ରାଜ୍ୟ ବିଜେପିର ସାଂଗଠନିକ ନିର୍ବାଚନକୁ ନେଇ ଉଷ୍ମତା ବଢ଼ୁଥିବାବେଳେ ସମ୍ଭାବ୍ୟ ମୁଖିଆଙ୍କ ନାମକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ଆସନ୍ତା ୧୫ ତାରିଖ ସୁଦ୍ଧା ରାଜ୍ୟ ବିଜେପିର ନୂଆ ସଭାପତି ଚୟନ ନେଇ ପ୍ରଭାରୀ ବିଜୟପାଲ ସିଂହ ତୋମାରଙ୍କ ଘୋଷଣା ପରେ କର୍ମୀ ମହଲରେ ଉତ୍ସାହ ଦେଖାଦେଇଛି।
ସଭାପତି ଦୌଡ଼ ପାଇଁ ଏକାଧିକ ବରିଷ୍ଠ ନେତାଙ୍କ ନାମ ଚର୍ଚ୍ଚାରେ ରହିଛି। ବର୍ତ୍ତମାନର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସମେତ ପୂର୍ବତନ ସଭାପତି ସମୀର ମହାନ୍ତି, ରାଜ୍ୟ ବିଜେପି ଉପ ସଭାପତି ଗୋଲକ ମହାପାତ୍ର, ବିଶ୍ୱେଶ୍ୱର ଟୁଡୁ, ରାଜ୍ୟ ସାଧାରଣ ସମ୍ପାଦକ ସାରଦା ପ୍ରସନ୍ନ ଶତପଥୀ ପ୍ରମୁଖ ଦୌଡ଼ରେ ଅଛନ୍ତି। ତେବେ ସାମ୍ପ୍ରତିକ ରାଜନୈତିକ ପରିସ୍ଥିତିରେ ମନମୋହନଙ୍କ ଦଳ ପ୍ରତି ଅବଦାନ ଓ ଦଳକୁ ଶାସନ କ୍ଷମତାକୁ ଆଣିବାରେ ଭୂମିକା ତାଙ୍କୁ ପୁଣି ସଭାପତି ପାଇଁ ସୁଯୋଗ ଦେଇପାରେ ବୋଲି ଚର୍ଚ୍ଚା ଜୋର୍ ଧରିଛି।
ଅନ୍ୟପକ୍ଷରେ ଦୀର୍ଘଦିନର ସାଂଗଠନିକ ଅଭିଜ୍ଞତା ଓ ଦଳୀୟ କାର୍ଯ୍ୟକ୍ରମ ସୁପରିଚାଳନାରେ ଦକ୍ଷତା ଗୋଲକଙ୍କର ଥିଲେ ହେଁ ସେ ଧର୍ମେନ୍ଦ୍ର କ୍ୟାମ୍ପର ହୋଇଥିବାରୁ ତାଙ୍କ ପାଇଁ ବାଧକ ସାଜିଛି। ତେବେ ଆଗାମୀ ସପ୍ତାହ ମଧ୍ୟରେ ଏ ନେଇ ସ୍ପଷ୍ଟ ଚିତ୍ର ମିଳିବାର ଥିଲେ ହେଁ, ସଭାପତି ପଦ ପାଇଁ ଅନେକ ନେତାଙ୍କ ନାମ ଶୁଣିବାକୁ ମିଳୁଛି। କିନ୍ତୁ ଏ କ୍ଷେତ୍ରରେ କେନ୍ଦ୍ର ନେତୃତ୍ୱ ଶେଷ ମୁହୂର୍ତ୍ତରେ ‘ସର୍ପ୍ରାଇଜ୍ କାର୍ଡ’ ଖେଳିବା ନେଇ ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ।
ସୂଚନା ଅନୁଯାୟୀ, ବର୍ତ୍ତମାନ ରାଜ୍ୟ ବିଜେପିର ମଣ୍ଡଳ ସଭାପତି ନିର୍ବାଚନ ପ୍ରକ୍ରିୟା ଜାରି ରହିଛି। ଏହା ୫ ତାରିଖ ସୁଦ୍ଧା ଶେଷହେବ। ଏହାପରେ ୮ ଓ ୯ ତାରିଖରେ ଜିଲ୍ଲା ସଭାପତି ପଦ ପାଇଁ ଆଶାୟୀ ନାମାଙ୍କନପତ୍ର ଦାଖଲ କରିବେ। ୧୦ ତାରିଖରେ ଜିଲ୍ଲା ବିଜେପି ସଭାପତି ନିର୍ବାଚନ ପ୍ରକ୍ରିୟା ସରିବ। ଏହାପରେ ୧୫ ତାରିଖ ସୁଦ୍ଧା ରାଜ୍ୟ ବିଜେପିକୁ ନୂଆ ମୁଖିଆ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି। ଏଥିପାଇଁ ବିଜେପିର ଶୀର୍ଷ ନେତୃତ୍ୱ ବିହାରର ସାଂସଦ ଡ. ସଞ୍ଜୟ ଜୟସ୍ୱାଲଙ୍କୁ ଓଡ଼ିଶାରେ ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତ କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ ଚଳିତ ମାସ ଶେଷସୁଦ୍ଧା ସରକାରଙ୍କ ପକ୍ଷରୁ ବିଭିନ୍ନ ନିଗମ, ବୋର୍ଡର ଅଧ୍ୟକ୍ଷ ତଥା ଉପଦେଷ୍ଟା ପଦବୀରେ ନିଯୁକ୍ତି ଦିଆଯିବ। ଏହାପରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଓ ବିଭାଗ ଅଦଳବଦଳର ମଧ୍ୟ କାର୍ଯ୍ୟକ୍ରମ ରହିଛି। ରାଜ୍ୟ ବିଜେପି ସରକାରକୁ ୭ ମାସ ପୂରିବାକୁ ଯାଉଥିବାବେଳେ ନିଗମ ନିଯୁକ୍ତିରେ ଅହେତୁକ ବିଳମ୍ବତାକୁ ନେଇ ଦଳୀୟ ମହଲରେ ଅସନ୍ତୋଷ ଦେଖାଦେଇଛି। ନିଗମ ପଦବୀ ହାତେଇବାକୁ ଦଳୀୟ ନେତାଙ୍କ ମଧ୍ୟରେ ଛକାପଞ୍ଝା ଲାଗି ରହିଥିବାବେଳେ ସମାନଭାବେ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବା ପାଇଁ ଆଶାୟୀ ନିଜ ନିଜ ସ୍ତରରେ ଲବି ଜାରି ରଖିଛନ୍ତି; ଯାହା ରାଜ୍ୟ ବିଜେପି ସଭାପତିଙ୍କ ପାଇଁ ଏକ ପ୍ରମୁଖ ଆହ୍ୱାନ ପାଲଟିଛି। ଯେଉଁ ନେତା ଏହି ସମସ୍ୟାକୁ ସଫଳତାର ସହ ସମାଧାନ କରିବାର କ୍ଷମତା ଏବଂ ଦକ୍ଷତା ରଖୁଥିବେ ସଭାପତି ନିଯୁକ୍ତିରେ ତାଙ୍କୁ ପ୍ରାଥମିକତା ମିଳିବ ବୋଲି କୁହାଯାଉଛି।
ତୃଣମୂଳସ୍ତରରୁ ଦଳକୁ ସଶକ୍ତ କରିବା ସହ ସାଂଗଠନିକ ସ୍ତରରେ ଉପଯୁକ୍ତ ନେତୃତ୍ୱ ପାଇଁ ଦଳର ଶୀର୍ଷ ନେତୃତ୍ୱ ଗୁରୁତ୍ୱ ଦେଇଛନ୍ତି। ଅନ୍ୟପକ୍ଷରେ ଆଗାମୀ ପୌର ଓ ପଞ୍ଚାୟତ ନିର୍ବାଚନରେ ଦଳର ପ୍ରଦର୍ଶନ କିପରି ପ୍ରଭାବଶାଳୀ ହୋଇପାରିବ ସେ ନେଇ ସାଂଗଠନିକ ସ୍ତରରେ ରଣକୌଶଳ ପ୍ରସ୍ତୁତି ଆରମ୍ଭ ହୋଇଛି। ଗତ ସାଧାରଣ ନିର୍ବାଚନରେ ଦଳ ମନମୋହନଙ୍କ ନେତୃତ୍ୱରେ ବଡ଼ ସଫଳତା ପାଇଥିଲା। ତେବେ ନିଜେ ମନମୋହନ ହାରି ଯାଇଥିବାରୁ ଶୀର୍ଷ ନେତୃତ୍ୱ ତାଙ୍କୁ ସରକାରରେ କୌଣସି ବଡ଼ ଭୂମିକା ଦେଇପାରିନାହାନ୍ତି। ଦଳୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ତାଙ୍କୁ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ପରି ଗୁରୁତ୍ୱପୂର୍ଣ୍ଣ ପଦବୀ ଦିଆଯିବାକୁ ଚିନ୍ତା କରାଯାଇଥିଲେ ହେଁ ମନମୋହନ ସେ ପାଇଁ ରାଜି ନୁହନ୍ତି ବୋଲି ଆଲୋଚନା ହେଉଛି।
ରାଜ୍ୟ ସଭାପତି ପଦ ହାତେଇବାକୁ ଧର୍ମେନ୍ଦ୍ର ଗୋଷ୍ଠୀ ଜୋର୍ଦାର ପ୍ରୟାସ କରୁଥିବାରୁ ତାଙ୍କୁ ଚେକ୍ ଦେବା ପାଇଁ କେନ୍ଦ୍ରର ଅନେକ ନେତା ତଥା ସଂଘ ମଧ୍ୟ ଚାହୁଛି। ତେଣୁ ସର୍ବସମ୍ମତ ପ୍ରାର୍ଥୀ ଭାବରେ ମନମୋହନ ପୁଣିଥରେ ସଭାପତି ପଦରେ ରହିବାର ସମ୍ଭାବନା ସୃଷ୍ଟି ହୋଇଛି।
ଅପରପକ୍ଷେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ନାମ ସଭାପତି ରେସରେ ସାମିଲ ହୋଇଥିଲେ ହେଁ ସାଂଗଠନିକ ଦକ୍ଷତା ଓ କର୍ମୀ ମହଲରେ ଗ୍ରହଣୀୟତା ତାଙ୍କ ପାଇଁ ବାଧକ ସାଜିଛି ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି। ସେହିପରି ଦୌଡ଼ରେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଶାରଦା ପ୍ରସନ୍ନ ଶତପଥୀ, କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀଙ୍କ ନାମ ମଧ୍ୟ ଶୁଣିବାକୁ ମିଳୁଛି।
Also readhttps://purvapaksa.com/young-boy-murdered-in-bhubaneswar/
ଚଳନ୍ତା ସ୍କୁଟିରେ ଯାଉଥିବା ଯୁବକଙ୍କୁ ଚୋଟ, ମୁଣ୍ଡ-ଗଣ୍ଡି ଅଲଗା; ରାଜଧାନୀରେ ଚାଞ୍ଚଲ୍ୟ