- ସାମୁଦ୍ରିକ ଥାନାକୁ ମିଳିବ ଅଧିକ ଡଙ୍ଗା
- ହେବ ଡ୍ରୋନ ସର୍ଭେଲାନ୍ସ
ଏଣିକି ସମୁଦ୍ର ପଥର ସୁରକ୍ଷା ବଢ଼ିବ। ଦିନରାତି ସମୁଦ୍ର ଭିତରେ ପଇଁତରା ମାରିବ ପୁଲିସ। ସେଥିପାଇଁ ସାମୁଦ୍ରିକ ଥାନାକୁ ମିଳିବ ଅଧିକ ଡଙ୍ଗା। ଭିତ୍ତିଭୂମିର କରାଯିବ ଉନ୍ନତି। ବାଙ୍ଗାଲାଦେଶୀ ଅନୁପ୍ରବେଶ ଉପରେ ଲାଗିବ ରୋକ। ଏପରି ସୂଚନା ଦେଇଛନ୍ତି ଡିଜିପି ଓ୍ୱାଇବି ଖୁରାନିଆ। ରାଜ୍ୟର ୪୮୦ କିଲୋମିଟର ଦୀର୍ଘ ଉପକୂଳବର୍ତ୍ତୀ ଅଞ୍ଚଳରେ ସୁରକ୍ଷା ବଢ଼ାଇବା ଉଦ୍ଦେଶ୍ୟରେ ସାମୁଦ୍ରିକ ଥାନାଗୁଡ଼ିକରେ ଅଧିକ ଡଙ୍ଗା ଯୋଡ଼ି ସମୁଦ୍ରରେ ପାଟ୍ରୋଲିଂକୁ କଡ଼ାକଡ଼ି କରିବାକୁ ପୁଲିସ କରିଛି ଯୋଜନା ।
ଡିଜିପି ୱାଇବି ଖୁରାନିଆ କହିଛନ୍ତି ଯେ, ଓଡ଼ିଶାର ୧୮ଟି ସାମୁଦ୍ରିକ ଥାନାରେ ମାତ୍ର ୧୩ଟି ଡଙ୍ଗା ରହିଛି। ଯାହା ପୁରୁଣା ହୋଇଯାଇଛି। ଗାଇଡଲାଇନ ଅନୁଯାୟୀ ସାମୁଦ୍ରିକ ଥାନା ଗୁଡ଼ିକ ୧୨ ନଟିକାଲ ମାଇଲ ପର୍ଯ୍ୟନ୍ତ ସମୁଦ୍ରରେ ପାଟ୍ରୋଲିଂ କରିବା କଥା। ଆମର ଉପସ୍ଥିତି ବଢ଼ାଇବା ପାଇଁ ପାଟ୍ରୋଲିଂ ଉଦ୍ଦେଶ୍ୟରେ ଅତି କମରେ ୧୦ଟି ଯାନ୍ତ୍ରିକ ଡଙ୍ଗା ଭଡ଼ାରେ ନେବାକୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ବିଧାନସଭାରେ ସପ୍ଲିମେଣ୍ଟାରୀ ବଜେଟ୍ ଉପସ୍ଥାପିତ ହେବା ପରେ ସାମୁଦ୍ରିକ ଥାନାଗୁଡ଼ିକର ଭିତ୍ତିଭୂମି ସୁଦୃଢ଼ୀକରଣ ଉପରେ ଆଲୋଚନା ହେବ ବୋଲି ଖୁରାନିଆ ସୂଚନା ଦେଇଛନ୍ତି।
ଏହି ପାଣ୍ଠି ଆବଣ୍ଟନ ହେବା ପରେ ରାଜ୍ୟର ଉପକୂଳରେ ଡ୍ରୋନ୍ ସର୍ଭେଲାନ୍ସ ଆରମ୍ଭ କରିବାକୁ ପ୍ରୟାସ କରାଯିବ। ଡିଜିପି କହିଛନ୍ତି ଯେ ଓଡ଼ିଶା ପୁଲିସ ମଧ୍ୟ ନୂତନ ଇଣ୍ଟରସେପ୍ଟର ଡଙ୍ଗା କିଣିବାକୁ ଯୋଜନା କରୁଛି ଏବଂ ଏ ସଂକ୍ରାନ୍ତରେ ଏକ ପ୍ରସ୍ତାବ ରାଜ୍ୟ ସରକାରଙ୍କୁ ପଠାଯିବ । କେନ୍ଦ୍ରର ଉପକୂଳ ସୁରକ୍ଷା ଯୋଜନା ଅଧୀନରେ ସମଗ୍ର ଉପକୂଳରେ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ଓଡ଼ିଶା ପାଇଁ ୧୮ଟି ସାମୁଦ୍ରିକ ଥାନା ମଞ୍ଜୁର କରାଯାଇଥିଲା। ବେଆଇନ ଅସ୍ତ୍ରଶସ୍ତ୍ର ରପ୍ତାନୀ, ସମୁଦ୍ର ମାର୍ଗ ଦେଇ ନିଷିଦ୍ଧ ସାମଗ୍ରୀ ରପ୍ତାନି, ଅନଧିକୃତ ବ୍ୟକ୍ତିଙ୍କ ଅନୁପ୍ରବେଶ, ଦେଶବିରୋଧୀ ତତ୍ତ୍ୱଙ୍କ ପ୍ରବେଶ, ବେଆଇନ/ଅନିୟନ୍ତ୍ରିତ ମାଛଧରାକୁ ରୋକିବା ଏବଂ ସମୁଦ୍ର କୂଳରେ ଥିବା ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ ଉପରେ ଆକ୍ରମଣରୁ ରକ୍ଷା କରିବା ଏଭଳି ଥାନାଗୁଡ଼ିକ ପ୍ରତିଷ୍ଠାର ଉଦ୍ଦେଶ୍ୟ ।
ତେବେ ଆବଶ୍ୟକ ପାଣ୍ଠି ଅଭାବରୁ ରାଜ୍ୟର ସାମୁଦ୍ରିକ ଥାନାଗୁଡ଼ିକ ବଡ଼ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରିକି ଓଡ଼ିଶା ପୁଲିସର ଉପକୂଳ ସୁରକ୍ଷା ଶାଖାର କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସେଣ୍ଟର କିମ୍ବା ନିଜସ୍ୱ ଜେଟି ମଧ୍ୟ ନାହିଁ। ଏହାର ସ୍ଥାୟୀ କାର୍ଯ୍ୟାଳୟ ମଧ୍ୟ ନାହିଁ । କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ)ର ପୁରୁଣା କୋଠା ପରିସରରେ କାର୍ଯ୍ୟ କରୁଛି।
previous article: https://purvapaksa.com/apple-india-earned-rs-1000-crore-from-iphone-buyers/