ଡଲାର ତୁଳନାରେ ଭାରତୀୟ ମୁଦ୍ରା ବା ଟଙ୍କା କ୍ରମାଗତଭାବେ ଦୁର୍ବଳ ହେଉଥିବାରୁ ଦେଶର ଅର୍ଥନୀତି ଉପରେ ତାହାର ସମ୍ଭାବ୍ୟ ପ୍ରତିକୂଳ ପ୍ରଭାବକୁ ନେଇ ଅର୍ଥଶାସ୍ତ୍ରୀଙ୍କ ମହଲରେ ଚିନ୍ତା ଓ ଉଦ୍ବେଗ ପ୍ରକାଶ ପାଇଛି। ଗତ ଦୁଇମାସ ମଧ୍ୟରେ ଟଙ୍କା ୨ ପ୍ରତିଶତ ଅଧିକ ଦୁର୍ବଳ ହୋଇଛି। ଡଲାର ତୁଳନାରେ ଟଙ୍କା ମୂଲ୍ୟ ହ୍ରାସ ପାଇ ସର୍ବନିମ୍ନ ସ୍ତର ୮୬.୬ରେ ପହଞ୍ଚିଛି।
ଏହି ସ୍ଥିତିରେ ସୁଧାର ଆଣିବା ସକାଶେ ରିଜର୍ଭ ବ୍ୟାଙ୍କ ଗଚ୍ଛିତ ମୁଦ୍ରା ଭଣ୍ଡାରରୁ ଡଲାର ବିକିବା ଆରମ୍ଭ କରିଛନ୍ତି। ଏହା ସତ୍ତ୍ୱେ ସ୍ଥିତିରେ ସୁଧାର ଆସିବା ପରିବର୍ତ୍ତେ ଟଙ୍କାର ସ୍ଥିତି କ୍ରମାଗତ ଦୁର୍ବଳ ହେବାରେ ଲାଗିଛି। ଏଭଳି ପରିସ୍ଥିତିରେ ବାଣିଜ୍ୟ ନିଅଣ୍ଟ ଅଧିକରୁ ଅଧିକ ଚିନ୍ତା ବଢ଼଼ାଉଛି।
ରପ୍ତାନି ଅପେକ୍ଷା ଅଧିକ ଆମଦାନୀ କରିବାକୁ ପଡ଼ୁଥିବାରୁ ଆୟକୁ ଦେୟ କୁଳେଇ ପଡ଼ୁଛି। ଟଙ୍କା ଦୁର୍ବଳ ସ୍ଥିତିରେ ଥିବାରୁ ଆମଦାନୀ ବାବଦରେ ଭାରତକୁ ଅଧିକ ଡଲାର ଅପଚୟ କରିବାକୁ ପଡ଼ୁଛି। ଏବାବଦରେ ଆମଦାନୀ ସାମଗ୍ରୀର ମୂଲ୍ୟ ଆମ ବଜାରରେ ବଢ଼଼ିବା ସ୍ୱାଭାବିକ। ତେଣୁ ରପ୍ତାନି ବୃଦ୍ଧି ମାଧ୍ୟମରେ ଅଧିକରୁ ଅଧିକ ଡଲାର ଅର୍ଜନକୁ ସର୍ବାଧିକ ଗୁରୁତ୍ୱ ଦେବା ଆବଶ୍ୟକ। ଏଠାରେ ଉଲ୍ଲେଖଯୋଗ୍ୟ କି ବିଶ୍ୱ ବଜାରରେ ଡଲାରର ସର୍ବମାନ୍ୟ ଆଧିପତ୍ୟ ରହିଛି। କେବଳ ଟଙ୍କା ନୁହେଁ, ବିଶ୍ୱର ଅନ୍ୟ ମୁଦ୍ରାର ମଧ୍ୟ ବିନିମୟ କ୍ଷମତା ହ୍ରାସ ପାଉଛି। ଭାରତୀୟ ମୁଦ୍ରାର ଦୁର୍ବଳ ସ୍ଥିତି ସବୁଠାରୁ ଅଧିକ ସଙ୍ଗିନ।
ରପ୍ତାନି ବାଣିଜ୍ୟ ମାଧ୍ୟମରେ ଅନ୍ୟ ଦେଶ ସ୍ଥିତି ସୁଧାରୁଥିବାବେଳେ ଭାରତ ବିଫଳ ହୋଇଛି। ଡୋନାଲ୍ଡ ଟ୍ରମ୍ପ ଏଥି ମଧ୍ୟରେ ରାଷ୍ଟ୍ରପତିଭାବେ ଦାୟିତ୍ୱ ଗ୍ରହଣ କରିଥିବାରୁ ତାଙ୍କ ପ୍ରଶାସନ ପକ୍ଷରୁ ଯେ କୌଣସି ସମୟରେ ବହିଃଶୁଳ୍କ ବୃଦ୍ଧି କରାଯାଇପାରେ। ତେଣୁ ଆଗାମୀ ଦିନରେ ଆମକୁ ଆମଦାନୀ ବାବଦରେ ଅଧିକ ଡଲାର ଖର୍ଚ୍ଚ କରିବାକୁ ପଡ଼ିବ। ଭାରତର ବିଦେଶୀ ମୁଦ୍ରା ଭଣ୍ଡାର ନିମ୍ନଗାମୀ ହେଉଥିବା ବେଳେ ଆଗାମୀ ଦିନରେ ସ୍ଥିତି ଅଧିକ ବିଗିଡ଼ିଯିବ ବୋଲି ଆଶଙ୍କା ପ୍ରକାଶ ପାଇଛି।
ଆରବିଆଇର ପୂର୍ବତନ ଗଭର୍ଣ୍ଣର ତଥା ବିଶିଷ୍ଟ ଅର୍ଥନୀତିଜ୍ଞ ରଘୁରାମ ରାଜନ କିନ୍ତୁ ଭିନ୍ନ ଯୁକ୍ତି ଦର୍ଶାଇଛନ୍ତି। ତାଙ୍କ ମତରେବ, ଟଙ୍କାର ମୂଲ୍ୟ ହ୍ରାସ ପାଇନାହିଁ ବରଂ ଆମେରିକୀୟ ଡଲାର ଅଧିକ ମଜଭୁତ ହେଉଛି। ଟଙ୍କାର ଦୁର୍ବଳ ସ୍ଥିତି ପାଇଁ ସେ ଘରୋଇ ଆର୍ଥିକ ପରିଚାଳନାକୁ ଦାୟୀ କରିନାହାନ୍ତି। ତାଙ୍କ ମତରେ ମୁଦ୍ରାର ମୂଲ୍ୟହ୍ରାସ ଉଦ୍ବେଗଜନକ ନୁହେଁ, ବରଂ ମଧ୍ୟମ ସ୍ଥିତିରେ ଅଛି। ଟଙ୍କା ଭଳି ୟୁରୋ ମଧ୍ୟ ସମାନ ସ୍ଥିତିରେ ରହିଛି। ଏହି ପ୍ରତିକ୍ରିୟା ଆମ ପାଇଁ ନିଶ୍ଚୟ ଆଶ୍ୱାସନାର ବିଷୟ।
ପ୍ରମୁଖ ରେଟିଂ ଏଜେନ୍ସି ମୁଡିସ୍ ରିପୋର୍ଟରେ ଦର୍ଶାଯାଇଥିବା ତଥ୍ୟ ଅନୁସାରେ ଆମେରିକା ଓ ଚୀନ୍ ମଧ୍ୟରେ ଲାଗି ରହିଥିବା ବାରିଜ୍ୟିକ ଯୁଦ୍ଧରୁ ଭାରତ ଲାଭବାନ ହେବାର ସମ୍ଭାବନା ଅଛି। ଏସବୁ ସତ୍ତ୍ୱେ ରାଜସ୍ୱ ଆୟ ତୁଳନାରେ ସରକାରଙ୍କ ବ୍ୟୟ ଭାର ଯଦି ବୃଦ୍ଧିପାଏ, ତେବେ ତାହା ସାମଗ୍ରିକ ଆର୍ଥିକ ସ୍ଥିତିକୁ ପ୍ରଭାବିତ କରିବ। ତେବେ ବିଶ୍ୱସ୍ତରୀୟ ଓ ଆଞ୍ଚଳିକ ଆର୍ଥିକ ସ୍ଥିତିରେ ପରିଲକ୍ଷିତ ପରିବର୍ତ୍ତନର ପ୍ରଭାବରେ ଘରୋଇ ଚାହିଦା ମଜଭୁତ ହୋଇଛି ଓ ମୁଦ୍ରାସ୍ଫୀତିରେ ସାମାନ୍ୟ ହ୍ରାସ ଘଟିଛି।
ଗତ ଦୁଇମାସର ସ୍ଥିତିକୁ ଆକଳନ କରି କୁହାଯାଇଛି, ଦେଶର ବାଣିଜ୍ୟ ନିଅଣ୍ଟ ସଂକୁଚିତ ହେବା ପରିବର୍ତ୍ତେ ସମ୍ପ୍ରସାରିତ ହୋଇଛି। ଗତବର୍ଷର ଡିସେମ୍ବରରେ ବାଣିଜ୍ୟ ନିଅଣ୍ଟ ୧୮.୮ ବିଲିୟନ ଡଲାର ଥିବା ବେଳେ ତାହା ଏବେ ୨୧.୯ ବିଲିୟନ ଡଲାରକୁ ବୃଦ୍ଧି ପାଇଛି। ଅବଶ୍ୟ ଏହା ପୂର୍ବମାସରେ ଥିବା ନିଅଣ୍ଟ ୩୨.୮୨ ବିଲିୟନ ଡଲାର ଥିବା ବେଳେ ସେଥିରେ ଉଲ୍ଲେଖନୀୟ ଭାବେ ହ୍ରାସ ପାଇଛି।
ସରକାରୀ ପରିସଂଖ୍ୟାନରୁ ପ୍ରକାଶ ଯେ ୧ ପ୍ରତିଶତରୁ ଅଧିକ ରପ୍ତାନି ହ୍ରାସ ପାଇଥିବା ବେଳେ ଅଧିକ ଆମଦାନୀ ୫ ପ୍ରତିଶତ ଅତିକ୍ରମ କରିଛି। ଚଳିତ ଆର୍ଥିକ ବର୍ଷରେ ରପ୍ତାନି ବାଣିଜ୍ୟରେ ଅସ୍ଥିରତା ଲାଗି ରହିଛି। କେବଳ ସେବାକ୍ଷେତ୍ର ଉତ୍ସାହଜନକ ସ୍ଥିତିରେ ରହିଛି।
ପ୍ରଥମ ତ୍ରୟମାସିକ ରିପୋର୍ଟ ଅନୁଯାୟୀ ବର୍ଦ୍ଧିତ ରପ୍ତାନି ହାର ଦ୍ୱିତୀୟ ତ୍ରୟମାସିକରେ ହ୍ରାସ ପାଇବା ଏକ ଶୁଭ ସୂଚନା ନୁହେଁ। ତୃତୀୟ ତ୍ରୟମାସିକର ଅକ୍ଟୋବର ମାସରେ ବର୍ଦ୍ଧିତ ରପ୍ତାନି ଆଗକୁ ସ୍ଥିତି ସୁଧାରିବ ବୋଲି ଆଶା କରାଯାଇଥିଲା, କିନ୍ତୁ ନଭେମ୍ବର ଓ ଡିସେମ୍ବର ନିରାଶାଜନକ ସ୍ଥିତି ପୁଣି ବାଣିଜ୍ୟ ନିଅଣ୍ଟକୁ ବଢ଼଼ାଇଛି। ଡଲାର ବିନିମୟରେ ଆମଦାନୀ ବାରମ୍ବାର ବୃଦ୍ଧି ଚିନ୍ତା ଓ ଉଦ୍ବେଗର କାରଣ ହୋଇଛି। ତେଣୁ ସମଗ୍ର ଆର୍ଥିକ ବର୍ଷର ସ୍ଥିତିକୁ ଆକଳନ କଲେ ଆମେ ରପ୍ତାନି କ୍ଷେତ୍ରରେ ସଫଳତା ହାସଲ କରିପାରିନାହୁଁ ବୋଲି ଧରିନେବାକୁ ହେବ।
ସେହିଭଳି ଡଲାର ତୁଳନାରେ ଟଙ୍କା ଦୁର୍ବଳ ସ୍ଥିତିରେ ଥିବା ବେଳେ ବର୍ଦ୍ଧିତ ଆମଦାନୀ ବ୍ୟୟଭାର ଆମ ବଜାର ଉପରେ ପ୍ରତିକୂଳ ପ୍ରଭାବ ପକାଇବ। ଟ୍ରମ୍ପ ପ୍ରଶାସନ ପକ୍ଷରୁ ବହିଃଶୁଳ୍କ ନେଇ ଯେଉଁ ଆଭିମୁଖ୍ୟ ରହିଛି, ସେଥିରେ ପଡ଼ୋଶୀ ରାଷ୍ଟ୍ର ଚୀନ୍ର ରପ୍ତାନି ବାଣିଜ୍ୟ ବାଧାପ୍ରାପ୍ତ ହେବ। ଏଭଳି ପରିସ୍ଥିତିରେ ବିକଳ୍ପ ବ୍ୟବସ୍ଥା ସ୍ୱରୂପ ଚୀନ୍ ଏସୀୟ ବଜାର, ବିଶେଷକରି ଭାରତ ଉପରେ, ଅଧିକରୁ ଅଧିକ ଚାପ ପକାଇବ। ଏହା ଜାରି ରହିଲେ ଆମଦେଶର ରପ୍ତାନି ବୃଦ୍ଧି ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ ନିଶ୍ଚୟ ବାଧାପ୍ରାପ୍ତ ହେବ।
ଟଙ୍କାର ଦୁର୍ବଳ ସ୍ଥିତି ଓ ରପ୍ତାନି ବାଣିଜ୍ୟ ହ୍ରାସ ସାଙ୍ଗକୁ ନିମ୍ନମୁଖୀ ଭାରତର ବିଦେଶୀ ମୁଦ୍ରା ଭଣ୍ଡାର ପାଇଁ ଆଗାମୀ ଦିନରେ ସ୍ଥିତି ସୁଧାରିବା ନିଶ୍ଚୟ କଷ୍ଟକର ହୋଇପଡ଼ିବ। ଜାନୁଆରୀ ୧୦ ତାରିଖରେ ଶେଷ ହୋଇଥିବା ସପ୍ତାହ ସୁଦ୍ଧା ମୁଦ୍ରା ଭଣ୍ଡାରରେ ଗଚ୍ଛିତ ପରିମାଣ ୬୨୫.୮୭୧ ବିଳିୟନ ଡଲାରକୁ ହ୍ରାସ ପାଇଛି।
ଉଲ୍ଲେଖଯୋଗ୍ୟ କି ଗତ ସେପ୍ଟେମ୍ବର ବିଦେଶୀ ମୁଦ୍ରା ଭଣ୍ଡାରରେ ଗଚ୍ଛିତ ପରିମାଣ ନୂଆ ରେକର୍ଡ ସୃଷ୍ଟି କରିଥିଲା। ତାହା ୭୦୪.୮୮୫ ବିଲିୟନ ଡଲାରରୁ ଗତ ତିନିମାସ ମଧ୍ୟରେ କ୍ରମାଗତ ହ୍ରାସ ପାଇଛି। ଏଥିମଧ୍ୟରେ ଯେଉଁ ୭୯.୦୧୪ ବିଲିୟନ ଡଲାର ହ୍ରାସ ପାଇଛି, ତାହାର ମୁଖ୍ୟ କାରଣ ହେଲା ଗଚ୍ଛିତ ଭଣ୍ଡାରରୁ ଡଲାର ବଜାରକୁ ଛାଡ଼ୁଛନ୍ତି ରିଜର୍ଭବ୍ୟାଙ୍କ। ଦୁର୍ବଳ ଟଙ୍କାରେ ସ୍ଥିରତା ଆଣିବା ପାଇଁ ଏହାବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ।
ଟଙ୍କାର ମୂଲ୍ୟରେ ଯଦି ହଠାତ ବଡ଼ଧରଣର ହ୍ରାସ ଘଟିବ, ତେବେ ସ୍ଥିତି ସୁଧାରିବା ରିଜର୍ଭବ୍ୟାଙ୍କ ପାଇଁ ଏତେ ସହଜ ହେବନାହିଁ। ଡଲାରର ବିନିମୟ ମୂଲ୍ୟ ଯେ କୌଣସି ସମୟରେ ୯୦ ଟଙ୍କା ଅତିକ୍ରମ କରିବ ବୋଲି ଯେଉଁ ଆକଳନ କରାଯାଇଛି, ତାହାର ଗତିଶୀଳତା ହ୍ରାସ କରିବା ସହ ସମୟ ବ୍ୟବଧାନ ପରିସ୍ଥିତିକୁ ସୁଧାରିପାରିବ। ଏହି ଆଶା ନେଇ ଡଲାର-ଟଙ୍କା ଯୁଦ୍ଧକୁ ନିୟନ୍ତ୍ରଣ କରାଯାଉଥିବା ମନେହୁଏ।
ଅଭିବୃଦ୍ଧିର ଧାର୍ଯ୍ୟ ଲକ୍ଷ୍ୟ ପୂରଣ, ନିଯୁକ୍ତି ସୁଯୋଗ ସୃଷ୍ଟି ଓ ବିଦେଶୀ ମୁଦ୍ରା ଅର୍ଜନ ରପ୍ତାନି ବାଣିଜ୍ୟର ସଫଳତା ଉପରେ ନିର୍ଭର କରେ। ଟଙ୍କାର ମୂଲ୍ୟ ହ୍ରାସକୁ ନିୟନ୍ତ୍ରଣ କରିବାରେ ମଧ୍ୟ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ବଡ଼ଧରଣର ବାଣିଜ୍ୟ ନିଅଣ୍ଟ ଦେଶର ଚଳନ୍ତି ଜମାରାଶି ଉପରେ ପ୍ରତିକୂଳ ପ୍ରଭାବ ପକାଇବ। ପ୍ରବଳ ଚାପରେ ଥିବା ଭାରତୀୟ ମୁଦ୍ରାରେ ସ୍ଥିରତା ଆଣିବାକୁ ହେଲେ ସରକାରଙ୍କୁ ରପ୍ତାନି ଅଭିବୃଦ୍ଧି ମାଧ୍ୟମରେ ସମତୁଲ ବାଣିଜ୍ୟ ପ୍ରତି ଅଗ୍ରାଧିକାର ଦେବାକୁ ପଡ଼ିବ।
ଆହୁରି ମଧ୍ୟ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ଦାୟିତ୍ଵ ଗ୍ରହଣ କରିବା ପରେ ଆନ୍ତର୍ଜାତିକ ବାଣିଜ୍ୟରେ ହଲଚଲ ସୃଷ୍ଟି ହେବାର ସମ୍ଭାବନା ରହିଛି।ଭାରତ ଉପରେ ଏହାର କଣ ପ୍ରଭାବ ପଡ଼ିବ ତାହା ଅପେକ୍ଷା କରି ଦେଖିବାର କଥା।
