୨୦୨୪ ପରଠାରୁ ଓଡ଼ିଶା ରାଜନୀତିକୁ ନେଇ ଯେଉଁ ମିଡିଆ ଚର୍ଚ୍ଚା ହେଉଛି ସେଥିରେ ସର୍ବାଧିକ କଣ୍ଟେଣ୍ଟ ବିଜେଡି ଏବଂ ବିଜେଡିର ପରାଜୟ ପରବର୍ତ୍ତୀ ସମୀକରଣ ହିଁ ପ୍ରାଧାନ୍ୟ ପାଇଛି। ହେଲେ ବିଜେପି କ୍ଷମତାକୁ ଆସିଲା ପରେ ଯେ ଏଠାରେ ସବୁକିଛି ଠିକ୍ ଚାଲିଛି ତାହା ଆଦୌ ସତ୍ୟ ନୁହେଁ। ଯେମିତି ବିଜେଡି କ୍ଷମତାରେ ଥିବା ସମୟରେ ଭୟ ଓ ଲୋଭ କାରଣରୁ ସମସ୍ତେ ଗୋଟିଏ ଛାତ ତଳେ ବୋଲି ପରିଚୟ ଦେଉଥିଲେ ଏବେ ବିଜେପିରେ ମଧ୍ୟ ସେହି ଛନକା। ହେଲେ ଆଗକୁ ଯେତେବେଳେ ସମୟ ଆସିବ ଏହା ପକ୍କା ବିସ୍ଫୋରଣ ସୃଷ୍ଟି କରିବ ବୋଲି ଚର୍ଚ୍ଚା ହେଉଛି। ଏହି ବିସ୍ଫୋରଣ କିଛି ନେତା, ମନ୍ତ୍ରୀଙ୍କ କୁର୍ସି ବି ଖାଇ ଦେଇପାରେ। ଏସବୁ କଥାରୁ ସ୍ପଷ୍ଟ ଯେ ଦଳରେ ଅସନ୍ତୋଷ ଉଗ୍ର ରୂପ ନେଲାଣି।
ଭାରତୀୟ ଜନତା ପାର୍ଟି ପ୍ରଥମ ଥର ପାଇଁ ରାଜ୍ୟରେ ସରକାର ଗଢ଼ିଛି। ଆଦିବାସୀଙ୍କ ପ୍ରତି ବିଜେପି ସମ୍ବେଦନଶୀଳ ବୋଲି ଦର୍ଶାଇବାକୁ ଯାଇ କେନ୍ଦ୍ରୀୟ ନେତାମାନେ ଆଦିବାସୀ ବର୍ଗର ଜଣେ ବିଧାୟକଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ଅଭିଷିକ୍ତ କରିଛି। ଏ ରାଜ୍ୟରେ ୨୨.୮୫ ପ୍ରତିଶତ ଜନସଂଖ୍ୟା ହେଉଛନ୍ତି ଆଦିବାସୀ। ପୁଣି ଏହା ଏକ ପଛୁଆ ବର୍ଗ। ଏଣୁ ଏ ବର୍ଗର ଜଣେ ପ୍ରତିନିଧିଙ୍କୁ ପ୍ରଥମେ ଦେଶର ରାଷ୍ଟ୍ରପତି ଓ ପରେ ଆଉ ଜଣକୁ ରାଜ୍ୟର ମୁଖ୍ୟମନ୍ତ୍ରୀଭାବେ ଅଧିଷ୍ଠିତ କରି ବିଜେପି ଉଦାହରଣ ସୃଷ୍ଟି କରିବାକୁ ଚାହିଁଛି ଏଥିରେ ସନ୍ଦେହ ନାହିଁ। କିନ୍ତୁ ପ୍ରଶ୍ନ ଉଠୁଛି ସଂଗଠନ କେବଳ ଗୋଟିଏ ବର୍ଗ ବା ଜଣେ ନେତାଙ୍କ ଯୋଗୁ ଶକ୍ତ ହୋଇନଥାଏ, ଯେଉଁ କର୍ମୀମାନେ ବର୍ଷ ବର୍ଷ ଧରି ସଂଗଠନକୁ ଗଢ଼ି ତୋଳିଛନ୍ତି ସେମାନଙ୍କ ପାଇଁ ଦଳ କରିଛି କ’ଣ? ତାଙ୍କୁ ଥଇଥାନ କରିବା ଦଳର କର୍ତ୍ତବ୍ୟ ନୁହେଁ କି?
ପୁଣି ୫ ବର୍ଷ ଶାସନରେ ଯେତେବଳେ କ୍ଷମତାରେ ଥିବା ନେତାମାନେ ଅନେକ ଫାଇଦା ପାଉଛନ୍ତି ତାହାର କିଛି ଅଂଶ ସେମାନଙ୍କ ପାଖକୁ ଯିବା ଉଚିତ ନୁହେଁ କି? ଏ ପ୍ରଶ୍ନ ମୁଁ ଆପଣଙ୍କୁ ପଚାରୁ ନାହିଁ। ଏ ପ୍ରଶ୍ନ ହେଉଛି ସେଇ କର୍ମୀମାନଙ୍କର ଯେଉଁମାନେ ବର୍ଷ ବର୍ଷ ଧରି ବିଜେପିକୁ ରାଜ୍ୟର କୋଣ ଅନୁକୋଣରେ ପରିଚିତ କରି ଆଜି ଚୁପ୍ ବସିଛନ୍ତି।
ଏ ପ୍ରଶ୍ନ ସେଇମାନଙ୍କୁ ପଚାରିଛନ୍ତି, ଯେଉଁ କେନ୍ଦ୍ରୀୟ ନେତାମାନେ ରାଜ୍ୟରେ ଏବେ ଏଜେଣ୍ଟ ଭାବେ ସରକାର ଚଳାଉଛନ୍ତି। ଏ ପ୍ରଶ୍ନ ସେଇମାନଙ୍କୁ ଯେଉଁମାନେ ଏହି କର୍ମୀଙ୍କ ସହାୟତାରେ ଆଜି ଦଳ ଏବଂ ଉଭୟ ସରକାରରେ ବିଭିନ୍ନ ପଦପଦବୀ ଓ ମନ୍ତ୍ରାଳୟ ଧରି ବସିଛନ୍ତି କିନ୍ତୁ ଆଜି କର୍ମୀଙ୍କ କଥା ଆସିବାବେଳକୁ ଆଗଧାଡ଼ିରୁ ଉଭାନ ହୋଇ ଯାଇଛନ୍ତି।
ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ ଏଭଳି ପ୍ରଶ୍ନ କାହିଁକି? ଏ ଅସନ୍ତୋଷ କାହିଁକି ସୃଷ୍ଟି ହୋଇଛି? ଆଉ ଏହାକୁ ବିଶ୍ୱର ସର୍ବବୃହତ୍ ଦଳ କାହିଁକି ସମାଧାନ କରିପାରୁନାହିଁ?
ଉତ୍ତରକୁ ମୁଁ ତିନିଟି ବିନ୍ଦୁରେ ବ୍ୟଖ୍ୟା କରିବାକୁ ଚାହୁଁଛି। ପ୍ରଥମେ ଅଧା ଅଧୁରା ମନ୍ତ୍ରିମଣ୍ଡଳ, ଦ୍ୱିତୀୟରେ ଖାଲି ପଡ଼ିଥିବା ନିଗମ, ସରକାରୀ ଓକିଲ ଓ କମିଶନ ଏବଂ ତୃତୀୟଟି ହେଉଛି ଅଫିସରଙ୍କ ଦାଦାଗିରି।
କିନ୍ତୁ ଏବେ ଦଳ ଏବଂ ସରକାର ନିଜ ଉପରେ ଥିବା ବୋଝକୁ ଲାଘବ କରିବା ପାଇଁ ଅମଲାତନ୍ତ୍ର ଉପରେ ସବୁ ଦୋଷ ଲଦିବାକୁ ଚାହିୁଛି। ଏହାଦ୍ୱାରା ନେତା ଓ କର୍ମୀଙ୍କୁ ଧ୍ୟାନଚ୍ୟୁତ କରିବାକୁ ଚାହିଁଛନ୍ତି ସରକାର। ନିଜର ଅସହାୟତାକୁ ଅନ୍ୟ ମୁଣ୍ଡରେ ଅଜାଡ଼ିବାକୁ ଚାହିଁଛନ୍ତି। ସେଥିଲାଗି ଅଫିସର ଓ ଶାସନ ଭିତରେ ଦୂରତା ବଢ଼ିଛି।
ପରିସ୍ଥିତି ଏମିତି ହୋଇଛି ଯେ, ଓଡ଼ିଶାରେ ଓଡ଼ିଆ ଅଫିସର ବି ରହିବାକୁ ଚାହୁଁ ନାହାନ୍ତି। ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ବି ଏଥିରୁ ବାଦ୍ ପଡ଼ି ନାହିଁ। ଖାଲି ଅଦଳ ବଦଳରେ ରାଜ୍ୟ ଶାସନ ବ୍ୟସ୍ତ ରହିଛି। କେତେବଳେ ପୁଲିସ ଅଦଳ ବଦଳ ତ କେତେବେଳେ ଆଇଏଏସ୍। ଆଉ କେତେବେଳେ ଶିକ୍ଷକ ଅଦଳ ବଦଳ ତ କେତେବେଳେ ଓଏଏସ୍। ଏମିତି ଅଦଳ ବଦଳ ଭିତରେ ବୋଧେ ରାଜ୍ୟର ଗୋଟିଏ ବି କ୍ୟାଡର ବର୍ତ୍ତି ନାହାନ୍ତି। ତଥାପି ଅଧିକାରୀମାନେ ବିଧାୟକମାନଙ୍କ କଥା ଶୁଣିବାକୁ ନାରାଜ। ନିଜ ନିଜ ଆତ୍ମ ଗର୍ବ ଓ ଅଭିମାନ ଭିତରେ ଓଡ଼ିଶାର ଅସ୍ମିତା ଦ୍ୱନ୍ଦ୍ୱରେ ପଡ଼ିଛି। ସାଧାରଣ ଓଡ଼ିଆ ଉପକୃତ ହୋଇପାରୁନାହିଁ।
ଯେଉଁ ନିବେଦନ ଦିନେ ଅଧିକାରୀଙ୍କ ପାଖରେ ସିଧାସଳଖ କରିଲେ ତାହା କାର୍ଯ୍ୟରେ ରୂପାନ୍ତରୀତ ହୋଇଯାଉଥିଲା ଏବେ ତାହା ‘ଆକାଶ କଇଆଁ’ ସଦୃଶ ହୋଇଛି। ପୁଣି ଯଦି ପୀଡ଼ିତ ବ୍ୟକ୍ତିଟି ବିଧାୟକଙ୍କ ମାଧ୍ୟମରେ ନିଜ ଦୁଃଖ କହୁଛି ତାହାକୁ ବି ଅଧିକାରୀ ବିଭିନ୍ନ ଆଳ ଦେଖାଇ ନୀରବ ରହୁଛନ୍ତି। ଏପରି ସ୍ଥଳରେ ଶାସନରେ ଅଚଳାବସ୍ଥା ପ୍ରାୟ ସୃଷ୍ଟି ହୋଇଛି।
ଫଳରେ ଅଫିସରଙ୍କ ବିରୋଧରେ ବିଷୋଦ୍ଗାର କରୁଛନ୍ତି ନେତା। ପୁଣି ଅଫିସରମାନେ ତାଙ୍କ କଥା ଶୁଣୁ ନାହାନ୍ତି ବୋଲି ବିଧାୟକମାନେ ବାରମ୍ବାର ଅଭିଯୋଗ କରିବା ପରେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ଭିନ୍ନ ଭିନ୍ନ ଭାବେ ରାଜ୍ୟର ଅଧିକାରୀଙ୍କୁ ସମ୍ବିଧାନ ଓ ଏହାର ବ୍ୟବସ୍ଥା ବିଷୟରେ ଜଣାଇଛନ୍ତି। କିନ୍ତୁ ଫଳ ଘର ଶୂନ୍ୟ ହିଁ ରହିଛି।
ଏ ଭିତରେ ମୋ ମନରେ ଗୋଟିଏ ପ୍ରଶ୍ନ ଉଠୁଛି। ବୋଧହୁଏ ଆପଣଙ୍କ ମନରେ ବି ସମାନ ପ୍ରଶ୍ନ ଉଠୁଥାଇପାରେ। ଲୋକଙ୍କ କାମ କରାଇବାରେ ବିଫଳ ହେଉଥିବା ସରକାର କେତେଦିନ ଏମିତି ଅଧିକାରୀଙ୍କ ଉପରେ ଅଠା ଲଦି ଚାଲିବେ? ଆଜି ଯାଏ ଯେଉଁ ସରକାରରେ ମୁଖ୍ୟମନ୍ତ୍ରୀଙ୍କ ଅଫିସଟି ଠିକ୍ ହୋଇପାରୁ ନାହିଁ ସେଠାରେ ରାଜ୍ୟବାସୀ କିପରି ଠିକ୍ ଅଧିକାରୀଙ୍କୁ ପାଇବେ?
ଏବେ ପ୍ରଥମ ବିନ୍ଦୁ- ‘ଅଧା ଅଧୁରା ମନ୍ତ୍ରିମଣ୍ଡଳ’ ବିଷୟରେ ଆଲୋଚନା କରିବା। ରାଜ୍ୟ ସରକାରଙ୍କ ଏହି ମନ୍ତ୍ରିମଣ୍ଡଳରେ ରାଜ୍ୟ ପାଇଁ ଯେତିକି ମନ୍ତ୍ରୀ ରହିବାର ବିଧାନ ରହିଛି ସେହି ସଂଖ୍ୟାକୁ ପାଳନ କରାଯାଇ ନାହିଁ। ସମ୍ବିଧାନ ଆମକୁ ୨୨ଜଣ ମନ୍ତ୍ରୀଙ୍କୁ ଶାସନ କରିବାର ଅଧିକାର ଦେଇଛି। ଏହାଦ୍ୱାରା ରାଜ୍ୟରେ ନିଷ୍ପତ୍ତି ନେବାବେଳେ ଗଣତାନ୍ତ୍ରିକ ମୂଲବୋଧ ବଜାୟ ରହିବ ବୋଲି ସମ୍ବିଧାନ ନିର୍ମାତାମାନେ ଆଶା କରିଛନ୍ତି।
କିନ୍ତୁ ଆମ ରାଜ୍ୟରେ ଏବେ ମନ୍ତ୍ରୀଙ୍କ ସଂଖ୍ୟା ହେଉଛି ୧୬। ଅର୍ଥାତ୍ ୬ଜଣ ମନ୍ତ୍ରୀଙ୍କ ପଦବୀ ଖାଲିପଡ଼ିଛି। ଅପରପକ୍ଷରେ କହିବାକୁ ଗଲେ ‘ମନ୍ତ୍ରିମଣ୍ଡଳ ଅଧା ଅଧୁରା ରହିଛି। ଆପଣ କହିପାରନ୍ତି ଯଦି ଏତିକି ସଂଖ୍ୟାରେ ମନ୍ତ୍ରିମଣ୍ଡଳ ଚାଲୁଛି ତେବେ ଦଳୀୟ ଅସନ୍ତୁଷ୍ଟି କାହିଁକି? ଉତ୍ତର ବଡ଼ ସରଳ। ଆପଣ ବି ଜାଣିଛନ୍ତି।
ନୂଆକରି ବିଧାୟକ ହେଲେ ବି ମନ୍ତ୍ରୀପଦଟିଏ ଯଦି ମିଳିଯାଏ ତେବେ ବ୍ୟବସ୍ଥା ଅନୁସାରେ ଆର୍ଥିକ, ସାମାଜିକ ସ୍ୱଚ୍ଛଳତା ବଢ଼ିଯାଏ। କିଛିଦିନ ସରକାରୀ ସୁବିଧାରେ ଅଧିକ ଉପଭୋଗ କରିବାକୁ ସୁଯୋଗ ମିଳେ। ଏହାସହ ଦାୟିତ୍ୱ ବି ବଢ଼େ। ଯେଉଁକାମ ବିଧାୟକଭାବେ କରିପାରି ନ ଥାଆନ୍ତି ଜଣେ ମନ୍ତ୍ରୀ ତାହା କରିବା ଲାଗି ସୁଯୋଗ ପାଇପାରନ୍ତି। ଏଣୁ ତାହା ତାଙ୍କୁ ପରବର୍ତ୍ତୀ ନିର୍ବାଚନ ଲଢ଼ିବାରେ ସହାୟକ ହୋଇଥାଏ।
ହେଲେ ପଦବୀ ପୂରଣ ହୋଇପାରୁନଥିବାରୁ ଦିନକୁ ଦିନ ଆଶା, ଲବି ଓ ଅସନ୍ତୋଷ ବଢ଼ୁଛି। ପୁଣି ସେମାନଙ୍କ ଭିତରୁ ବି ତାଙ୍କ ବିଧାୟକ ମନ୍ତ୍ରୀ ହେବା ପରେ କାମ କରିପାରୁ ନାହାନ୍ତି ବୋଲି କହି ବୁଲୁଛନ୍ତି। ଅର୍ଥାତ୍ ୬ଟି ଆସନ ବଦଳରେ ୧୮ ଜଣ ବିଧାୟକଙ୍କ ଅସନ୍ତୋଷର ପାତ୍ର ହେଉଛନ୍ତି ସରକାର।
ଦ୍ୱିତୀୟରେ ସବୁଠାରୁ ବଡ଼କଥାଟି ଆପଣଙ୍କୁ କହିବାକୁ ଯାଉଛି ତାହା ହେଲା ନିଗମ ଓ କମିଶନରେ ଅଧ୍ୟକ୍ଷ ପଦବୀ। ଏହି ରାଜନୀତିକ ପଦବୀଗୁଡ଼ିକ ଦଳର କର୍ମୀ ଓ ହାରୁ ପ୍ରାର୍ଥୀଙ୍କୁ ଥଇଥାନ କରିବରେ ବିଶେଷ କରି ସହାୟକ ହୋଇଥାଏ। କାରଣ ଏମାନେ ହେଉଛନ୍ତି ଦଳର ଆଖି, ନାକ ଓ କାନ। ଯଦି ଏମାନଙ୍କୁ ଠିକଣା ଭାବେ ପରିଚାଳନା କରାନଯାଇପାରିବ ତେବେ ନେତା ବସିଥିବେ କିନ୍ତୁ ସଂଗଠନ ଆଉ କୁଆଡ଼େ ଚାଲି ଯାଇଥିବ।
ହେଲେ କିଏ କେଉଁ ନିଗମ ଓ କମିଶନ ପାଇବେ ତାହାର ଅଙ୍କ ଛିଣ୍ଡାଇପାରୁ ନାହାନ୍ତି ସରକାର। ଦଳରେ ଭିନ୍ନ ଭିନ୍ନ ଲବି କାମ କରୁଥିବାରୁ ସବୁକିଛି କେନ୍ଦ୍ରୀୟ ନେତାଙ୍କ ଉପରେ ନିର୍ଭର କରାଯାଇଛି। କେନ୍ଦ୍ରୀୟ ନେତା ବି ନିଜ ପ୍ରତିଛବିକୁ ଧୋବ ଫରଫର ରଖିବା ଲାଗି ଏଥିରେ ମୁଣ୍ଡ ନ ପୂରାଇ ଅନ୍ୟ ଉପରେ ନିର୍ଭର କରିଛନ୍ତି। ସେ ‘ଅନ୍ୟ’ମାନେ କିନ୍ତୁ ଓଡ଼ିଶା ଉପରେ ଧ୍ୟାନ ଦେଉ ନାହାନ୍ତି। କାରଣ ଓଡ଼ିଶା କେବେ କେନ୍ଦ୍ର ରାଜନୀତିରେ ନିୟନ୍ତ୍ରଣ କରିବା ପରି ଭୂମିକା ନିର୍ବାହ କରିନାହିଁ।
ଯଦିଓ ବିଜେଡି ଶାସନରେ କିଛି ଗୁରୁତ୍ୱ ରହୁଥିଲା ହେଲେ ଏବେ ବିଜେଡି ଲୋକସଭାରେ ଶୂନ୍ୟ ହୋଇଛି। କିନ୍ତୁ ଏ ଶୂନ୍ୟ ବିଜେଡି କେନ୍ଦ୍ରୀୟ ନେତାଙ୍କ ଲବିରେ ବେଶ୍ ଭଲ ଭୂମିକାରେ ରହିଥିବା ଆଲୋଚନା ହେଉଛି। ଏଣୁ ଯଦି ‘ବିରୋଧୀ ବି ଆମର ଆଉ ସରକାର ବି ଆମର’ ତେବେ କାହିଁକି ରାଜ୍ୟର ଆଭ୍ୟନ୍ତରୀଣ ରାଜନୀତିରେ ମୁଣ୍ଡ ପୂରାଇବା ନ୍ୟାୟରେ କେନ୍ଦ୍ରୀୟ ସଂଗଠନ ବି ନୀରବ ରହିଛି। ଏହି ନୀରବତା ଭିତରେ ରାଜ୍ୟରେ ଶାସନ ୧ ବର୍ଷ ସରିଗଲାଣି। ଆଉ ୪ ବର୍ଷରୁ ୩ ବର୍ଷ ହେଉଛି ଗୁରୁତ୍ୱପୂର୍ଣ୍ଣ।
ଯଦି ଏହି ରାଜନୀତିକ ପ୍ରସଙ୍ଗଗୁଡ଼ିକୁ ସମାଧାନ କରାନଯାଏ ତେବେ ଉତ୍ସବ ପାଳନ ଓ ମିଛ ଆନନ୍ଦ ପ୍ରଚାରର କିଛି ବି ଫଳ ରହିବ ନାହିଁ। ଅତୀତରେ ବିଜେଡି ସରକାରରେ ତାହା ରାଜ୍ୟବାସୀ ଦେଖିଛନ୍ତି ଏଣୁ ଆଗକୁ ସେ ଭୁଲ୍ ରୂପାନ୍ତରଣ ନ କରିବାକୁ ମୋହନ ସରକାର ଚେଷ୍ଟା କରିବେ, ଆମେ ଆଶା କରିବା, ନୁହେଁ କି?
ତୃତୀୟତଃ ଗତ ୨୪ ବର୍ଷ ଧରି ରାଜ୍ୟ ଶାସନର ଅଙ୍ଗ ଥିବା ପ୍ରଶାସନିକ ଅଧିକାରୀମାନେ ଅଖଣ୍ଡ କ୍ଷମତାର ଅଧିକାରୀ ଥିଲେ। ତେଣୁ ସେମାନେ ବିଜେପିର ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ବିଧାୟକମାନଙ୍କ କଥା ଶୁଣିବାକୁ ନାରାଜ। ଏପରି ସ୍ଥିତିରେ ରାଜ୍ୟର ଉନ୍ନୟନମୂଳକ କାମ ହୋଇପାରୁନାହିଁ। ଅଫିସରଙ୍କୁ ଯେତେ ତାଗିଦା କଲେ ବି ସେମାନଙ୍କର ସରକାରଙ୍କୁ ଖାତିର ନାହିଁ। କାରଣ ସେମାନେ ବିଜେପିର କେନ୍ଦ୍ରୀୟ ନେତା ମନ୍ତ୍ରୀମାନଙ୍କର ଏଜେଣ୍ଟ ସାଜିଛନ୍ତି। ଯଦି ମୋହନ ସରକାର ଏଭଳି ଅଫିସରଙ୍କୁ ସାବାଡ଼ ନ କରନ୍ତି ତେବେ ସରକାର ଓ ରାଜ୍ୟର ଅନେକ କ୍ଷତି ହେବ, ଏଥିରେ ସନ୍ଦେହ ନାହିଁ।