ଜୋତା ସାଧାରଣତଃ ମଣିଷର ପାଦକୁ ସୁରକ୍ଷା ଦେଇଥାଏ। ତେଢ଼ା ମେଢ଼ା,କଣ୍ଟିକିତ ରାସ୍ତାରେ ଚାଲିବାର କଷ୍ଟକୁ ନିବାରଣ କରିଥାଏ। କିନ୍ତୁ ସେହି ସମାନ ଜୋତା ବେଳେବେଳେ କ୍ଷେପଣାସ୍ତ୍ର ଭଳି କାମ କରେ। ଆଉ ଯେତେବେଳେ କାମ କରେ, ସେତେବେଳେ ଜୋତା ଦେଖେନି କିଏ ରାଷ୍ଟ୍ରପତି, କିଏ ପ୍ରଧାନମନ୍ତ୍ରୀ ଏବଂ ଆଉ କିଏ ନ୍ୟାୟାଳୟର ବିଚାରପତି। ନିକଟରେ ଭାରତୀୟ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କ ଉପରକୁ ତାଙ୍କରି ବିଚାରଳୟ ଭିତରେ ଜଣେ ଓକିଲ ଜୋତା ଫୋପାଡ଼ିବାକୁ ଉଦ୍ୟମ କରିଥିଲେ। ଯାହାକୁ ନେଇ ଦେଶରେ ଘମାଘୋଟ ଆଲୋଚନା ଓ ସମାଲୋଚନାର ପର୍ବ ଆରମ୍ଭ ହେଲାଣି। ତେଣୁ ଏସବୁ ଭିତରେ ଆମେ ଭାବିଲୁ ଆପଣ ମଧ୍ୟ ଏହା ଜାଣିବା ଉଚିତ ଯେ, ଏଭଳି ଘଟଣା କ’ଣ କେବଳ ଭାରତରେ ଘଟିଛି? ନା ଅନ୍ୟତ୍ର କେଉଁଠି ଏମିତି ଘଟିଥିଲା? ଆଉ ଯେଉଁ ଜୋତା ଏହାର ମୂଳରେ ଅଛି, ସେହି ଜୋତାର କାହାଣୀ କ’ଣ? ଜୋତା ଫୋପାଡ଼ିବାକୁ କେଉଁ ଦେଶରେ କେମିତି ଗ୍ରହଣ କରାଯାଏ?
ଖାଲି ଭାରତ ନୁହେଁ ଅନ୍ୟତ୍ର ବି ଚାଲିଛି ଜୋତା ମାଡ଼
ବିଶ୍ୱର ଅନେକ ଅଞ୍ଚଳରେ ଜୋତାର ତଳପଟା ଦେଖାଇ ବା ଜୋତା ଫିଙ୍ଗି କିମ୍ବା ଜୋତା ବ୍ୟବହାର କରି ଅପମାନ କରିବା ବିରୋଧର ଏକ ରୂପ। ଅପମାନ ଭାବେ ଜୋତା ଫିଙ୍ଗିବାର ପରମ୍ପରା ପ୍ରାଚୀନ କାଳରୁ ଚାଲିଆସୁଛି, ଯାହାର ଉଲ୍ଲେଖ ଖ୍ରୀଷ୍ଟିଆନମାନଙ୍କର ଓଲ୍ଡ ଟେଷ୍ଟାମେଣ୍ଟରେ ମଧ୍ୟ ରହିଛି। ଦ ଟେଲିଗ୍ରାଫ୍ ଅନୁସାରେ, ରାଜନୈତିକ ବ୍ୟକ୍ତିଙ୍କ ଉପରେ ଜୋତା ଫିଙ୍ଗିବାର ଆଧୁନିକ ଘଟଣାଗୁଡ଼ିକ ଅଷ୍ଟ୍ରେଲିଆ, ଭାରତ, ଆୟାର୍ଲାଣ୍ଡ, ତାଇୱାନ, ହଂକଂ, ଇସ୍ରାଏଲ, ପାକିସ୍ତାନ, ଯୁକ୍ତରାଜ୍ୟ ଆମେରିକା ଏବଂ ବିଶେଷକରି ଆରବ ଜଗତରେ ଘଟିଛି।
ଆମେରିକାର ରାଷ୍ଟ୍ରପତିଙ୍କ ଉପରେ ପଡ଼ିଥିଲା ଜୋତା!
ଦ ଇଲେକ୍ଟ୍ରୋନିକ ଇନ୍ତିଫାଦା ଅନୁସାରେ, ପୂର୍ବତନ ଆମେରିକାର ରାଷ୍ଟ୍ରପତି ଜର୍ଜ ଡବ୍ଲୁ ବୁଶ୍ଙ୍କ ମୁହଁ ଥିବା ପୋଷ୍ଟର ମଧ୍ୟପ୍ରାଚ୍ୟରେ ଦୀର୍ଘ ସମୟ ଧରି ଜୋତାରେ ସଜ୍ଜିତ ହୋଇ ଦେଖାଯାଉଥିଲା। କେତେକ ଲୋକ ପୂର୍ବତନ ବୈଦେଶିକ ମନ୍ତ୍ରୀ କଣ୍ଡୋଲିଜା ରାଇସଙ୍କୁ କୁନ୍ଦରା ମଧ୍ୟ କହୁଥିଲେ, ଯାହାର ଅର୍ଥ ହେଉଛି- ଜୋତା। ୧୪ ଡିସେମ୍ବର ୨୦୦୮ରେ ଇରାକର ବାଗ୍ଦାଦରେ ଏକ ସାମ୍ବାଦିକ ସମ୍ମିଳନୀରେ ମୁନ୍ତଦର ଅଲ-ଜୈଦୀ ତତ୍କାଳୀନ ଆମେରିକାର ରାଷ୍ଟ୍ରପତି ବୁଶ୍ଙ୍କ ଉପରେ ଜୋତା ଫିଙ୍ଗିବା ପରେ ଜୋତା ଫିଙ୍ଗିବାର ଘଟଣା ସାରାବିଶ୍ୱର ଧ୍ୟାନ ଆକର୍ଷିତ କରିଥିଲା। ଅଲ-ଜୈଦୀଙ୍କ ଘଟଣା ପରେ ୟୁରୋପ, ଉତ୍ତର ଆମେରିକା, ଭାରତ, ଚୀନ, ଇରାନ, ତୁର୍କୀ ଏବଂ ଅଷ୍ଟ୍ରେଲିଆରେ ଜୋତା ଫିଙ୍ଗିବାର ଘଟଣା ସାମ୍ନାକୁ ଆସିଥିଲା।
ଇରାକୀଙ୍କ ତରଫରୁ ଥିଲା ବିଦାୟର ଚୁମ୍ବନ
ବିବିସି ରିପୋର୍ଟ ଅନୁସାରେ, ୧୪ ଡିସେମ୍ବର ୨୦୦୮ରେ ଇରାକର ରାଜଧାନୀ ବାଗ୍ଦାଦରେ ପ୍ରଧାନମନ୍ତ୍ରୀଙ୍କ ମହଲରେ ଏକ ସାମ୍ବାଦିକ ସମ୍ମିଳନୀ ସମୟରେ ସାମ୍ବାଦିକ ମୁନ୍ତଧର ଅଲ-ଜୈଦୀ ତତ୍କାଳୀନ ଆମେରିକାର ରାଷ୍ଟ୍ରପତି ଜର୍ଜ ଡବ୍ଲୁ ବୁଶ୍ଙ୍କ ଉପରେ ନିଜର ଜୋତା ଫିଙ୍ଗିଥିଲେ। ଅଲ-ଜୈଦୀ ଆରବୀ ଭାଷାରେ କହିଥିଲେ- ଏହା ଇରାକୀ ଲୋକମାନଙ୍କ ତରଫରୁ ବିଦାୟର ଚୁମ୍ବନ। ଏହା ବିଧବାମାନଙ୍କ ପାଇଁ, ଅନାଥମାନଙ୍କ ପାଇଁ ଏବଂ ଇରାକରେ ମରିଥିବା ସମସ୍ତ ଲୋକଙ୍କ ପାଇଁ!
ବିଶ୍ୱର ସବୁଠାରୁ ପୁରୁଣା ଜୋତାର ବୟସ ୧୦ ହଜାର ବର୍ଷ
ପ୍ରାଚୀନ କାଳରେ ଜୋତାଗୁଡ଼ିକ ଗଛର ଛାଲରୁ ତିଆରି ହୋଇଥିଲା, ଯାହା ପ୍ରାୟ ୭୦୦୦ କିମ୍ବା ୮୦୦୦ ଖ୍ରୀଷ୍ଟପୂର୍ବର ବୋଲି କୁହାଯାଏ। ଏହି ଜୋତାଗୁଡ଼ିକ ୧୯୩୮ରେ ଆମେରିକୀୟ ରାଜ୍ୟ ଓରେଗନର ଫୋର୍ଟ ରକ ଗୁମ୍ଫାରେ ମିଳିଥିଲା। ବିଶ୍ୱର ସବୁଠାରୁ ପୁରୁଣା ଚମଡ଼ା ଜୋତା ଗାଈର ଚମଡ଼ାର ଏକ ଖଣ୍ଡରୁ ତିଆରି ହୋଇଥିଲା। ଏହା ୨୦୦୮ରେ ଆର୍ମେନିଆର ଏରେନୀ-୧ ଗୁମ୍ଫା ପରିସରରେ ମିଳିଥିଲା ଏବଂ ଏହା ୩୫୦୦ ଖ୍ରୀଷ୍ଟପୂର୍ବର ବୋଲି ମନେ କରାଯାଏ।
ଯେବେ ରୋମାନ ସମ୍ରାଟଙ୍କ ଉପରେ ପଡ଼ିଲା ଜୋତା
ପିଟର ହିଥରଙ୍କ ପୁସ୍ତକ- ଦ ଫଲ ଅଫ୍ ଦ ରୋମାନ ଏମ୍ପାୟାରର ଏ ନିଉ ହିଷ୍ଟ୍ରୀରେ କୁହାଯାଇଛି ଯେ ରୋମାନ ସମ୍ରାଟ କନ୍ଷ୍ଟାଣ୍ଟିୟସ ଦ୍ୱିତୀୟ ଏକ ପାହାଡ଼ରୁ ଲିମିଜେଣ୍ଟେସର ଏକ ଗୋଷ୍ଠୀଙ୍କୁ ସେମାନଙ୍କର ନିଷ୍ଠା ପାଇଁ ଭାଷଣ ଦେଉଥିଲେ, ଠିକ ସେତିକିବେଳେ ସେମାନଙ୍କ ମଧ୍ୟରୁ ଜଣେ ଜୋତା ଫିଙ୍ଗିଥିଲେ, ଯାହା ତାଙ୍କୁ ଲାଗିଥିଲା। ଜୋତା ଫିଙ୍ଗିଥିବା ବ୍ୟକ୍ତି ‘ଯୁଦ୍ଧର ସଙ୍କେତ’ ଦେଇ ମରହା, ମରହା! ଚିତ୍କାର କରିଥିଲେ। ସେହି ସମୟରେ ଏହା ଯୁଦ୍ଧର ଆରମ୍ଭର ସଙ୍କେତ ବୋଲି ଗଣାଯାଉଥିଲା।
ପାକିସ୍ତାନର ମନ୍ତ୍ରୀଙ୍କ ମୁହଁରେ ବାଜିଲା ଜୋତା
ବିବିସିର ଏକ ରିପୋର୍ଟ ଅନୁସାରେ, ୭ ଏପ୍ରିଲ ୨୦୦୮ରେ ପାକିସ୍ତାନର ସିନ୍ଧର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବାବ ଗୁଲାମ ରହିମ ନବନିର୍ବାଚିତ ସଦସ୍ୟ ଭାବେ ଶପଥ ନେବା ପରେ ସିନ୍ଧ ବିଧାନସଭା ଭବନର ପଛ ଦ୍ୱାରରୁ ବାହାରୁଥିବା ସମୟରେ ପାକିସ୍ତାନ ପିପୁଲ୍ସ ପାର୍ଟିର ଜଣେ କର୍ମୀ ଆଗା ଜାବେଦ ପଠାନଙ୍କ ଦ୍ୱାରା କଥିତରୂପେ ଫିଙ୍ଗାଯାଇଥିବା ଜୋତା ତାଙ୍କୁ ଲାଗିଥିଲା।
ପି ଚିଦାମ୍ବରମଙ୍କ ପଡ଼ିଥିଲା ଜୋତା
ଏପ୍ରିଲ ୨୦୦୯ରେ ତତ୍କାଳୀନ ଗୃହମନ୍ତ୍ରୀ ପି ଚିଦାମ୍ବରମଙ୍କ ଉପରେ ଜଣେ ଶିଖ୍ ସାମ୍ବାଦିକ ଜରନୈଲ ସିଂହ ଜୋତା ଫିଙ୍ଗି ମାରିଥିଲେ। ଜରନୈଲ ସିଂହ ୧୯୮୪ର ଶିଖ ବିରୋଧୀ ଦଙ୍ଗା ଉପରେ କଂଗ୍ରେସ ନେତା ଜଗଦୀଶ ଟାଇଟଲରଙ୍କୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ର କ୍ଲିନ ଚିଟ୍ ଉପରେ ଚିଦାମ୍ବରମଙ୍କୁ ଏକ ପ୍ରଶ୍ନ ପଚାରିଥିଲେ।
ଜୋତା ମାଡ଼ ମାନେ ହନିମୁନ୍ ଆରମ୍ଭ!
ଜନ ହପକିନ୍ସ ବିଶ୍ୱବିଦ୍ୟାଳୟ ସହ ଜଡ଼ିତ ଟ୍ରମ୍ପ ଏବଂ ମାର୍ଲେନଙ୍କର ୨୦୧୩ରେ ପ୍ରକାଶିତ ଏକ ପୁସ୍ତକ- ଥ୍ରୋଇଂ ଦ ଓ୍ୱେଡିଂ-ଶୂରେ କୁହାଯାଇଛି ଯେ ଜୋତା ଫିଙ୍ଗିବା ଅନେକ ସଂସ୍କୃତିରେ ବିବାହ ସହ ଜଡ଼ିତ ଥିବା ଏକ ବିଶ୍ୱାସ। ଭିକ୍ଟୋରିୟାନ ଯୁଗରେ ଇଂଲଣ୍ଡରେ ଲୋକମାନେ ବଧୂ ଏବଂ ବର ଉପରେ ପୁରୁଣା ଜୋତା ଫିଙ୍ଗୁଥିଲେ, ଯେତେବେଳେ ସେମାନେ ନିଜର ହନିମୁନ ପାଇଁ ବାହାରୁଥିଲେ। ଚାର୍ଲ୍ସ ଡିକେନ୍ସଙ୍କ ଉପନ୍ୟାସ ଡେଭିଡ କପରଫିଲ୍ଡ (୧୮୫୦)ରେ ଡୋରା ସ୍ପେନଲୋଙ୍କ ସହ ବିବାହ ପରେ ଏହି ରୀତି ବିଷୟରେ ବର୍ଣ୍ଣନା କରାଯାଇଛି।
Also readhttps://purvapaksa.com/muslim-women-pleasure-marriage-for-15-days/
Pleasure marriage for 15 days II ୧୫ ଦିନ ପାଇଁ ‘ପ୍ଲେଜର ମ୍ୟାରେଜ’ କରୁଛନ୍ତି ଝିଅ ! ଓଡ଼ିଶା ସହିତ ଅଛି ସମ୍ପର୍କ
