ବିହାର ନିର୍ବାଚନ ପୂର୍ବରୁ ନିର୍ବାଚନ କମିଶନ ଭୂତ ଭୋଟରଙ୍କୁ ହଟାଇବା ତଥା ଭୋଟର ତାଲିକାରେ ଅସ୍ତିତ୍ୱ ଥିବା ବ୍ୟକ୍ତିଙ୍କୁ ହିଁ ତାଲିକାଭୁକ୍ତ କରିବା ନିମନ୍ତେ ସଘନ ଭୋଟର ତାଲିକା ସଂଶୋଧନ ବ୍ୟବସ୍ଥା ଲାଗୁ କରିଛନ୍ତି। ଏହା ସଂକ୍ଷେପରେ ଏସ୍ଆଇଆର୍ ବା ସାର୍ ନାମରେ ପରିଚିତ ହୋଇଛି। ଏହି ଏସ୍ଆଇଆର୍କୁ ବିରୋଧ କରି ଗଲା ୧୩ ଦିନ ହେଲା ସଂସଦର ମୌସୁମୀ ଅଧିବେଶନରେ ଅଚଳାବସ୍ଥା ସୃଷ୍ଟି କରିଛି କଂଗ୍ରେସ। ଏନେଇ ମାମଲା ସୁପ୍ରିମକୋର୍ଟ ବିଚାରାଧୀନ ଥିବାବେଳେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଏ ବିଷୟରେ ଆଲୋଚନା କରିବାକୁ ଅଡ଼ି ବସିଛନ୍ତି। ଗୃହରେ ଅଚଳାବସ୍ଥା ଜାରି ରହିଥିବାବେଳେ ରାହୁଲ ଗାନ୍ଧି କର୍ଣ୍ଣାଟକର ଏକ ଲୋକସଭା ନିର୍ବାଚନମଣ୍ଡଳିରେ ଥିବା ଭୋଟର ତାଲିକା ତ୍ରୁଟିକୁ ସାମ୍ନାକୁ ଆଣିଛନ୍ତି। ଏହାକୁ ଆଣବିକ ବୋମା ବୋଲି ସେ ଅଭିହିତ କରିଛନ୍ତି। କିନ୍ତୁ ବାସ୍ତବରେ ରାହୁଲଙ୍କୁ ଦୁଇ ପରସ୍ପର ବିରୋଧୀ ଯୁକ୍ତି ତାଙ୍କୁ ଆଉଥରେ ବୋକା ପ୍ରମାଣିତ କରିବାକୁ ପ୍ରୟାସ କରୁଛି ବୋଲି ଚର୍ଚ୍ଚା ହେଉଛି।
ଦେଶରେ ନିର୍ବାଚନ ପ୍ରକ୍ରିୟାକୁ ନେଇ ପୁଣିଥରେ ପ୍ରଶ୍ନ ଉଠିଛନ୍ତି ରାହୁଲ ଗାନ୍ଧି। ଏହା ବିହାରରେ ଚାଲିଥିବା ସଘନ ଭୋଟର ତାଲିକା ସଂଶୋଧନ ପ୍ରସଙ୍ଗ ନୁହେଁ ବରଂ କର୍ଣ୍ଣାଟକରେ ଭୋଟର ତାଲିକାରେ ରହିଥିବା ବିଶାଳ ତ୍ରୁଟିକୁ ଭିତ୍ତି କରିଛି। ଏହି ତ୍ରୁଟିକୁ ଭୋଟ ଚୋରି ବୋଲି କହିଛନ୍ତି ରାହୁଲ ଗାନ୍ଧି। ଭାରତର ନିର୍ବାଚନ ପ୍ରକ୍ରିୟା ଉପରେ ଏହା ଏକ ଆଟମ ବମ୍ ବା ପରମାଣୁ ବୋମା ଆକ୍ରମଣ ବୋଲି ସେ ଅଭିହିତ କରିଛନ୍ତି। ନିର୍ବରଚନ କମିଶନ ମଧ୍ୟ ଏହାକୁ ବଡ଼ ଗମ୍ଭୀର ସହ ନେଇଛନ୍ତି ଏବଂ ଏହି ଯୁକ୍ତିକୁ ସମ୍ପୂର୍ଣ୍ଣ ଖାରଜ କରିବା ସହ ରାହୁଲ ଗାନ୍ଧି ଜନସାଧାରଣଙ୍କୁ ବିଭ୍ରାନ୍ତ କରୁଛନ୍ତି ବୋଲି ସ୍ପଷ୍ଟ କରିଛନ୍ତି। ଯଦି ରାହୁଲଙ୍କ ପାଖରେ ଠୋସ୍ ପ୍ରମାଣ ରହିଛି ତେବେ ତାହାକୁ ସତ୍ୟପାଠ ମାଧ୍ୟମରେ ଦାଖଲ କରିବାକୁ କର୍ଣ୍ଣାଟକ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି।
ଏହା ପୂର୍ବରୁ ମଧ୍ୟ ରାହୁଲ ଗାନ୍ଧି ଓ କଂଗ୍ରେସ ପାର୍ଟି ନିର୍ବାଚନ କମିଶନଙ୍କୁ ଟାର୍ଗେଟ କରି ଅନେକ ମନ୍ତବ୍ୟ ଦେଇଛନ୍ତି ଓ ଅଭିଯାନ ଚଳାଇଛନ୍ତି। ଆଜି ମଧ୍ୟ କର୍ଣ୍ଣାଟକରେ ଏହି ଭୋଟ ଚୋରି ପ୍ରସଙ୍ଗକୁ ନେଇ ଶୋଭାଯାତ୍ରା ଓ ପ୍ରଦର୍ଶନର ଆୟୋଜନ କରାଯାଇଛି। କିନ୍ତୁ ରାହୁଲଙ୍କ ଏହି ଅଭିଯୋଗ ନିର୍ବାଚନ କମିଶନଙ୍କ ପାଇଁ ଏକ ସମ୍ପତ୍ତି ହୋଇଛି। ପରୋକ୍ଷରେ କହିଲେ ରାହୁଲ ଗାନ୍ଧି ନିଜକୁ ନିଜେ ବୋକା ବୋଲି ପ୍ରମାଣିତ କରୁଥିବା ଅଭିଯୋଗ ହୋଇଛି। ଏହି ଯୁକ୍ତିକୁ ଯିବା ପୂର୍ବରୁ ଆସନ୍ତୁ ପ୍ରଥମେ ନଜର ପକାଇବା ରାହୁଲ ଗାନ୍ଧୀଙ୍କ ଭୋଟ ଚୋରୀ ଅଭିଯୋଗ କ’ଣ?
ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ୨୦୨୪ ଲୋକସଭା ନିର୍ବାଚନରେ ବ୍ୟାପକ ଭୋଟ ଚୋରୀ ହୋଇଥିବା ଅଭିଯୋଗ କରିଛନ୍ତି। ସେ ବିଶେଷ କରି କର୍ଣ୍ଣାଟକର ବେଙ୍ଗାଲୁରୁ ସେଣ୍ଟ୍ରାଲ ଲୋକସଭା ନିର୍ବାଚନମଣ୍ଡଳିର ମହାଦେବପୁରା ବିଧାନସଭା ଖଣ୍ଡରେ ଏହି ଅନିୟମିତତାକୁ ଉଦାହରଣଭାବେ ଉପସ୍ଥାପନ କରିଛନ୍ତି। ସେ ନିର୍ବାଚନ ଆୟୋଗ ଓ ବିଜେପି ମିଳିମିଶି ଏହିପରି ଭୋଟର ତାଲିକାରେ ହେରଫେର କରିଥିବା ଅଭିଯୋଗ କରିଛନ୍ତି, ଯାହାକୁ ସେ ଏକ “ବୃହତ ଅପରାଧିକ ଠକେଇ” ବୋଲି ଅଭିହିତ କରିଛନ୍ତି। ଏହି ଅନିୟମିତତାର ପ୍ରମାଣକୁ ସେ “ଆଟମ ବମ” ବୋଲି କହିବା ସହ ଏହା ବ୍ୟବସ୍ଥାଗତ ନିର୍ବାଚନୀ ଦୁର୍ନୀତିର ଉନ୍ମୋଚନ ବୋଲି କହିଛନ୍ତି ରାହୁଲ।
ସଂକ୍ଷେପରେ କହିଲେ ରାହୁଲଙ୍କ ମୁଖ୍ୟ ଅଭିଯୋଗ ହେଲା, କର୍ଣ୍ଣାଟକର ମହାଦେବପୁରା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭୋଟ ଠକେଇ କରାଯାଇଛି। ପ୍ରାୟ ୧ଲକ୍ଷରୁ ଅଧିକ ଭୋଟ ଏହିକ୍ରମରେ ୨୦୨୪ ନିର୍ବାଚନ ପୂର୍ବରୁ ଯୋଡ଼ା ଯାଇଥିଲା, ଯାହା ବିଜେପିର ବିଜୟରେ ସହାୟକ ହୋଇଥିଲା।
ସେ ଏହି ପ୍ରକାର ଦୁର୍ନୀତି ତଥା ହେରଫେରର ୫ଟି ପ୍ରକ୍ରିୟାକୁ ଏଠାରେ ଗୁରୁତ୍ୱ ଦେଇଛନ୍ତି। ପ୍ରଥମେ ହେଲା ନକଲି ଭୋଟର। ଏହି ସମୟରେ ୧୧,୯୬୫ ଭୋଟରଙ୍କ ନାମ ଏକାଧିକ ଥର ପଞ୍ଜିକୃତ ହୋଇଥିବା ସେ କହିଛନ୍ତି।
ଦ୍ୱିତୀୟରେ ନକଲି ଓ ଅବୈଧ ଠିକଣା। ୪୦,୦୦୯ ଭୋଟର ଅସ୍ତିତ୍ୱହୀନ ବା ଭୁଲ ଠିକଣାରେ ନାମ ଲେଖାଇଛନ୍ତି, ଯେପରି ଗୋଟିଏ ବଖରା ଘରେ ୮୦ ଜଣ ଭୋଟର କିମ୍ବା ଏକ ବ୍ରିଓ୍ୱେରୀରେ ୬୮ ଜଣ ଭୋଟର ଥିବା ସେ କହିଛନ୍ତି।
ତୃତୀୟରେ ଗୋଟିଏ ଠିକଣାରେ ଅନେକ ଭୋଟରଙ୍କ ପଞ୍ଜିକରଣ। ସେ କହିଛନ୍ତି ୧୦,୪୫୨ ଭୋଟର ଗୋଟିଏ ନିର୍ଦ୍ଦିଷ୍ଟ ଠିକଣାରେ ପଞ୍ଜିକୃତ ହୋଇଛନ୍ତି। ଏହା ଭ୍ରୁକୁଞ୍ଚନ କରିବା ସ୍ୱଭାବିକ।
ଚତୁର୍ଥରେ ଅବୈଧ ଫଟୋ ଲାଗିଛି ଭୋଟରଙ୍କ ନାଁ ଆଗରେ। ସେ କହିଛନ୍ତି ଯେ ଯାଞ୍ଚ ରେକର୍ଡରେ ଏମିତି ୪,୧୩୨ ଭୋଟରଙ୍କର ଫଟୋ ନ ଥିବା ଭୁଲ ଫଟୋ ରହିଥିବା ସ୍ପଷ୍ଟ ହୋଇଛି।
ପଞ୍ଚମରେ ଫର୍ମ ୬ର ଅପବ୍ୟବହାର ହୋଇଥିବା କହିଛନ୍ତି ରାହୁଲ ଗାନ୍ଧୀ। ୩୩,୬୯୨ ଥର ଫର୍ମ ୬, ଯାହା ନୂଆ ଭୋଟର ନାମ ଲେଖାଇବା ପାଇଁ ବ୍ୟବହୃତ ହୁଏ, ତାହାକୁ ନକଲି ଭୋଟର ଯୋଡ଼ିବା ପାଇଁ ବ୍ୟବହାର କରାଯାଇଥିବା ସେ କହିଛନ୍ତି। ଯେପରି ଜଣେ ୭୦ ବର୍ଷୀୟା ମହିଳାଙ୍କୁ ଦୁଇଥର ନୂଆ ଭୋଟର ଭାବେ ପଞ୍ଜିକୃତ କରାଯାଇଥିବା ସେ ଲକ୍ଷ୍ୟ କରିଛନ୍ତି।
ରାହୁଲ କହିଛନ୍ତି, ଏହି ହେରଫେର କେବଳ କର୍ଣ୍ଣାଟକରେ ସୀମିତ ନୁହେଁ, ମହାରାଷ୍ଟ୍ର ଓ ହରିୟାଣା ପରି ରାଜ୍ୟମାନଙ୍କରେ ମଧ୍ୟ ହେଉଛି, ଯାହା ନିର୍ବାଚନର ନିରପେକ୍ଷତାକୁ ପ୍ରଭାବିତ କରୁଛି। ସେ ଭୋଟର ସଂଖ୍ୟାରେ ଅସଙ୍ଗତି ଓ ବୃହତ ସଂଖ୍ୟାରେ ନୂଆ ଭୋଟର ଯୋଡ଼ାଯିବାକୁ ପ୍ରମାଣଭାବେ ଉଲ୍ଲେଖ କରିଛନ୍ତି। ସେ ନିର୍ବାଚନ ଆୟୋଗକୁ ମେସିନ ପଠନୀୟ ଭୋଟର ତାଲିକା ଓ ସିସିଟିଭି ଫୁଟେଜ ନ ଦେବା ପାଇଁ ସମାଲୋଚନା କରିଛନ୍ତି, ଯାହା ତାଙ୍କର ଯାଞ୍ଚ ପ୍ରକ୍ରିୟାକୁ ବାଧା ସୃଷ୍ଟି କରିଥିବା କହିଛନ୍ତି। ଏହା ନିର୍ବାରଚନ ଆୟୋଗର ସହଯୋଗ ବୋଲି ସେ ବର୍ଣ୍ଣନା କରିଛନ୍ତି।
ବାସ୍ତବରେ ଦେଖିବାକୁ ଗଲେ କମ୍ପ୍ୟୁଟରାଇଜ୍ ଡେଟା ବା ସଫ୍ଟ କପି ନ ମିଳିଲେ ଅନୁଶୀଳନ କରିବା ଏକ କଷ୍ଟକର ତଥା ଲମ୍ବା ପ୍ରକ୍ରିୟା ହେବ। ଏପରିକି ଗୋଟିଏ ବିଧାନସଭାମଣ୍ଡଳିର ତଥ୍ୟ ଅନୁଶୀଳନ ପାଇଁ ତାଙ୍କୁ ୬ ମାସ ଲାଗିଥିବା କୁହାଯାଇଛି।
ଏହା ପୂର୍ବରୁ ନିର୍ବାଚନ କମିଶନଙ୍କ ଆଗରେ ନିର୍ବାଚନ ପରେ ଭୋଟ ଅସଙ୍ଗତିକୁ ନେଇ ରାହୁଲ ଅଭିଯୋଗ ଆଣିଥିଲେ। ଏପରିକି ନିର୍ବାଚନ ପରବର୍ତ୍ତୀ ସମୟରେ କଂଗ୍ରେସ ପକ୍ଷରୁ ସଭାପତି ମଲ୍ଲିକାର୍ଜନ ଖଡ଼ଗେ ନିର୍ବାଚନ ଆୟୁକ୍ତଙ୍କ ପାଖରେ ଦାଖଲ କରିଥିବା ଅଭିଯୋଗର ଏକ ସ୍ପଷ୍ଟ ବିବରଣୀ ମଧ୍ୟ ଆୟୋଗ ରଖିଥିଲେ। ଭାରତର ନିର୍ବାଚନ ପ୍ରକ୍ରିୟା ଅତ୍ୟନ୍ତ ସ୍ପଷ୍ଟ ଓ ସ୍ୱଚ୍ଛ ବୋଲି ନିର୍ବାଚନ ଆୟୁକ୍ତ କହିବା ସହ ଶ୍ରୀ ଖଡ଼ଗେଙ୍କୁ ସମାଲୋଚନା ବି କହିଥିଲେ। ଜଣେ ୫୨ ବର୍ଷର ଅଭିଜ୍ଞତା ସମ୍ପନ୍ନ ବ୍ୟକ୍ତି ଏହାକୁ ଭଲ ଭାବେ ଜାଣିବା ଆବଶ୍ୟକ ବୋଲି ସେ କହିଛନ୍ତି।
ନିର୍ବାଚନ ଆୟୁକ୍ତଙ୍କ ପକ୍ଷରୁ ନିର୍ବାଚନର ପ୍ରତିଟି ପର୍ଯ୍ୟାୟରେ ଭୋଟର ତାଲିକା ପ୍ରାର୍ଥୀ ଓ ତାଙ୍କୁ ପ୍ରଦାନ କରାଯିବା ସହ ତାଙ୍କ ପକ୍ଷରୁ ଅଭିଯୋଗ ଆହ୍ୱାନ କରାଯାଇଥାଏ। ସେହିପରି କଂଗ୍ରେସ ପକ୍ଷରୁ କର୍ଣ୍ଣାଟକ ନିର୍ବାଚନ ସମୟରେ ଅର୍ଥାତ୍ ୨୦୨୩ ମସିହାରେ ଭୋଟିଂ ପାଇଁ ନିୟୋଜିତ ହେବାକୁ ଥିବା ଇଭିଏମ୍ସବୁ ଦକ୍ଷିଣ ଆଫ୍ରିକାରୁ ଅଣାଯାଇଥିବା ଅଭିଯୋଗ ହୋଇଥିଲା।
କଂଗ୍ରେସ ମୁଖପାତ୍ର ରଣଦୀପ ସିଂହ ସୁର୍ଜେଓ୍ୱାଲା ଏହି ଅଭିଯୋଗ କରିଥିଲେ। ଇଭିଏମ୍ଗୁଡ଼ିକୁ ଦକ୍ଷିଣ ଆଫ୍ରିକାରୁ ଅଣାଯାଇ ସିଧାସଳଖ ବିନା କୌଣସି ପରୀକ୍ଷଣରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ବ୍ୟବହାର କରାଯାଇଥିବା ସେ ଗଣମାଧ୍ୟମରେ କହିଥିଲେ। ଏହାକୁ ନେଇ ସାରା ଦେଶରେ ଚହଳ ପଡ଼ିଥିଲା। ହେଲେ ନିର୍ବାଚନ କମିଶନ ଏହାକୁ ଅସତ୍ୟ ବୋଲି କହିବା ସହ ସମସ୍ତ ଇଭିଏମ୍ ଏବଂ ଭିଭିପାଟ ଇସିଆଇଙ୍କ ଦ୍ୱାରା ନିର୍ମାଣ ଓ ଯାଞ୍ଚ କରାଯାଇଥିବା କହିଥିଲେ।
ଭୋଟ ଜାଲିଆତି ଅଭିଯୋଗର ଉତ୍ତରରେ ନିର୍ବାଚନ ଆୟୁକ୍ତ ପ୍ରତିଟି ରାଜନୀତିକ ଦଳର ଏଜେଣ୍ଟଙ୍କୁ ବୁଥରେ ଥିବା ଇଭିଏମରେ କେତେ ଭୋଟ ପୁଲିଂ ହୋଇଛି ତାହା ଫର୍ମ ୧୭ ସି ଅନୁସାରେ ଜଣାଇ ଦିଆଯାଇଥାଏ। ଏହା ନିର୍ବାଚନ ପରିଚାଳନା ନିୟମ ୧୯୬୧ ଅନୁସାରେ କରାଯାଇଥାଏ ବୋଲି ଆୟୁକ୍ତ କହିଥିଲେ।
ଆୟୁକ୍ତଙ୍କ ଏହି ଉତ୍ତର କିଛିଦିନ ଶାନ୍ତ ରହିବା ପରେ ପୁଣିଥରେ ଜଣେ ବରିଷ୍ଠ ସାମ୍ବାଦିକ ଏହି ଅଭିଯୋଗକୁ ଉଠାଇଛନ୍ତି। ଏକ ବେସରକାରୀ ସୂତ୍ରକୁ ଆଧାର କରି ସାମ୍ବାଦିକ ପୂଣ୍ୟପ୍ରସୂନ ବାଜପାୟୀ ତାଙ୍କ ୟୁଟ୍ୟୁବ୍ ବ୍ଲଗରେ ଓଡ଼ିଶାରେ ବି ୪୨ ଲକ୍ଷ ଭୋଟ ଜାଲିଆତି ହୋଇଥିବା ଦର୍ଶାଇଛନ୍ତି। ଗତ ସପ୍ତାହରେ ଅପଲୋଡ ହୋଇଥିବା ଏହି ଭିଡିଓର ଶୀର୍ଷକ ରହିଛି ମୋଦୀ କ୍ରାଇସିସ୍। ଏଥିରେ ସେ କହିଛନ୍ତି ଯେ ଓଡ଼ିଶାର ୨୧ଟି ଲୋକସଭା ଆସନରେ ୨ ଲକ୍ଷ ଲେଖାଏଁ ଜାଲି ଭୋଟ୍ ସଂଯୋଗ କରାଯାଇଛି। ଏହି ଦୁଇଲକ୍ଷ ଭୋଟ ବିଜେପି ପ୍ରାର୍ଥୀଙ୍କୁ ସ୍ୱଚ୍ଛ ବିଜୟ ଦେଇଥିବା ସେ କହିଛନ୍ତି। ଏହା ଦେଶର ପ୍ରାୟ ସମସ୍ତ ସ୍ଥାନରେ ହୋଇଛି। ଆଉ ସେଥିଲାଗି କଂଗ୍ରେସ ନିର୍ବାଚନ ରାଜନୀତିରୁ ହଟିଯାଇଥିବା କହିଛନ୍ତି ପୂଣ୍ୟପ୍ରସୂନ।
ପୂଣ୍ୟପ୍ରସୂନଙ୍କ ଏହି ଯୁକ୍ତିରେ କୌଣସି ସତ୍ୟତା ଥିଲା ଭଳି ମନେ ହୁଏ ନାହିଁ। କାରଣ ନିର୍ବାଚନ ସମୟରେ ରାଜ୍ୟରେ ବିଜେପି ସରକାର ନ ଥିଲା। ବିଜେଡି କ୍ଷମତା ଥିବାବେଳେ ଭୋଟର ତାଲିକା ପ୍ରସ୍ତୁତ ହୋଇଥିଲା। ତେଣୁ ବିଜେପି ନୂଆ ଭୋଟର ଯୋଡି ନିର୍ବାଚନ ଜିତିଛି ବୋଲି କହିବା ସତ୍ୟର ଅପଳାପ ହେବ।
ନିର୍ବାଚନ କମିଶନ ହେଉଛନ୍ତି ଏକ ସାମ୍ବିଧାନିକ ସଂସ୍ଥା। ଆଉ ସମ୍ବିଧାନ ପ୍ରଣୀତ ବ୍ୟବସ୍ଥା ଓ ସଂସଦରେ ପାରିତ ଆଇନ ଅନୁସାରେ ଏହା କାର୍ଯ୍ୟ କରିଥାଏ। ଏହି ସଂସ୍ଥାର ନିୟମ କାର୍ଯ୍ୟାନ୍ୱୟନ ଉପରେ ପ୍ରଶ୍ନ ଉଠାଇବା ଆମର ବ୍ୟବସ୍ଥାଧୀନ ଅଧିକାର। କିନ୍ତୁ ପ୍ରଶ୍ନର ଉତ୍ତର ଓ ଯୁକ୍ତି ଉପସ୍ଥାପନ କରାଗଲା ପରେ ଭିନ୍ନ ଭିନ୍ନ ଉପାୟରେ ସମାନ ପ୍ରଶ୍ନକୁ ଅବତାରଣା କରାଯିବା କେବଳ ଏହି ସାମ୍ବିଧାନିକ ସଂସ୍ଥା ନୁହେଁ ବରଂ ସମୁଦାୟ ବ୍ୟବସ୍ଥାକୁ ଦୁର୍ବଳ କରିବା ପାଇଁ ଷଡ଼ଯନ୍ତ୍ର ଭାବେ ଗ୍ରହଣ କରାଯାଇପାରେ।
ସେହିପରି ନିର୍ବାଚନ ଆୟୋଗ ରାହୁଲ ଗାନ୍ଧୀଙ୍କ ଏହି ନୂତନ ଅଭିଯୋଗକୁ ମଧ୍ୟ “ଆଧାରହୀନ” ଓ “ଦାୟିତ୍ୱହୀନ” ବୋଲି ଖାରଜ କରିଛନ୍ତି। ତାଙ୍କୁ ଅଯୋଗ୍ୟ ଭୋଟରଙ୍କ ବିବରଣୀ ସହ ଶପଥପାଠ କରି ପ୍ରମାଣ ଦାଖଲ କରିବାକୁ କହିଛନ୍ତି। ଆୟୋଗ ଚେତାବନୀ ଦେଇଛି ଯେ ମିଛ ପ୍ରମାଣ ଦେବା ଭାରତୀୟ ନ୍ୟାୟ ସଂହିତାର ଧାରା ୨୨୭ ଓ ଜନ ପ୍ରତିନିଧିତ୍ୱ ଅଧିନିୟମ, ୧୯୫୦ର ଧାରା ୩୧ ଅନୁଯାୟୀ ଦଣ୍ଡନୀୟ। କର୍ଣ୍ଣାଟକର ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ଯେ ଭୋଟର ତାଲିକା ସ୍ୱଚ୍ଛତାର ସହ ପ୍ରସ୍ତୁତ ହୁଏ ଓ ଏହାକୁ କେବଳ ହାଇକୋର୍ଟରେ ନିର୍ବାଚନ ପିଟିସନ ମାଧ୍ୟମରେ ଚ୍ୟାଲେଞ୍ଜ କରାଯାଇପାରେ। ରାହୁଲ୍ ଏହି ଉପାୟକୁ କେତେଦୂର ଗ୍ରହଣ କରି ସାମ୍ବିଧାନିକ ବ୍ୟବସ୍ଥା ମାଧ୍ୟମରେ ଯୁକ୍ତି ଉପସ୍ଥାପନ କରିବେ ତାହା ତ କହିବା ମୁସ୍କିଲ କିନ୍ତୁ ଆଜି କର୍ଣ୍ଣାଟକାରେ ଏନେଇ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଯାଉଛି କଂଗ୍ରେସ। ପୁଣି ଲୋକସଭା ଓ ରାଜ୍ୟସଭାରେ ଏ ବିଷୟକୁ ନେଇ ଗୃହ ଅସ୍ୱଭାବିକ କରିବାକୁ ମଧ୍ୟ ଚିନ୍ତା କରାଯାଇଥିବା ସୂଚନା ମିଳିଛି।
ଏଠାରେ ଗୋଟିଏ ଜରୁରୀ ଅନୁଶୀଳନକୁ ଉପସ୍ଥାପନ କରାଯାଇପାରେ। ଦୀର୍ଘ ବର୍ଷ ହେଲା ଆମ ଭୋଟର ତାଲିକାରେ ସଂଶୋଧନ ପ୍ରକ୍ରିୟା ଏକ ଅଙ୍ଗ ହୋଇ ରହିଛି। ଏହିକ୍ରମରେ ବିହାର ନିର୍ବାଚନ ପୂର୍ବରୁ ସଘନ ସଂଶୋଧନ ଅଭିଯାନ ଆରମ୍ଭ ହୋଇଛି। ହେଲେ ଏହାକୁ ବିରୋଧ କରୁଛି କଂଗ୍ରେସ। ଅପରପକ୍ଷେ ଭୋଟର ତାଲିକାରେ ଥିବା ତ୍ରୁଟିକୁ ସାମ୍ନାକୁ ଆଣୁଛି। ଏହା ଦୁଇଟି ପରସ୍ପର ବିରୋଧୀ ଆଭିମୁଖ୍ୟ ନୁହେଁ କି? ପୁଣିଥରେ ନିଜକୁ ‘ପପ୍ପୁ’ ବୋଲି ପ୍ରମାଣିତ କରିବା ପାଇଁ ଏହା ଏକ ଭିତ୍ତିଭୂମି ପ୍ରସ୍ତୁତ କରୁନାହିଁକି?
Also readhttps://purvapaksa.com/who-is-the-next-vice-president/
sesadri Chari in the race for the next vice president ।। ପରବର୍ତ୍ତୀ ଉପରାଷ୍ଟ୍ରପତି ଦୌଡ଼ରେ ଶେଷାଦ୍ରୀ ଚାରି
