ଓଡ଼ିଶା ସରକାରଙ୍କ ଉପରେ ଆପଣଙ୍କ ଭରସା କେତେ? ଅପରାଧ ନିୟନ୍ତ୍ରଣରେ ରାଜ୍ୟ ପ୍ରଶାସନ କେତେ ସଫଳ? ଶାନ୍ତିପ୍ରିୟ ରାଜ୍ୟ ବୋଲି କହୁଥିବାର ଓଡ଼ିଶା ସତରେ ଅପରାଧ ଓ ସଂଗଠିତ ଅପରାଧର ଚରାଭୂଇଁ ପାଲଟିଛି କି? ଏମିତି ଅନେକ ପ୍ରଶ୍ନ ମନ ଭିତରେ ଉଠିବା ପଛରେ ସାଧାରଣ ନାଗରିକଙ୍କ ଚିନ୍ତା ଚୈତନ୍ୟ ଅପେକ୍ଷା ଦଳ ଭିତରେ ସାମ୍ବିଧାନିକ ପଦପଦବୀରେ ବସିଥିବା ବିଜେପି ନେତାମାନଙ୍କ ଆଶଙ୍କା ରହିଛି। ସେ ପୁଣି ଛୋଟ ମୋଟ ପଦବୀ ନୁହେଁ ରାଜ୍ୟର ଉପ ବାଚସ୍ପତି ଏମିତି ଆଶଙ୍କା କରି ରାଜ୍ୟ ସରକାରଙ୍କୁ କଠୋର ଅପରାଧିକ ଆଇନ ପ୍ରଣୟନ ପାଇଁ ପ୍ରସ୍ତାବ ଦେଇଛନ୍ତି। ଏହା ସ୍ପଷ୍ଟ କରୁଛି ଯେ ବର୍ତ୍ତମାନର ଆଇନ ଏବଂ ସରକାରଙ୍କ କାର୍ଯ୍ୟାନୁଷ୍ଠାନ ଭିଡ଼କୁ ନୁହେଁ।
ଭାରତ ବର୍ଷରେ ଓଡ଼ିଶା ଏକ ଶାନ୍ତିପ୍ରିୟ ରାଜ୍ୟ ଭାବେ ପରିଚିତ। ଏହାର ଲୋକମାନେ ଅପରାଧ ଓ ଅପରାଧିକ କାରନାମାକୁ ଦୂରରୁ ଜୁହାର କରନ୍ତି। ପୁଲିସ ଓ କୋର୍ଟଠାରୁ ଦୂରରେ ରହିବାକୁ ପସନ୍ଦ କରନ୍ତି। ପୁଲିସ ବା ଓକିଲଙ୍କ ସହ ଶତ୍ରୁତା ତ ଦୂରର କଥା, ବନ୍ଧୁତା କରିବାକୁ ବି ଭୟ କରନ୍ତି। ଏହାର ଫାଇଦା ନେଇ ଏଠାରେ ଭିନ୍ନ ଭିନ୍ନ ଧରଣର ଅପରାଧ, ସଂଗଠିତ ଅପରାଧ ଘଟେ।
କିଏ ଆସ୍ଥା ଉପରେ ପ୍ରହାର କରିବା ପାଇଁ ଦଙ୍ଗା ଷଡ଼ଯନ୍ତ୍ର କରେ ତ ଆଉ କିଏ ଅପରାଧୀଙ୍କୁ ଏଠାରେ ସୁରକ୍ଷିତ ସ୍ଥାନ ଭାବି ଆସ୍ଥାନ ଦିଏ। ପୁଣି କିଏ ରାଜନେତା ମନ୍ତ୍ରୀଙ୍କୁ ହତ୍ୟା କରିବା ପାଇଁ ସୁପାରି ନେବାକୁ ବି ଭୁଲେ ନାହିଁ। ଏଠି ଖଣିଜ କାରବାରରେ ଅପରାଧ ଘଟେ, ଏଠି ବନ୍ଦରରେ ଅପରାଧ ହୁଏ। ଝିଅମାନଙ୍କ ଉପରେ ଅପରାଧ ହୁଏ ଆଉ ସାରାଦୁନିଆରେ ଓଡ଼ିଶାକୁ ନିନ୍ଦା କରାଯାଏ।
ଏ ଅପରାଧଗୁଡ଼ିକ ଯେ ଏଇ କିଛିଦିନ ହେଲା ବଢ଼ିଛି ତାହା ନୁହେଁ, ବର୍ଷ ବର୍ଷ ଧରି ଏଗୁଡ଼ିକ ଏଠାରେ ପୋଷା ଯାଇଛି। ଆଇନ ଶକ୍ତ ହୋଇଚି କିନ୍ତୁ ସରକାର ଆମର ପ୍ରତିଚ୍ଛବିକୁ ବଞ୍ଚାଇବା ଲାଗି ସାଧାରଣ ଲୋକଙ୍କୁ ଏତଲାଟିଏ ଦାଖଲ କରିବାକୁ ବି ହତୋତ୍ସାହିତ କରିଥାଆନ୍ତି। ଏହି ପୃଷ୍ଠଭୂମିରେ ଅନେକ ଲୋକ ତାଙ୍କ ଉପରେ ହେଉଥିବା ଅପରାଧକୁ ସହନ୍ତି, ଭୋଗନ୍ତି, ପୋଷନ୍ତି ଆଉ ଜୀବନ ହାରନ୍ତି।
ଆପଣଙ୍କୁ ଏ ପୃଷ୍ଠଭୂମି ଜଣାଇବାର କାରଣ ହେଉଛି ନିକଟ ଓଡ଼ିଶାରେ ଘଟିଥିବା ରାଜନୀତିକ ପରିସ୍ଥିତିରେ ପରିବର୍ତ୍ତନ। ମୁଁ ସରକାର ବଦଳ କଥା କହୁ ନାହିଁ। କିନ୍ତୁ ସରକାର ଅପରାଧକୁ ରୋକିବା ବା ଲୁଚାଇବାରେ ସକ୍ଷମ ହୋଇପାରୁ ନାହାନ୍ତି। ଏଣୁ ରାଜ୍ୟ ଏବେ ଉତ୍ତରପ୍ରଦେଶ, ମହାରାଷ୍ଟ୍ର ଦିଲ୍ଲୀ ଭଳି କଡ଼ା ଆଇନ କାନୁନ ଆବଶ୍ୟକ କରୁଛି ବୋଲି ଅନୁଭବ ହୋଇଛି। ପୁଣି ଏମିତି ଅନୁଭବ ନେଇ ସରକାରଙ୍କୁ ପରାମର୍ଶ ଦେଇଛନ୍ତି ରାଜ୍ୟର ଅନ୍ୟତମ ସାମ୍ବିଧାନିକ ଅଧିକାରୀ ଉପ ବାଚସ୍ପତି। ସେ ରାଜ୍ୟରେ ଅପରାଧ ଓ ଅପରାଧୀଙ୍କୁ ନିୟନ୍ତ୍ରଣ କରିବା ଲାଗି ସରକାରଙ୍କୁ ଉତ୍ତରପ୍ରଦେଶ ଢାଞ୍ଚାରେ ଶକ୍ତ ଆଇନ ଆଣିବାକୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତ ଓଡ଼ିଶାରେ ଯୋଗୀଙ୍କ ଭଳି ଆଇନର ଆବଶ୍ୟକତା ରହିଛି।
ଟିକେ ନିରୀଖେଇ ଦେଖିଲେ ଉପବାଚସ୍ପତିଙ୍କ ଏହି ମନ୍ତବ୍ୟ ସ୍ପଷ୍ଟ କରୁଛି ଯେ, ଏବେକାର ଆଇନ ବ୍ୟବସ୍ଥାରେ ସରକାର ଅପରାଧକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇପାରୁ ନାହାନ୍ତି। ଏହି ଏକ ବର୍ଷ ସମୟ ଭିତରେ ଓଡ଼ିଶା ଯେମିତି କଳଙ୍କିତ ହୋଇଛି ତାହାକୁ ସଫା କରିବା ଲାଗି ନୂଆ ଆଇନର ଆବଶ୍ୟକତା ରହିଛି। ଯେମିତି ଯୋଗୀଙ୍କ ଆଇନକୁ ଦେଖି ଅପରାଧୀଙ୍କ ଚରାଭୂଇଁ ଥିବା ୟୁପିରେ ଶାନ୍ତି ଆସିଛି ବୋଲି କୁହାଯାଉଛି ଠିକ୍ ସେମିତି।
ତେବେ ଉତ୍ତର ପ୍ରଦେଶରେ କାର୍ଯ୍ୟକାରୀ ହେଉଥିବା ଏ ସ୍ୱତନ୍ତ୍ର ଆଇନ କ’ଣ? କାହିଁକି ଏ ଆଇନ ବାବଦରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଉପ ବାଚସ୍ପତି। ଏଥିରେ ରାଜନୀତିକ ଅଭିସନ୍ଧି କ’ଣ ରହିଛି?
ଉତ୍ତର ପ୍ରଦେଶରେ ବଢ଼ୁଥିବା ସଂଗଠିତ ଅପରାଧର ଆକା ତଥା ସୃଷ୍ଟି କର୍ତ୍ତାଙ୍କୁ ସାବାଡ଼ କରିବା ଲାଗି ଯୋଗୀ ଆଦିତ୍ୟନାଥଙ୍କ ସରକାର ୨୦୦୭ ମସିହାରେ ୟୁପିକୋକା-୨୦୦୭ ନାମରେ ଏକ ଆଇନ ପ୍ରଣୟନ କରିଛନ୍ତି। ଏହି ଆଇନରେ ପୁଲିସ ଓ ପ୍ରଶାସନକୁ ଅପରାଧ ବିରୋଧରେ ଅଖଣ୍ଡ କ୍ଷମତା ଦିଆଯାଇଛି। ଏହି ଆଇନ ଅଧୀନରେ ଦାଖଲ ହୋଇଥିବା ମାମଲାର ବିଚାର ପାଇଁ ସ୍ୱତନ୍ତ୍ର କୋର୍ଟ ସ୍ଥାପନ ଲାଗି ବ୍ୟବସ୍ଥା ରହିଛି। ଖାଲି ସେତିକି ନୁହେଁ, ଅପରାଧରେ ଦୋଷୀ ସାବ୍ୟସ୍ତ ହେଲେ ତାଙ୍କ ସମ୍ପତ୍ତିବାଡ଼ି ଜବତ ସହ, ବାଜ୍ୟାପ୍ତି କରିବାର ବ୍ୟବସ୍ଥା ରହିଛି।
ଖାଲି ସେତିକି ନୁହେଁ ଏହି ଆଇନ ଅଧୀନରେ ପଞ୍ଜିକୃତ ହେଉଥିବା ପ୍ରତିଟି ମାମଲା ହେଉଛି ଧର୍ତ୍ତବ୍ୟ ଅପରାଧ। ଅର୍ଥାତ୍ ଏଥିରେ ଅଭିଯୁକ୍ତଙ୍କୁ ଜାମିନ ମିଳିବ ନାହିଁ। କୌଣସି ଓ୍ୱାରେଣ୍ଟ ବିନା ପୁଲିସ ଆପଣଙ୍କୁ ଗିରଫ କରିପାରିବ। ଏଥିଲାଗି ଯୁକ୍ତି ସମ୍ପନ୍ନ କାରଣ ଦର୍ଶାଇବାର କୌଣସି ଆବଶ୍ୟକତା ନାହିଁ।
ଖାଲି ସେତିକି ନୁହେଁ, ପୁଲିସ ଚାହିଁଲେ ଯୋଗାଯୋଗ ପାଇଁ ଆପଣ ବ୍ୟବହାର କରୁଥିବା ଯନ୍ତ୍ରପାତିକୁ ଯେକୌଣସି ମୁହୂର୍ତ୍ତରେ ଟ୍ରାକ୍ କରିପାରିବେ। ଜବତ କରିପାରିବେ। ଏହି ଆଇନ ବଳରେ ଯଦି କିଏ ଆଇନ ଉଲ୍ଲଂଘନ କରେ ତାକୁ ଜେଲ ଓ ଜରିମାନା ଦେବାର ବ୍ୟବସ୍ଥା ରହିଛି। ଖାଲି ସେତିକି ନୁହେଁ ଯେଉଁଠି ବି ଏ ଆଇନ କାର୍ଯ୍ୟକାରୀ ହୋଇଛି ସେଠାରେ ପୁଲିସ ଅନ୍ୟ ରାଜ୍ୟ ଯାଇ ତଦନ୍ତ କରିବା ଲାଗି କ୍ଷମତା ଦିଆଯାଇଛି।
ଉତ୍ତରପ୍ରଦେଶ ଯେ ଏପରି ଆଇନ ଆଣିବାରେ ପ୍ରଥମ ତାହା ନୁହେଁ। ପ୍ରଥମ ରାଜ୍ୟ ଭାବେ ମହାରାଷ୍ଟ୍ର ଏପରି ଆଇନକୁ ପ୍ରଥମେ ରୂପାୟନ କରିଥିଲ। ଯେହେତୁ ମହାରାଷ୍ଟ୍ରରେ ସଂଗଠିତ ଅପରାଧର ମାତ୍ରା ଅଧିକ; ଏହି ଆଇନ ସେତେବେଳେ ସହାୟକ ହୋଇଥିବା କୁହାଯାଏ। ଯେମିତି କେନ୍ଦ୍ର ସରକାର ପୋଟା ଆଇନ ପ୍ରଚଳନ କରି ଦେଶରେ ସଂଗଠିତ ଆତଙ୍କବାଦୀ ଆଡ୍ଡାକୁ ଧ୍ୱସ୍ତ କରିବା ଲାଗି ପଦକ୍ଷେପ ନେଉଥିଲେ ଠିକ୍ ସେହିପରି ପଦକ୍ଷେପ ନେବାକୁ ଏହି ଆଇନରେ ବ୍ୟବସ୍ଥା ରହିଛି। ରାଜ୍ୟମାନଙ୍କ ପାଇଁ ଏହା ପୋଟା ଆଇନ ସଦୃଶ।
ଆଇନ ଶୃଙ୍ଖଳା ରକ୍ଷା ରାଜ୍ୟ ପରିସରଭୁକ୍ତ ହୋଇଥିବାରୁ ରାଜ୍ୟରେ ଏପରି ଆଇନ ପ୍ରସ୍ତୁତି ଲାଗି କ୍ଷମତା ରହିଛି। ଏହିକ୍ରମରେ ମହାରାଷ୍ଟ୍ର ୧୯୯୯ ମସିହାରେ ଏପରି ଆଇନ ଆଣି ସାରାଦେଶରେ ପ୍ରଶଂସିତ ହୋଇଥିଲା। ଏହାପରେ କର୍ଣ୍ଣାଟକ ୨୦୦୦ ମସିହାରେ ଏବଂ ଦିଲ୍ଲୀ ୨୦୦୨ ମସିହାରେ ଏପରି ଆଇନ ଆଣିଛି।
ଅର୍ଥାତ୍ ରାଜ୍ୟର ପ୍ରତିଚ୍ଛବିକୁ ବ୍ୟାଘାତ କରି ଜନସାଧାରଣଙ୍କ ଜୀବନଧାରଣରେ ପ୍ରଭାବ ପକାଉଥିବା ଅପରାଧୀ ଓ ଅପରାଧକୁ ନିୟନ୍ତ୍ରଣ କରିବା ଲାଗି ଏପରି ଆଇନର ଆବଶ୍ୟକତା ରହିଛି। ତେବେ କାହିଁକି ଉପ ବାଚସ୍ପତି ଏହାକୁ ମନେ ପକାଇଲେ? କାହିଁକି ଗୃହ ବିଭାଗକୁ ନିଜ ଅଧୀନରେ ରଖିଥିବା ମୁଖ୍ୟମନ୍ତ୍ରୀ ଏ ବିଷୟ ଚିନ୍ତା କରିଲେ ନାହିଁ? ରାଜ୍ୟର ଗୃହ ବିଭାଗ ପରିଚାଳନା ନେଇ ସେ ପରୋକ୍ଷରେ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି କି?
ଅପରପକ୍ଷେ ପୁଲିସ ଓ ପ୍ରଶାସନକୁ ଅଧିକ କ୍ଷମତାଶାଳୀ କଲେ ଲୋକଙ୍କ ଅଧିକାର, ସ୍ୱାଚ୍ଛନ୍ଦ୍ୟରେ ସାଲିସ ହେବ ଏଥିରେ ସନ୍ଦେହ ନାହିଁ। ଘା’କୁ ଭଲ କରିବା ଲାଗି ଆଣ୍ଟିବାୟୋଟିକ୍ର ଆବଶ୍ୟକତା ତ ରହିବ। ହେଲେ ଏ ଆଣ୍ଟିବାୟୋଟିକ୍ ଚିର ସହଚର ନ ହେଉ। ନ ହେଲେ ଏହା ଭିତରୁ ଭିତରୁ ଆମକୁ ଯେମିତି ରୋଗିଣା କରିଦିଏ ଠିକ୍ ସେହି ପରିସ୍ଥିତି ସମାଜରେ ସୃଷ୍ଟି କରିପାରେ।
Also readhttps://purvapaksa.com/amit-shah-recalls-sam-manekshaws-blunt-remark-to-indira-gandhi/
