- ୪ରେ ଶ୍ରୀଜୀଉଙ୍କ ଦର୍ଶନ
- ବିଭିନ୍ନ କାର୍ଯ୍ୟକ୍ରମରେ ଦେବେ ଯୋଗ
- ଯିବେ ଉପରବେଡ଼ା ଘର
ଆସନ୍ତା ଡିସେମ୍ବର ୩ତାରିଖରେ ପାଞ୍ଚଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ୩ ତାରିଖ ଅପରାହ୍ଣ ୫ଟା ସମୟରେ ଭୁବନେଶ୍ୱର ବିମାନ ବନ୍ଦରରେ ଓହ୍ଲାଇବେ । ଏହାପରେ ଭୁବନେଶ୍ୱର ନୀଳାଦ୍ରିବିହାରରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ନୂତନ ପ୍ରତିମୂର୍ତ୍ତି ଉନ୍ମୋଚନ କରିବାର କାର୍ଯ୍ୟକ୍ରମ ରହିଛି । ଏହାପରେ ରାଜଭବନ ଫେରି ରାତ୍ରି ଯାପନ କରିବେ । ତାପରଦିନ ୪ ତାରିଖରେ ପୁରୀ ଗସ୍ତରେ ଯିବେ ରାଷ୍ଟ୍ରପତି । ସେଠାରେ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବା ସହ ପୂଜାପାଠ କରିବେ । ମହାପ୍ରଭୁଙ୍କ ଦର୍ଶନ ସାରି ରାଷ୍ଟ୍ରପତି ପୁରୀରେ ଅବସ୍ଥିତ ଗୋପବନ୍ଧୁ ଆୟୁର୍ବେଦିକ କଲେଜର ହୀରକ ଜୟନ୍ତୀ ଉତ୍ସବରେ ଯୋଗ ଦେବେ ।
ତାପରେ ପୁରୀ ରାଜଭବନ ଫେରି ମଧ୍ୟାହ୍ନ ଭୋଜନ କରିବେ । ସେଠାରେ ନୌସେନା ପକ୍ଷରୁ ତାଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯିବ । ଏହାପରେ ରାଷ୍ଟ୍ରପତି ପୁରୀରେ ଆୟୋଜିତ ନୌସେନା ଦିବସ କାର୍ଯ୍ୟକ୍ରମରେ ଯୋଗଦେବେ । ସେଠାରୁ ଫେରି ପୁରୀ ରାଜଭବନରେ ରାତ୍ରିଯାପନ କରିବେ ରାଷ୍ଟ୍ରପତି ।
୫ ତାରିଖରେ ପୁରୀରେ ଭୁବନେଶ୍ୱର ଫେରି ଓୟୁଏଟିର ୪୦ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ରାଷ୍ଟ୍ରପତି । ଏହାପରେ ରାଜଭବନ ଫେରି ମଧ୍ୟାହ୍ନ ଭୋଜନ କରିବେ । ସନ୍ଧ୍ୟାରେ ଭୁବନେଶ୍ୱର କୋର୍ଟ ପରିସରରେ ନିର୍ମିତ ନୂଆ ଜୁଡିସିଆଲ କୋର୍ଟ କମ୍ପେ୍ଲକ୍ସକୁ ଉଦଘାଟନ କରିବେ । ଏହାପରେ ରାଜଭବନରେ ରାତ୍ରିଯାପନ କରିବେ । ୬ ତାରିଖ ସକାଳେ ଏଜି ଛକ ନିକଟରେ ଥିବା ଡ. ବି.ଆର.ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମହାପରିନିର୍ବାଣ ଦିବସ ଅବସରରେ ପୁଷ୍ପମାଲ୍ୟ ଅର୍ପଣ କରିବେ ।
ଏହାପରେ ବିମାନ ଯୋଗେ ରାଇରଙ୍ଗପୁର ଯିବେ । ସେଠାରେ ପ୍ରଥମେ ଉପରବେଡା ସରକାରୀ ୟୁପି ସ୍କୁଲକୁ ଯିବେ । ସେଠାରେ ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କ ସହ ଆଲୋଚନା କରିବେ । ଏହାପରେ ରାଷ୍ଟ୍ରପତି ତାଙ୍କର ଉପରବେଡା ଘରକୁ ଯିବେ । ସେଠାରେ ଗ୍ରାମବାସୀଙ୍କ ସହ ଆଲୋଚନା କରିବେ । ଏହାପରେ ରାଇରଙ୍ଗପୁର ଘରକୁ ଫେରି ମଧ୍ୟାହ୍ନ ଭୋଜନ କରିବେ । ତାପରେ ରାଇରଙ୍ଗପୁର ସବଡିଭିଜନାଲ ହସ୍ପିଟାଲ ଗସ୍ତ କରିବେ । ଏହାପରେ ମହିଳା କଲେଜ ଯାଇ ପିଲାମାନଙ୍କ ସହ ଆଲୋଚନା କରିବେ ।
ତାପରେ ରାଇରଙ୍ଗପୁର ପୁଣ୍ୟଶ୍ୱର ମହାଦେବ ମନ୍ଦିର ଯାଇ ଦର୍ଶନ କରିବେ । ତାପର ଦିନ ୭ ତାରିଖରେ ବାଙ୍ଗିରିପୋଷିରେ ରେଳ ଷ୍ଟେସନରେ ପହଞ୍ôଚ ସେଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇ ଦିଲ୍ଲୀ ଫେରିଯିବେ ବୋଲି ରାଷ୍ଟ୍ରପତି ଭବନ ପକ୍ଷରୁ ପ୍ରକାଶିତ ଇସ୍ତାହାରରୁ ଜଣାପଡିଛି ।
previous article: https://purvapaksa.com/central-team-will-come-on-24th-nov/

