GI Tag : ଏହି ମାନ୍ୟତାଦ୍ୱାରା କେବଳ ସେହି ବର୍ଗର ଲୋକ ଓ ସେମାନଙ୍କର ମୌଳିକ ଉତ୍ପାଦ ବିଶ୍ୱସ୍ତରୀୟ ଦୃଷ୍ଟି ଆକର୍ଷଣ କରିନାହିଁ, ବରଂ ତା’ ସହିତ ଓଡ଼ିଶାର ନାମ ମଧ୍ୟ ଗୌରବାନ୍ୱିତ ହୋଇପାରିଛି।
ଏହା ଓଡ଼ିଶାବାସୀଙ୍କ ପାଇଁ ନିଶ୍ଚିତ ଭାବରେ ଆନନ୍ଦ ଓ ସ୍ୱାଭିମାନର କଥା। ରାଜ୍ୟର ଆଉ ସାତଟି ନିଜସ୍ୱ ଆଞ୍ଚଳିକ ଉତ୍ପାଦକୁ ଭୌଗୋଳିକ ସୂଚକ ବା ଜିଆଇ ଟ୍ୟାଗ୍ ମାନ୍ୟତା ମିଳିଛି। ଏଥିସହିତ ରାଜ୍ୟର ଜିଆଇ ମାନ୍ୟତାପ୍ରାପ୍ତ ଉତ୍ପାଦ ସଂଖ୍ୟା ୨୫ରେ ପହଞ୍ଚିଛି। ସବୁଠାରୁ ଉଲ୍ଲେଖନୀୟ ବିଷୟ ହେଲା ଏହି ସାତଟି ଉତ୍ପାଦ ମଧ୍ୟରୁ ଚାରିଟି ଆଦିବାସୀ ସମ୍ପ୍ରଦାୟର ଓ ସେମାନଙ୍କ ଅଞ୍ଚଳ ସହିତ ଜଡ଼ିତ। ରାଜ୍ୟର ଅନ୍ୟତମ ଅନୁନ୍ନତ ଆଦିବାସୀ ଅଧ୍ୟୁଷିତ ମାଳ ଅଞ୍ଚଳ ନିୟମଗିରିର ଅବକ୍ଷୟମୁଖୀ ତାଲିକାରେ ସାମିଲ୍ ହୋଇସାରିଥିବା ଡଙ୍ଗରିଆ କନ୍ଧଙ୍କ ଦ୍ୱାରା ଉତ୍ପାଦିତ ହେଉଥିବା ସାଲ୍ ଏବଂ ଲାଞ୍ଜିଆ ସଉରାଙ୍କ ପାରମ୍ପରିକ ଚିତ୍ରକଳା ମଧ୍ୟ ଏହି ତାଲିକାରେ ସାମିଲ୍ ଅଛି। ଏହି ମାନ୍ୟତାଦ୍ୱାରା କେବଳ ସେହି ବର୍ଗର ଲୋକ ଓ ସେମାନଙ୍କର ମୌଳିକ ଉତ୍ପାଦ ବିଶ୍ୱସ୍ତରୀୟ ଦୃଷ୍ଟି ଆକର୍ଷଣ କରିନାହିଁ, ବରଂ ତା’ ସହିତ ଓଡ଼ିଶାର ନାମ ମଧ୍ୟ ଗୌରବାନ୍ୱିତ ହୋଇପାରିଛି।
ଡଙ୍ଗରିଆ କନ୍ଧଙ୍କ ସାଲ୍
ଈଷତ୍ ଧଳା ସୁତାଲୁଗା ଉପରେ ନାଲି, ହଳଦିଆ ଓ ସବୁଜ ସୁତାରେ ବୁଣା ଡଙ୍ଗରିଆ କନ୍ଧଙ୍କ ଏହି ସାଲ୍ର ସ୍ୱତନ୍ତ୍ରତା ହେଉଛି ତିନିଟି ରଙ୍ଗ ତିନିଟି ବାର୍ତ୍ତା ଓ ଭାବର ପ୍ରତିନିଧିତ୍ୱ କରୁଛି। ସବୁଜ ରଙ୍ଗ ପ୍ରାକୃତିକ ପାହାଡ଼କୁ ପ୍ରତିନିଧିତ୍ୱ କରୁଥିବା ବେଳେ ହଳଦିଆ ଶାନ୍ତି ଓ ଖୁସିର ଏବଂ ନାଲି ରଙ୍ଗ ରକ୍ତ ବା ପରିଶ୍ରମର ପ୍ରତୀକ ବୋଲି ଧରାଯାଏ। ଏହି ସାଲ୍ ବୁଣିବାର ତ୍ରିକୋଣାକାର ଶୈଳୀ ମଧ୍ୟ ପାହାଡ଼ ପର୍ବତକୁ ପ୍ରତିନିଧିତ୍ୱ କରୁଛି ବୋଲି କୁହାଯାଏ। ସେହିପରି ଲାଞ୍ଜିଆ ସଉରାଙ୍କ ମଧ୍ୟରେ ପିଢ଼ି ପିଢ଼ି ଧରି ଚାଲିଆସୁଥିବା ଚିତ୍ରକଳା ବା ଇଡିଟାଲ୍କୁ ଜିଆଇ ଟ୍ୟାଗ ମିଳିବା ନିଶ୍ଚିତରୂପେ ଏକ ଅବକ୍ଷୟମୁଖୀ ଜନଜାତି ବର୍ଗ ପାଇଁ ପ୍ରେରଣାର ଉତ୍ସ ଓ ଗୌରବର ବିଷୟ। ଘରର ମାଟି-ଗୋବର ଲିପା କାନ୍ଥରେ ଅଙ୍କିତ ଏହି ଚିତ୍ରକଳା ସେମାନଙ୍କର ଧର୍ମ, ବିଶ୍ୱାସ, ଇଷ୍ଟଦେବତା ଓ ପ୍ରକୃତିର ଉପାସନା, ପୂର୍ବପୁରୁଷଙ୍କ ସ୍ମରଣ କରିବାର ପରମ୍ପରା ଓ ସୌନ୍ଦର୍ଯ୍ୟବୋଧର ପ୍ରତିନିଧିତ୍ୱ କରୁଛି।
ଢେଙ୍କାନାଳର ମଗଜି ଲଡ଼ୁ
ଜିଆଇର ସଦ୍ୟତମ ତାଲିକାରେ ଆଉ ଯେଉଁ ଉତ୍ପାଦଗୁଡ଼ିକ ସାମିଲ୍ ଅଛି ସେଗୁଡ଼ିକ ହେଲା ଢେଙ୍କାନାଳର ମଗଜି ଲଡ଼ୁ, ଶିମିଳିପାଳର କାଇ ଚଟଣୀ, ଗଜପତି ଜିଲ୍ଲାର ଖଜୁରୀ ଗୁଡ଼, ନୟାଗଡ଼ର କଣ୍ଟେଇମୁଣ୍ଡି ବାଇଗଣ, କୋରାପୁଟ୍ର କଳାଜିରା ଚାଉଳ। ଏଥିମଧ୍ୟରୁ ଅବିଭକ୍ତ କୋରାପୁଟ ଜିଲ୍ଲାରେ ଆଦିବାସୀ କୃଷକମାନଙ୍କ ଦ୍ୱାରା ଉତ୍ପାଦିତ କଳାଜିରା ଚାଉଳ ଏବେ ଆନ୍ତର୍ଜାତିକ ସ୍ତରରେ ‘ଚାଉଳର ରାଜା’ ଭାବରେ ପରିଗଣିତ। ସ୍ୱାଦ ସହିତ ପୁଷ୍ଟିସାର, ସ୍ନେହସାର, ଶ୍ୱେତସାର ସମୃଦ୍ଧ ଏହି ଚାଉଳର ଆଦର ଏବେ ବିଶ୍ୱବାସୀଙ୍କ ପାଖରେ ଆକାଶଛୁଆଁ।
ଶିମିଳିପାଳର କାଇ ଚଟଣୀ
ବିଗତ ହଜାରେ ବର୍ଷ ଧରି ସେଠାକାର ଆଦିବାସୀମାନେ ଏହି ଧାନର ବିହନ ସଂରକ୍ଷଣ କରି ରଖିଛନ୍ତି। ସେହିପରି ନାଲି ଜନ୍ଦାରୁ ପ୍ରସ୍ତୁତ ହେଉଥିବା ଶିମିଳିପାଳର କାଇ ଚଟଣୀ ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାର ପାରମ୍ପରିକ ଖାଦ୍ୟ ଭାବେ ପୁରୁଷ ପୁରୁଷ ବର୍ଷ ଧରି ବ୍ୟବହାର ହୋଇଆସୁଛି। ଏଥିରେ ଭିଟାମିନ୍ ବି-୧୨, ଆଇରନ୍, ଜିଙ୍କ, କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍, ପୋଟାସିୟମ ଓ ପ୍ରୋଟିନରେ ଭରପୂର ହୋଇ ରହିଥିବାରୁ ସ୍ୱାସ୍ଥ୍ୟ ପାଇଁ ଏହା ଅନୁକୂଳ।
ନୟାଗଡ଼ କଣ୍ଟେଇମୁଣ୍ଡି ବାଇଗଣ
ଆଦିବାସୀ ଅଧ୍ୟୁଷିତ ଅଞ୍ଚଳକୁ ବାଦ୍ ଦେଲେ ଉପକୂଳବର୍ତ୍ତୀ ନୟାଗଡ଼ ଅଞ୍ଚଳର କଣ୍ଟେଇମୁଣ୍ଡି ବାଇଗଣ ଏହାର ସ୍ୱାଦ ପାଇଁ ସୁପରିଚିତ ଥିବାବେଳେ ରୋଗପୋକ ନିରୋଧୀ। ପ୍ରାୟ ଶହେ ବର୍ଷ ତଳୁ ଚାଷ ହୋଇଆସୁଥିବା ଏହି ବାଇଗଣ ହେକ୍ଟର ପିଛା ୨୦୦ କ୍ୱିଣ୍ଟାଲ୍ ପର୍ଯ୍ୟନ୍ତ ଉତ୍ପାଦିତ ହୋଇପାରୁଥିବା ବେଳେ ଏହାର କିଲୋ ପିଛା ବଜାର ମୂଲ୍ୟ ୫୦ ରୁ ୬୦ ଟଙ୍କା ରହିଛି। ସେହିପରି ଉପାନ୍ତ ଗଜପତି ଜିଲ୍ଲାର ଖଜୁରୀ ଗୁଡ଼ ଏହାର ସ୍ୱାଦ ଓ ସ୍ୱାସ୍ଥ୍ୟ ଅନୁକୂଳ ଗୁଣବତ୍ତା ପାଇଁ ପ୍ରସିଦ୍ଧ। ମଇଁଷି ଖିର ଓ ଲହୁଣିରୁ ପ୍ରସ୍ତୁତ ଢେଙ୍କାନାଳର ମଗଜି ଲଡ଼ୁର ସ୍ୱାଦ ମଧ୍ୟ ବିଶ୍ୱପ୍ରସିଦ୍ଧ।
ଆଞ୍ଚଳିକ ମୌଳିକତା ପାଇଁ ପ୍ରସିଦ୍ଧ କୌଣସି ଉତ୍ପାଦକୁ ଜିଆଇ ମାନ୍ୟତା ମିଳିଲେ ସେହି ଅଞ୍ଚଳର ଓ ସମ୍ପୃକ୍ତ ରାଜ୍ୟର ପ୍ରସିଦ୍ଧି ତ ବୃଦ୍ଧି ପାଇଥାଏ।ତା’ ସହିତ ସେହି ଉତ୍ପାଦ ସହିତ ସମ୍ପୃକ୍ତ କୃଷକ, ବ୍ୟବସାୟୀ, ଉତ୍ପାଦକମାନେ ମଧ୍ୟ ବିଶ୍ୱବଜାରରେ ଅର୍ଥନୈତିକ ଦୃଷ୍ଟିରୁ ଲାଭବାନ ହେବେ। ସ୍ୱତନ୍ତ୍ରତା ଦୃଷ୍ଟିରୁ ଚାହିଦା ବଢ଼ିଲେ ଉତ୍ପାଦର ମୂଲ୍ୟ ମଧ୍ୟ ବଢ଼଼ିବ। ଆହୁରି ମଧ୍ୟ, କୌଣସି ଅଞ୍ଚଳବାସୀ ସେହିସବୁ ଉତ୍ପାଦର ନକଲ କରିପାରିବେ ନାହିଁ।
ଭାରତ ଭଳି ବିବିଧତାପୂର୍ଣ୍ଣ ଦେଶରେ ଯେଉଁଠାରେ ବିଭିନ୍ନ ଭୌଗୋଳିକ ପରିବେଶରେ ଭିନ୍ନ ଭିନ୍ନ ବର୍ଗର ଆଞ୍ଚଳିକ ଅଧିବାସୀ ଭିନ୍ନ ଭିନ୍ନ ଅଥଚ ମୌଳିକ ଉତ୍ପାଦକୁ ବୃତ୍ତିଭାବେ ଗ୍ରହଣ କରି ନିଜର ଜୀବିକା ଅର୍ଜନ କରିବା ସହିତ ସମ୍ପୃକ୍ତ ଅଞ୍ଚଳର ମର୍ଯ୍ୟାଦା ଓ ପରିଚୟ ବୃଦ୍ଧି କରୁଛନ୍ତି, ସେଠାରେ ଜିଆଇର ମାନ୍ୟତା ଅନେକ ମହତ୍ତ୍ୱ ରଖେ। ସାଧାରଣତଃ ଯେଉଁ ଗରିବ କାରିଗର ବା କୃଷକମାନଙ୍କ ପାଇଁ ସ୍ୱତ୍ୱାଧିକାର ବା କପିରାଇଟ୍ ଆବେଦନ କରିବା ଏକ ଦୁରୂହ ବ୍ୟାପାର ସେମାନଙ୍କ ପାଇଁ ଜିଆଇ ମାନ୍ୟତା ଏକ ବ୍ରାଣ୍ଡ ବା ସୁରକ୍ଷା ବ୍ୟବସ୍ଥା ଭଳି କାମ କରେ।
ଜାତିସଂଘର ବାଣିଜ୍ୟ ଓ ବିକାଶ ସମ୍ବନ୍ଧୀୟ ଶୀର୍ଷ ସମ୍ମିଳନୀ ଦ୍ୱାରା ହୋଇଥିବା ଏକ ସର୍ବେକ୍ଷଣ ଅନୁଯାୟୀ, ଜିଆଇ ମାନ୍ୟତାପ୍ରାପ୍ତ ଯେ କୌଣସି କୃଷିଜାତ ଉତ୍ପାଦର ବଜାର ମୂଲ୍ୟ ୧୦ ରୁ ୧୫ ପ୍ରତିଶତ ପର୍ଯ୍ୟନ୍ତ ଏବଂ ଅଣକୃଷିଜାତ ସାମଗ୍ରୀର ବଜାର ମୂଲ୍ୟ ୫ ରୁ ୧୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଏ। ଏହା ମଧ୍ୟ ଅଦୃଶ୍ୟ ଅର୍ଥନୈତିକ ସମ୍ପଦ ଭାବରେ ସମ୍ପୃକ୍ତ ଅଞ୍ଚଳ ଓ ଅଞ୍ଚଳବାସୀଙ୍କ ଶ୍ରୀବୃଦ୍ଧିରେ ସହାୟକ ହୁଏ।
ଏହି ପୃଷ୍ଠଭୂମିରେ ବିଚାର କଲେ ଓଡ଼ିଶାର ସଦ୍ୟ ସାତଟି ଉତ୍ପାଦ ସହିତ ମୋଟ ୨୫ଟି ଜିଆଇ ମାନ୍ୟତାପ୍ରାପ୍ତ ସାମଗ୍ରୀ ରାଜ୍ୟର, ସମ୍ପୃକ୍ତ ଅଞ୍ଚଳର ଏବଂ ସର୍ବୋପରି ଏହା ସହିତ ଜଡ଼ିତ ବିଭିନ୍ନ ବର୍ଗ ଓ ଗୋଷ୍ଠୀର ସାମାଜିକ-ଅର୍ଥନୈତିକ ସଶକ୍ତୀକରଣ ସହିତ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସହାୟକ ହେବା ନିଶ୍ଚିତ।
ଉଲ୍ଲେଖ କରାଯାଇପାରେ ଯେ,ପ୍ରଥମେ ୟୁରୋପୀୟ ସଂଘ ଦ୍ୱାରା ଏହି ବ୍ୟବସ୍ଥା ଆରମ୍ଭ ହୋଇଥିବା ବେଳେ ଭାରତରେ ବିଗତ ଶତାବ୍ଦୀର ଶେଷ ଭାଗରେ ଏ ସମ୍ପର୍କିତ ବିଚାର ବିଶର୍ମ ଆରମ୍ଭ ହେଲା ଏବଂ ତାହା ‘ଜିଓଗ୍ରାଫିକାଲ୍ ଇଣ୍ଡିକେସନ୍ ଅଫ୍ ଗୁଡ୍ସ(ରେଜିଷ୍ଟ୍ରେସନ୍ ଆଣ୍ଡ ପ୍ରୋଟେକସନ୍) ଆକ୍ଟ-୧୯୯୯’ର ରୂପ ନେଲା। କିନ୍ତୁ ଏହା କାର୍ଯ୍ୟକାରୀ ହେବାକୁ ଆହୁରି ଚାରିବର୍ଷ ଲାଗିଗଲା। ୨୦୦୩ ସେପ୍ଟେମ୍ବରରେ ଏହି ଆଇନ କାର୍ଯ୍ୟକାରୀ ହେବା ପରେ ପଞ୍ଜିକରଣ ପ୍ରକ୍ରିୟା ୨୦୦୪-୦୫ରେ ଆରମ୍ଭ ହେଲା ଏବଂ ପଶ୍ଚିମବଙ୍ଗର ଦାର୍ଜିଲିଂ ଚା’ ପ୍ରଥମ ଉତ୍ପାଦ ଭାବେ ଏହି ମାନ୍ୟତା ହାସଲ କଲା। ଏଥିରୁ ଆମ ଦେଶରେ ଏଥିପାଇଁ ଥିବା ଯୋଜନା ଓ କାର୍ଯ୍ୟାନ୍ୱୟନ ପ୍ରକ୍ରିୟା କେତେକ ମନ୍ଥର ଓ ଆନ୍ତରିକତା ହୀନ ତାହା ଅନୁମାନ କରାଯାଇପାରେ। ସୌଭାଗ୍ୟବଶତଃ, ଓଡ଼ିଶା ଜିଆଇ ଟ୍ୟାଗ ଆଣିବା କ୍ଷେତ୍ରରେ ଏକ ଅଗ୍ରଣୀ ରାଜ୍ୟ ଭାବେ ପରିଗଣିତ ହୋଇ ଆସିଛି।
