Stock Market Mayhem: ଭାରତୀୟ ଷ୍ଟକ ବଜାରରେ ବ୍ୟାପକ ବିକ୍ରି ଯୋଗୁଁ ୧୪ ମାସ ମଧ୍ୟରେ ପ୍ରଥମ ଥର ପାଇଁ ବଜାର ପୁଞ୍ଜି ୪ ଟ୍ରିଲିୟନ ଡଲାର ତଳକୁ ଖସିଆସିଛି ।
ଭାରତୀୟ ଷ୍ଟକ ବଜାରର ବଜାର କ୍ୟାପ ୩.୯୯ ଟ୍ରିଲିୟନ ଡଲାରକୁ ହ୍ରାସ ପାଇଛି, ଯାହା କି ୨୦୨୩ ଡିସେମ୍ବର ୪ ପରଠାରୁ ସର୍ବନିମ୍ନ। ୨୦୨୩ ଡିସେମ୍ବରରେ ଭାରତୀୟ ଷ୍ଟକ ବଜାରର ବଜାର କ୍ୟାପ ୫.୧୪ ଟ୍ରିଲିୟନ ସ୍ତରରେ ପହଞ୍ଚିଥିଲା। ଅର୍ଥାତ୍ ଏହି ସ୍ତରରୁ ୧ ଟ୍ରିଲିୟନ ଡଲାର କ୍ଷତି ହୋଇଛି।
୨୦୨୪ ସେପ୍ଟେମ୍ବର ଶେଷ ସପ୍ତାହରେ ବିଦେଶୀ ନିବେଶକଙ୍କ ବିକ୍ରି ଯୋଗୁଁ ଭାରତୀୟ ଷ୍ଟକ ବଜାରରେ ତୀବ୍ର ହ୍ରାସ ପରିଲକ୍ଷିତ ହେଉଛି। ବିଦେଶୀ ନିବେଶକମାନେ କ୍ରମାଗତ ଭାବେ ଭାରତୀୟ ବଜାରରୁ ଟଙ୍କା ବାହାର କରୁଛନ୍ତି। ଏହି ସ୍ତରରୁ ସେନ୍ସେକ୍ସ ୧୨ ପ୍ରତିଶତ ହ୍ରାସ ପାଇଥିବା ବେଳେ ନିଫ୍ଟି ୧୩ ପ୍ରତିଶତ ହ୍ରାସ ପାଇଛି। ନିଫ୍ଟି ୨୬୦୦୦ ସ୍ତରରୁ ୨୩୦୦୦ ତଳକୁ ଖସିଥିବା ବେଳେ ସେନ୍ସେକ୍ସ ୮୬୦୦୦ ସ୍ତରରୁ ୭୬୦ ତଳକୁ ଖସି ଆସିଛି। ନିଫ୍ଟି ମିଡ୍କ୍ୟାପ୍ ସୂଚକାଙ୍କ ୬୦,୦୦୦ରୁ ୫୦,୦୦୦ତଳକୁ ଖସି ଆସିଛି। ଏହି ତୀବ୍ର ହ୍ରାସ ମଧ୍ୟରେ ଡଲାର ତୁଳନାରେ ଟଙ୍କାର ଦୁର୍ବଳତା ପରିସ୍ଥିତିକୁ ଆହୁରି ଗମ୍ଭୀର କରୁଛି। ୨୦୨୫ରେ ଡଲାର ତୁଳନାରେ ଟଙ୍କା ୧.୫ ପ୍ରତିଶତ ହ୍ରାସ ପାଇଛି।
ଆଜିର ଅଧିବେଶନରେ ଭାରତୀୟ ଷ୍ଟକ ବଜାରରେ ତୀବ୍ର ହ୍ରାସ ଦେଖିବାକୁ ମିଳୁଛି । ସେନ୍ସେକ୍ସ ୪୨୩ ପଏଣ୍ଟ ଓ ନିଫ୍ଟି ୧୬୦ ପଏଣ୍ଟ ହ୍ରାସ ପାଇ ଯଥାକ୍ରମେ ୭୫,୭୦୦ ଓ ୨୨,୮୬୭ ପଏଣ୍ଟ
ସ୍ତରରେ କାରବାର କରୁଛି। ନିଫ୍ଟି ମିଡ୍କ୍ୟାପ୍ ସୂଚକାଙ୍କ ୧୧୫୦ ପଏଣ୍ଟ ହ୍ରାସ ପାଇଛି। ସ୍ମଲ୍ କ୍ୟାପ୍ ସୂଚକାଙ୍କରେ ପାଖାପାଖି ୫୦୦ ପଏଣ୍ଟ ହ୍ରାସ ଦେଖିବାକୁ ମିଳୁଛି। ଗତ ୫ ମାସ ଧରି କ୍ରମାଗତ ଭାବେ ହ୍ରାସ ପାଇବା ପରେ ଅନେକ ଷ୍ଟକର ଦର ଅଧା ହୋଇଯାଇଛି। ଫଳରେ ଭାରତୀୟ ବଜାରର ମାର୍କେଟ୍ କ୍ୟାପ୍ ରେ ଦ୍ରୁତ ହ୍ରାସ ଘଟିଛି। ବିଦେଶୀ ପୋର୍ଟଫୋଲିଓ ନିବେଶକମାନେ ଭାରତୀୟ ବଜାରରୁ ୧୦ ବିଲିୟନ ଡଲାରରୁ ଅଧିକ ପ୍ରତ୍ୟାହାର କରିନେଇଛନ୍ତି, ଯାହା ବଜାର ଉପରେ ଚାପ ସୃଷ୍ଟି କରିଛି ।