- ଆଡିଲେଡରେ ଘାତକ ସାଜିବ ଜୀବନ୍ତ ଘାସର ପିଚ
- ପିଚ୍ ଉପରେ ୩୬ ମିଲିମିଟର ଘାସ
- ସ୍ପିନର ପାଇବେ ଅତିରିକ୍ତ ବାଉନ୍ସ
ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଯାଉଥିବା ଦ୍ୱିତୀୟ ଟେଷ୍ଟ ପାଇଁ ଭାରତୀୟ ଦଳ ଜୋରଦାର ପ୍ରସ୍ତୁତି ଚଳାଇଛି । ୨୦୨୦/୨୧ ସିଜନର ପିଙ୍କ ବଲ୍ ମ୍ୟାଚ ଫଳାଫଳକୁ ଭୁଲି ନଥିବା ଭାରତୀୟ ଦଳ ସମସ୍ତ ତ୍ରୁଟିକୁ ସୁଧାରିବାରେ ବ୍ୟସ୍ତ ଥିବାବେଳେ ଆଡିଲେଡରେ ପିଚ୍ ଦଳ ପାଇଁ ସମସ୍ୟା ରୂପେ ଉଭା ହୋଇଛି । କ୍ୟୁରେଟର ପିଚ୍ ଉପରେ ସବୁଜ ଜୀବନ୍ତ ଘାସ ରଖିଛନ୍ତି । ୨ଦିନ ତଳେ ଏଠାରେ ବର୍ଷା ହୋଇଥିବାରୁ ପିଚରେ ମାତ୍ରାଧିକ ଆଦ୍ରତା ଭରି ରହିଛି । ଫଳରେ ବଲ ଦିନ ତମାମ ସୁଇଂ ଓ ବାଉନ୍ସ ହେବ ନିଶ୍ଚିତ। ଏପଟେଭାରତୀୟ ଦଳ ପିଙ୍କ୍ ବଲ୍ ସହ ଖାପ ଖୁଆଇବା ପାଇଁ ନୂଆ ପନ୍ଥା ଆପଣେଇଛି । ଦଳର ସବୁ ବ୍ୟାଟର ନିୟମିତ ଭାବେ ନୂଆ ବଲରେ ବ୍ୟାଟିଂ ଅଭ୍ୟାସ କରୁଛନ୍ତି।
- ପିଚରେ ୩୬ ମିଲିମିଟର ଘାସ
ପେସ୍ ବୋଲରଙ୍କୁ ସହାୟତା କରିବା ଭଳି ଏକ ପିଚ୍ ପ୍ରସ୍ତୁତ କରାଯାଇଥିବା କ୍ୟୁରେଟର ଡାମିଆନ ହଗ୍ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ପିଚରେ ୩୬ମିଲିମିଟର ଉଚ୍ଚର ଘାସ ଛଡ଼ା ଯାଇଛି । ଗତ ୨୦୨୦/୨୧ ସିରିଜ ବେଳେ ମଧ୍ୟ ପିଚରେ ସମାନ ପରିମାଣର ଘାସ ରଖାଯାଇଥିଲା । ଏଥର ଅସମୟରେ ବର୍ଷା ହୋଇଥିବାରୁ ପିଚ୍ ସବୁଜ ଘାସ ଗାଲିଚା ଭଳି ଅନୁଭବ ହେଉଛି । ଶୁକ୍ରବାର ଦିନ ମଧ୍ୟ ବର୍ଷା ଆଶଙ୍କା ରହିଛି । ବାକି ୪ଦିନ ପାଗ ଶୁଖିଲା ରହିବ । ଉପରେ ଘାସ ରହିଥିଲେହେଁ ତଳମାଟି ବେଶ୍ ଶକ୍ତ । ତେଣୁ ସ୍ପିନରମାନେ ମଧ୍ୟ ଏହି ପିଚରୁ ଅତିରିକ୍ତ ବାଉନ୍ସ ପାଇପାରିବେ। କ୍ରିଜ୍ରେ ଥରେ ଜମିଗଲେ ରନ୍ ସଂଗ୍ରହ ମଧ୍ୟ ସହଜ ହେବ।
- ନୂଆ ବଲରେ ରୋହିତଙ୍କୁ ବୋଲିଂ କଲେ ବୁମରା, ମୋର୍କେଲ
ଆଜି ଅଭ୍ୟାସ ଶିବିରରେ ରୋହିତ ଶର୍ମା ଓ ଯଶପ୍ରୀତ ବୁମରାଙ୍କ ମଧ୍ୟରେ କଡ଼ା ଚ୍ୟାଲେଞ୍ଜ ଦେଖିବାକୁ ମିଳିଥିଲା । ବୁମରା ନୂଆ ବଲରେ ରୋହିତଙ୍କୁ ବୋଲିଂ କରିଥିଲେ । ବେଶ୍ ଧୈର୍ଯ୍ୟର ସହ ରୋହିତ ବ୍ୟାଟିଂ କରୁଥିବା ଦେଖିବାକୁ ମିଳିଥିଲା । ଅଫ୍ ଷ୍ଟମ୍ପ ବାହାର ବଲରେ ସେ ବ୍ୟାଟ୍ ଲଗାଇ ନଥିଲେ । ବୋଲିଂ କୋଚ୍ ମର୍ନ ମୋର୍କେଲ ମଧ୍ୟ ରୋହିତଙ୍କୁ ନୂଆ ବଲରେ ବୋଲିଂ କରିଥିଲେ । ପରେ ଶୁଭମନ ଗିଲ୍ ମଧ୍ୟ ନୂଆ ବଲରେ ବୁମରାଙ୍କ ସାମ୍ନା କରିଥିଲେ ।
- ଅଧିକ ସୁଇଂ ହେବ ପିଙ୍କ୍ ବଲ୍
ପିଙ୍କ ବଲ୍ ସହ ଖାପ ଖୁଇବା ପାଇଁ ଭାରତୀୟ ଦଳ ଜୋରଦାର ପ୍ରୟାସ ଚଳାଇଛି । କୋକାବୁରା ପିଙ୍କ୍ ବଲ୍ ଅପେକ୍ଷାକୃତ ଅଧିକ କଠିନ ଓ ଏହା ଉପରେ ଲାଗିଥିବା ରଙ୍ଗ ମଧ୍ୟ ବହଳିଆ । ବଲରୁ ରଙ୍ଗ ଛାଡ଼ିବା କଷ୍ଟକର । ନାଲି ବଲ୍ ତୁଳନାରେ ପିଙ୍କ୍ ବଲ୍ ଅଧିକ ସୁଇଂ ଓ ବାଉନ୍ସ ହେଉଥିବା ଭାରତୀୟ ଦଳ ଅଭ୍ୟାସରୁ ଅନୁଭବ କରିସାରିଛି । ମାତ୍ର ଏଥିପ୍ରତି ଦଳ ଚିନ୍ତିତ ନଥିବା ଆଜି ସାମ୍ବାଦିକ ସମ୍ମିଳନୀ ଅବସରରେ କେ ଏଲ ରାହୁଲ ପ୍ରକାଶ କରିଛନ୍ତି । ରାହୁଲ ପ୍ରଥମ କରି ପିଙ୍କ ବଲ୍ ଟେଷ୍ଟ ଖେଳିବାକୁ ଯାଉଛନ୍ତି।
ଭାରତୀୟ ଦଳ ଆଜି ପର୍ଯ୍ୟନ୍ତ ମାତ୍ର ୪ଟି ପିଙ୍କ ବଲ୍ ଟେଷ୍ଟ ଖେଳିଛି । ୧୭ଜଣିଆ ଦଳର ୮ଜଣ ଖେଳାଳି ପୂର୍ବରୁ ପିଙ୍କ ବଲ୍ ଟେଷ୍ଟ ଅଭିଜ୍ଞତା ରଖିଥିବାବେଳେ ବାକି ସବୁ ଅନଭିଜ୍ଞ । ତେଣୁ ପିଙ୍କ ବଲରେ ପୂନର୍ବାର ବୋଲିଂ କରିବାର କୌଶଳ ଶିଖୁଥିବା ମହମ୍ମଦ ସିରାଜ ପ୍ରକାଶ କରିଛନ୍ତି ।
- ପ୍ରଥମ ଦିନର ସବୁ ଟିକେଟ ବିକ୍ରି
ଆଡିଲେଡରେ ହେବାକୁ ଥିବା ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିବସ ହାଉସ୍ଫୁଲ ହେବ । ଇତି ମଧ୍ୟରେ ସମସ୍ତ ଟିକେଟ୍ ବିକ୍ରି ହୋଇ ସାରିଛି । ଫଳରେ ପ୍ରଥମ ଦିବସରେ ୫୩,୫୦୦ ଦର୍ଶକ ଷ୍ଟାଡ଼ିୟମରେ ଉପସ୍ଥିତ ରହିବେ । ଦର୍ଶକଙ୍କ ଉପସ୍ଥିତିରେ ଏଥର ଆଡିଲେଡ୍ ଟେଷ୍ଟ ସବୁ ରେକର୍ଡ ଭଙ୍ଗ କରିବ ବୋଲି ଅନୁମାନ କରାଯାଉଛି । ଭାରତୀୟ ସମର୍ଥକ ବିଶ୍ୱର ସବୁ ଦେଶରେ ରହିଥିବାରୁ ସବୁ ଗ୍ରାଉଣ୍ଡରେ ଭାରତର ମ୍ୟାଚ୍ ହାଉସଫୁଲ ହେବା ନିଶ୍ଚିତ । ମଙ୍ଗଳବାର ଦିନ ଭାରତୀୟ ଦଳ ଅଭ୍ୟାସ କରୁଥିବା ବେଳେ ତାଙ୍କୁ ଦେଖିବା ପାଇଁ ପାଖା ପାଖି ୫୦୦୦ ଦର୍ଶକ ଗ୍ରାଉଣ୍ଡରେ ପହଞ୍ଚିଥିଲେ ।
- ଦର୍ଶକଙ୍କଠୁ ଦୂରେଇ ରହି ଅଭ୍ୟାସ କରିବ ଟିମ ଇଣ୍ଡିଆ
ଭାରତୀୟ ଦଳ ଅଷ୍ଟ୍ରେଲିଆରେ ଥିବା ପର୍ଯ୍ୟନ୍ତ ଦର୍ଶକଙ୍କଠୁ ଦୂରେଇ ରହି ଅଭ୍ୟାସ କରିବାକୁ ନିଷ୍ପତ୍ତି ନେଇଛି । ଆଜି ଦଳର ଅଭ୍ୟାସ ଦେଖିବା ପାଇଁ ଦର୍ଶକଙ୍କୁ ଅନୁମତି ମିଳିନଥିଲା । ମଙ୍ଗଳବାର ଦିନ ଅଭ୍ୟାସ ସମୟରେ ହୋଇଥିବା ଦର୍ଶକ ବିଶୃଙ୍ଖଳାକୁ ନଜରରେ ରଖି ଭାରତୀୟ ଦଳ ଏଭଳି ନିଷ୍ପତ୍ତି ନେ
ଇଛି । ଆଡିଲେଡରେ ଉଭୟ ଭାରତ ଓ ଅଷ୍ଟ୍ରେଲିଆ ଦଳର ପ୍ରଥମ ଅଭ୍ୟାସ ଦିବସର ମଜା ନେବା ପାଇଁ ଦର୍ଶକଙ୍କୁ ଅନୁମତି ମିଳିଥିଲା । ଭାରତୀୟ ଦଳ ଅପରାହ୍ଣରେ ଅଭ୍ୟାସ କରିଥିଲା। ଏହି ସମୟରେ ପାଖା ପାଖି ୫,୦୦୦ ଦର୍ଶକ ଗ୍ରାଉଣ୍ଡରେ ଉପସ୍ଥିତ ରହିଥିଲେ । ଏତେ ଦର୍ଶକଙ୍କ କୋଳାହଳ ଭାରତୀୟ ଖେଳାଳିଙ୍କ ଧୈର୍ଯ୍ୟ ଭଙ୍ଗ କରୁଥିଲା । କିଛି ଦର୍ଶକଙ୍କ ବିଶୃଙ୍ଖଳିତ ବ୍ୟବହାରରେ ଖେଳାଳିମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ ।
previous article:https://purvapaksa.com/virat-kohli-is-in-form-fired-up-and-ready-to-add-to-incredible-adelaide-oval-record/