ଡାକ୍ତର ହେଲେ ବି ପିଅନଙ୍କ ଠାରୁ ଦରମା କମ୍ ମିଳୁଛି। ବର୍ଷେ କି ଦୁଇ ବର୍ଷ ନୁହେଁ ୧୫ରୁ ୨୦ ବର୍ଷ ଧରି ସ୍ଵାସ୍ଥ୍ୟସେବାରେ ନିୟୋଜିତ ଥିବା ଆୟୁଷ ଡାକ୍ତରଙ୍କ ଅବସ୍ଥା ଏଭଳି ରହିଛି। ସରକାରଙ୍କୁ ବାରମ୍ବାର ଏ ଦିଗରେ ଅବଗତ କରିବା ସହ ବିଭାଗୀୟ ମନ୍ତ୍ରୀ, ସଚିବ ଏବଂ ମୁଖ୍ୟମନ୍ତ୍ରୀ ପ୍ରକୋଷ୍ଠରେ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳି ନାହିଁ । ଦରମା ବଢ଼ାଇବା ତ ପରକଥା ଏସ୍ମା ଲଗାଇ ଆୟୁଷ ଡାକ୍ତରଙ୍କ ସ୍ଵର ଚପାଇଦିଆଯାଇଛି।
ଏହି ଘଟଣାରେ ଆଜି ଜଣେ ଆୟୁଷ ଡାକ୍ତର ମାନସିକ ଭାରସାମ୍ୟ ହରାଇ ଜୀବନ ହାରିଛନ୍ତି। ପ୍ରାୟ ୩୦ରୁ ଅଧିକ ଡାକ୍ତର ଏଭଳି ସମସ୍ୟାରେ ପଡ଼ି ଜୀବନ ହାରିଥିବା ନେଇ ଆୟୁଷ ଡାକ୍ତର ସଂଘ ଅଭିଯୋଗ କରିଛି। ଏହାଛଡ଼ା କରୋନାରେ ଆକ୍ରାନ୍ତ ହୋଇ ପରବର୍ତ୍ତୀ ଚିକିତ୍ସା ନିମନ୍ତେ ମଧ୍ୟ ସରକାର ସହାୟତା ଦେଇ ନଥିବା ଅଭିଯୋଗ ହୋଇଛି। ଉଲ୍ଲେଖ କରାଯାଇପାରେ ଯେ ରାଜ୍ୟରେ ତିନି ହଜାରରୁ ଊର୍ଦ୍ଧ୍ବ ବିଭିନ୍ନ ବର୍ଗର ଆୟୁଷ ଡାକ୍ତର ରାଜ୍ୟର ପ୍ରାଥମିକ, ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ସହିତ ଭ୍ରାମ୍ୟମାଣ ସ୍ବାସ୍ଥ୍ୟ କେନ୍ଦ୍ର ଜରିଆରେ ନିରବଚ୍ଛିନ୍ନ ସ୍ଵାସ୍ଥ୍ୟ ସେବା ଯୋଗାଇ ଆସୁଛନ୍ତି। ସରକାର କିନ୍ତୁ ସେମାନଙ୍କୁ କୌଣସି ସୁବିଧାସୁଯୋଗ ପ୍ରଦାନ କରୁନାହାନ୍ତି।
ବର୍ଷ ୨୦୦୧ରୁ ଏପର୍ଯ୍ୟନ୍ତ ୧୫୫ ଏମଏଚୟୁ ଡାକ୍ତର, ୨୦୦୭ରୁ ୧୪୮୫ କୋଲୋକେଟଡ୍ ଆୟୁଷ ଡାକ୍ତର ଓ ୨୦୧୩ରୁ ୧୨୭୨ ଆର୍ବିଏସକେ ଡାକ୍ତର କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ସଫଳ ରୂପାୟନ କରି ଆସିଥିବାବେଳେ ସେମାନଙ୍କ ଦାବି ପୂରଣ ଦିଗରେ ରାଜ୍ୟ ଓ କେନ୍ଦ୍ର ସରକାର କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରାକୃତିକ ବିପର୍ଯ୍ୟୟ କରୋନା, ରାତ୍ରିକାଳୀନ ସେବା, ଜାତୀୟ ଟିକାକରଣ, କୁଷ୍ଠ, ଯକ୍ଷ୍ମା, ପୋଲିଓ, ଅନ୍ଧତ୍ଵ ନିରାକରଣ, ଇନ୍ଦ୍ରଧନୁଷ ଆଦି ଅନେକ ଜାତୀୟ କାର୍ଯ୍ୟକ୍ରମକୁ ଆୟୁଷ ଡାକ୍ତର ସଫଳ ରୂପାୟନ କରୁଛନ୍ତି।
ଦୀର୍ଘ ୨୪ ବର୍ଷ ଧରି ଏନ୍ଏଚ୍ଏମ୍ ଅଧୀନରେ ଚୁକ୍ତିଭିତ୍ତିକ ସେବା ପ୍ରଦାନ କରୁଛନ୍ତି। ହେଲେ ସେମାନଙ୍କ ଦାବି ପୂରଣ କରାଯାଉ ନାହିଁ । ନିୟମିତ ଚାକିରି ସହିତ, ଅବସର କାଳୀନ ସହାୟତା ପ୍ରଦାନ, ସ୍ଵାସ୍ଥ୍ୟବୀମା, ଉଚ୍ଚଶିକ୍ଷା ପାଇଁ ଅନୁମତି ପ୍ରଦାନ ଆଦି ୧୦ ଦଫା ଦାବି ପୂରଣ ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇ କାର୍ଯ୍ୟକାରୀ କରୁ ନଥିବାରୁ ବହୁ ଡାକ୍ତର ମାନସିକ ଦୁଶ୍ଚିନ୍ତା ଭିତରେ କାର୍ଯ୍ୟ କରୁଛନ୍ତି। ଏଭଳି ପରିସ୍ଥିତିରେ ସୁନ୍ଦରଗଡ଼ ବାରିଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡା. ସଲୀଳା ପଣ୍ଡା ମାନସିକ ଭାରସାମ୍ୟ ହରାଇ ଜୀବନ ହାରିଥିବା ଜଣାପଡ଼ିଛି।
Also Readhttps://purvapaksa.com/pilots-union-opposes-wall-street-report/
Pilots’ union opposes Wall Street report ।। ୱାଲ ଷ୍ଟ୍ରିଟ ରିପୋର୍ଟକୁ ବିରୋଧ କଲା ପାଇଲଟ ମହାସଂଘ
