ଭାରତରେ ଶିକ୍ଷା ଖର୍ଚ୍ଚ ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଲୋକଙ୍କ ଆୟ ବଢୁ ନ ଥିବାବେଳେ ପିଲାଙ୍କ ପାଠପଢ଼ା ଖର୍ଚ୍ଚ ବଢ଼ିବାରେ ଲାଗିଛି। ଦିଲ୍ଲୀ ଏବଂ ମୁମ୍ବାଇ ଭଳି ସହରରେ ଏହା ଆକାଶ ଛୁଇଁଛି। ଦେଶର ପ୍ରମୁଖ ଘରୋଇ ସ୍କୁଲରେ ପିଲାଙ୍କୁ ପଢ଼ାଇବା ପାଇଁ ବର୍ଷକୁ ୧୨ରୁ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହେଉଛି। ଏହା ୟୁରୋପର ଇଣ୍ଟରନ୍ୟାସନାଲ ବୋର୍ଡିଂ ସ୍କୁଲ୍ ସହ ସମାନ ରହିଛି। ତେବେ ସେଠାରେ ପରିବାରର ଆୟ ତୁଳନାରେ ପାଠପଢ଼ା ଖର୍ଚ୍ଚ କମ୍ ଥିବା ବେଳେ ଭାରତରେ ପରିବାର ଆୟ ତୁଳନାରେ ପାଠପଢ଼ା ଖର୍ଚ୍ଚ ଢେର ଅଧିକ। ବିଶେଷ କରି ଗତ ୫ ବର୍ଷ ଭିତରେ ଭାରତରେ ସ୍କୁଲ ଫି’ ୮୦ ପ୍ରତିଶତ ବୃଦ୍ଧି ପାଇଥିବା ଜଣାପଡ଼ିଛି। ଆୟ ଏବଂ ବ୍ୟୟ ହିସାବରେ ଭାରତରେ ଘରୋଇ ସ୍କୁଲ୍ଗୁଡିକର ଦେୟ ବିଶ୍ବରେ ସର୍ବାଧିକ ରହିଛି।
ଆଶ୍ଚର୍ଯ୍ୟର ବିଷୟ ଏହି କି ଯେ ସିଙ୍ଗାପୁର, ଦୁବାଇ, ଲଣ୍ଡନ ଏବଂ ନ୍ୟୁୟର୍କ ଭଳି ସହର ଲୋକମାନେ ନିଜ ପିଲାଙ୍କ ପଢ଼ା ଖର୍ଚ୍ଚ ପାଇଁ ସମାନ ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ସେଠାରେ ପରିବାରର ଆୟ ଭାରତୀୟଙ୍କ ଅପେକ୍ଷା ବହୁତ ଅଧିକ। ଏହି ସବୁ ସହରରେ ପରିବାର ଆୟ ଭାରତଠାରୁ ୩ରୁ୫ ଗୁଣା ଅଧିକ ରହିଛି। ଭାରତରେ ଅନ୍ତର୍ଜାତୀୟ ସ୍ତରର ସ୍କୁଲ୍ ଗୁଡିକର ଦେୟ ସାରା ବିଶ୍ବରେ ଅଧିକ ରହିଛି।
ସୂଚନା ଅନୁଯାୟୀ, ଗତ ଦଶନ୍ଧିରେ ଭାରତରେ ସ୍କୁଲ ଫି’ ୧୫୦ରୁ ୨୦୦ ପ୍ରତିଶତ ବୃଦ୍ଧି ପାଇଛି। ମାତ୍ର ପରିବାର ଆୟ ୬୦ରୁ ୭୦ ପ୍ରତିଶତ ବଢ଼ିଛି। ସ୍କୁଲ ଦେୟରେ ହୋଇଥିବା ଏହି ବିସ୍ଫୋରଣ ଭାରତର ବଢ଼ୁଥିବା ସମ୍ପତ୍ତି ପାର୍ଥକ୍ୟକୁ ପ୍ରତିଫଳିତ କରୁଛି। ଶିକ୍ଷା ଅସମାନତାର ସ୍ପଷ୍ଟ ଚିତ୍ରକୁ ପ୍ରତିଫଳିତ କରୁଛି। ଭାରତରେ ତିନୋଟି ଶିକ୍ଷା ବ୍ୟବସ୍ଥା ଚାଲିଛି। ଏଲିଟ୍ ଶ୍ରେଣୀର ସ୍କୁଲ ପାଇଁ ବର୍ଷକୁ ୧୦ରୁ ୨୦ ଲକ୍ଷ ଟଙ୍କା ଫି’ ଦେବାକୁ ପଡୁଛି। ଏଗୁଡିକ ୧ ନମ୍ବର ସ୍ଥାନରେ ରହିଛି। ସେହିପରି ବଜେଟ କୈନ୍ଦ୍ରିକ ଘରୋଇ ସ୍କୁଲଗୁଡିକରେ ବର୍ଷକୁ ୨୦ରୁ ୪୦ ହଜାର ଟଙ୍କା ଦେବାକୁ ପଡୁଛି। ଏହା ପ୍ରଥମ ପିଢ଼ିର ପିଲାଙ୍କୁ ଶିକ୍ଷା ଯୋଗାଉଛି। ଅନ୍ୟପକ୍ଷରେ ସରକାରୀ ସ୍କୁଲ୍ରେ ଶିକ୍ଷା ମାଗଣା ଥିବାବେଳେ ବ୍ୟବସ୍ଥା ଦୁର୍ବଳ ଥିବାରୁ ଲୋକେ ଘରୋଇ ଶିକ୍ଷାନୁଷ୍ଠାନକୁ ପସନ୍ଦ କରୁଛନ୍ତି। ଏହି ତ୍ରିସ୍ତରୀୟ ସ୍କୁଲ ବ୍ୟବସ୍ଥା ଶିକ୍ଷାର ମଡେଲ ଭାବେ ନୁହେଁ, ବରଂ ଷ୍ଟାଟସ ଭାବେ ଦେଖାଯାଉଛି।
ଦିଲ୍ଲୀରେ ପରିବାର ହାରାହାରି ବାର୍ଷିକ ଆୟ ୧୨ରୁ ୧୫ ଲକ୍ଷ ଟଙ୍କା ଥିବାବେଳେ ଘରୋଇ ସ୍କୁଲର ଦେୟ ୧୨ରୁ ୨୦ ଲକ୍ଷ ଟଙ୍କା ରହିଛି। ଗୋଟିଏ ପରିବାର ନିଜ ଆୟର ୮୦ରୁ ୧୩୦ ପ୍ରତିଶତ ପିଲାଙ୍କ ପାଠପଢ଼ାରେ ଖର୍ଚ୍ଚ କରୁଛନ୍ତି। ସେହିପରି ମୁମ୍ବଇରେ ଆୟ ୧୫ରୁ ୧୮ ଲକ୍ଷ ଥିବାବେଳେ ସ୍କୁଲ ଦେୟ ୯-୧୫ ଲକ୍ଷ ରହିଛି। ୫୦-୮୫ ପ୍ରତିଶତ ଅର୍ଥ ଏହି ଦେୟ ଦେବାରେ ଖର୍ଚ୍ଚ ହେଉଛି। ଅନ୍ୟପକ୍ଷରେ ଦୁବାଇରେ ବାର୍ଷିକ ଆୟ ୬୭ ଲକ୍ଷ ଥିବା ବେଳେ ସ୍କୁଲ ଫି’ ରହିଛି ୨୪ ଲକ୍ଷ। ପରିବାର ନିଜ ଆୟର ମାତ୍ର ୩୩ ପ୍ରତିଶତ ପାଠପଢ଼ାରେ ଖର୍ଚ୍ଚ କରୁଛନ୍ତି। ଲଣ୍ଡନ ଏବଂ ନ୍ୟୁୟର୍କରେ ପରିବାରର ହାରାହାରି ବାର୍ଷିକ ଆୟ ୬୦ ଲକ୍ଷ ଏବଂ ୭୫ ଲକ୍ଷ ରହିଛି। କିନ୍ତୁ ଏଠାରେ ସ୍କୁଲ ଦେୟ ଯଥାକ୍ରମେ ୩୫ ଲକ୍ଷ ଓ ୩୭ ଲକ୍ଷ ରହିଛି। ଏହି ଦୁଇ ସହରର ଲୋକେ ନିଜ ଆୟର ୫୮ ଏବଂ ୫୦ ପ୍ରତିଶତ ଦେୟ ବାବଦକୁ ପୈଠ କରୁଛନ୍ତି।
Also Read https://purvapaksa.com/gandhi-family-is-my-god-dk-shivakumar/
Gandhi family is my God: DK Shivakumar ।। ଗାନ୍ଧୀ ପରିବାର ମୋର ଭଗବାନ: ଡି.କେ ଶିବକୁମାର


