ଗ୍ରାହକଙ୍କୁ ଆଶ୍ୱସ୍ତ କଲା ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)। ୬ ମାସ ମଧ୍ୟରେ ତୃତୀୟ ଥର ପାଇଁ ରେପୋ ରେଟରେ ହ୍ରାସ କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)। ପୂର୍ବରୁ ଚଳିତ ବର୍ଷ ଫେବୃଆରୀରେ ଓ ଏପ୍ରିଲରେ ରିଜର୍ଭ ବ୍ୟାଙ୍କ ଦ୍ୱାରା ୨୫ ବେସିସ୍ ପଏଣ୍ଟ ଲେଖାଏଁ ରେପୋ ହ୍ରାସ କରାଯାଇଥିବାବେଳେ ଏବେ ମଧ୍ୟ ଗ୍ରାହକକୁ ଆଶ୍ଵସ୍ତ କରିଛି କେନ୍ଦ୍ରୀୟ ବ୍ୟାଙ୍କ। ଋଣ ନେଉଥିବା କିମ୍ବା ଋଣ ଉପରେ ଇଏମଆଇ ଦେଉଥିବା ଲୋକଙ୍କ ପାଇଁ ଏହା ଏକ ବଡ଼ ଆଶ୍ୱସ୍ତି ଖବର। ଭାରତୀୟ ରିଜର୍ଭ ବ୍ୟାଙ୍କ ଶୁକ୍ରବାର ବଜାରର ଆଶାଠାରୁ ଅଧିକ ରେପୋ ରେଟ୍ ହ୍ରାସ କରିଛି। ଜୁନ୍ ୪ରୁ ଆରମ୍ଭ ହୋଇଥିବା ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)ର ମୁଦ୍ରା କମିଟି (MPC)ର ଦୁଇ ଦିନିଆ ବୈଠକ ପରେ, ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରା ୫୦ ବେସିସ୍ ପଏଣ୍ଟ ଅର୍ଥାତ୍ ୦.୫୦ ପ୍ରତିଶତର ଏକ ବଡ଼ ହ୍ରାସ ନେଇ ଘୋଷଣା କରିଛନ୍ତି। ଯାହା ଫଳରେ ରେପୋ ହାର ଏବେ ୫.୫ ପ୍ରତିଶତକୁ ହ୍ରାସ ପାଇଛି।
ସମସ୍ତ ପ୍ରକାରର ଋଣ ଏବଂ ଇଏମଆଇ ଶସ୍ତା ହେବ
କେନ୍ଦ୍ରୀୟ ବ୍ୟାଙ୍କର ଏହି ନିଷ୍ପତ୍ତି ପରେ, ଗାଡ଼ି-ଘର ସମେତ ସମସ୍ତ ପ୍ରକାରର ଋଣ ଶସ୍ତା ହେବ ବୋଲି ଜଣାପଡିଛି। RBI ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରା ରେପୋ ହାର ହ୍ରାସ କରିବା ସମୟରେ କହିଛନ୍ତି ଯେ, ତାଙ୍କର ଏହି ପଦକ୍ଷେପ ଦେଶରେ ନିବେଶକମାନଙ୍କୁ ପ୍ରଚୁର ସୁଯୋଗ ପ୍ରଦାନ କରିବ। ବିଶ୍ୱ ଅଭିବୃଦ୍ଧିର ମନ୍ଥର ଗତି ମଧ୍ୟରେ ଭାରତୀୟ ଅର୍ଥନୀତି ମଜବୁତ ହେବ। ଏହା ସହିତ, ଘରୋଇ ଚାହିଦା ଆହୁରି ମଜବୁତ ହେବ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୁଦ୍ରା ନୀତି ବୈଠକ ସମୟରେ, ଏସ୍ଡିଏଫ୍ (SDF) ହାର ୫.୭୫ ପ୍ରତିଶତରୁ ୫.୨୫ ପ୍ରତିଶତକୁ ହ୍ରାସ କରାଯାଇଛି। ସେହି ସମୟରେ, ଏମ୍ଏସ୍ଏଫ୍ (MSF) ହାର ମଧ୍ୟ ୬.୨୫ ପ୍ରତିଶତରୁ ୫.୭୫ ପ୍ରତିଶତକୁ ହ୍ରାସ କରାଯାଇଛି। ଏହା ସହିତ, RBI ଗଭର୍ଣ୍ଣର ନଗଦ ସଂରକ୍ଷଣ ଅନୁପାତ ଅର୍ଥାତ୍ CRR କୁ ୪ ପ୍ରତିଶତରୁ ୧୦୦ ବେସିସ୍ ପଏଣ୍ଟ୍ ହ୍ରାସ କରି ୩ ପ୍ରତିଶତ ରଖିଛନ୍ତି। ଏହାଦ୍ୱାରା ଋଣ ନେଇଥିବା ଲୋକଙ୍କ ଇଏମଆଇ ଶସ୍ତା ହେବ ବୋଲି କୁହାଯାଉଛି।
ବଢ଼ିବ ଭାରତୀୟ ଅର୍ଥନୀତିର ଗତି
ତୃତୀୟ ଥର ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଦ୍ୱାରା ରେପୋ ହାର ହ୍ରାସ କରିବାର ନିଷ୍ପତ୍ତି ଏପରି ସମୟରେ ନିଆଯାଇଛି ଯେତେବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଲୁମିନିୟମ ଏବଂ ଷ୍ଟିଲ୍ ଉପରେ ଶୁଳ୍କ ହାର ୫୦ ପ୍ରତିଶତକୁ ବୃଦ୍ଧି କରିଛନ୍ତି। ଭାରତ ଏହି ଉଭୟ ଉତ୍ପାଦର ଏକ ପ୍ରମୁଖ ରପ୍ତାନିକାରୀ ଦେଶ ଅଟେ। ଏପରି ପରିସ୍ଥିତିରେ ଟ୍ରମ୍ପଙ୍କ ନିଷ୍ପତି ଭାରତ ପାଇଁ ଏକ ବଡ଼ ଝଟକା ବୋଲି ବିବେଚନା କରାଯାଉଥିଲା। ତେବେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା ଆଶା ପ୍ରକାଶ କରିଛନ୍ତି ଯେ ୨୦୨୬ ଆର୍ଥିକ ବର୍ଷ ପାଇଁ ଅଭିବୃଦ୍ଧି ହାର ୬.୫ ପ୍ରତିଶତ ରହିବ। ସେ କହିଛନ୍ତି ଯେ ଦେଶର ଅଭିବୃଦ୍ଧି ହାର ପ୍ରଥମ ତ୍ରୈମାସିକରେ ୬.୫%, ଦ୍ୱିତୀୟ ତ୍ରୈମାସିକରେ ୬.୭%, ତୃତୀୟ ତ୍ରୈମାସିକରେ ୬.୬% ଏବଂ ଚତୁର୍ଥ ତ୍ରୈମାସିକରେ ୬.୩% ରହିପାରେ।
ବଜାର ପାଇଁ ଭଲ ସଙ୍କେତ
ରିଅଲ୍ ଇଷ୍ଟେଟ୍ ବିଶେଷଜ୍ଞମାନେ ଏହାକୁ ଆରବିଆଇର ଏକ ଭଲ ପଦକ୍ଷେପ ବୋଲି କହୁଛନ୍ତି। ବିଶେଷଜ୍ଞ କହିବା ଅନୁଯାୟୀ ରେପୋ ହାରକୁ ୫.୫%କୁ ହ୍ରାସ କରିବା ରିଅଲ୍ ଇଷ୍ଟେଟ୍ କ୍ଷେତ୍ର ପାଇଁ ଏକ ସକାରାତ୍ମକ ସଙ୍କେତ। ସୁଧ ହାରରେ ସମ୍ଭାବ୍ୟ ହ୍ରାସ ଗୃହ ଋଣକୁ ଅଧିକ ସୁଲଭ କରିବ, ଯାହା ବିଶେଷକରି ମଧ୍ୟମ ଆୟ ଏବଂ ପ୍ରଥମ ଥର ପାଇଁ ଗୃହ କ୍ରେତାଙ୍କ ମଧ୍ୟରେ ଚାହିଦା ବୃଦ୍ଧି କରିବ। ସେ କହିଛନ୍ତି ଯେ ଏହି ପଦକ୍ଷେପ ଆବାସିକ ବଜାରକୁ ସ୍ଥିରତା ପ୍ରଦାନ କରିବ ଏବଂ ଚାହିଦାକୁ ତ୍ୱରାନ୍ୱିତ କରିବ। ଏହା ସହିତ, ଡେଭଲପରମାନଙ୍କ ପାଇଁ ପୁଞ୍ଜି ମୂଲ୍ୟ ହ୍ରାସ ପ୍ରକଳ୍ପଗୁଡ଼ିକର କାର୍ଯ୍ୟାନ୍ୱୟନ ଏବଂ ପାଣ୍ଠିକୁ ସହଜ କରିବ। ମୁଦ୍ରା ନୀତି ମନୋଭାବକୁ ‘ନିରପେକ୍ଷ’ ରଖିବା ସୂଚାଇଥାଏ ଯେ, RBI ଅଭିବୃଦ୍ଧି ଏବଂ ମୁଦ୍ରାସ୍ଫୀତି ମଧ୍ୟରେ ସନ୍ତୁଳନ ସ୍ଥାପନ କରିବାକୁ ଅଗ୍ରସର ହେଉଛି। ସାମଗ୍ରିକ ଭାବରେ, ଏହି ନିଷ୍ପତ୍ତି ବଜାର ସେକ୍ଟର ପୁନରୁଦ୍ଧାରକୁ ସମର୍ଥନ କରିବ ଏବଂ ବିଶ୍ୱାସକୁ ମଜବୁତ କରିବ।
Also readhttps://purvapaksa.com/rekhas-cult-classic-umrao-jaan-is-set-to-return-to-theaters/