Bhubaneswar: ଭିକାରି ମୁକ୍ତ ରାଜ୍ୟ ରାଜଧାନୀ ହାସଲ ଦିଗରେ ଭୁବନେଶ୍ୱର ମହାନଗର ନିଗମ ଚଳିତ ବର୍ଷ କେନ୍ଦ୍ରର ସ୍ମାଇଲ୍ (ଜୀବିକା ଓ ଉଦ୍ୟୋଗ ପାଇଁ ଅବହେଳିତ ବ୍ୟକ୍ତିଙ୍କ ପାଇଁ ସହାୟତା) ଯୋଜନା କାର୍ଯ୍ୟକାରୀ କରିବାକୁ ପ୍ରସ୍ତୁତି ଚଳାଇଛି।
ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟର ତତ୍ତ୍ୱାବଧାନରେ ଆରମ୍ଭ ହୋଇଥିବା ଏହି ପଦକ୍ଷେପରେ ଭିକ୍ଷାବୃତ୍ତିରେ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କ ସାମଗ୍ରିକ ଥଇଥାନ ପାଇଁ ସମର୍ପିତ ଏକ ଉପ-ଯୋଜନା ରହିଛି । ଏହାର ଉଦ୍ଦେଶ୍ୟ ହେଉଛି ଏକ ଶୃଙ୍ଖଳିତ ଆଭିମୁଖ୍ୟ ମାଧ୍ୟମରେ ଭିକାରିମାନଙ୍କୁ ଚିହ୍ନଟ କରିବା, ଉଦ୍ଧାର କରିବା, ଥଇଥାନ କରିବା ଏବଂ ସମାଜ ସହିତ ପୁନଃସଂଯୋଗ କରିବା ।
୨୦୨୨ରେ ପ୍ରଥମ ପର୍ଯ୍ୟାୟରେ ୫୦ଟି ସହରରେ ଆରମ୍ଭ ହୋଇଥିବା ଏହି ଯୋଜନା ଏବେ ଦ୍ୱିତୀୟ ପର୍ଯ୍ୟାୟରେ ଭୁବନେଶ୍ୱର ସମେତ ପୁରୀ, କଟକ ଓ ଯାଜପୁରରେ ବିସ୍ତାର ହେବାକୁ ଯାଉଛି। ଭିକାରିଚିହ୍ନଟ ଓ ଥଇଥାନ ପାଇଁ ନୂଆ ସର୍ଭେ କରିବା ସକାଶେ ବିଏମ୍ସି ଏବେ ସ୍ବୀକୃତିପ୍ରାପ୍ତ ଏଜେନ୍ସି ଚୟନ ପ୍ରକ୍ରିୟାରେ ରହିଛି। ଏହି ଯୋଜନାରେ ୫୦ ଶଯ୍ୟା ବିଶିଷ୍ଟ ଏକ ଆଶ୍ରୟଗୃହ ପ୍ରତିଷ୍ଠା କରାଯିବ ଏବଂ କେନ୍ଦ୍ରରେ ଦକ୍ଷତା ବିକାଶ ପ୍ରଶିକ୍ଷଣ ପ୍ରଦାନ କରାଯିବ ଯାହା ଫଳରେ କି ସ୍ଥାୟୀ ଜୀବିକା ସହାୟତା ପ୍ରଦାନ କରାଯାଇପାରିବ ।
ଏହି ପଦକ୍ଷେପର କାର୍ଯ୍ୟକାରିତାରେ ସରକାରୀ ବିଭାଗ, ବେସରକାରୀ ସଂଗଠନ, ସାମାଜିକ କର୍ମୀ ଏବଂ ସମ୍ପ୍ରଦାୟ ସମେତ ବିଭିନ୍ନ ଅଂଶୀଦାର ସାମିଲ ହେବେ । ଭୁବନେଶ୍ବରରେ ଏହି ଯୋଜନାର ପ୍ରଥମ ପର୍ଯ୍ୟାୟ ପାଇଁ ୩୦ ଲକ୍ଷ ଟଙ୍କାର ପ୍ରାରମ୍ଭିକ ବଜେଟ୍ ଆକଳନ କରାଯାଇଛି।
ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ମାଧ୍ୟମରେ ଭିକାରି ଓ ଅବହେଳିତଙ୍କ ସୁରକ୍ଷା, ଯତ୍ନ ଓ ଥଇଥାନ ଉପରେ ଗୁରୁତ୍ୱ ଦେଉଥିବା ରାଜ୍ୟ ସରକାରଙ୍କ ସହାୟତା କାର୍ଯ୍ୟକ୍ରମ ସହ ଏହି ସ୍ମାଇଲ୍ ଯୋଜନା ସମନ୍ୱିତ ହେବ।
ସହାୟତା କାର୍ଯ୍ୟକ୍ରମ ଅଧୀନରେ ଭୁବନେଶ୍ବର ମହାନଗର ନିଗମ ସହର ଭିତରେ ପ୍ରାୟ ୧୭୦୦ ଭିକାରୀଙ୍କୁ ମାନ୍ୟତା ପ୍ରଦାନ କରିବା ସହ ୧୦୦ ଶଯ୍ୟା ବିଶିଷ୍ଟ ୫ଟି ଥଇଥାନ କେନ୍ଦ୍ର ସ୍ଥାପନ କରିଛି। ଏହି ରଣନୀତିର ଉଦ୍ଦେଶ୍ୟ ହେଉଛି ସହରରେ ଅବହେଳିତ ଜନସଂଖ୍ୟା ମଧ୍ୟରେ ସମ୍ମାନ ଏବଂ ଆତ୍ମନିର୍ଭରଶୀଳତାକୁ ପ୍ରୋତ୍ସାହିତ କରିବା ସହିତ ସହରୀ ଭିକ୍ଷାବୃତ୍ତି ସମସ୍ୟାର ଏକ ସ୍ଥାୟୀ ସମାଧାନ କରିବା ।