ଓଡ଼ିଶା ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଉଭୟ ସରକାର ଓ ସମୀକରଣ ଏଥିରେ ପ୍ରଭାବିତ ହେବ। ବିଜେପି ସମୀକରଣକୁ ଦେଖିଲେ କ୍ଷମତା କେନ୍ଦ୍ର ଏବେ ଆଉ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଖରେ ନାହିଁ। ଯେତେବେଳେ ବି ରାଜ୍ୟ ନେତୃତ୍ୱ ଦିଲ୍ଲୀ ଯାଉଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀଙ୍କୁ ସିନା ଭେଟୁଛନ୍ତି ଧର୍ମେନ୍ଦ୍ରଙ୍କୁ ଆଉ ବାସି ପାଣିରେ ପଚାରୁ ନାହାନ୍ତି।
ଅର୍ଥାତ୍ କ୍ଷମତା କେନ୍ଦ୍ର ଓ ସମୀକରଣ ବିଜେପିରେ ବଦଳିବାରେ ଲାଗିଛି। ପ୍ରଶ୍ନ ଉଠେ ଯେଉଁ ନେତାଙ୍କୁ ବିଜେପି ୨୦୧୯ ନିର୍ବାଚନର ବିଜୟ ଶ୍ରେୟ ଦେଇ ଏତେ କ୍ଷମତା ଦେଇଥିଲା ଆଜି କାହିଁକି କୋଣଠେସା କରିଛି? କାହିଁକି ଧର୍ମେନ୍ଦ୍ର ସଙ୍କୁଚିତ ହେବାକୁ ବାଧ୍ୟ ହୋଇଛନ୍ତି? ଏହାର କାରଣ ପଛରେ ରହିଛନ୍ତି ଧର୍ମେନ୍ଦ୍ରଙ୍କ ଜଣେ ପରମ ବନ୍ଧୁ। ଯାହାଙ୍କ ସହ ସେ ଉତ୍ତରପ୍ରଦେଶର ଗଡ଼ ୨୦୨୨ ବିଧାନସଭା ନିର୍ବାଚନରେ ଜିତିଥିଲେ। ଜାଣି ସାରିବେଣି ମୁଁ କାହା କଥା କହୁଛି। ଆଗକୁ ବିସ୍ତୃତ ସମୀକରଣକୁ ଉପସ୍ଥାପନ କରିବି।
ସୁନୀଲ ବଂଶଲ ହେଉଛନ୍ତି ରାଜସ୍ଥାନର ବାସିନ୍ଦା। ବିଜେପିର ସଂଗଠନ ମହାମନ୍ତ୍ରୀ। କିନ୍ତୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମସାମୟିକ। ଦୁଇଜଣଙ୍କ ଜନ୍ମ ୧୯୬୯ ମସିହାରେ। ଆଉ ଏକା ସମୟରେ ବିଦ୍ୟାର୍ଥୀ ପରିଷଦର ଦୁହେଁ ସଦସ୍ୟ ଥିଲେ। ଏହାପରେ ସୁନୀଲ ସଂଗଠନ ସମ୍ଭାଳି ଚାଲିଲେ ଆଉ ଧର୍ମେନ୍ଦ୍ର ସଂଗଠନ ସହ ମନ୍ତ୍ରୀପଦ। ଉଭୟଙ୍କୁ ୨୦୨୨ରେ ଉତ୍ତର ପ୍ରଦେଶ ନିର୍ବାଚନରେ ଦେଖିବାକୁ ମିଳିଥିଲା। ସଂଘ ଓ ଦଳ ଭିତରେ ଉତ୍ତମ ସଂଯୋଜନା ରକ୍ଷା କରିପାରୁଥିବା ସୁନୀଲ ବଂଶଲ ପ୍ରାର୍ଥୀ ଚୟନକୁ ଯେତିକି ଗୁରୁତ୍ୱ ଦେଉନଥିଲେ ଅଧିକ ଗୁରୁତ୍ୱ ଦେଉଥିଲେ ଦଳ ବିରୋଧୀ କାର୍ଯ୍ୟ କରୁଥିବା ନେତାଙ୍କୁ ସାବାଡ଼ କରିବାରେ। ସେମାନଙ୍କୁ କିପରି ଠିକଣା ରାସ୍ତା ଦେଖାଇ ଦିଆଯିବ ତାହା ଥିଲା ତାଙ୍କର ୟୁଏସ୍ପି ବା ଅନନ୍ୟ ପ୍ରତିଭା। ଏଥିପାଇଁ ତାଙ୍କର ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହିତ ମତଭେଦ ବଢ଼ିବାରେ ଲାଗିଥିଲା।
ଏହି ମତଭେଦକୁ ଦୂର କରିବା ପାଇଁ ନିର୍ବାଚନ ସମୟରେ ଧର୍ମେନ୍ଦ୍ର ପ୍ରଧାନ ଏବଂ ଅନୁରାଗ ଠାକୁର ସହ ପ୍ରଭାରୀ ଭାବେ ଉତ୍ତର ପ୍ରଦେଶକୁ ଆସିଥିଲେ। ଉଭୟେ କେନ୍ଦ୍ର ସରକାରଙ୍କ ଯୋଜନାକୁ ପ୍ରଚାର କରିବା ଲାଗି ଯଥେଷ୍ଟ ଅର୍ଥ ଖର୍ଚ୍ଚ କରିଥିଲେ। କାରଣ ଉଭୟେ କେନ୍ଦ୍ରରେ ମନ୍ତ୍ରୀ ଥିଲେ। ଏପରିକି ଧର୍ମେନ୍ଦ୍ର ଯୋଗୀଙ୍କ କଥାରେ ହଁ ଭରି ତାଙ୍କୁ ସହଯୋଗ କରିଥିଲେ। ଦଳ ଅଭୂତପୂର୍ବ ଜିତିଥିଲା। ଯେଉଁଥିରେ ସୁନୀଲ ବଂଶଲ ନିଜକୁ ଅପମାନିତ ଅନୁଭବ କରିଥିଲେ। ଏହାର ପ୍ରତିଶୋଧ ନେବାକୁ ସୁନୀଲ ବଂଶଲ ସୁଯୋଗ ଅପେକ୍ଷାରେ ଥିଲେ।
ଏହାପରେ ଆରମ୍ଭ ହୋଇଥିଲା ଓଡ଼ିଶା ନିର୍ବାଚନ ପ୍ରସ୍ତୁତି। ଦଳର ପର୍ଯ୍ୟବେକ୍ଷକ ଭାବେ ସୁନୀଲ୍ ବଂଶଲ ଓଡ଼ିଶା ଦାୟିତ୍ୱରେ ନିୟୋଜିତ ହେଲେ। ଏହା ପୂର୍ବରୁ ରାଜ୍ୟରୁ ୧୨ ଜଣ ସାଂସଦଙ୍କୁ ନିର୍ବାଚିତ କରି ଧର୍ମେନ୍ଦ୍ର ପ୍ରଶଂସା ସାଉଁଟିଥିଲେ। କିନ୍ତୁ ସୁନୀଲ ବଂଶଲ ଆସିବା ପରେ ଦଳ ଓ ସଂଗଠନକୁ ପର୍ଯ୍ୟବେକ୍ଷଣ କରି ରାଷ୍ଟ୍ରୀୟ ନେତାଙ୍କୁ ନିଜର ରିପୋର୍ଟ ଦେଲେ। ଦଳ କିପରି ଭାଗଭାଗ ହୋଇ ରହିଛି ଓ ଏହାର ମୂଳ କାରଣ କ’ଣ ତାହାକୁ ଉଲ୍ଲେଖ କରିଲେ। ଆଉ ଏଥିରେ ବନ୍ଧୁ, ସଖାଙ୍କ କୌଣସି ବାଛ ବିଚାର ରହିଲା ନାହିଁ। ଦଳ ଥିଲା ଆଗରେ। ନବୀନଙ୍କୁ ହରାଇ କ୍ଷମତାକୁ ଆସିବା ଥିଲା ସର୍ବପ୍ରଥମ ଉଦ୍ଦେଶ୍ୟ। ଏଥିରେ ବି ସୁନୀଲ ବଂଶଲ ସଫଳ ହେଲେ। ଆଉ ଦଳ ଜୁନ ୧୨ ତାରିଖ ଦିନ ସରକାର ଗଢ଼ିଲା।
କିନ୍ତୁ ସୁନୀଲ ବଂଶଲଙ୍କ ପାଇଁ ଏ ରାସ୍ତା ବରଫ ଶଯ୍ୟା ଭଳି ମସୃଣ ନ ଥିଲା। ବରଂ ଅନେକ କଣ୍ଟାରେ ଭରିଥିଲା। ଆଉ ସେଥିରେ ସବୁଠାରୁ ବଡ଼ କଣ୍ଟା ଥିଲେ ଧର୍ମେନ୍ଦ୍ର ପ୍ରଧାନ। ଯେଉଁ ପ୍ରଧାନଙ୍କୁ ଭରସା କରି ଓଡ଼ିଶା ରାଜନୀତିକୁ ରାଷ୍ଟ୍ରୀୟ ନେତାମାନେ ନିୟନ୍ତ୍ରଣ କରିବେ ବୋଲି ଭାବିଥିଲେ ସେ ଯେ କଣ୍ଟା ସାଜିବେ ତାହା କାହାକୁ ଜଣାନଥିଲା। ପ୍ରଥମ ଥର ପାଇଁ ଏମିତି ଏକ ଯୁକ୍ତି ସୁନୀଲ ବଂଶଲ ବଳିଷ୍ଠ ଯୁକ୍ତି ଉପସ୍ଥାପନ କରିଥିବା କୁହାଯାଏ। ଆଉ ସେ ଯୁକ୍ତିରେ ଗୋଷ୍ଠୀ ବିବାଦ ପ୍ରସ୍ଫୁଟିତ ହେଉଥାଏ। ଉପରେ ଚିକ୍କଣ ଦେଖାଯାଉଥିବା ଧର୍ମେନ୍ଦ୍ରଙ୍କ ସଂଗଠନ ଭିତରେ ଯେ ଭାଗଭାଗ ହୋଇ ରହିଛି ତାହାକୁ କେହି ଚିନ୍ତା କରିନଥିଲେ। ହେଲେ ୨୦୨୨ରେ ଯେତେବେଳେ ଭଦ୍ରକରେ ଅମିତ ଶାହଙ୍କ ଏକ କାର୍ଯ୍ୟକ୍ରମ ଆୟୋଜନ ହୋଇଥାଏ ସେଥିରେ ଗୋଡ଼ ଲମ୍ବାଇବାକୁ ଚାହିଁଥିଲେ ଧର୍ମେନ୍ଦ୍ର। ରାଜନୀତିକ ବିଶ୍ଳଷକଙ୍କ କହିବା ଅନୁସାରେ ଏହା ହିଁ ଟର୍ଣ୍ଣିଂ ପଏଣ୍ଟ ଥିଲା। ତିନିଥର ଏହି ସଭା ଆୟୋଜନ ପାଇଁ ନିଷ୍ପତ୍ତି ହୋଇ ବାତିଲ ହେଉଥାଏ। ଏଥିରେ ହତୋତ୍ସାହିତ ନ ହୋଇ ସୁନୀଲ ବଂଶଲ ସଂଗଠନର ଭିତିରି ରହସ୍ୟକୁ କେନ୍ଦ୍ରୀୟ ନେତାଙ୍କୁ ଜଣାଇବାକୁ ଆରମ୍ଭ କରିଲେ। ଆଉ ସେଥିରେ ସାମ୍ନାକୁ ଆସିଥିଲା ଧର୍ମେନ୍ଦ୍ର ବନାମ ମନମୋହନ ଉପାଖ୍ୟାନ।
ସଂଗଠନକୁ ସୁଦୃଢ଼ ରଖିବା ଲାଗି ଜଣେ ଅଭିଜ୍ଞ ବ୍ୟକ୍ତିଙ୍କୁ ସଭାପତି ଆସନ ଦେବାକୁ ସୁପାରିସ ହେଲା। ସେତେବେଳେ କାର୍ଯ୍ୟକାରୀ ସଭାପତି ଥାଆନ୍ତି ଧର୍ମେନ୍ଦ୍ରଙ୍କ ଅନୁଗାମୀ ସମୀର ମହାନ୍ତି। ସୁପାରିସରେ ମନମୋହନ ସାମଲଙ୍କ ନାଁକୁ ସୁନୀଲ ବଂଶଲ ସୁପାରିସ କରିଥିବାବେଳେ ଗୋଲକ ମହାପାତ୍ର, ସୁରମା ପାଢ଼ୀ, ସମୀର ମହାନ୍ତିଙ୍କ ନାଁକୁ ସୁପାରିସ କରିଥିଲେ ଧର୍ମେନ୍ଦ୍ର। ଏ ପ୍ରସ୍ତାବ ସଂଗଠନର ଶୀର୍ଷ ନେତୃତ୍ୱଙ୍କ ପାଖରେ ପହଞ୍ଚିଲା। ନିଷ୍ପତ୍ତି ଯେତେବେଳେ ସାମ୍ନାକୁ ଆସିଲା ତାହା ସମସ୍ତଙ୍କୁ ଚକିତ କରିଥିଲା। ସମସ୍ତ କଳ୍ପନାକୁ ପଛରେ ପକାଇ ଧର୍ମେନ୍ଦ୍ରଙ୍କ ଅଗୋଚରରେ ୨୦୨୩ ମାର୍ଚ୍ଚ ୨୪ ତାରିଖରେ ମନମୋହନ ହେଲେ ସଭାପତି।
ନିର୍ବାଚନ ତାଙ୍କ ଦାୟିତ୍ୱରେ ପରିଚାଳନା ହେବାକୁ ନିଷ୍ପତ୍ତି ହେଲା। ସଂଗଠନର ବିପକ୍ଷରେ ଥିବା ନେତାଙ୍କୁ ବାହାରେ ରଖିବାକୁ ପ୍ରୟାସ କରିଥିଲେ ସୁନୀଲ ବଂଶଲ ଓ ମନମୋହନ ସାମଲଙ୍କ ଟିମ୍।
କିନ୍ତୁ ପ୍ରାର୍ଥୀ ଚୟନ ତଥା ଟିକଟ ବଣ୍ଟନରେ ଧର୍ମେନ୍ଦ୍ର ନିଜ ସଂଗଠନ ଓ ନେତାଙ୍କୁ ଅନୁକମ୍ପା ଦେଖାଇବାକୁ ଚାହିଁଥିଲେ। ଯେହେତୁ ଅନେକ ଦିନ ହେଲା ପେଟ୍ରୋଲିୟମ ମନ୍ତ୍ରାଳୟ, ସାର ଓ ଦକ୍ଷତା ବିକାଶ ମନ୍ତ୍ରାଳୟ ଦାୟିତ୍ୱରେ ରହି ଅନେକ ଅର୍ଥ ସଂଗଠନ ପାଇଁ ଖର୍ଚ୍ଚ କରିଥିଲେ, ଏଣୁ ଧର୍ମେନ୍ଦ୍ରଙ୍କ ଅନୁଗାମୀଙ୍କୁ କିଛି ସ୍ଥାନରେ ଟିକଟ ଦେବାକୁ ବାଧ୍ୟ ହୋଇଥିଲା ସଂଗଠନ। ଆଉ ଯେଉଁଠି ନ ହୋଇପାରିଲା ସେଠାରେ ତାଙ୍କରି ସମର୍ଥକ ସ୍ୱାଧୀନ ଠିଆହେଲେ। ମାହାଙ୍ଗା ନିର୍ବାଚନମଣ୍ଡଳିରେ ସାରଦା ପ୍ରଧାନ ସ୍ୱାଧୀନ ପ୍ରାର୍ଥୀ ହେବା ଏହାର ଜ୍ୱଳନ୍ତ ଉଦାହରଣ। ଅନେକ ସ୍ଥାନରେ ଦଳୀୟ ପ୍ରାର୍ଥୀଙ୍କୁ ଟକ୍କର ଦେବାକୁ ସ୍ୱାଧୀନ ପ୍ରାର୍ଥୀ ଦେବା ଧର୍ମେନ୍ଦ୍ରଙ୍କ ବିରୋଧରେ ବିଷୋଦ୍ଗାର କରିଥିଲା ଦଳ। ଖାଲି ସେତିକି ନୁହେଁ ଏହା ତାଙ୍କୁ ପରବର୍ତ୍ତୀ ସମୟରେ ସଙ୍କୁଚିତ କରିବାକୁ ଆରମ୍ଭ କରିଥିଲା। ବନ୍ଧୁଙ୍କ ରିପୋର୍ଟରେ ଓର୍ମେନ୍ଦ୍ରଙ୍କ ପ୍ରଭାବ କ୍ଷୁର୍ଣ୍ଣ ହେଲା। ରାଜ୍ୟ ନେତୃତ୍ୱ ୨୦୨୫ରେ ହାତରୁ ସମ୍ପୂର୍ଣ୍ଣ ଭାବେ ଚାଲିଗଲା। ଖାଲି ସେତିକି ନୁହେଁ ଧର୍ମେନ୍ଦ୍ର ଚାହିଁଥିବା ରାଜ୍ୟ ସଭାପତି ପ୍ରାର୍ଥୀଙ୍କୁ ପ୍ରାର୍ଥୀପତ୍ର ଦାଖଲ କରିବାକୁ ବି ସୁନୀଲ ସୁଯୋଗ ଦେଲେ ନାହିଁ।
ଏବେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେବାକୁ ରହିଛି। ଯେହେତୁ ଧର୍ମେନ୍ଦ୍ରଙ୍କ ଅନେକ ସମର୍ଥକ ମନ୍ତ୍ରିମଣ୍ଡଳରେ ରହିଛନ୍ତି, ସେମାନେ ମୋହନ ମାଝୀଙ୍କୁ ସମର୍ଥନ କରୁନଥିବା ଅଭିଯୋଗ ହୋଇଛି। ଏହି ତାଲିକାରେ ପୃଥ୍ୱୀରାଜ ହରିଚନ୍ଦନ, କୃଷ୍ଣଚନ୍ଦ୍ର ପାତ୍ର, ରବି ନାଏକ, ପ୍ରଦୀପ ବଳସାମନ୍ତଙ୍କ ଭଳି ଅନେକ ମନ୍ତ୍ରୀଙ୍କ ନାଁ ରହିଥିବା ଶୁଣାଯାଏ। ଏଣୁ ଏହି ନେତାମାନଙ୍କୁ ନୂଆ ମନ୍ତ୍ରିମଣ୍ଡଳ ଉଚିତ ରାସ୍ତା ଦେଖାଇବ ଏଥିରେ ସନ୍ଦେହ ନାହିଁ।
Also readhttps://purvapaksa.com/new-upi-rules-from-august-1/
New UPI Rules From August 1 ।। ପିକ୍ ଆୱାର୍ସ ସମୟରେ ବିଭ୍ରାଟ ହ୍ରାସ କରିବା ପାଇଁ ଅଗଷ୍ଟ ୧ ରୁ ନୂଆ UPI ନିୟମ
