ଭାରତ ପ୍ରଥମ ଇନିଂସ ୧୫୦
ଅଷ୍ଟ୍ରେଲିଆ ପ୍ରଥମ ଇନିଂସ ୧୦୪
ଭାରତ ଦ୍ୱିତୀୟ ଇନିଂସ ୦/୧୭୨
ଅପ୍ଟସ ଷ୍ଟାଡ଼ିୟମରେ ପେସ ବୋଲରଙ୍କୁ ସୁହାଉଥିବା ଏକ ଘାତକ ପିଚ୍ ପ୍ରସ୍ତୁତ କରି ଭାରତୀୟ ବ୍ୟାଟରଙ୍କୁ ଡରାଇବା ପାଇଁ ଅଷ୍ଟ୍ରେଲିଆ କରିଥିବା ସବୁ ଯୋଜନା ପଣ୍ଡ ହୋଇଯାଇଛି। ଭାରତ ପାଇଁ ବିଛାଇଥିବା ଜାଲରେ ନିଜେ ଛନ୍ଦି ହୋଇଯାଇଛି ଘରୋଇ ଅଷ୍ଟ୍ରେଲଆ। ଭାରତର ଦୁଇ ଓପନର ଯଶସ୍ୱୀ ଜୈସ୍ୱାଲ୍ ଓ କେଏଲ ରାହୁଲ ସାହସର ସହ ଘରୋଇ ଦଳର ପେସ ବାହିନୀକୁ ସାମ୍ନା କରି ବିଶାଳ ସ୍କୋର ଆଡ଼କୁ ଦଳୀୟ ସ୍କୋରକୁ ନେଇଯାଉଛନ୍ତି। ଅଷ୍ଟ୍ରେଲିଆ ଦିନ ତମାମ ବୋଲିଂ କରି ଭାଙ୍ଗି ପଡ଼ିଛି, ହେଲେ ଭାରତର ଓପନିଂ ଯୋଡ଼ି ଭାଙ୍ଗିବାରେ ବିଫଳ ହୋଇଛି। ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ଭାରତ ଦ୍ୱିତୀୟ ଇନିଂସରେ ୧୭୨ ରନ୍ ସଂଗ୍ରହ କରିବା ସହ ମୋଟ ୨୧୮ ରନରେ ଅଗ୍ରଣୀ ହାସଲ କରିଛି। ଜୈସ୍ୱାଲ ୯୦ ଓ ରାହୁଲ ୬୨ ରନ୍ କରି ଅପରାଜିତ ରହିଛନ୍ତି।
ଚଳିତ ପ୍ରଥମ ଟେଷ୍ଟର ଦ୍ୱିତୀୟ ଦିବସରେ ଅଷ୍ଟ୍ରେଲିଆକୁ ପ୍ରଥମ ଇନିଂସରେ ମାତ୍ର ୧୦୪ ରନ୍ ମଧ୍ୟରେ ସୀମିତ ରଖିବାରେ ଭାରତୀୟ ବୋଲର ସଫଳ ହୋଇଥିଲେ। ଯଶପ୍ରୀତ ବୁମରା ୫ଟି ୱିକେଟ ଅକ୍ତିଆର କରି ଅଷ୍ଟ୍ରେଲିଆ ବିପର୍ଯ୍ୟର ମୁଖ୍ୟ ନାୟକ ସାଜିଥିଲେ।
ଦ୍ୱିତୀୟ ଦିବସରେ ଅଷ୍ଟ୍ରେଲିଆ ଅସମାପ୍ତ ପ୍ରଥମ ଇନିଂସ ୭/୬୭ ରନ୍ରୁ ବ୍ୟାଟିଂ ଆରମ୍ଭ କରି ଦଳୀୟ ସ୍କୋରରେ ଆଉ ୩୭ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା। ପୂର୍ବ ଦିନରୁ ଅପରାଜିତ ଅପରାଜିତ ଥିବା ଆଲେକ୍ସ କ୍ୟାରୀଙ୍କୁ ଆଉଟ୍ କରି ବୁମରା ୫ୱିକେଟ ପୂରଣ କରିଥିଲେ। ସେ ୨୧ ରନ୍ କରିଥିଲେ। ପରେ ପରେ ନାଥାନ ଲୟନ(୫)ଙ୍କୁ ହର୍ଷିତ ରାଣା ପାଭିଲିୟନ ପଠାଇଇଥିଲେ। ଅପରାଜିତ ମିଚେଲ ଷ୍ଟାର୍କଙ୍କ ସହ ଜୋସ ହାଜାଲଉଡ ଲଢୁଆ ବ୍ୟାଟିଂ କରି ୨୫ ରନ୍ର ଭାଗିଦାରୀ ଗଠନ କରିବା ଫଳରେ ଦଳୀୟ ସ୍କୋର ୧୦୪ରେ ପହଞ୍ଚିଥିଲା। ଷ୍ଟାର୍କ ସର୍ବାଧିକ ୨୬ ରନ୍ କରିଥିଲେ।
ଅଷ୍ଟ୍ରେଲିଆ ଅଲ୍ ଆଉଟ୍ ହେବା ସହ ପ୍ରଥମ ଅଧିବେଶନ ଶେଷ ହୋଇଥିଲା ଓ ଭାରତର ଦ୍ୱିତୀୟ ଇନିଂସ ସହ ଦ୍ୱିତୀୟ ଅଧିବେଶନ ଆରମ୍ଭ ହୋଇଥିଲା। ଦୁଇ ଓପନର ରାହୁଲ ଓ ଜୈସ୍ୱାଲ ସତର୍କତାର ସହ ବ୍ୟାଟିଂ କରି ୱକେଟ୍ରେ ଜମିବା ପାଇଁ ଲାଗି ପଡ଼ିଥିଲେ। ଅଷ୍ଟ୍ରେଲିଆ ବୋଲରମାନେ ସବୁ ଅଭିଜ୍ଞତା ଓ ଶକ୍ତି ଲଗାଇ ଦେଇଥିଲେ। ହେଲେ କିଛି ଫଳ ମିଳି ନଥିଲା। ଧିରେ ଧିରେ ଭାଗିଦାରୀ ଗଢିଉଠିଥିଲା। ଦିନ ତମାମ ଉଭୟ ବ୍ୟାଟିଂ ଜାରି ରଖିଥିଲେ ଓ ଦର୍ଶନୀୟ ସଟ୍ମାନ ଖେଳି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ। ଧିରେ ଧିରେ ଅଷ୍ଟ୍ରେଲିଆ ବୋଲିଂ ବାହିନୀ ଶକ୍ତିହୀନ ମନେ ହୋଇଥିଲା। ଷ୍ଟମ୍ପ ଘୋଷରା ବେଳକୁ ଉଭୟ ଦଳୀୟ ସ୍କୋରକୁ ୧୭୨ରେ ପହଞ୍ଚାଇ ଦେଇଥିଲେ।
previous article: https://purvapaksa.com/all-the-stats-from-indias-innings-in-perth-where-they-were-bowled-out-for-150/