ପେଟ୍ରୋଲ ପମ୍ପଗୁଡ଼ିକରେ ଗଲା ଦୁଇମାସ ହେଲା ମିଳୁଥିବା ଇ-୨୦ ପେଟ୍ରୋଲ ଅର୍ଥାତ୍ ଇଥାନଲ ମିଶା ପେଟ୍ରୋଲକୁ ନେଇ ସୃଷ୍ଟି ହୋଇଛି ବିବାଦ। ସରକାର ବାଧ୍ୟ କରି ଲୋକଙ୍କ ଗାଡ଼ି ଖରାପ କରୁଛନ୍ତି ବୋଲି ହୋଇଛି ଅଭିଯୋଗ। ସରକାରଙ୍କ ପଦକ୍ଷେପକୁ ଇନ୍ସ୍ୟୁରାନ୍ସ କମ୍ପାନୀ ମାନୁ ନଥିବାରୁ ହରଡ଼ଘଣାରେ ପଡ଼ୁଛନ୍ତି ଗାଡ଼ି ଚାଳକ। ଏନେଇ ଅଭିଯୋଗ ଏତେ ଉତ୍କଟ ହୋଇଛି ଯେ ଏହାକୁ ନେଇ ଦାୟର ହୋଇଥିବା ଜନସ୍ୱାର୍ଥମାମଲାର ବିଚାର କରିବାକୁ ଖୋଦ୍ ପ୍ରଧାନ ବିଚାରପତିଙ୍କୁ ଆଗକୁ ଆସିବାକୁ ପଡ଼ିଛି। ମାମଲା ଏଥିରୁ କେତେ ଗମ୍ଭୀର ଆପଣ ଅନୁମାନ କରିପାରନ୍ତି। ତେବେ କାହିଁକି ଏପରି ବିରୋଧ, ବିବାଦ ଏବଂ ସମାଲୋଚନା? ଜାଣିବା ଏଇ ରିପେର୍ଟରେ।
ଜୁଲାଇ ମାସରୁ ସାରା ଭାରତରେ ଇ-୨୦ ପେଟ୍ରୋଲ ବିକ୍ରି କରାଯାଉଛି। ଅର୍ଥାତ୍ ଯେଉଁ ପେଟ୍ରୋଲ ଆପଣ ଗାଡ଼ିପାଇଁ କିଣୁଛନ୍ତି ସେଥିରେ ୧୦୦ ପ୍ରତିଶତ ପେଟ୍ରୋଲ ନାହିଁ। ୨୦ ପ୍ରତିଶତ ରହିଛି ଇଥାନଲ। ଆଖୁ, ମକା ପ୍ରଭୃତି କୃଷିଜାତ ଦ୍ରବ୍ୟର ଅବଶିଷ୍ଟାଂଶରୁ ଏହି ଇଥାନଲ ପ୍ରସ୍ତୁତ କରାଯାଇ ପେଟ୍ରୋଲରେ ମିଶାଯାଉଛି। ସରଳ ଭାଷାରେ କହିବାକୁ ଗଲେ ଆପଣ ଯଦି କୌଣସି ପେଟ୍ରୋଲ ପମ୍ପରୁ ନିଜର ଗାଡ଼ି ପାଇଁ ପେଟ୍ରୋଲ କିଣୁଛନ୍ତି ତେବେ ଏଥିରେ ୧୦୦% ବଦଳରେ ରହୁଛି ୮୦ ପ୍ରତିଶତ ପେଟ୍ରୋଲ। ଅର୍ଥାତ୍ ଏକ ଲିଟର ପେଟ୍ରୋଲରେ ଆପଣଙ୍କୁ ୮୦୦ ପେଟ୍ରୋଲ ମିଳୁଥିବା ବେଳେ ଆଉ ୨୦୦ ମିଲିଲିଟିର ଇଥାନଲ ଆପଣଙ୍କ ଗାଡ଼ିରେ ପକାଉଛନ୍ତି ପେଟ୍ରୋଲ ପମ୍ପବାଲା। ଏହାଦ୍ୱାରା ଗାଡ଼ି ଚାଲିବା ବେଳେ ୬୫ ପ୍ରତିଶତ ଅଙ୍ଗାରକାମ୍ଳ, ୫୦ ପ୍ରତିଶତ କାର୍ବନ ମନୋକ୍ସାଇଡ୍ ଏବଂ ୨୦ ପ୍ରତିଶତ କାର୍ବନ ହାଇଡ୍ରୋ କାର୍ବନ ନିର୍ଗତ ହୋଇଥାଏ। ଫଳରେ ପରିବେଶକୁ ସୁସ୍ଥ ରଖିବାରେ ଆମେ ସହାୟକ ହେଉ। କିନ୍ତୁ ଏହାକୁ ନେଇ ସାରା ଦେଶରେ ଏବେ ଉଦବେଗ ପ୍ରକାଶ ପାଇଛି। ମାମଲା ସରକାରଙ୍କ ବିପକ୍ଷରେ ଆସି ଏବେ ପହଞ୍ଚିଛି ସୁପ୍ରିମୋ କୋର୍ଟରେରେ। ଆଜି ଏହାର ଶୁଣାଣି ରହିଛି। ଆସନ୍ତୁ ଜାଣିବା ଏ ବିବାଦ କାହିଁକି ଓ ସାଧାରଣ ନାଗରିକ କ’ଣ ଚାହୁଁଛନ୍ତି।
କୌଣସି ବି ପର୍ଯ୍ୟାୟରେ ବିକାଶ ଲାଗି ପରିବେଶକୁ ଅଣଦେଖା କରିବା ସାମାଜିକ ଉନ୍ନତିର ଲକ୍ଷ୍ୟ ହୋଇ ନପାରେ। ଏଥିଯୋଗୁ ଭାରତ ସରକାର ଗାଡ଼ି ମୋଟରରୁ ନିର୍ଗତ ଅଙ୍ଗାରକାମ୍ଳ ଏବଂ ଅନ୍ୟ ବିଷାକ୍ତ ଗ୍ୟାସକୁ କମାଇବା ଲାଗି ବୈଜ୍ଞାନିକ ଅନୁସନ୍ଧାନକୁ ଗୁରୁତ୍ୱ ଦେଇଛନ୍ତି। ଏହିକ୍ରମରେ ପେଟ୍ରୋଲରେ ଇଥାନଲ ମିଶ୍ରଣକୁ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଭାବେ ଗ୍ରହଣ କରି ୨୦୨୫ ସୁଦ୍ଧା ସାରା ଭାରତବର୍ଷରେ ଇ-୨୦ ପେଟ୍ରୋଲ ପ୍ରଚଳନ କରିଛନ୍ତି। ୨୦୩୦ ସୁଦ୍ଧା ଏ ଲକ୍ଷ୍ୟ ହାସଲ କରିବାକୁ ନିର୍ଦ୍ଧାରଣ କରାଯାଇଥିବାବେଳେ ଏହାକୁ ୫ ବର୍ଷ ପୂର୍ବରୁ ସରକାର ହାସଲ କରିଛନ୍ତି।
ଏହାଦ୍ୱାରା ଭାରତ ଶକ୍ତି ସୁରକ୍ଷା ଅଧିକ ନିଶ୍ଚିତ ହୋଇଛି।
ସୂଚନା ଅନୁସାରେ, ଭାରତ ୮୫% କଞ୍ଚାତୈଳ ଯାହାର ମୂଲ୍ୟ ବାର୍ଷିକ ୧.୧ ଲକ୍ଷ କୋଟି ଟଙ୍କା ହେବ ତାହାକୁ ଆମଦାନୀ କରିଥାଏ। ଏହା ସ୍ୱାଭାବିକ ଯେ ଆନ୍ତର୍ଜାତିକ ମୂଲ୍ୟ ଅସ୍ଥିରତା ଓ ଭୂ-ରାଜନୈତିକ ପରିସ୍ଥିତିରେ ପ୍ରଭାବିତ ହୁଏ। ଇ୨୦ ସ୍ୱଦେଶୀ ଇଥାନଲ ବ୍ୟବହାର ଦ୍ୱାରା ଏହି ପ୍ରଭାବ କମିଥାଏ। କାରଣ ଇଥାନଲ ମୁଖ୍ୟତଃ ଦେଶୀୟ ଚାଷୀଙ୍କ ଠାରୁ ଉତ୍ପାଦିତ ଆଖୁରୁ ସଂଗ୍ରହ ହୁଏ। ଫଳରେ ବାର୍ଷିକ ୪ ବିଲିୟନଡଲାର ବା ପ୍ରାୟ ୩୦,୦୦୦ କୋଟି ଟଙ୍କା ସଞ୍ଚୟ ହୁଏ ଏବଂ ୨୦% ପେଟ୍ରୋଲ ଆମଦାନୀ ହ୍ରାସ ହୋଇଥାଏ।
ପ୍ୟାରିସ ଚୁକ୍ତି ଓ ୨୦୭୦ ନେଟ-ଜିରୋ ଲକ୍ଷ୍ୟ ସହ ସରକାରଙ୍କ ଏହି କାର୍ଯ୍ୟକ୍ରମ ଅତ୍ୟନ୍ତ ସମନ୍ୱୟତା ରକ୍ଷା କରେ। ବ୍ରାଜିଲ ଓ ଆମେରିକା ଏହିଭଳି ନୀତି ଆପଣାଇଛନ୍ତି। ଭରତରେ ୨୦୧୪ ଠାରୁ ଇଥାନଲ ବ୍ଲେଣ୍ଡିଂ ୬୯.୮ ନିୟୁତ ଟନ ଅଙ୍ଗାରକାମ୍ଳ ନିର୍ଗମନହ୍ରାସ କରିଛି; ଇ-୨୦ ଇନ୍ଧନ ୨୦୫୦ ସୁଦ୍ଧା ସଡ଼କ ପରିବହନ ଜନିତ ନିର୍ଗମନକୁ ଦ୍ୱିଗୁଣ ହ୍ରାସ କରିପାରେ ବୋଲି ଏକ ସମ୍ଭାବନା ସୃଷ୍ଟି ହୋଇଛି।
ତଥାପି ବିରୋଧ କାହିଁକି?
ବିଶେଷକରି ପୁରୁଣା ମଡେଲର ମାଲିକମାନେ ସେମାନଙ୍କ ଗାଡ଼ିର ସ୍ୱାସ୍ଥ୍ୟକୁ ନେଇ ଗଭୀର ଆପତ୍ତି ଉଠାଇଛନ୍ତି। କାରଣ ପୂର୍ବରୁ ମିଳୁଥିବା ଇ-୧୦ ପରି କମ୍ ଇଥାନଲ ମିଶ୍ରିତ ଇନ୍ଧନ ଏବେ ପେଟ୍ରୋଲ ପମ୍ପରେ ବିରଳ। ଏହି ହେତୁ ଗାଡ଼ିରେ ଇ-୨୦ ପେଟ୍ରୋଲ ପକାଇବାକୁ ବାଧ୍ୟ ହେଉଛନ୍ତି ଗାଡ଼ି ମାଲିକ। ଯେହେତୁ ଏହି ଇନ୍ଧନ ବ୍ୟବହାର ପାଇଁ ସମ୍ପୃକ୍ତ ଗାଡ଼ିଗୁଡ଼ିକ ଉପଯୋଗୀ ନୁହେଁ, ସେଥିଲାଗି ସେହି ଯାନଗୁଡ଼ିକର ମାଇଲେଜ କମୁଛି। ଖାଲି ସେତିକି ନୁହେଁ, ଗାଡ଼ିର ବିଭିନ୍ନ ପାର୍ଟସ ଏହି ଇନ୍ଧନ ବ୍ୟବହାର ଦ୍ୱାରା ଅବକ୍ଷୟ ହେଉଛି ବୋଲି ଅଭିଯୋଗ ହୋଇଛି। ଆଇଓସିଏଲ୍ ସମେତ ବିଭିନ୍ନ ସରକାରୀ ଏଜେନ୍ସୀ ପକ୍ଷରୁ ହୋଇଥିବା ପରୀକ୍ଷାନିରୀକ୍ଷାରୁ ଏହା ସ୍ପଷ୍ଟ ଯେ ଏପରି ଇନ୍ଧନ ବ୍ୟବହାର ଦ୍ୱାରା ନୂଆ ଗାଡ଼ିରେ ୧-୨% ଓ ପୁରୁଣା ଗାଡ଼ିରେ ୩-୬% ମାଇଲେଜ ହ୍ରାସ ହୁଏ, କିନ୍ତୁ ବାସ୍ତବରେ ମାଲିକମାନେ ୫-୨୦% ହ୍ରାସ ରିପୋର୍ଟ କରିଛନ୍ତି।
ଖାଲି ସେତିକି ନୁହେଁ, ଇଥାନଲ କ୍ଷୟକାରୀ ଓ ଆର୍ଦ୍ରତା ଶୋଷଣକାରୀ, ଯାହା ଅସମଞ୍ଜସ ଉପାଦାନ ଯଥା ରବର ସିଲ, ଗାସ୍କେଟ, ଫୁଏଲ ଲାଇନ, ହୋସ ଓ ଧାତବ ଅଂଶକୁ ନଷ୍ଟ କରିପାରେ। ଏପ୍ରିଲ ୨୦୨୩ ପୂର୍ବରୁ ତିଆରି ଗାଡ଼ି (ଇ୧୦ ସମଞ୍ଜସ) ସବୁଠାରୁ ଅଧିକ ପ୍ରଭାବିତ, ଯାହା ଫିଲ୍ଟର ଜାମ, ରୁକ୍ଷ ଚାଲିବା, ଷ୍ଟାର୍ଟ ସମସ୍ୟା ଓ ୨୦,୦୦୦-୩୦,୦୦୦ କିମି ପରେ ଦୀର୍ଘମିଆଦୀ କ୍ଷୟ ହେବାର ଆଶଙ୍କା ରହିଛି। ହିରୋ ମୋଟୋକର୍ପ, ଟିଭିଏସ ମୋଟର ଓ ଶେଲ ଇଣ୍ଡିଆ ପରି କମ୍ପାନୀ ୨୦୨୩ ପୂର୍ବରୁ ତିଆରି ଗାଡ଼ି ପାଇଁ ପରିବର୍ତ୍ତନ ଆବଶ୍ୟକତା ଓ ୱାରେଣ୍ଟି ବାତିଲ ଆଶଙ୍କା ଚେତାବନୀ ଦେଇଛନ୍ତି। ଅଗଷ୍ଟ ୨୦୨୫ରେ ସୁପ୍ରିମ କୋର୍ଟରେ ଦାୟର ଏକ ଜନହିତ ମାମଲା ଅନୁସାରେ ଏହି ଇନ୍ଧନ ବ୍ୟବହାର ଦ୍ୱାରା ଇଞ୍ଜିନ ଖରାପ ହେଉଛି କିନ୍ତୁ ବୀମା କମ୍ପାନୀ କ୍ଷତିକୁ ଅସ୍ୱୀକାର କରୁଛନ୍ତି।
ଅପରପକ୍ଷେ ପୁରୁଣା ଗାଡ଼ିଗୁଡ଼ିକୁ ଇ-୨୦ ଇନ୍ଧନ ସହଯୋଗୀ କରିବା ଲାଗି ଆବଶ୍ୟକ କିଟର ଖର୍ଚ୍ଚ ବହୁତ ଅଧିକ ରହୁଛି। ମାରୁତି ସୁଜୁକିର ଇ୨୦ କିଟ ମୂଲ୍ୟ ୪ ହଜାର ଟଙ୍କାରୁ ୬ ହଜାର ଟଙ୍କା ହୋଇଛି। ଏହାକୁ ଗ୍ରହଣ କରିବା ପକେଟ ସୁହାଉ ନାହିଁ। ଏଭଳି ପରିସ୍ଥିତିରେ କୋର୍ଟ କି ନିଷ୍ପତ୍ତି ନେଉଛନ୍ତି ତାହାକୁ ଅପେକ୍ଷା। ଏହା ଆସନ୍ତା ଦିନମାନଙ୍କରେ ଭାରତରେ ଇନ୍ଧନ ବଜାରକୁ ସମ୍ପୂର୍ଣ୍ଣ ବଦଳାଇବାର କ୍ଷମତା ରଖିଛି।
Also Read https://purvapaksa.com/odishas-exports-fall-over-40-in-four-years/
