- ଦ୍ୱିତୀୟ ଟେଷ୍ଟରେ ୬ନଂ ସ୍ଥାନରେ ବ୍ୟାଟିଂ କରିବା ସମ୍ଭାବନା
ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ପୁଣି ଥରେ ଦଳ ପାଇଁ ଉତ୍ସର୍ଗୀକୃତ ମେନାଭାବ ଦେଖାଇଛନ୍ତି। ଚଳିତ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜ୍ର ଦ୍ୱିତୀୟ ଟେଷ୍ଟରେ ସେ ଓପନିଂ ଛାଡ଼ି ପୁଣିଥରେ ନିମ୍ନ ମଧ୍ୟ କ୍ରମରେ ବ୍ୟାଟିଂ କରିବେ ବୋଲି ଆଶା କରଯାଉଛି। ୬ତାରିଖରୁ ଆଡ଼ିଲେଡରେ ଦ୍ୱିତୀୟ ଟେଷ୍ଟ ଆରମ୍ଭ ହେବ। ଏହି ମ୍ୟାଚ୍ ଦିବାରାତ୍ର। ଫଳରେ ପିଙ୍କ ବଲରେ ଏହି ମ୍ୟାଚ୍ ଖେଳାଯିବ।
ପର୍ଥରେ ଅନୁଷ୍ଠିତ ପ୍ରଥମ ଟେଷ୍ଟରେ ୨୯୫ ରନରେ ବିଜୟ ପରେ ଭାରତ ଓପନିଂ ବିଭାଗ ପରିବର୍ତ୍ତନ କରିବା ସପକ୍ଷରେ ନାହିଁ। ରୋହିତ ମଧ୍ୟ ଏହାକୁ ସମର୍ଥନ କରୁଛନ୍ତି। ତେଣୁ ସେ ମଧ୍ୟ କ୍ରମରେ ଖେଳିବାକୁ ଯୋଜନା କରୁଛନ୍ତି।
ରୋହିତ ପର୍ଥ ଟେଷ୍ଟରେ ଖେଳିନଥିଲେ। ତାଙ୍କ ଅନୁପସ୍ଥିତିରେ ଯଶସ୍ୱୀ ଜୈସ୍ୱାଲଙ୍କ ସହ କେଏଲ ରାହୁଲ ପାଳି ଆରମ୍ଭ କରିଥିଲେ। ଉଭୟ ଇନିଂସରେ ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ କରି ରାହୁଲ ଦଳର ବିଜୟରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ। ଦ୍ୱିତୀୟ ଇନିଂସରେ ରାହୁଲ-ଜୈସ୍ୱାଲ ଯୋଡ଼ି ୨୦୧ ରନର ଓପନିଂ ଭାଗିଦାରୀ ଗଠନ କରିଥିଲେ।
ଅଷ୍ଟ୍ରେଲିଆ ଗ୍ରାଉଣ୍ଡଗୁଡ଼ିକରେ ସଫଳ ହେବା ପାଇଁ ବିଶେଷ କରି ନୂଆ ବଲରେ ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ ଜରୁରି। ରାହୁଲ ପ୍ରଥମ ଟେଷ୍ଟରେ ଅସୀମ ଧୈର୍ଯ୍ୟ ଦେଖାଇ ସାରିଛନ୍ତି। ତେଣୁ ଏହି ଓପନିଂ ଯୋଡ଼ି ପରିବର୍ତ୍ତନ କରିବାକୁ ଟିମ୍ ମ୍ୟାନେଜମେଣ୍ଟ ଚାହୁଁନାହିଁ। ଫଳରେ ରାହୁଲଙ୍କ ପାଇଁ ରୋହିତ ନିଜ ସ୍ଥାନ ଛାଡ଼ିପାରିବେ।
କାନବେରାରେ ଅନୁଷ୍ଠିତ ଏକ ଅଭ୍ୟାସ ମ୍ୟାଚ୍ ଅବସରରେ ରୋହିତ ୪ନଂ ସ୍ଥାନରେ ବ୍ୟାଟିଂ କରିବାକୁ ଓହ୍ଲାଇଥିଲେ। କାରଣ ବିରାଟ କୋହଲି ଏହି ମ୍ୟାଚ୍ ଖେଳିନଥିଲେ। ସେହିପରି ପ୍ରଥମ ଟେଷ୍ଟ ପୂର୍ବରୁ ଆହତ ହୋଇଥିବା ଶୁଭମନ ଗିଲ ୩ନଂ ସ୍ଥାନରେ ବ୍ୟାଟିଂ କରିଥିଲେ ଓ ଅର୍ଦ୍ଧଶତକ ଅର୍ଜନ କରିଥିଲେ।
ଦ୍ୱିତୀୟ ଟେଷ୍ଟରେ ଉଭୟ ରୋହିତ ଓ ଗିଲ ଖେଳିବା ନିଶ୍ଚିତ। ତେଣୁ ବ୍ୟାଟିଂ କ୍ରମରେ ପରିବର୍ତ୍ତନ ହେବ। ଗିଲ୍ ନିଜ ୩ନଂ ସ୍ଥାନରେ ଖେଳିବେ। ପ୍ରଥମ ଟେଷ୍ଟରେ ଏହି ସ୍ଥାନରେ ବ୍ୟାଟିଂ କରିଥିବା ଦେବଦତ୍ତ ପାଡ଼ିକଲ ଏକାଦଶରୁ ବାଦ ପଡ଼ିବେ। ରୋହିତଙ୍କ ପାଇଁ ବ୍ୟାଟିଂ କ୍ରମର ୬ନଂ ସ୍ଥାନ ବାକି ରହିବ। କାରଣ ବାକି ସବୁ ସ୍ଥାନ ସୁରକ୍ଷିତ ହୋଇସାରିଛି। କୋହଲି ୪ନଂ ଓ ରିଷଭ ପନ୍ତ ୫ନଂ ସ୍ଥାନରେ ଖେଳିବେ।
ମୋଟ | ଟେଷ୍ଟ | ଇନିଂସ | ରନ | ସର୍ବାଧିକ | ଆଭରେଜ | ଶତକ | ଅର୍ଦ୍ଧଶତକ |
ମୋଟ ମ୍ୟାଚ | ୬୪ | ୧୧୧ | ୪୨୭୦ | ୨୧୨ | ୪୨.୨୭ | ୧୨ | ୧୮ |
ଓପନର | ୩୭ | ୬୪ | ୨୬୫ | ୨୧୨ | ୪୪.୦୧ | ୦୯ | ୦୮ |
ମଧ୍ୟକ୍ରମ | ୨୭ | ୪୭ | ୧୫୮୫ | ୧୭୭ | ୩୯.୬୨ | ୦୩ | ୧୦ |
ଅଷ୍ଟ୍ରେଲିଆ ବିପକ୍ଷରେ | ୧୨ | ୨୨ | ୭୦୮ | ୧୨୦ | ୩୩.୭୧ | ୦୧ | ୦୩ |
ଅଷ୍ଟ୍ରେଲିଆରେ | ୦୭ | ୧୪ | ୪୦୮ | ୬୩(ଅ) | ୩୧.୩୮ | ୦୦ | ୦୩ |
ପୂର୍ବରୁ ମଧ୍ୟ ଦଳର ସ୍ୱାର୍ଥ ପାଇଁ ରୋହିତ ନିଜ ବ୍ୟାଟିଂ କ୍ରମ ଓ ଖେଳରେ ପରିବର୍ତ୍ତନ କରିଛନ୍ତି। ଗତ ଦିନିକିଆ ବିଶ୍ୱକପ୍ ସମୟରେ ରୋହିତ ଦଳୀୟ ସ୍କୋର ବୃଦ୍ଧି କରିବାକୁ ଯାଇ ବିସ୍ଫୋରକ ବ୍ୟାଟିଂ କରିଥିଲେ। ବ୍ୟକ୍ତିଗତ ରେକର୍ଡ କଥା ଭାବି ନଥିଲେ। ତାଙ୍କ ପ୍ରଦର୍ଶନ ବଳରେ ଭାରତ ଫାଇନାଲରେ ପ୍ରବେଶ କରିଥିଲା।
ପୁଣି ଥରେ ଦଳର ସ୍ୱାର୍ଥ ପାଇଁ ସେ ନିଜ ବ୍ୟାଟିଂ ସ୍ଥାନ ପରିବର୍ତ୍ତନ କରିବାକୁ ଆଗେଇ ଆସିଛନ୍ତି। ୬ନଂ ସ୍ଥାନରେ ବ୍ୟାଟିଂ କରିବାକୁ ହେଲେ ତାଙ୍କୁ ସୀମିତ ସମୟ ମଧ୍ୟରେ ବ୍ୟାଟିଂ ଶୈଳୀ ଓ ମନୋଭବରେ ପରିବର୍ତ୍ତନ କରିବାକୁ ହେବ। ଏଥିପାଇଁ ହୁଏତ ଯଥେଷ୍ଟ ସମୟ ନାହିଁ।
PREVIOUS ARTICLE: https://purvapaksa.com/india-a-is-scheduled-to-play-a-two-day-warm-up-match-against/