- ରାହୁଲ, ଜାଡ଼େଜାଙ୍କ ଅର୍ଦ୍ଧଶତକ
- ଅଷ୍ଟ୍ରେଲିଆ ପ୍ରଥମ ଇନିଂସ ୪୪୫
- ଭାରତ ପ୍ରଥମ ଇନିଂସ ୯/୨୫୨
ଘରୋଇ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଚାଲିଥିବା ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜର ତୃତୀୟ ମୁକାବିଲାରେ ଘରୋଇ ଦଳର ଆଧିପତ୍ୟ ଜାରି ରହିଛି। ଭାରତ ଫଲୋଅନ ଏଡ଼ାଇବାରେ ସଫଳ ହୋଇଥିଲେ ହେଁ ପରାଜୟ ଆଶଙ୍କା ଟଳି ନାହିଁ। ପ୍ରଥମ ଇନିଂସରେ ଭାରତ ୯ ୱିକେଟ ହରାଇ ୨୫୨ ରନ୍ ସଂଗ୍ରହ କରିଛି ଓ ଆଉ ୧୯୩ ରନ ପଛରେ ରହିଛି। ଯଶପ୍ରୀତ ବୁମରା ୧୦ ଓ ଆକାଶ ଦୀପ ୨୭ ରନ୍ କରି ଅପରାଜିତ ରହିଛନ୍ତି। ମ୍ୟାଚ୍ର ୪ ଦିନ ଶେଷ ହୋଇ ସାରିଛି ଓ ମାତ୍ର ଗୋଟିଏ ଦିନ ବାକି ରହିଛି। ଉଭୟ ଦଳ ନିକଟରେ ଆଉ ଗୋଟିଏ ଲେଖାଏଁ ଇନିଂସ ବାକି ରହିଛି। ପିଚ୍ର ଗୋଟିଏ ପାର୍ଶ୍ୱ ଅତିରିକ୍ତ ବାଉନ୍ସ ଯୋଗାଉ ଥିବାରୁ ବ୍ୟାଟିଂ କଷ୍ଟକର ମନେ ହେଉଛି।
ଭାରତ ଆଜି ଅସମାପ୍ତ ପ୍ରଥମ ଇନିଂସ ୪/୫୧ ରନ୍ରୁ ବ୍ୟାଟିଂ ଆରମ୍ଭ କରିଥିଲା। ପୂର୍ବ ଦିନରୁ ଅପରାଜିତ ଥିବା କେଏଲ ରାହୁଲ ଓ ରୋହିତ ଶର୍ମା ସତର୍କତାର ସହ ବ୍ୟାଟିଂ କରି ଆଉ ୨୩ ରନ୍ ଯୋଗ କରିଥିଲେ। ଦଳୀୟ ସ୍କୋର ୭୪ ବେଳେ ବ୍ୟକ୍ତିଗତ ୧୦ ରନ୍ କରି ରୋହିତ ଆଉଟ୍ ହୋଇଥିଲେ। ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ରବିନ୍ଦ୍ର ଜାଡ଼େଜା ଅପରାଜିତ ରାହୁଲଙ୍କ ସହ ମିଶି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ। ଉଭୟଙ୍କ ମଧ୍ୟରେ ୬୧ ରନର ବାଗିଦାରୀ ଗଢି ଉଠିଥିଲା। ଉଭୟ ଅର୍ଦ୍ଧ ଶତକ ଅର୍ଜନ କରିଥିଲେ।
ଦଳୀୟ ସ୍କୋର ୧୪୧ ବେଳେ ଯୋଡ଼ି ଭାଙ୍ଗିଥିଲେ ନାଥାନ ଲାୟନ। ବ୍ୟକ୍ତିଗତ ୮୪ ରନ କରି ରାହୁଲ ଆଉଟ ହୋଇଥିଲେ। ଜାଡ଼େଜା ହାର ମାନି ନଥିଲେ। ନୀତୀଶ କୁମାର ରେଡ୍ଡୀଙ୍କୁ ସାଥୀ କରି ଜାଡ଼େଜା ଆଉ ଏକ ଉପଯୋଗୀ ଭାଗିଦାରୀ ଗଠନ କରିଥିଲେ। ସପ୍ତମ ୱିକେଟରେ ୫୩ ରନ୍ ସଂଗୃହୀତ ହୋଇଥିଲା। ଦଳୀୟ ସ୍କୋର ୧୯୪ରେ ପହଞ୍ଚିଥିଲା। ୬୧ଟି ବଲ୍ ଖେଳି ୧୬ରନ କରିଥିବା ନୀତୀଶଙ୍କୁ ପ୍ୟାଟ୍ କମିନ୍ସ ଆଉଟ୍ କରିବା ପରେ ଭାରତର ଚିନ୍ତା ବଢି ଯାଇଥିଲା। ଫଲୋଅନ୍ ଏଡ଼ାଇବା ପାଇଁ ଆଉ ୫୨ ରନ୍ ଆବଶ୍ୟକ ହେଉଥିଲା। ହାତରେ ଥିଲା ମାତ୍ର ୩ଟି ୱିକେଟ। ପରେ ପରେ ମହମ୍ମଦ ସିରାଜ ୧ ରନ କରି ପାଭିଲିୟନ ଫେରିଥିଲେ। ଦୀର୍ଘ ସମୟ ଧରି ସତର୍କତାର ସହ ବ୍ୟାଟିଂ କରୁଥିବା ଜାଡ଼େଜାଙ୍କ ଧୈର୍ଯ୍ୟ ଭାଙ୍ଗିଥିଲା ଓ ସେ ୭୭ ରନ୍ କରି ଆଉଟ୍ ହୋଇଥିଲା।
ଫଲୋଅନଠୁ ଆଉ ୩୩ ରନ୍ ଦୂରରେ ଥିଲା ଭାରତ। ଶେଷ ୱିକେଟ ଭାବେ କ୍ରିଜରେ ଅପରାଜିତ ଥିଲା ବୁମରା ଓ ଆକାଶ ଦୀପ। ସୂର୍ଯ୍ୟାସ୍ତ ନିକଟତର ହୋଇଥିଲା। ଆଲୋକ କମିଥିଲା। ଫ୍ଲଡ ଲାଇଟ ଲାଗିଥିଲା। ଘରୋଇ ଦଳର ଦୁଇ ପେସ ବୋଲର ପ୍ୟାଟ କମିନ୍ସ ଓ ମିଚେଲ ଷ୍ଟାର୍କ ଘାତକ ବାଉନ୍ସର ମାରି ଚାଲିଥିଲେ। କିନ୍ତୁ ଦୁଇ ବ୍ୟାଟର ସାହସର ସହ ଉଭୟଙ୍କୁ ମୁକାବିଲା କରି ଫଲୋଅନ ଏଡ଼ାଇ ନେଇଥିଲେ। ଚୌକା ମାରି ଆକାଶଦୀପ ଫଲୋଅନ ଅତିକ୍ରମ କରାଇଥିଲେ ଓ ପର ବଲରେ କମିନ୍ସଙ୍କୁ ଏକ ବିଶାଳ ଛକା ମାରିଥିଲେ।
କମିନ୍ସଙ୍କ ଓଭର ଶେଷ ହେବାକୁ ଆଉ ଗୋଟିଏ ବଲ୍ ବାକି ଥିବା ବେଳେ ପଡ଼ିଆ ଅମ୍ପାୟାର ଷ୍ଟମ୍ପ ଘୋଷଣା କରିଥିଲେ। ଆସନ୍ତା କାଲି ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିଂସ ବ୍ୟାଟିଂ କରିବା ସହ ସହଳ ପାଳି ଘୋଷଣା କରି ଭାରତ ଆଗରେ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିବ।
PREVIOUS ARTICLE:https://purvapaksa.com/only-13-2-overs-were-possible-on-a-rain-hit-first-day-in-brisbane/