Rahul’s Constitution is insecure narrative : ରାହୁଲଙ୍କ ସମ୍ବିଧାନ ବିପଦରେ ନ୍ୟାରେଟିଭକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀ ଯେଉଁ କାଉଣ୍ଟର ଆଟାକ କରିଛନ୍ତି ତାହା ରାହୁଲଙ୍କ ଭୂତ ଭାଷଣ ଲେଖକଙ୍କ ନିଦ ନିଶ୍ଚୟ ହଜାଇ ଦେବଣି। ରାହୁଲ ଯେଉଁ ସମ୍ବିଧାନ ବିପଦରେ ଥିବା କଥା କହୁଛନ୍ତି, ସେହି ସମ୍ବିଧାନକୁ କେମିତି ତାଙ୍କ ଜେଜିମା’ କ୍ଷମତା ବଞ୍ଚାଇବାକୁ ଆଡ଼େଇ ଯାଇଥିଲେ ଓ ସମ୍ବିଧାନର ଆତ୍ମାର ହତ୍ୟା କରିବାକୁ ପଛାଇ ନ ଥିଲେ ତାକୁ ନେଇ ବିତର୍କ ଆରମ୍ଭ ହେଲାଣି।
ହାତରେ ଲାଲ କିତାବ। ସଡ଼କରୁ ସଂସଦ। କଂଗ୍ରେସ ଯୁବରାଜ ରାହୁଲ ଗାନ୍ଧୀଙ୍କ ଏହି ନୂଆ ଅବତାର ଓ ସମ୍ବିଧାନ ବିପଦରେ ଡାଇଲଗ ତାଙ୍କୁ ଓ ତାଙ୍କ ମେଣ୍ଟକୁ ୨୦୨୪ ସାଧାରଣ ନିର୍ବାଚନରେ ନିହାତି ବୁଷ୍ଟର ଡୋଜ୍ ଦେଇଥିଲା। କିନ୍ତୁ ମହାରାଷ୍ଟ୍ର ଓ ହରିୟାଣା ନିର୍ବାଚନ ଆସୁ ଆସୁ ସମ୍ବିଧାନ ବୁଷ୍ଟର ଟିକାରେ ଦମ୍ ନ ଥିବା ଜଣାପଡ଼ିଯାଇଥିଲା। ଏହାସତ୍ତ୍ୱେ ରାହୁଲ ଲାଲ କିତାବ (ଯାହାକୁ ସେ ସମ୍ବିଧାନ ବୋଲି କୁହନ୍ତି) ଧରି ବୁଲିବା ଛାଡ଼ି ନାହାନ୍ତି। ମେଣ୍ଟ ଭିତରେ ରାହୁଲଙ୍କ ନେତୃତ୍ୱକୁ ନେଇ ପ୍ରଶ୍ନ ଉଠିବା ପରେ ଓ ଭଉଣୀ ପ୍ରିୟଙ୍କାଙ୍କ ଲୋକସଭା ଡେବ୍ୟୁ ପରେ ରାହୁଲ ଅଧିକ ଆକ୍ରାମକ ହୋଇଯାଇଛନ୍ତି। ମୋଦୀ ସରକାର ବିରୋଧରେ ସମ୍ବିଧାନ ବିପଦରେ ନ୍ୟାରେଟିଭକୁ ଅଧିକ ଆକ୍ରାମକ ଢଙ୍ଗରେ ପେସ୍ କରୁଛନ୍ତି। ସଂସଦରେ ରାହୁଲ ଗରମାଗରମ ଭାଷଣ ବି ଦେଇଛନ୍ତି। ବିପଦରେ ସମ୍ବିଧାନଠାରୁ ହିନ୍ଦୁ ଋଷିମୁନି ଦେହକୁ ଗରମ ରଖିବାକୁ ତପସ୍ୟା କରୁଥିଲେ ବୋଲି ରାହୁଲ ସଂସଦରେ ଜ୍ଞାନଗର୍ଭକ ଭାଷଣ ଦେଇଛନ୍ତି। ଋଷି ମୁନି ତପସ୍ୟାଦ୍ୱାରା ଦେହକୁ ଗରମ ରଖୁଥିଲେ କି ନାହିଁ ହୁଏତ କେବଳ ରାହୁଲ ଜାଣିଥିବେ କିନ୍ତୁ ଗୋଟିଏ କଥା ସତ, ରାହୁଲଙ୍କ ସମ୍ବିଧାନ ବିପଦରେ ନ୍ୟାରେଟିଭକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀ ଯେଉଁ କାଉଣ୍ଟର ଆଟାକ କରିଛନ୍ତି ତାହା ରାହୁଲଙ୍କ ଭୂତ ଭାଷଣ ଲେଖକଙ୍କ ନିଦ ନିଶ୍ଚୟ ହଜାଇ ଦେବଣି। ରାହୁଲ ଯେଉଁ ସମ୍ବିଧାନ ବିପଦରେ ଥିବା କଥା କହୁଛନ୍ତି, ସେହି ସମ୍ବିଧାନକୁ କେମିତି ତାଙ୍କ ଜେଜିମା’ କ୍ଷମତା ବଞ୍ଚାଇବାକୁ ଆଡ଼େଇ ଯାଇଥିଲେ ଓ ସମ୍ବିଧାନର ଆତ୍ମାର ହତ୍ୟା କରିବାକୁ ପଛାଇ ନ ଥିଲେ ତାକୁ ନେଇ ବିତର୍କ ଆରମ୍ଭ ହେଲାଣି। ଲାଗିଲାଣି ରାହୁଲ ନିଜ ଜାଲରେ ନିଜେ ଫସିଛନ୍ତି। ଏହାରି ଭିତରେ ଆସନ୍ତୁ ଜାଣିବା ରାହୁଲଙ୍କ ଜେଜିମା’ ଇନ୍ଦିରାଙ୍କ ଅମଳରେ କେମିତି ସିନେମାଠାରୁ ସଂସଦ ଓ ସମ୍ବିଧାନ, ଇନ୍ଦିରା ଇଜ୍ ଇଣ୍ଡିଆ, ଇଣ୍ଡିଆ ଇଜ୍ ଇନ୍ଦିରା ପାଲଟି ଯାଇଥିଲା।
ସମ୍ବିଧାନ, ଇନ୍ଦିରା ଓ ଜରୁରୀକାଳୀନ ପରିସ୍ଥିତି
୧୯୭୫ରେ ଭାରତରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଥିଲା, ଯାହା ୧୯୭୭ ପର୍ଯ୍ୟନ୍ତ ଚାଲିଥିଲା। ଏହି ସମୟକୁ ଭାରତୀୟ ଗଣତନ୍ତ୍ର ଇତିହାସରେ ଏକ କଳା ଅଧ୍ୟାୟ ଭାବେ ବିବେଚନା କରାଯାଏ। ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ୧୯୭୫ ଜୁନ୍ ୨୫ରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲେ। ନାଗରିକ ଅଧିକାରକୁ ନିଲମ୍ବିତ କରାଗଲା, ପ୍ରେସ୍ର ସ୍ୱାଧୀନତା କ୍ଷୁର୍ଣ୍ଣ କରାଗଲା ଏବଂ ବିରୋଧୀ ଦଳ ନେତାଙ୍କୁ ଜେଲରେ ଭର୍ତ୍ତି କରାଗଲା ।
ଏହି ଜରୁରୀକାଳୀନ ପରିସ୍ଥିତିରେ ଇନ୍ଦିରା ଗାନ୍ଧୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା। ସେ ଏହାକୁ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ଏହାକୁ ଯୁକ୍ତିଯୁକ୍ତ କରିବା ପାଇଁ ଅନେକ ଯୁକ୍ତି ଉପସ୍ଥାପନ କରିଥିଲେ। ଦେଶରେ ଆଭ୍ୟନ୍ତରୀଣ ଅଶାନ୍ତି ଓ ଅସ୍ଥିରତାକୁ ରୋକିବା ପାଇଁ ଏହି ପଦକ୍ଷେପ ଜରୁରୀ ବୋଲି ସେ ଦାବି କରିଥିଲେ। କିନ୍ତୁ ସମାଲୋଚକମାନେ ବିଶ୍ୱାସ କରନ୍ତି ଯେ ତାଙ୍କ ରାଜନୈତିକ ବିରୋଧୀଙ୍କୁ ଦମନ କରିବା ଏବଂ ତାଙ୍କ କ୍ଷମତା ବଜାୟ ରଖିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନିଆଯାଇଥିଲା।
ଯେତେବେଳେ ଇନ୍ଦିରା ହୋଇଗଲେ ଇଣ୍ଡିଆ!
ଏହି ସମୟରେ କଂଗ୍ରେସ ଦଳ ସମ୍ବିଧାନକୁ ମଧ୍ୟ ଦୁର୍ବଳ କରିଛି। ଅନେକ ସାମ୍ବିଧାନିକ ସଂଶୋଧନ କରାଯାଇଥିଲା, ଯାହା ପ୍ରଧାନମନ୍ତ୍ରୀ ଏବଂ ସରକାରଙ୍କ କ୍ଷମତାକୁ ବୃଦ୍ଧି କରିଥିଲା। ନ୍ୟାୟପାଳିକାର ସ୍ୱାଧୀନତା ମଧ୍ୟ ସୀମିତ ଥିଲା, ଯାହା ଫଳରେ ସରକାରଙ୍କ ବିରୋଧରେ ଆଇନଗତ ଚ୍ୟାଲେଞ୍ଜକୁ ରୋକିବା କଷ୍ଟକର ହୋଇପଡିଥିଲା। ଏପରିକି ସୁପ୍ରିମକୋର୍ଟର ଜଷ୍ଟିସ ଖାନ୍ନାଙ୍କ ପଦୋନ୍ନତି ଫାଇଲରେ ଇନ୍ଦିରା ଏଇଥିପାଇଁ ସ୍ୱାକ୍ଷର କରିନଥିଲେ ଯେ, ସରକାରଙ୍କ ଲାଇନରୁ ବାହାରକୁ ଯାଇଥିଲେ। ଜରୁରୀକାଳୀନ ପରିସ୍ଥିତି ସମୟରେ ନାଗରିକଙ୍କ ମୌଳିକ ଅଧିକାର ଅକ୍ଷୁର୍ଣ୍ଣ ରହିବ କି ନାହିଁ,ଏନେଇ ସୁପ୍ରିମକୋର୍ଟର ୫ ଜଣିଆ ଖଣ୍ଡପୀଠ ରାୟ ଦେଇଥିଲେ। ୪ଜଣ ଜଷ୍ଟିସ ଜରୁରୀକାଳୀନ ପରିସ୍ଥିତି ସମୟରେ ନାଗରିକଙ୍କ ମୌଳିକ ଅଧିକାର ରଦ୍ଦ ହେବ ବୋଲି ରାୟ ଦେଇଥିଲେ। ଅନ୍ୟପକ୍ଷରେ ଜଷ୍ଟିସ ଖାନ୍ନା ଏହା ବିରୋଧରେ ମତ ଦେଇଥିଲେ। ଯାହା ଇନ୍ଦିରାଙ୍କୁ ଖୁସୀ କରିନଥିଲା। ତେଣୁ ଜଷ୍ଟିସ ଖାନ୍ନାଙ୍କ ସ୍ଥାନରେ ଜଣେ କନିଷ୍ଠ ବିଚାରପତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ହୋଇଥିଲେ। ପ୍ରତିବାଦରେ ଜଷ୍ଟିସ ଖାନ୍ନା ଇସ୍ତଫା ଦେଇଥିଲେ। ଏହି ଘଟଣା କଥା ରାହୁଲଙ୍କୁ ସଂସଦରେ ମନେପକାଇ ଦେଇଛନ୍ତି ଖୋଦ ପ୍ରଧାନମନ୍ତ୍ରୀ ମୋଦୀ।
ଜରୁରୀକାଳୀନ ପରିସ୍ଥିତି ଶେଷ ହେବା ପରେ୧୯୭୭ରେ ହୋଇଥିବା ନିର୍ବାଚନରେ କଂଗ୍ରେସ ପାର୍ଟିକୁ ପ୍ରବଳ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା ଏବଂ ଜନତା ପାର୍ଟି କ୍ଷମତାକୁ ଆସିଥିଲା। ଏହି ଘଟଣା ଭାରତୀୟ ଗଣତନ୍ତ୍ରକୁ ସୁଦୃଢ଼ କରିବା ସହ ଭବିଷ୍ୟତରେ ଯେପରି ଆଉ ଏଭଳି ପରିସ୍ଥିତି ସୃଷ୍ଟି ନ ହୁଏ ତାହା ସୁନିଶ୍ଚିତ କରିଥିଲା।
ସମ୍ବିଧାନ ସଂଶୋଧନ ଓ କଂଗ୍ରେସ
ଜରୁରୀକାଳୀନ ପରିସ୍ଥିତି ଭାରତୀୟ ସମାଜ ଏବଂ ରାଜନୀତି ଉପରେ ଗଭୀର ପ୍ରଭାବ ପକାଇଥିଲା ଏବଂ ଏକ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ଭାବରେ ସ୍ମରଣୀୟ।
ଜରୁରୀକାଳୀନ ପରିସ୍ଥିତି ସମୟରେ କଂଗ୍ରେସ ଅନେକ ସାମ୍ବିଧାନିକ ସଂଶୋଧନ କରିଥିଲା, ସେଥିମଧ୍ୟରୁ କେତେକ ମୁଖ୍ୟ ସଂଶୋଧନ ନିମ୍ନଲିଖିତ:
- ୩୮ତମସମ୍ବିଧାନ ସଂଶୋଧନ (୧୯୭୫)
- ଏହି ସଂଶୋଧନ ଜାତୀୟ ଜରୁରୀକାଳୀନ ପରିସ୍ଥିତି ଘୋଷଣାକୁ ନ୍ୟାୟିକ ସମୀକ୍ଷାରୁ ମୁକ୍ତ କରିଥିଲା।
- ୩୯ତମସମ୍ବିଧାନ ସଂଶୋଧନ (୧୯୭୫)
- ଏହି ସଂଶୋଧନ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ନିର୍ବାଚନକୁ ନ୍ୟାୟିକ ସମୀକ୍ଷାରୁ ବାଦ୍ ଦେଇଥିଲା।
- ୪୨ତମସମ୍ବିଧାନ ସଂଶୋଧନ (୧୯୭୬)
ଏହି ସଂଶୋଧନ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଥିଲା ଏବଂ ଏହାକୁ “ମିନି ସମ୍ବିଧାନ” ମଧ୍ୟ କୁହାଯାଏ । ଏଥିରେ ସମ୍ବିଧାନର ଅନେକ ଗୁରୁତ୍ୱପୂର୍ଣ୍ଣ ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇଛି, ଯେପରିକି:
- ସଂସଦ ଓ ବିଧାନସଭାର କାର୍ଯ୍ୟକାଳ ୫ରୁ ୬ ବର୍ଷକୁ ବୃଦ୍ଧି।
- ନ୍ୟାୟପାଳିକାର ସ୍ୱାଧୀନତାକୁ ସୀମିତ କରିବା ସହ ସରକାରଙ୍କ କ୍ଷମତା ବୃଦ୍ଧି।
- ମୌଳିକ ଅଧିକାରକୁ ସ୍ଥଗିତ ରଖିବାର କ୍ଷମତା ବୃଦ୍ଧି।
ଏହି ସଂଶୋଧନ ଜରୁରୀକାଳୀନ ପରିସ୍ଥିତି ସମୟରେ ସରକାରଙ୍କ କ୍ଷମତା ବୃଦ୍ଧି କରିଥିଲା ଏବଂ ସୀମିତ ନାଗରିକ ଅଧିକାର, ଯାହା ଭାରତୀୟ ଗଣତନ୍ତ୍ର ଉପରେ ଗଭୀର ପ୍ରଭାବ ପକାଇଥିଲା।
ଗଣମାଧ୍ୟମକୁ ଗୋଡ଼ାଣିଆ କରିବାକୁ ହୋଇଥିଲା ଉଦ୍ୟମ
ଜରୁରୀକାଳୀନ ପରିସ୍ଥିତି (୧୯୭୫-୭୭) ସମୟରେ ଭାରତରେ ପ୍ରେସ୍ ଉପରେ କଠୋର ପ୍ରତିବନ୍ଧକ ଏବଂ ସେନ୍ସରସିପ୍ ଲାଗୁ ହୋଇଥିଲା। ଏଠାରେ କିଛି ଗୁରୁତ୍ୱପୂର୍ଣ୍ଣ ବିବରଣୀ ଦିଆଯାଇଛି:-
ପ୍ରେସ ସେନ୍ସରସିପ୍
ସରକାର ଗଣମାଧ୍ୟମ ଉପରେ କଡ଼ା ସେନ୍ସରସିପ୍ ଲଗାଇଥିଲେ। ଖବରକାଗଜ ଓ ପତ୍ରିକାଗୁଡ଼ିକ କୌଣସି ବିଷୟବସ୍ତୁ ପ୍ରକାଶ କରିବା ପୂର୍ବରୁ ମୁଖ୍ୟ ପ୍ରେସ୍ ପରାମର୍ଶଦାତାଙ୍କ ଅନୁମୋଦନ ନେବା ଆବଶ୍ୟକ ଥିଲା। ଏହା ମଧ୍ୟ ସେଲ୍ଫ ସେନ୍ସରସିପ୍ର କାରଣ ହୋଇଥିଲା, ଯେଉଁଠାରେ ଗଣମାଧ୍ୟମ ସଂସ୍ଥାମାନେ ନିଜେ ସରକାରଙ୍କ ବିରୁଦ୍ଧରେ କିମ୍ବା ବିପଜ୍ଜନକ ଖବରକୁ ଦମନ କରୁଥିଲେ।
ଚଢ଼ାଉ ଓ ଗିରଫଦାରୀ
ଅନେକ ଖବରକାଗଜର ପ୍ରିଣ୍ଟିଂ ପ୍ରେସରେ ଚଢ଼ାଉ କରାଯାଇ ଅନେକ ସାମ୍ବାଦିକଙ୍କୁ ଗିରଫ କରାଯାଇଥିଲା। ଜରୁରୀକାଳୀନ ପରିସ୍ଥିତି ସମୟରେ ଇଣ୍ଡିଆନ୍ ଏକ୍ସପ୍ରେସ୍ ଏବଂ ଦ ଷ୍ଟେଟସ୍ମ୍ୟାନ୍ ଭଳି ପ୍ରମୁଖ ପ୍ରକାଶନ ସରକାରଙ୍କ କ୍ରୋଧର ସମ୍ମୁଖୀନ ହୋଇଥିଲେ। ଇନ୍ଦିରା ଗାନ୍ଧିଙ୍କ ସରକାରଙ୍କ କଠୋର ନିୟମ ଅନୁଯାୟୀ ସାମ୍ବାଦିକ, ବିରୋଧୀ ଦଳ ନେତା ଓ କର୍ମୀଙ୍କୁ ଜେଲରେ ଭର୍ତ୍ତି କରାଯାଇଥିଲା।
ଅସନ୍ତୋଷକୁ ଦମନ କରିବା
ଜାତୀୟନିରାପତ୍ତା କିମ୍ବା ସରକାରଙ୍କ ଭାବମୂର୍ତ୍ତିକୁ କ୍ଷତି ପହଞ୍ଚାଉଥିବା କୌଣସି କଥା ପ୍ରକାଶ ନ କରିବାକୁ ସରକାର ସାମ୍ବାଦିକମାନଙ୍କ ପାଇଁ ମାର୍ଗଦର୍ଶିକା ଜାରି କରାଯାଇଥିଲା। ଏହା ଗଣମାଧ୍ୟମର ସ୍ୱାଧୀନତାକୁ ଯଥେଷ୍ଟ ହ୍ରାସ କରିଥିଲା ଏବଂ ଅସନ୍ତୁଷ୍ଟ ସ୍ୱରକୁ ଦମନ କରିଥିଲା।
ବିଦେଶୀ ଗଣମାଧ୍ୟମ
ଘରୋଇ ଗଣମାଧ୍ୟମ ଉପରେ କଡ଼ା ସେନ୍ସରସିପ୍ ଥିବାବେଳେ ବିଦେଶୀ ଗଣମାଧ୍ୟମ ଭାରତର ସ୍ଥିତିକୁ ରିପୋର୍ଟ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ସାମ୍ବିଧାନିକ ଅଧିକାରକୁ ସ୍ଥଗିତ ରଖିବା ଏବଂ ସରକାରଙ୍କ ଦ୍ୱାରା ନିଆଯାଇଥିବା ଏକଛତ୍ରବାଦୀ ପଦକ୍ଷେପକୁ ବିଦେଶୀ ଗଣମାଧ୍ୟମ ଦୁନିଆ ଆଗରେ ରଖିଥିଲା।
ଜରୁରୀକାଳୀନ ପରିସ୍ଥିତି ସମୟରେ ଗଣମାଧ୍ୟମର ନିୟନ୍ତ୍ରଣ ଭାରତୀୟ ଗଣତନ୍ତ୍ର ପାଇଁ ଏକ କଳା ଅଧ୍ୟାୟ ଥିଲା, କାରଣ ଏହା ଅଭିବ୍ୟକ୍ତିର ସ୍ୱାଧୀନତା ଏବଂ ଗଣମାଧ୍ୟମର ଭୂମିକାକୁ ଗୁରୁତର ଭାବରେ ପ୍ରଭାବିତ କରିଥିଲା ।
ବଲିଉଡ୍ ବି ବାଦ ପଡ଼ିନଥିଲା
ସ୍ୱାଧିନ ଅଭିବ୍ୟକ୍ତି କଥା କହୁଥିବା ରାହୁଲଙ୍କ ଜେଜିମା’ଙ୍କ ଶାସନ କାଳରେ ବଲିଉଡ୍କୁ ମଧ୍ୟ ନିଜ ଅକ୍ତିଆରରେ ରଖିବାକୁ ଉଦ୍ୟମ ହୋଇଥିଲା। କିଶୋର କୁମାରଙ୍କ ଗୀତ ବିବିଧ ଭାରତୀରେ ବାଜିବା ବନ୍ଦ ହୋଇଯାଇଥିଲା। କାରଣ କିଶୋର ଜରୁରୀକାଳୀନ ପରିସ୍ଥିତି ସମର୍ଥନରେ ବାହାରି ନ ଥିଲେ। ସୂଚନା ପ୍ରସାରଣ ମନ୍ତ୍ରୀ ବିଦ୍ୟାଚରଣ ଶୁକ୍ଲା ସେ ସମୟରେ ବଲିଉଡ୍କୁ ଦମନ କରିବା ପାଇଁ ଯାହା କିଛି କରିଥିଲେ ତାହା ଇତିହାସ ପାଲଟି ଯାଇଛି।
ଏବେ ରାହୁଲ ଯେତେବେଳେ ସମ୍ବିଧାନ କଥା ଉଠାଉଛନ୍ତି, ସମ୍ବିଧାନ ଅସୁରକ୍ଷିତ ବୋଲି ଯେତେବେଳେ କହୁଛନ୍ତି ସେତେବେଳେ ପୁରୁଣା କଥା ବି ବାହାରକୁ ଆସିବ। ଅତିତର ପୋଷ୍ଟମର୍ଟମ ବି ହେବ। ଆଉ ରାହୁଲ ଓ ଗାନ୍ଧି ପରିବାର ଅଠାକାଠିରେ ପଡ଼ିବା ସୁନିଶ୍ଚିତ।