ଧୀରେ ଧୀରେ ଖୋଲୁଛି ନବୀନଙ୍କ ଅନ୍ୟାୟର ଅନ୍ଧାର ପେଡି। ଆଖି ଥାଇ ମଧ୍ୟ ହିତାହିତ ଜ୍ଞାନ ଭୁଲିଥିଲେ ନବୀନ। ଧୃତରାଷ୍ଟ୍ର ଯେପରି ପୁତ୍ର ପ୍ରେମରେ ଅନ୍ଧ ହୋଇ କୌରବ ବଂଶ ଧ୍ୱଂସ କରିଥିଲେ ଏବେ ନବୀନ ସେପରି କରିବାକୁ ଯାଉଛନ୍ତି। ଏ କଥା ଆମେ କହୁନୁ ତାଙ୍କ ଦଳର ନେତା ନେତ୍ରୀ କହିଲେଣି। କିଛିଦିନ ତଳେ ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟ ଏବଂ ବିଧାୟକ ଅରୁଣ ସାହୁଙ୍କ ବିଦ୍ରୋହ ବାଣୀ ନିଶ୍ଚୟ ଜାଣିଥିବେ ଆପଣମାନେ। ହେଲେ ଏବେ ଶ୍ରୀମୟୀ ମିଶ୍ର ବିଜେଡିର ପୁରା ଗୁମର ମହାଭାରତ କାହାଣୀରେ ଜଣେଇ ଦେଇଛନ୍ତି। ନବୀନ କିପରି ପାଣ୍ଡିଆନ ଆଉ ମନ୍ମଥଙ୍କ ପ୍ରେମରେ ତାଙ୍କ ଅପମାନକୁ ବାଏଁ ବାଏଁ ଉଡ଼େଇ ଦେଇଛନ୍ତି ସେଇ କଥାକୁ ମହଭାରତ ସହ ଯୋଡ଼ି ସୋସିଆଲ ମିଡିଆରେ ପ୍ରକାଶ କରିଛନ୍ତି।
ଶ୍ରୀମୟୀ ତାଙ୍କ ସୋସିଆଲ ମିଡିଆରେ ଲେଖିଛନ୍ତି; ଧୃତରାଷ୍ଟ୍ର, ହସ୍ତିନାପୁରର ରାଜା ଭାବେ, ଦ୍ରୌପଦୀଙ୍କ ଅପମାନ ହେଉଥିବା ସଭାରେ ଅଧ୍ୟକ୍ଷତା କରୁଥିଲେ। ଅନ୍ୟାୟ ବିଷୟରେ ଜାଣି ମଧ୍ୟ ସେ ଏହି ଅପମାନ ରୋକିବାକୁ ଚେଷ୍ଟା କରିନଥିଲେ। ଧୃତରାଷ୍ଟ୍ରଙ୍କର ତାଙ୍କ ପୁତ୍ରମାନଙ୍କ, ବିଶେଷତଃ ଦୁର୍ଯୋଧନ ପ୍ରତି ଅନ୍ଧ ପ୍ରୀତି, ତାଙ୍କୁ ନୀରବ ରହିବାକୁ ପ୍ରଭାବିତ କରିଥିଲା। କିଛି ଲୋକ ଧୃତରାଷ୍ଟ୍ର ପରି ଅନ୍ଧ, ଯେଉଁମାନେ ଅନ୍ୟାୟ ରୋକିବାକୁ ପ୍ରକୃତ ପ୍ରୟାସ କରନ୍ତି ନାହିଁ। ଇତିହାସ ଏପରି ଅଯୋଗ୍ୟ ରାଜାଙ୍କୁ କେବେ କ୍ଷମା କରେ ନାହିଁ, କାରଣ ସେମାନଙ୍କର ନୀରବତା ଦୁଃଖଦ ପରିଣାମ ଆଣିଥାଏ।
ଯାହାକୁ ପଢ଼ିଲେ ଯେ କେହି ବି କହିପାରେ ଏହା ନବୀନଙ୍କ ଉଦ୍ଦେଶ୍ୟରେ ହିଁ ଶ୍ରୀମୟୀ ଲେଖିଛନ୍ତି। ଖାଲି ସେତିକି ନୁହେଁ ତାଙ୍କୁ ଇତିହାସ କେବେ କ୍ଷମା ଦେବ ନାହିଁ ବୋଲି ମଧ୍ୟ ସେ କଥା ଛଳରେ କହିଦେଇଛନ୍ତି। ନବୀନ ଧର୍ମରାଜ ଦେଖେଇ ହେଉଥିଲେ ମଧ୍ୟ କଥାକଥିତ ଧର୍ମ ପୁଅ ବୋଲରେ ଜଣେ ଅଯୋଗ୍ୟ ରାଜା ଥିଲେ ବୋଲି ଶ୍ରୀମୟୀ ତାଙ୍କ ତେରଛା ବାଣରେ ଜଣେଇ ଦେଇଛନ୍ତି। ଏଠି ପାଣ୍ଡିଆନ ନବୀନଙ୍କ ଦୁର୍ଯୋଧନ ଆଉ ମନ୍ମଥ ଦୁଃଶାସନ ବୋଲି ଶ୍ରୀମୟୀଙ୍କ ଲେଖା ଦେଖି ଲୋକେ କହୁଛନ୍ତି। ତେବେ ବିଜେଡି ଶ୍ରୀମୟୀଙ୍କୁ ମହିଳା ସାମୁଖ୍ୟରେ ଦାୟିତ୍ୱ ଦେବାରୁ ଦୁଇଦିନ ପରେ ଏଭଳି ଲେଖା ସମସ୍ତଙ୍କୁ ଦ୍ଵନ୍ଦ୍ୱରେ ମଧ୍ୟ ପକାଇଛି। ଶ୍ରୀମୟୀ ନବୀନ ଆଉ ବିଜେଡିକୁ କ’ଣ ତାଙ୍କ ମନର ଖାତାରୁ କାଟି ଦେଲେ କି ବୋଲି ଲୋକେ ପ୍ରଶ୍ନ କରିଛନ୍ତି। ଦାୟିତ୍ୱ ମିଳିବା ପରେ ମଧ୍ୟ ଅନ୍ୟ ସଦସ୍ୟମାନେ ନବୀନଙ୍କୁ ଭେଟିବାକୁ ଯାଇଥିଲେ ମଧ୍ୟ ଶ୍ରୀମୟୀ ସେଥିରେ ନ ଥିଲେ। ତେବେ ବିଜେଡି ଏତେ ପରେ ବି ଅଲାଜୁକ ମୁହେଁ ଖଡ଼ା ଗଛ ଭଳି କହିଛି ଯେ ଶ୍ରୀମୟୀ ନବୀନଙ୍କୁ ବହୁତ ଭଲ ପାଆନ୍ତି, ତାଙ୍କୁ ଦାୟିତ୍ୱ ଦିଆଯାଇଛି ସେ ବିଜେଡି ପାଇଁ କାମ କରିବେ, ଏହା କେବଳ ମନର ଭାବନା।
Also Read https://purvapaksa.com/sonali-phogat-murder-accused-gets-bail-to-celebrate-wifes-birthday/
