ବିଜେଡିରୁ ନିଲମ୍ବିତ ହୋଇଥିବା ଶ୍ରୀମୟୀ ମିଶ୍ର ଏବେ ଖୋଦ ବିଜେଡିରେ ତଣ୍ଟିରେ କଣ୍ଟା ହୋଇ ଲାଗିଲେଣି। ନିଲମ୍ବିତ ହେଲାପରେ ଶ୍ରୀମୟୀ ଏବେ ବିଜେଡି ଶିବିରକୁ ଗୋଟିଏ ପରେ ଗୋଟିଏ ମିସାଇଲ ଛାଡିବାରେ ଲାଗିଛନ୍ତି। ନିଲମ୍ବନ ପତ୍ରରେ ଦସ୍ତଖତ କରିଥିବା ବରିଷ୍ଠ ବିଜେଡି ନେତା ପ୍ରତାପ ଜେନା ଏଥିରେ ପ୍ରଥମେ ଘାଇଲା ହୋଇଥିବାବେଳେ ଆଗକୁ ଅନ୍ୟମାନଙ୍କୁ ନିଶାଣରେ ରଖିଥିବା ଶ୍ରୀମୟୀଙ୍କ ସୋସିଆଲ ମିଡିଆ ପୋଷ୍ଟରୁ ସ୍ପଷ୍ଟ ହେବାରେ ଲାଗିଛି।
ଶ୍ରୀମୟୀ ସିଧାସଳଖ ଆରୋପ କରିଛନ୍ତି ଯେ ପ୍ରତାପ ଜେନା ନିର୍ବାଚନ ହାରିଲା ପରେ ଏବେ ଜଣେ ବିଧାୟକଙ୍କ ବାସଭବନରେ ଭଡ଼ାରେ ରହୁଛନ୍ତି। ଜଣେ ବିଧାୟକ ଆଉ ଜଣେ ବିଧାୟକଙ୍କୁ ସରକାରୀ ବାସଭବନ ଭଡ଼ାରେ ଦେଇପାରିବେ କି ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି। ଏଭଳି ପ୍ରସଙ୍ଗ ଉଠାଇ ସେ ଏବେ ଉଭୟ ବିଜେଡି ଓ ସରକାରଙ୍କ କୋର୍ଟକୁ ବଲ୍ ଫିଙ୍ଗିଛନ୍ତି।
ଏ ନେଇ ପ୍ରତା ଜେନା କୌଣସି ପ୍ରତିକ୍ରିୟା ଦେଇନଥିବାବେଳେ ସରକାର ଏହା ଉପରେ କି ପଦକ୍ଷେପ ନେଉଛନ୍ତି, ତାହାକୁ ସମସ୍ତେ ଅପେକ୍ଷା କରିଛନ୍ତି। କାରଣ ସରକାରୀ କ୍ୱାର୍ଟର୍ସଟିଏ ପାଇବା ପାଇଁ ଅନେକ ବିଧାୟକ ଏବେ ଧାଁଦଉଡ଼ କରୁଥିବାବେଳେ ବିଧାୟକଙ୍କ ଘର ଭଡ଼ା ଦେବା ପ୍ରସଙ୍ଗ ଉଠିଛି।
ସେହିଭଳି ଶ୍ରୀମୟୀ ଅତୀତର କେତେକ ଘଟଣା ମଧ୍ୟ ଉଠାଇଛନ୍ତି। ଏଥିରେ ସେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିକଟରେ ଅଭିଯୋଗ କରି କିଭଳି ଅପମାନିତ ହୋଇଥିଲେ, ସେ ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ଏନେଇ ମଧ୍ୟ ବିଜେଡି ବିଧିବଦ୍ଧ ଭାବେ କିଛି କହିନାହିଁ। ଏଥିସହ ଏକାଧିକ ପୋଷ୍ଟ ଜରିଆରେ ଶ୍ରୀମୟୀ ବିଜେଡିରେ ତାଙ୍କର ସଦସ୍ୟତାର କ୍ରମିକ ନମ୍ବର ଓ ସଦସ୍ୟତା ନବୀକରଣ ରସିଦ ମଧ୍ୟ ମାଗୁଛନ୍ତି। ଏପର୍ଯ୍ୟନ୍ତ ବିଜେଡି ତାହା ଦେଖାଇପାରିନାହିଁ। ଅବଶ୍ୟ ଶ୍ରୀମୟୀ ବିଜେଡିରେ କିଭଳି ଭାବେ ଜଡ଼ିତ ଥିଲେ, ତାହା ଲୋକଙ୍କ ଆଗରେ ରଖିବା ପାଇଁ କିଛି ଫଟୋକୁ ବିଜେଡି ନିଜେ ଛାଡୁଥିବାବେଳେ ଆଉ କିଛି ଫଟୋ ଅନ୍ୟ ଉପାୟରେ ସୋସିଆଲ ମିଡିଆରେ ଘୂରି ବୁଲୁଛି।
ଶ୍ରୀମୟୀ ମଧ୍ୟ ନିଜର ଯୋଗ୍ୟତା ଉଲ୍ଲେଖ କରିବା ସହ ସିଏ ଯୋଗ୍ୟ କି ଅଯୋଗ୍ୟ, ସେ ସମ୍ପର୍କରେ ନବୀନଙ୍କୁ ପଚାରିବା ପାଇଁ କହିଛନ୍ତି। ଏହାଦ୍ଵାରା ସିଏ ନବୀନଙ୍କଠାରୁ ସିଧାସଳଖ ଉତ୍ତର ଚାହିଁବା ସହ ଆଉ କିଛି ନେତାଙ୍କ ଯୋଗ୍ୟତା ଉପରେ ପରୋକ୍ଷରେ ପ୍ରଶ୍ନବାଚୀ ଲଗାଇଛନ୍ତି। ଉଲ୍ଲେଖନୀୟ ଯେ ଶ୍ରୀମୟୀ ପ୍ରାୟ ୨୦ ବର୍ଷ ଧରି ବିଜେଡିରେ ଥିବାବେଳେ ବହୁ ପଦପଦବୀ ବି ତାଙ୍କୁ ମିଳିଛି। ତେଣୁ ଦଳର ବହୁ ବରିଷ୍ଠ ନେତାଙ୍କ ସହ ତାଙ୍କ ଉତ୍ତମ ସମ୍ପର୍କ ରହିଥିବାବେଳେ ଦଳର ଅନେକ ଭିତିରି କଥା ମଧ୍ୟ ତାଙ୍କୁ ଜଣା। ତେଣୁ ଶ୍ରୀମୟୀଙ୍କ ପ୍ରତିକ୍ରିୟା ନେଇ ବିଜେଡିର ଅନେକ ନେତା ଏବେ ଅକଳରେ ପଡ଼ିଥିବା ଲକ୍ଷ୍ୟ କରାଯାଉଛି।
ଶ୍ରୀମୟୀ ନିଜକୁ ଓଡ଼ିଆ ଝିଅ ବୋଲି ଦର୍ଶାଇବା ସହ ସ୍ୱାଭିମାନ ଦ୍ୱାହି ଦେଇ ଯେଭଳି ପ୍ରଶ୍ନବାଣ ମାରୁଛନ୍ତି, ତାହା ଆଗାମୀ ଦିନରେ ବିଜେଡିର ଅନେକଙ୍କ ଘାଇଲା କରିବ ବୋଲି ଦଳ ଭିତରେ ଜୋରଦାର ଆଲୋଚନା ଆରମ୍ଭ ହୋଇଛି । କାରଣ ଶ୍ରୀମୟୀଙ୍କ ନିଲମ୍ବନ ପୂର୍ବରୁ ତାଙ୍କ ବିରୁଦ୍ଧରେ ଦଳର କିଛି ନବାଗତ ଓ କିଛି ପୁରୁଖା ନେତା କଟୁ ମନ୍ତବ୍ୟ ଦେଇଥିଲେ। ଏହାକୁ ନେଇ ଥାନାରେ ମାମଲା ବି ରୁଜୁ ହୋଇଛି। ସେହିଭଳି ଶ୍ରୀମୟୀଙ୍କ ସପକ୍ଷରେ ବି କିଛି ନେତା ଖୋଲାଖୋଲି ଭାବେ ବାହାରିଛନ୍ତି, ଆଉ କିଛି ଭିତିରିଆ ସମର୍ଥକ ବି ରହିଛନ୍ତି। ତେବେ ଶ୍ରୀମୟୀଙ୍କ ଆକ୍ରମଣାତ୍ମକ ରୂପ ଦେଖିଲା ପରେ ସିଏ ଏବେ ବିଜେଡି ତଣ୍ଟିରେ କଣ୍ଟା ବୋଲି ଖୋଦ ଦଳୀୟ କର୍ମୀମାନେ ଆଲୋଚନା କରୁଛନ୍ତି।
Also Read https://purvapaksa.com/cag-report-reveals-huge-corruption-in-odishas-past-govt/
CAG Report Reveals Huge Corruption in Odisha’s Past Govt ।। ଆଦିବାସୀଙ୍କ ଟଙ୍କାକୁ ଖାଇଗଲେ ନବୀନଙ୍କ ଅଫିସର
