ରାଜ୍ୟରେ ବଢି ଚାଲିଛି ମହିଳାଙ୍କ ଉପରେ ଅତ୍ୟାଚାର ଆଉ ଦୁଷ୍କର୍ମ ମାମଲା। ବଢୁଥିବା ଦୁଷ୍କର୍ମ ମାମଲା ଦେଖି ଲାଗୁଛି ଓଡ଼ିଶାରେ ଅସୁରକ୍ଷିତ ହୋଇପଡିଛନ୍ତି ନାବାଳିକା, ମହିଳା ଓ ଯୁବତୀ। ଓଡ଼ିଶାରେ ମହିଳାମାନଙ୍କୁ ହେଉଥିବା ଦୁଷ୍କର୍ମ ଓ ଗଣଦୁଷ୍କର୍ମ ଅଣାୟତ ସ୍ଥିତିରେ ପହଞ୍ଚିଲାଣି । ବର୍ଷ ପୂର୍ତ୍ତିରେ ରାଜ୍ୟ ସରକାରଙ୍କ ପାଇଁ କଳଙ୍କ ପାଲଟିଛି ଗୋପାଳପୁର ଗଣଦୁଷ୍କର୍ମ ମାମଲା। ରାଜ୍ୟରେ ପ୍ରତିଦିନ ୧୫ରୁ ଅଧିକ ମହିଳା ଓ ନାବାଳିକା ଗଣଧର୍ଷଣ ଓ ପାଶବିକ ଅତ୍ୟାଚାରର ଶିକାର ହେଉଥିବା ଏକ ରିପୋର୍ଟରୁ ଜଣା ପଡିଛି। କେବଳ ୨୦୨୪ରେ ଓଡ଼ିଶାରେ ୮% ଦୁଷ୍କର୍ମ ମାମଲା ବଢିଛି ବୋଲି ବିଧାନସଭାରେ ସରକାର ଦେଇଥିବା ରିପୋର୍ଟରୁ ଜଣାପଡିଛି। ୨୦୨୩ ମସିହାରେ ଓଡ଼ିଶାରେ ମୋଟ ୨୮୨୬ଟି ବଳାତ୍କାର ମାମଲା ରିପୋର୍ଟ ହୋଇଥିଲା କିନ୍ତୁ ୨୦୨୪ ମସିହାରେ ଏହା ୮ ପ୍ରତିଶତ ବୃଦ୍ଧି ୩୦୫୪ରେ ପହଞ୍ଚିଥିଲା । ଗତ ୧୦ ମାସରେ ୪୫୦୦ ମାମଲା ରୁଜୁ ହୋଇଛି। ଗଞ୍ଜାମ, ଖୋର୍ଦ୍ଧା, କନ୍ଧମାଳ, ବଲାଙ୍ଗୀର, ମୟୂରଭଞ୍ଜ ଜିଲ୍ଲାରେ ଅଧିକ ଦୁଷ୍କର୍ମ ଘଟୁଛି ବୋଲି ଏକ ରିପୋର୍ଟରୁ ଜଣାପଡିଛି। ୨୦୨୪ ଜୁନରୁ ଡିସେମ୍ୱର ୫ ମାସ ମଧ୍ୟରେ ୭୬୯ ନାବାଳିକା ଦୁଷ୍କର୍ମ ମାମଲା ରୁଜୁ ହୋଇଛି । ସେହିପରି ୫୦୯ ମହିଳା ଦୁଷ୍କର୍ମ ଓ ୪୧ଟି ଗଣଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି । ସେପଟେ ରାଜ୍ୟରେ ୬୪ ହଜାରରୁ ଅଧିକ ମହିଳା ଓ ଶିଶୁ ନିଖୋଜ ଥିବା ଜଣା ପଡିଛି।
୨୦୨୫ରେ ମଧ୍ୟ କମ ନାହିଁ ଦୁଷ୍କର୍ମ ମାମଲା। ପରି, ବେବିନା, ଇତିଶ୍ରୀଠୁ ଜଘନ୍ୟ କାଣ୍ଡ ବିଜେପି ସରକାର ଅମଳରେ ଓଡ଼ିଶାରେ ଘଟିଛି। ଯାହାକୁ ସରକାରଙ୍କ ଅପାରଗତା କହୁଛନ୍ତି ବିରୋଧୀ। ତାଳଚେରର ସୁଭଦ୍ରାଙ୍କ କଥା କୁହନ୍ତୁ ବା ଗୋପାଳପୁର କଲେଜ ଛାତ୍ରୀଙ୍କ ମାମଲା କଥାକୁହନ୍ତୁ, ଏହି ମାମଲାର ଭୟାଭତା ଓଡ଼ିଶାର ମହିଳା ଯୁବତୀଙ୍କ ହୃଦୟ ଥରାଇ ଦେଇଛି। ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲା କେନ୍ଦୁଝରର ହରିଚନ୍ଦନପୁରରେ ଏକ ମହିଳାଙ୍କୁ ଗଣଧର୍ଷଣ କରି ଗଛରେ ଦୁବୃର୍ତ୍ତମାନେ ଟାଙ୍ଗିଦେଇଥିଲେ। ଅନୁଗୁଳ ଜିଲ୍ଲାର କଣିହାଁ ବ୍ଲକ୍ରେ ଅନୁସୂଚିତ ଜାତିର ମହିଳା ସୁଭଦ୍ରାଙ୍କୁ ଗଣବଳାତ୍କାର କରି ମାରି ଫିଙ୍ଗିଦେଲେ । ଗଞ୍ଜାମ ଜିଲ୍ଳାର ଗୋପାଳପୁର, କେନ୍ଦୁଝର ଜିଲ୍ଲାର ହରିଚନ୍ଦନପୁର. କଟକର ବାରଙ୍ଗ ଓ ଅନୁଗୁଳ ଜିଲ୍ଲାର କଣିହାଁ ବ୍ଲକ୍ରେ ଯେଉଁ ଲୋମହର୍ଷଣକାରୀ ଗଣଧର୍ଷଣ ହୋଇଛି ତାର ଭରଣା କରିବା ଏ ସରକାର ପକ୍ଷେ ସମ୍ଭବ ନୁହେଁ। ସରକାରୀ ବ୍ୟତୀତ ଗାଁ ଗାଁରେ ଅନେକ ମହିଳା ଯୁବତୀ ଦୁଷ୍କର୍ମର ଶିକାର ହେଉଛନ୍ତି କିନ୍ତୁ ଲୋକ ଲଜ୍ୟାକୁ ଡରି ସମ୍ମୁଖକୁ ଆସୁନଥିବା ଜଣାପଡୁଛି। ଓଡ଼ିଶାରେ ମହିଳାମାନଙ୍କ ପ୍ରତି ଘଟୁଥିବା ଅପରାଧ ସମସ୍ତ ଜାତୀୟ ରେକର୍ଡକୁ ଭାଙ୍ଗି ସାରିଲାଣି ବୋଲି କଂଗ୍ରେସ ଦାବୀକରିବା ସହ ସରକାରଙ୍କୁ ଟାର୍ଗେଟ କରୁଛି। ଏହା ଡବଲ ଇଞ୍ଜିନ ସରକାରର ସବୁଠାରୁ ବଡ଼ ବିଫଳତା ବୋଲି କୁହାଯାଉଛି। ଅବଶ୍ୟ ଆଗ ଅପେକ୍ଷା କାର୍ଯ୍ୟାନୁଷ୍ଠାନ ତୁରନ୍ତ ନେଉଛନ୍ତି ମୋହନ ସରକାର କିନ୍ତୁ ଯଦି ପୋଲିସ ଉପରେ ଟିକେ କମାଣ୍ଡ ରଖନ୍ତେ ଆଉ ତାଙ୍କ ପ୍ରଶାସନ ଅଧିକ ଆକ୍ଟିଭି ହୁଆନ୍ତ ତାହାଲେ ଏଭଳି ନିନ୍ଦାରୁ ବଞ୍ଚି ପାରନ୍ତେ ମୋହନ ବୋଲି କୁହାଯାଉଛି ଆଉ ମହିଳା ମଧ୍ୟ ସୁରକ୍ଷିତ ରୁହନ୍ତେ।
