ଆମେରିକାରେ ଚାରିବର୍ଷରେ ଥରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହୁଏ, ଏହା ସାଧାରଣତଃ ନଭେମ୍ବର ମାସର ପ୍ରଥମ ମଙ୍ଗଳବାରରେ ହୋଇଥାଏ। ନିର୍ବାଚିତ ନୂତନ ରାଷ୍ଟ୍ରପତି ସବୁବେଳେ ଜାନୁଆରୀ ୨୦ରେ ଶପଥ ଗ୍ରହଣ କରି ହ୍ୱାଇଟ ହାଉସରେ ପ୍ରବେଶ କରନ୍ତି ଏବଂ ତା’ପରେ ସେ ଦେଶର ରାଷ୍ଟ୍ରପତି ଭାବରେ କାର୍ଯ୍ୟ କରିବା ଆରମ୍ଭ କରନ୍ତି। ତେବେ ଆପଣଙ୍କ ମନରେ ଏହି ପ୍ରଶ୍ନ ଆସିବା ସ୍ୱଭାବିକ ଯେ,ରାଷ୍ଟ୍ରପତି ଭାବେ ନିର୍ବାଚିତ ବ୍ୟକ୍ତି ନିର୍ବାଚନର ପ୍ରାୟ ୭୫ ଦିନ ପରେ ହିଁ କାହିଁକି ଶପଥ ନିଅନ୍ତି। ଦୁଇମାସ ଯାଏ କାହିଁକି ପୁରୁଣା ରାଷ୍ଟ୍ରପତି କାମ କରନ୍ତି? ଆସନ୍ତୁ ଏହି ପ୍ରଶ୍ନର ଉତ୍ତର ଖୋଜିବା…
ଆମେରିକାରେ ପ୍ରତି ଚାରି ବର୍ଷରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହୁଏ। ରାଷ୍ଟ୍ରପତି ନିର୍ବାଚନ ନଭେମ୍ବର ମାସର ପ୍ରଥମ ସୋମବାରର ପରବର୍ତ୍ତି ମଙ୍ଗଳବାରରେ ଅନୁଷ୍ଠିତ ହୁଏ। ଅର୍ଥାତ ଯଦି ନଭେମ୍ବର ମଙ୍ଗଳବାରଠାରୁ ଆରମ୍ଭ ହୁଏ ତେବେ ସେହି ଦିନ ଭୋଟ୍ ଗ୍ରହଣ ହୁଏ ନାହିଁ। ଏହା ସର୍ବଦା ମାସର ପ୍ରଥମ ସୋମବାରର ପରବର୍ତ୍ତି ଦିନ ପରେ ହୋଇଥାଏ।
ଏବେ ଆସନ୍ତୁ ଜାଣିବା ୨୦୨୦. ୨୦୧୬, ୨୦୧୨, ଏବେ ୨୦୦୮ରେ କେଉଁ ତାରିଖରେ ନିର୍ବାଚନ ହୋଇଥିଲା।
- ୨୦୨୦: ୩ ନଭେମ୍ବର
- ୨୦୧୬: ୮ ନଭେମ୍ବର
- ୨୦୧୨: ୬ ନଭେମ୍ବର
- ୨୦୦୮: ୪ ନଭେମ୍ବର
ଚଳିତ ବର୍ଷ ଭୋଟ୍ ୫ ନଭେମ୍ବରରେ ହୋଇଥିଲା। ୧୮୪୫ ପରଠାରୁ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇ ଆସୁଛି। ରବିବାର ହେଉଛି ପ୍ରାର୍ଥନା ଦିନ। ଏପରି ପରିସ୍ଥିତିରେ, ଯଦି ସେହି ଦିନ କେହି ମତଦାନ କେନ୍ଦ୍ରଠାରୁ ଦୂରରେ ଥାଆନ୍ତି, ତେବେ ତାଙ୍କୁ ଆସିବାକୁ କିଛି ସମୟ ଦିଆଯିବା ଉଚିତ, ଏହା ଚିନ୍ତା କରି ଆମେରିକା ସରକାର ସୋମବାର ପରେ ମଙ୍ଗଳବାର ଭୋଟ୍ ଦିନ କରିବାକୁ ନିଷ୍ପତ୍ତି ନେଇଥିଲେ। ଗତ ୧୭୯ ବର୍ଷ ଧରି ଏହି ପରମ୍ପରା ପରିବର୍ତ୍ତନ ହୋଇନାହିଁ। ଯଦିଓ ଭୋଟ ଦିନ ପରିବର୍ତ୍ତନ କରିବାକୁ ଅନେକ ଚେଷ୍ଟା କରାଯାଇଛି, କିନ୍ତୁ ତାହା ସଫଳ ହୋଇନାହିଁ।
ଏବେ ଆସନ୍ତୁ ଜାଣିବା ନବନିର୍ବାଚିତ ରାଷ୍ଟ୍ରପତି କେବଳ ୨୦ ଜାନୁଆରୀରେ କାହିଁକି ଶପଥ ନିଅନ୍ତି?
ଆମେରିକାରେ ୨୦ ଜାନୁଆରୀ ଇନାଗୁରେସନ ଡେ’ ବା ଉଦ୍ଘାଟନୀ ଦିବସଭାବେ ପରିଚିତ। ଏହି ଦିନ ନୂତନ ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତି ଶପଥ ଗ୍ରହଣ କରିଥାନ୍ତି।
ଆମେରିକାରେ ସମ୍ବିଧାନରେ ବିଂଶତମ ସମ୍ବିଧାନ ସଂଶୋଧନ ମାଧ୍ୟମରେ ଏହି ତାରିଖ ସ୍ଥିର କରାଯାଇଛି।୧୯୩୩ରେ ରେ ଏହି ସଂଶୋଧନ କରାଯାଇଥିଲା। ଏହାପୂର୍ବରୁ ମାର୍ଚ୍ଚ ୪ ରେ ନୂତନ ରାଷ୍ଟ୍ରପତି ଶପଥ ଗ୍ରହଣ କରୁଥିଲେ।
ପୂର୍ବରୁ ଲେମ୍ ଡକ୍ ଅବଧି ଆହୁରି ଲମ୍ବା ଥିଲା
ସମ୍ବିଧାନରେ ଏଇଥିପାଇଁ ସଂଶୋଧନ କରାଯାଇଥିଲା ଯେ, ନୂତନ ରାଷ୍ଟ୍ରପତି ନିର୍ବାଚିତ ହେବାର ୧୨୫ ଦିନ ଯାଏ ଶପଥ ନେଉନଥିଲେ। ପୁରୁଣା ରାଷ୍ଟ୍ରପତି ଅଳ୍ପ କ୍ଷମତା ସହିତ କାର୍ଯ୍ୟ କରୁଥିଲେ। ୧୨୫ ଦିନ ପର୍ଯ୍ୟନ୍ତ ନିର୍ବାଚିତ ରାଷ୍ଟ୍ରପତି ଅଫିସ ବାହାରେ ରହୁଥିଲେ। ଫଳରେ ସରକାର ଜରୁରୀ ଓ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଅଟକି ରହୁଥିଲା। ତେଣୁ ସମ୍ବିଧାନ ସଂଶୋଧନ ଦ୍ୱାରା ଏହି ଅବଧିକୁ କମାଇ ୭୫ ଦିନ କରାଯାଇଥିଲା। ୧୯୨୯ର ଦି ଗ୍ରେଟ୍ ଡିପ୍ରେସନ ସମୟରେ ଏହି ଅଭାବ ବେସ ଅନୁଭବ କରାଯାଇଥିଲା। ତେଣୁ ଲେମ୍ ଡକ୍ ପିରିୟଡକୁ କମାଇ ୧୨୫ରୁ ୭୫ ଦିନ କରାଯାଇଥିଲା।
୨୦ ଜାନୁଆରୀ ରବିବାର ହୋଇଥିଲେ କ’ଣ ହୁଏ?
ଜାନୁଆରୀ ୨୦ ମଧ୍ୟାହ୍ନରେ ଉଦ୍ଘାଟନୀ ଦିବସ ସମାରୋହ ଅନୁଷ୍ଠିତ ହୁଏ, ଯେଉଁଠାରେ ରାଷ୍ଟ୍ରପତି ଭାବେ ନବ ନିର୍ବାଚିତ ଶପଥ ଗ୍ରହଣ କରନ୍ତି। କିନ୍ତୁ ଯଦି ଜାନୁଆରୀ ୨୦ ରବିବାରରେ ପଡେ, ତେବେ ସେହିଦିନ ବ୍ୟକ୍ତିଗତ ଭାବରେ ଶପଥ ଗ୍ରହଣ କରାଯାଏ, ଏବଂ ପରେ ଜାନୁୟାରୀ ୨୧ରେ ଏକ ସାଧାରଣ ସମାରୋହରେ ରାଷ୍ଟ୍ରପତି ପୁନଃ ଶପଥ ନିଅନ୍ତି।
୭୫ ଦିନର ବ୍ୟବଧାନ କାହିଁକି?
ନିର୍ବାଚନ ଦିନ (ନଭେମ୍ବରର ପ୍ରଥମ ସୋମବାର ପରେ ପ୍ରଥମ ମଙ୍ଗଳବାର) ଏବଂ ଉଦ୍ଘାଟନୀ ଦିବସ ମଧ୍ୟରେ ବ୍ୟବଧାନ ଆବଶ୍ୟକ କ୍ଷମତା ପରିବର୍ତ୍ତନ କାର୍ଯ୍ୟକଳାପ ପାଇଁ ଅନୁମତି ଦେଇଥାଏ। ଏହି ଅବଧି ନିର୍ବାଚିତ ରାଷ୍ଟ୍ରପତିଙ୍କୁ ତାଙ୍କ କ୍ୟାବିନେଟ ବାବଦରେ ନିଷ୍ପତ୍ତି ନେବାକୁ, ସେମାନଙ୍କୁ ଏକତ୍ର କରିବାକୁ, ସଂକ୍ଷିପ୍ତ ସୂଚନା ସଂଗ୍ରହ କରିବାକୁ ଏବଂ ଶାସନ କରିବାକୁ ପ୍ରସ୍ତୁତ ହେବାରେ ସକ୍ଷମ କରେ, ଯାହାଦ୍ୱାରା ନୂତନ ରାଷ୍ଟ୍ରପତିଙ୍କୁ ସହଜତାର ସହିତ କ୍ଷମତାର ହସ୍ଥାନ୍ତର ହୋଇଥାଏ।
ଦ୍ୱିତୀୟ ଥର ପାଇଁ ରାଷ୍ଟ୍ରପତି ନିର୍ବାଚିତ ହେଲେ…
ଯଦି କ୍ଷମତାରେ ଥିବା ଜଣେ ରାଷ୍ଟ୍ରପତି ପୁନଃ ନିର୍ବାଚନରେ ଜିତନ୍ତି ଏବଂ ପୁନର୍ବାର ରାଷ୍ଟ୍ରପତି ହୁଅନ୍ତି, ତେବେ ତାଙ୍କ ପାଇଁ ଟ୍ରାଞ୍ଜିସନ୍ ପିରିୟଡ଼ କିଛି ନ ଥାଏ। ସେ ପୂର୍ଣ୍ଣ ଶକ୍ତି ସହିତ କାର୍ଯ୍ୟ କରନ୍ତି ଏବଂ ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଜେ ନିଅନ୍ତି। ତେବେ, ପରବର୍ତ୍ତୀ କାର୍ଯ୍ୟକାଳ ଆରମ୍ଭ ପୂର୍ବରୁ ସେ ଜାନୁଆରୀ ୨୦ରେ ଶପଥ କରନ୍ତି କିନ୍ତୁ ଏହି ସମାରୋହ ମାତ୍ର ଔପଚାରିକ ହୋଇଥାଏ।
ଅଲଗା ଦେଶରେ ବ୍ୟବସ୍ଥା କ’ଣ?
- – ଫିଲିପାଇନ୍ସରେ, ନୂତନ ରାଷ୍ଟ୍ରପତି ସର୍ବଦା ଜୁନ୍ ୩୦ରେ ଶପଥ କରନ୍ତି । ରାଷ୍ଟ୍ରପତି-ନିର୍ବାଚିତ ବ୍ୟକ୍ତି ଜୁନ୍ ୩୦ତାରିଖ ସକାଳେ ମାଲାକାଙ୍ଗ ପ୍ୟାଲେସରୁ କାର୍ଯ୍ୟଭାର ଗ୍ରହଣ କରନ୍ତି। ଏଠାରେ ମଧ୍ୟ ନିର୍ବାଚନରେ ଜିତିବା ଏବଂ ଶପଥ ଗ୍ରହଣ ମଧ୍ୟରେ ଏକ ପରିବର୍ତ୍ତନ ବା ଟ୍ରାଞ୍ଜିସନ ସମୟ ରହିଛି।
- – ଦକ୍ଷିଣ ଆଫ୍ରିକାରେ ପ୍ରତି ପାଞ୍ଚବର୍ଷରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହୁଏ। ସେଠାରେ ନୂତନ ରାଷ୍ଟ୍ରପତି ନିର୍ବାଚନ ଜିତିବାର ଏକ ସପ୍ତାହ ମଧ୍ୟରେ ଶପଥ ଗ୍ରହଣ କରନ୍ତି।
- – ଇଣ୍ଡୋନେସିଆରେ, ନୂତନ ରାଷ୍ଟ୍ରପତିଙ୍କ ଶପଥ ସର୍ବଦା ଅକ୍ଟୋବର ୨୦ରେ ହୋଇଥାଏ। ଏଠାରେ ମଧ୍ୟ ନିର୍ବାଚନରେ ଜିତିବା ଏବଂ ଶପଥ ଗ୍ରହଣ ମଧ୍ୟରେ ଏକ ଟ୍ରାଞ୍ଜିସନ୍ ପିରିୟଡ଼ ରହିଛି।
- – ମେକ୍ସିକୋରେ, ନିର୍ବାଚିତ ରାଷ୍ଟ୍ରପତି ସର୍ବଦା ଡିସେମ୍ବର ୧ରେ ଶପଥ କରନ୍ତି। ସେଠାରେ ମଧ୍ୟ କ୍ଷମତା ହସ୍ଥାନ୍ତର ପାଇଁ ଏକ ଟ୍ରାଞ୍ଜିସନ୍ ପରିୟଡ଼ ରହିଛି।
- Previous article : https://purvapaksa.com/what-are-the-benefit-for-the-minority-university/
