Sansaar: ଓଡ଼ିଆ ଚଳଚ୍ଚିତ୍ର ଇତିହାସରେ ‘ସଂସାର’ ଚଳଚିତ୍ରଟି ବାସ୍ତବରେ ଏକ ମାଇଲଖୁଣ୍ଟ ଥିଲା।
୧୯୭୧ରେ ନିର୍ମିତ ଏହି ଚଳଚ୍ଚିତ୍ରଟି ସେ ବର୍ଷର ଏକ ମାତ୍ର ଚଳଚ୍ଚିତ୍ର ଯାହା ଥିଏଟର ଗୁଡ଼ିକରେ ପ୍ରଦର୍ଶିତ ହୋଇଥିଲା। ଓଡ଼ିଶା ସରକାରଙ୍କ ଦ୍ୱାରା ପ୍ରଯୋଜିତ ଏହି ଚିତ୍ରକୁ ଗୌର ଘୋଷ ଓ ପାର୍ବତୀ ଘୋଷ ଉଭୟେ ନିର୍ଦ୍ଦେଶନା ଦେଇଥିଲେ। ଚଳଚ୍ଚିତ୍ରର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ଲେଖିଥିଲେ ସାରଦା ପ୍ରସନ୍ନ ନାୟକ। ସମ୍ପାଦନା ଦାୟିତ୍ୱରେ ଥିଲେ ଅମଳେଶ ସିକଦାର। ନିଜେ ଗୌର ଘୋଷ ଓ ପାର୍ବତୀ ମୁଖ୍ୟ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ।

ଦିନେନ ଗୁପ୍ତଙ୍କ କ୍ୟାମେରା ଓ ଅନୀଲ ତାଳୁକଦାରଙ୍କ ଶବ୍ଦ ଗ୍ରହଣ ବ୍ୟତୀତ ଏହି ଚଳଚ୍ଚିତ୍ରର ଅନ୍ୟ ଏକ ବିଶେଷତ୍ୱ ଥିଲା ଯେ ଗୁରୁ ରମଣୀ ରଞ୍ଜନ ଜେନା ନୃତ୍ୟ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲାଇଥିଲେ।
ସଂସାର ଚଳଚ୍ଚିତ୍ର ଏକ ନୃତ୍ୟଧର୍ମୀ ଚିତ୍ର ଥିଲା ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ। ନିଜେ ଗୁରୁ ରମଣୀ ରଞ୍ଜନ ଜେନା ନୃତ୍ୟ ପରିବେଷଣ କରିଥିଲେ।ତାଙ୍କ ସହିତ ଜୟଶ୍ରୀ ନାୟକ,ସୁରଭି ନନ୍ଦ, ମିନା ସାମନ୍ତରାୟ, ରଶ୍ମି ଲେଙ୍କା, ଇନ୍ଦିରା ବେଉରିଆ ଓ ସୌଭାଗ୍ୟଲକ୍ଷ୍ମୀ ପଟନାୟକ ବିଭିନ୍ନ ଗୀତରେ ନୃତ୍ୟ ପ୍ରଦର୍ଶନ କରିଥିଲେ।
ଏହି ଚଳଚ୍ଚିତ୍ରରେ ଏକାଧିକ ଶିଶୁ କଳାକାରଙ୍କୁ ବି ଦେଖିବାକୁ ମିଳିଥିଲା। ରୋମି,ଲାଲବିବି,ଏତି, ମୁନୁ,ଜୁଲି, ଜ୍ୟୋତ୍ସ୍ନା ଓ ପାର୍ଥ ପ୍ରମୁଖ ବିଭିନ୍ନ ଭୂମିକାରେ ଆସିଥିଲେ।

ସଂସାର ଚଳଚ୍ଚିତ୍ରରେ ଅନ୍ୟ ଯେଉଁମାନେ ଅଭିନୟ କରିଥିଲେ ସେମାନଙ୍କ ମଧ୍ୟରେ ଥିଲେ ପିର ମିଶ୍ର,ଅକ୍ଷୟ ମହାନ୍ତି (କାଶ୍ୟପ), ମୀନା, ଗୀତା, ସରୋଜିନୀ,ସତ୍ୟଭାମା,ସୁଜାତା,ରୀନା, ଗୀତାଶ୍ରୀ, ସୁଧାଂଶୁ, ସୁବାସ ଓ ସ୍ୱରୂପ ନାୟକ।
ଜବରଦସ୍ତ କାହାଣୀ ବ୍ୟତୀତ ସଂସାର ଚଳଚ୍ଚିତ୍ରର ଗୀତ ଗୁଡ଼ିକ ଅତ୍ୟନ୍ତ ଲୋକପ୍ରିୟ ହୋଇ ପାରିଥିଲା।ଏହା ସ୍ୱାଭାବିକ କାରଣ ଅକ୍ଷୟ ମହାନ୍ତି ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିକେ।ମୁରାରୀ ପ୍ରସାଦ ମିଶ୍ର, ସାରଦା ନାୟକ,ଶିବବ୍ରତ ଦାସ, ସ୍ୱରୂପ ନାୟକ ଓ ଅକ୍ଷୟ ମହାନ୍ତି ଗୀତ ଗୁଡ଼ିକ ଲେଖିଥିଲେ।

ଅକ୍ଷୟ ମହାନ୍ତି, ପ୍ରଣବ ପଟନାୟକ,ନିର୍ମଳା ମିଶ୍ର, ତୃପ୍ତି ଦାସ,ଗୀତା ପଟନାୟକ, ମୀରା ରାୟ, ଜୟଶ୍ରୀ ନାୟକ ରୋମି ଓ ଲାଲବିବି ପ୍ରମୁଖ କଣ୍ଠଦାନ କରିଥିଲେ।
୧୯୭୧ ମସିହା ବେଳକୁ ଗୌର ଘୋଷ ଓ ପାର୍ବତୀ ଘୋଷ ସଫଳତାର ଶୀର୍ଷ ସ୍ଥାନରେ ପହଞ୍ଚି ସାରିଥିଲେ। ସେହି ବର୍ଷ ହିଁ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ଚିତ୍ରଟି ନିର୍ମାଣ କରିବା ପାଇଁ ନିଷ୍ପତ୍ତି ନିଆଗଲା। ‘ସଂସାର’ ଚଳଚିତ୍ର କର ମୁକ୍ତ ଥିଲା । ଟ୍ୟାକ୍ସ ଫ୍ରି ହେବାରେ ଏହା ଥିଲା ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର। ତତ୍କାଳୀନ ରାଜ୍ୟପାଳ ବିଡ଼ି ଜତ୍ତି ଚଳଚିତ୍ରର ପ୍ରିମିଅରରେ ଉପସ୍ଥିତ ଥିଲେ।

ଠାକୁର ଭାଇ ସିଦ୍ଧାର୍ଥଙ୍କ ହଠାତ ଦେହାନ୍ତ ପରେ ଚିତ୍ରର ନିର୍ଦ୍ଦେଶନା ଦାୟିତ୍ୱ ଗୌର ପାର୍ବତୀଙ୍କ ଉପରେ ପଡ଼ିଥିଲା। ଯଦିଓ ଏହା ଏକ ସରକାରୀ ଫିଲ୍ମ ଥିଲା ଓ ଜନ୍ମ ନିୟନ୍ତ୍ରଣ-ଭିତ୍ତିକ ଥିଲା,ଏହାକୁ ଏକ ସୁନ୍ଦର ଚଳଚିତ୍ରରେ ପରିଣତ କରିବା ପାଇଁ ସମସ୍ତ ଉଦ୍ୟମ କରା ଯାଇଥିଲା। ସଙ୍ଗୀତ, ଅଭିନୟ,ଚିତ୍ର ଉତ୍ତୋଳନ ଓ ନାଟ୍ୟରୁପ କେହି କାହାଠୁ କମ ନଥିଲା।
‘ସଂସାର’ ଚଳଚ୍ଚିତ୍ରଟି ସ୍ୱରୂପ ନାୟକଙ୍କ ପାଇଁ ଚମତ୍କାର ସଫଳତା ଆଣି ଦେଇଥିଲା। ବକ୍ସ ଅଫିସରେ ହିଟ ହେବା ପରେ ସ୍ୱରୂପ ଜଣେ ସଫଳ ଗୀତିକାର ଓ ସଙ୍ଗୀତକାର ଭାବେ ଖ୍ୟାତି ଅର୍ଜ୍ଜନ କରିବା ଆରମ୍ଭ କଲେ।

ତେବେ, ଅକ୍ଷୟ ମହାନ୍ତିଙ୍କ ସଙ୍ଗୀତ ନିର୍ଦ୍ଦେଶନା ହିଁ ‘ସଂସାର’ ପାଇଁ ଖୁବ ସଫଳତା ଆଣିଥିଲା। ପ୍ରାୟ ସବୁ ଗୀତ ଶ୍ରୋତାଙ୍କ ମନ ଛୁଇଁ ପାରିଥିଲା। ବିଶେଷ କରି ‘ଜାଇଫୁଲରେ…’ ଗୀତଟିକୁ ଲୋକେ ଖୁବ ପସନ୍ଦ କରିଥିଲେ। ଏହା ଏକ ସମ୍ବଲପୁରୀ ଲୋକ ଗୀତ ଥିଲା। ଏହାର ଗୀତ ଲେଖିଥଲେ ମୁରାରୀ ମିଶ୍ର ଯିଏ ସେତେବେଳେ ଓଡ଼ିଶା ସରକାରଙ୍କ ମନ୍ତ୍ରୀ ଥିଲେ।

ଏହି ଚିତ୍ରର ଅନ୍ୟ ଏକ ଆକର୍ଷଣୀୟ ଗୀତ ଥିଲା ‘ଆଲୋ କଳା ସାରୀ’। ଅକ୍ଷୟ ମହାନ୍ତିଙ୍କ କଣ୍ଠରେ ‘ଜାଗେ ଜୀବନରେ ସବୁଜ ସପନ’ ଥିଲା ଏକ ଦେଶାତ୍ମବୋଧକ ଗୀତ। ସଂସାର ଚଳଚିତ୍ରର ଆଉ ଏକ ମନଛୁଆଁ ଗୀତ ଥିଲା ‘ତୋର ଫୁସୁଲା ଫୁସୁଲି କଥା ଶୁଣିବି ନାହିଁ.. ହେବି ନାହିଁ ବାହା ହେବି ନାହିଁ। ‘ପ୍ରଣବ ପଟନାୟକଙ୍କ କଣ୍ଠରେ ‘ନକର ନକର ମନ ତିଳେ ଭାବନା ..ଭାବିଲେ କି ଯିବ ଚାଲି ଶୋକ ଯାତନା’ ଗୀତକୁ ଆଜି ବି ଶ୍ରୋତା ମନେ ରଖିଛନ୍ତି। ସଂସାର ଚଳଚିତ୍ରର ରୋମାଣ୍ଟିକ ଡୁଏଟ ‘ଢେଉ ଢେଉକା ପାହାଡ଼ ତଳେ ଅଙ୍କା ବଙ୍କା ନଈ’ ଆଜି ବି ପୁରୁଣା ଗୀତ ଭିତରେ ସ୍ଵତନ୍ତ୍ର ସ୍ଥାନ ହାସଲ କରିପାରିଛି।

ଗୀତ,ସଙ୍ଗୀତ ଓ ନୃତ୍ୟର ଚମତ୍କାର ମିଶ୍ରଣ ଥିବା ସଂସାର ଚିତ୍ରଟି ଜଗତପୁରରେ ସୁଟିଂ ହୋଇଥିଲା। ସଂସାର ଚିତ୍ରକୁ ବମ୍ବେରେ ସ୍ୱତନ୍ତ୍ର ସ୍କ୍ରିନିଂ କରାଯାଥିଲା। ବିଶିଷ୍ଟ ଚିତ୍ର ନିର୍ଦ୍ଦେଶକ ବିମଳ ରାୟ ଏହାକୁ ଦେଖଥିଲେ। ‘ଫିଲ୍ମଫେୟାର’ର ତତ୍କାଳୀନ ସମ୍ପାଦକ ବିକେ କରଞ୍ଜିଆ ମଧ୍ୟ ଏହି ଚଳଚିତ୍ରର ଦର୍ଶକ ଥିଲେ।
ସଂସାର ଚଳଚିତ୍ରର ସଫଳତା ପରେ ଗୌର ଘୋଷ ଓ ପାର୍ବତୀ ଘୋଷ ଫକୀରମୋହନଙ୍କ ‘ଛ ମାଣ ଆଠ ଗୁଣ୍ଠ’ ନିର୍ମାଣ ପାଇଁ ଉଦ୍ୟମ କରିଥିଲେ। କିନ୍ତୁ ବିଭିନ୍ନ କାରଣରୁ ଏହା ବିଳମ୍ବିତ ହୋଇଯାଇ ଥିଲା।
ALSO READ: https://purvapaksa.com/sanam-teri-kasam-re-release/

