୍ଷା ହେବ ଏବଂ ଏହି ଅଭ୍ୟାସକୁ ରୋକିବାରେ ସାହାଯ୍ୟ କରିବ। ମୁଖ୍ୟ ବିଚାରପତି ବି.ଆର. ଗାଭାଇ ଏବଂ ବିଚାରପତି କେ. ବିନୋଦ ଚନ୍ଦ୍ରନଙ୍କ ଖଣ୍ଡପୀଠ ଏହି ଭଳି କିଛି କହିଛନ୍ତି।
ଆମିକସ୍ କ୍ୟୁରି ଅପରାଜିତା ସିଂହ କହିଛନ୍ତି ଯେ ନଡ଼ା ପୋଡ଼ିବା ରୋକିବା ପାଇଁ ଚାଷୀମାନଙ୍କୁ ସବସିଡି ଏବଂ ଯନ୍ତ୍ରପାତି ଯୋଗାଇ ଦିଆଯାଇଛି, କିନ୍ତୁ ଚାଷୀମାନେ ବାହାନା କରି ଚାଲିଛନ୍ତି। କିଛି ଚାଷୀ ଦାବି କରନ୍ତି ଯେ ସେମାନଙ୍କୁ ସାଟେଲାଇଟ୍ ଦ୍ୱାରା ନିରୀକ୍ଷଣ କରାଯାଉନଥିବା ଅଞ୍ଚଳରେ ନଡ଼ା ପୋଡ଼ିବାକୁ କୁହାଯାଇଥାଏ। ଅନେକ ଚାଷୀ ଅସହାୟତା ପ୍ରଦର୍ଶନ କରନ୍ତି। ମୁଖ୍ୟ ବିଚାରପତି ବି.ଆର. ଗାଭାଇ ଏବଂ ବିଚାରପତି କେ. ବିନୋଦ ଚନ୍ଦ୍ରନଙ୍କ ଖଣ୍ଡପୀଠ ଏହି ପ୍ରସଙ୍ଗରେ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି।
ଏହି ପ୍ରସଙ୍ଗରେ ଶୁଣାଣି ସମୟରେ, ସୁପ୍ରିମକୋର୍ଟ କହିଛନ୍ତି ଯେ କିଛି ବ୍ୟକ୍ତିଙ୍କୁ ଜେଲରେ ପୁରେଇ ଦେବା ଦ୍ୱାରା ସଠିକ୍ ବାର୍ତ୍ତା ଦିଆଯିବ। ସମସ୍ତଙ୍କୁ ଖାଦ୍ୟ ଯୋଗାଇବାରେ ଚାଷୀମାନେ ଯୋଗଦାନ ଦେଉଛନ୍ତି ବୋଲି ଉଲ୍ଲେଖ କରି, ଭାରତର ମୁଖ୍ୟ ବିଚାରପତି ବି.ଆର. ଗାଭାଇ ଯୁକ୍ତି ଦେଇଥିଲେ ଯେ ଏହାର ଅର୍ଥ ନୁହେଁ ଯେ ପରିବେଶକୁ ସୁରକ୍ଷିତ କରାଯାଇପାରିବ ନାହିଁ। ଯଦି କିଛି ଲୋକ ଜେଲ୍ ଯାଆନ୍ତି, ତେବେ ଏହା ଅନ୍ୟମାନଙ୍କ ପାଇଁ ସଠିକ୍ ବାର୍ତ୍ତା ଦେବ। ଆପଣ ଚାଷୀଙ୍କ ପାଇଁ କିଛି ଦଣ୍ଡନୀୟ ବ୍ୟବସ୍ଥା କାହିଁକି ବିଚାର କରୁନାହାଁନ୍ତି… ଯଦି ଆପଣଙ୍କର ପରିବେଶ ସୁରକ୍ଷା ପାଇଁ ପ୍ରକୃତ ଉଦ୍ଦେଶ୍ୟ ଅଛି, ତେବେ ଆପଣ କାହିଁକି ପଛକୁ ହଟିଯାଉଛନ୍ତି? ସୁପ୍ରିମକୋର୍ଟର ଏହି ମନ୍ତବ୍ୟ ପଞ୍ଜାବ ରାଜ୍ୟକୁ ପ୍ରତିନିଧିତ୍ୱ କରୁଥିବା ବରିଷ୍ଠ ଓକିଲ ରାହୁଲ ମେହେରାଙ୍କ ଉଦ୍ଦେଶ୍ୟରେ ଥିଲା।
ତେବେ ବରିଷ୍ଠ ଆଇନଜୀବୀ ରାହୁଲ ମେହରା ଦର୍ଶାଇଥିଲେ ଯେ, ପୂର୍ବରୁ ଅନେକ ଚାଷୀଙ୍କୁ ଗିରଫ କରାଯାଇଥିଲା, କିନ୍ତୁ ଅଧିକାଂଶ ଛୋଟ ଚାଷୀ ଥିଲେ। କେତେକଙ୍କର ବହୁତ କମ୍ ଜମି ଅଛି, ଏବଂ ଯଦି ସେମାନଙ୍କୁ ଜେଲ୍ ପଠାଯାଏ, ତେବେ ସେମାନଙ୍କ ପରିବାରର କ’ଣ ହେବ? ସିଜେଆଇ ବିଆର ଗଭାଇ ପ୍ରତିକ୍ରିୟାରେ କହିଥିଲେ, କୋର୍ଟ ନିୟମିତ ଗିରଫଦାରୀ ବିଷୟରେ କହୁନାହାନ୍ତି, ବରଂ କେବଳ ନଡ଼ା ପୋଡ଼ିବା ହ୍ରାସ କରିବା ଏବଂ ଏପରି କରୁଥିବା ଲୋକଙ୍କ ମଧ୍ୟରେ ଜେଲ୍ ଭୟ ସୃଷ୍ଟି କରିବା ପାଇଁ ଏକ ଦୃଢ଼ ବାର୍ତ୍ତା ଦେବାକୁ ଚାହୁଁଛନ୍ତି। ସେ କହିଛନ୍ତି, ଯଦି ପରିବେଶ ସୁରକ୍ଷା ଆମର ପ୍ରାଥମିକତା, ତେବେ ଦଣ୍ଡନୀୟ କାର୍ଯ୍ୟାନୁଷ୍ଠାନରୁ କାହିଁକି ଦୂରେଇ ଯିବା? ସିଜେଆଇ କହିଛନ୍ତି, ଯଦି ଶୀଘ୍ର ନିଷ୍ପତ୍ତି ନିଆ ନଯାଏ, ତେବେ ସୁପ୍ରିମକୋର୍ଟ ନିଜସ୍ୱ ନିର୍ଦ୍ଦେଶ ଜାରି କରିବେ।ସୁପ୍ରିମକୋର୍ଟ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ, ୨୦୧୮ ପରଠାରୁ ଅନେକ ନିର୍ଦ୍ଦେଶ ଜାରି କରାଯାଇଛି, କିନ୍ତୁ ସମସ୍ୟା ସମାନ ରହିଛି।
