- ରୋହିତ ମଧ୍ୟ କ୍ରମରେ ଖେଳିବା ନିଶ୍ଚିତ
- ୫ କିମ୍ବା ୬ ନଂ ସ୍ଥାନରେ ବ୍ୟାଟିଂ କରିବେ
ବର୍ଡର-ଗାଭାସ୍କର ଟ୍ରଫିର ଦ୍ୱିତୀୟ ଟେଷ୍ଟରେ ଭାରତୀୟ ଦଳ ଚୁଡ଼ାନ୍ତ ଏକାଦଶ ପରିବର୍ତ୍ତନ କରିବା ନିଶ୍ଚିତ । କେବଳ ସେତିକି ନୁହେଁ, ବ୍ୟାଟିଂ କ୍ରମରେ ମଧ୍ୟ ପରିବର୍ତ୍ତନ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ପ୍ରଥମ ଟେଷ୍ଟ ଖେଳି ନଥିବା ଅଧିନାୟକ ରୋହିତ ଶର୍ମା ଏକାଦଶକୁ ଫେରୁଥିବାବେଳେ ପ୍ରଥମ ଟେଷ୍ଟ ପୂର୍ବରୁ ଆହତ ହୋଇଥିବା ଶୁଭମନ ଗିଲ୍ ମଧ୍ୟ ଫିଟ୍ ହୋଇ ସାରିଛନ୍ତି । ଉଭୟ ଦ୍ୱିତୀୟ ଟେଷ୍ଟ ଖେଳିବେ । ଯାହା ଫଳରେ ଦେବଦତ୍ତ ପାଡ଼ିକଲ ଓ ଧ୍ରୁବ ଜୁରେଲ ଏକାଦଶରୁ ବାଦ ପଡ଼ିବେ । ଗିଲଙ୍କ ଅନୁପସ୍ଥିତିରେ ପାଡ଼ିକଲଙ୍କୁ ଖେଳିବାକୁ ସୁଯୋଗ ମିଳିଥିଲା ଓ ସେ ନିରାଶ କରିଥିଲେ। ଗିଲ ଗତ ଅଭ୍ୟାସ ମ୍ୟାଚ୍ ଜରିଆରେ ପ୍ରତ୍ୟାବର୍ତ୍ତନ କରି ଅର୍ଦ୍ଧଶତକ ଅର୍ଜନ କରିଛନ୍ତି ।
ରୋହିତ ଏଥର ମଧ୍ୟକ୍ରମରେ ବ୍ୟାଟିଂ କରିବା ଆଶା କରାଯାଉଛି । ଅଭ୍ୟାସ ମ୍ୟାଚ ଜରିଆରେ ଏହାର ପୂର୍ବାଭାସ ମିଳିଯାଇଛି। ଅଭ୍ୟାସ ମ୍ୟାଚରେ ସେ ୪ନଂ ସ୍ଥାନରେ ବ୍ୟାଟିଂ କରିଥିଲେ । ଅବଶ୍ୟ ବିରାଟ କୋହଲିଙ୍କୁ ଏହି ମ୍ୟାଚରୁ ବିଶ୍ରାମ ଦିଆଯାଇଥିଲା। ଆଡିଲେଡରେ କୋହଲି ନିଜ ସ୍ଥାନକୁ ପ୍ରତ୍ୟାବର୍ତ୍ତନ କରିବେ। ଗିଲ୍ ମଧ୍ୟ ପୂର୍ବ ଭଳି ୩ନଂ ସ୍ଥାନରେ ଖେଳିବେ। ଫଳରେ ରୋହିତ ମଧ୍ୟକ୍ରମରେ ଅଥବା ୬ନଂ ସ୍ଥାନରେ ବ୍ୟାଟିଂ କରିବା ଆଶା କରାଯାଉଛି ।
ପ୍ରଥମ ଟେଷ୍ଟରେ ଓପନ୍ କରି ରାହୁଲ ପୂର୍ବ ଫର୍ମ ଫେରି ପାଇଛନ୍ତି । ଉଭୟ ଇନିଂସରେ ସେ ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ କରିଥିଲେ । ଦ୍ୱିତୀୟ ଇନିଂସରେ ଯଶସ୍ୱୀ ଜୈସ୍ୱାଲ୍ ଓ ରାହୁଲ ୨୦୧ ରନର ଓପନିଂ ଭାଗିଦାରୀ ଗଠନ କରିଥିଲେ। ଯାହା ଭାରତର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । ଏହି ପ୍ରଦର୍ଶନ ବଳରେ ରାହୁଲ ଓପନିଂ ପାଇଁ ପ୍ରମୁଖ ଦାବିଦାର ହୋଇଛନ୍ତି । ରୋହିତ ମଧ୍ୟ ଦଳର ସ୍ୱାର୍ଥ ପାଇଁ ନିଜ ବ୍ୟାଟିଂ ସ୍ଥାନକୁ ଉତ୍ସର୍ଗ କରିବାକୁ ପ୍ରସ୍ତୁତ ଅଛନ୍ତି ।
ରାହୁଲ ଓପନ କଲେ ରୋହିତଙ୍କ ପାଇଁ କେବଳ ୬ନଂ ସ୍ଥାନ ଖାଲି ରହିବ । କାରଣ କୋହଲି ୪ ଓ ପନ୍ତ ୫ନଂ ସ୍ଥାନରେ ବ୍ୟାଟିଂ କରିବେ । ପୂର୍ବରୁ ମଧ୍ୟ ରୋହିତ ମଧ୍ୟ କ୍ରମରେ ବ୍ୟାଟିଂ କରିଛନ୍ତି। କିନ୍ତୁ ଓପନ୍ କରିବା ପରେ ସେ ଅସଲ ଦକ୍ଷତା ଦେଖାଇବାରେ ସଫଳ ହୋଇଥିଲେ।
ରୋହିତ ଗତ ପାଞ୍ଚ ବର୍ଷ ଧରି ଟେଷ୍ଟ କ୍ରିକେଟରେ ଭାରତ ପାଇଁ ଓପନ୍ କରିଆସୁଛନ୍ତି କିନ୍ତୁ ଏହି ଗସ୍ତ ପାଇଁ ବିଶେଷ କରି ଏହି ଟେଷ୍ଟ ପାଇଁ ସେ ମଧ୍ୟ କ୍ରମରେ ବ୍ୟାଟିଂ କରିବେ। କାରଣ ରାହୁଲ ଓପନର ଭାବେ ଉନ୍ନତ ପ୍ରଦର୍ଶନ କରିଛନ୍ତି ଓ ଦଳର ସ୍ୱାର୍ଥ ପାଇଁ ତାଙ୍କୁ ସମର୍ଥନ କରିବା ଜରୁରି।
previous article: https://purvapaksa.com/gambhir-joins-team-india/