ଭାସ୍କର ପରିଚ୍ଛା
ଗଡ଼ଜାତ ମିଶ୍ରଣ କଥା କହିବା ବେଳେ ପ୍ରଜାମଣ୍ଡଳ ଆନ୍ଦୋଳନ ବିଷୟ ବି ଉଲ୍ଲେଖ କରିବା ଦରକାର। ଓଡ଼ିଶା ପ୍ରଜାମଣ୍ଡଳ ଆନ୍ଦୋଳନ ଔପନିବେଶିକ ସମୟର ଶେଷ ଆନ୍ଦୋଳନ ଥିଲା। ଓଡ଼ିଶାର ରାଜକୀୟ ବା ଗଡଜାତ ରାଜ୍ୟଗୁଡ଼ିକରେ ଏହା ଥିଲା ଜନପ୍ରିୟ ଓ ତୃଣମୂଳ ବିଦ୍ରୋହ।ଅର୍ଥନୈତିକ ଶୋଷଣ ଓ ସାମନ୍ତବାଦୀ ଅତ୍ୟାଚାର ବିରୁଦ୍ଧରେ ସ୍ବୈରାଚାରୀ ଶାସକଙ୍କ ଅଧୀନରେ ଥିବା ନାଗରିକ ମାନଙ୍କ ଦ୍ଵାରା ନିଜ ଅଧିକାର ଦାବିର ଏହା ଥିଲା ଆନ୍ଦୋଳନ।
ଏହି ଆନ୍ଦୋଳନ ଥିଲା ଆର୍ଥିକ ଦୁର୍ଗତି , ସାମାଜିକ ଅନ୍ୟାୟ ଏବଂ ସ୍ଥାନୀୟ ରାଜା ଏବଂ ସାମନ୍ତବାଦୀ ଶାସକମାନଙ୍କ ଦ୍ୱାରା ଲାଗୁ କରାଯାଇଥିବା ଶୋଷଣକାରୀ ବ୍ୟବସ୍ଥାର ପ୍ରତିକ୍ରିୟା। ସେତେବବେଳେ ଏପରି ଏକ ବ୍ୟବସ୍ଥା ସୃଷ୍ଟି କରଯାଇଥିଲା ଥିଲା, ଯେଉଁଥିରେ ବାଧ୍ୟତାମୂଳକ ଶ୍ରମ (‘ବେଠି’, ‘ବେଗାରି’), ମନମୁଖୀ ଟିକସ (‘ମଗନ’, ‘ରସଦ’, ‘ଭେଟି’, ‘କରସାମଗ୍ରି’), ଏବଂ ବାରମ୍ବାର ଟିକସ ବୃଦ୍ଧି ଯାହା କୃଷି ଚାଷୀମାନଙ୍କ ଜୀବନକୁ ନଷ୍ଟଭ୍ରଷ୍ଟ କରିଦେଇଥିଲା। ଏହି ଆନ୍ଦୋଳନ ନୀଳଗିରି, ରଣପୁର, ଖଣ୍ଡପଡା, ପାଟନା ଏବଂ କାଲାହାଣ୍ଡି ଭଳି ବିଭିନ୍ନ ଗଡ଼ଜାତ ରାଜ୍ୟରେ ସାମନ୍ତବାଦୀ କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ ପ୍ରଥମ ପ୍ରମୁଖ ଆହ୍ୱାନଥିଲା।
ସ୍ଥାନୀୟ ସମାଜ ସଂସ୍କାରକଙ୍କ ନେତୃତ୍ୱରେ ତଥା ହରେକୃଷ୍ଣ ମହତାବ ଏବଂ ସାରଙ୍ଗଧର ଦାସଙ୍କ ପରି କଂଗ୍ରେସ ନେତା ସମର୍ଥନରେ, ପ୍ରଜାମଣ୍ଡଳ ସଂଗଠନ ଗଠନ କରାଯାଇଥିଲା। ଜନ ବିକ୍ଷୋଭ, ସତ୍ୟାଗ୍ରହ (ଅହିଂସାତ୍ମକ ପ୍ରତିରୋଧ) ,ନାଗରିକ ଅଧିକାର, ନ୍ୟାୟ ଏବଂ ଦାୟିତ୍ୱବାନ ପ୍ରଶାସନ ପାଇଁ ଦାବି ଏସବୁ ଥିଲା ପ୍ରଜାମଣ୍ଡଳ ଆନ୍ଦୋଳନର ବିଶେଷତା।
୧୯୩୮ରେ ନୀଳଗିରିରେ ହଜାର ହଜାର ଲୋକ ବନମାଳୀ ଦାସଙ୍କ ନେତୃତ୍ୱରେ ଶାନ୍ତିପୂର୍ଣ୍ଣ ଭାବରେ ପଦଯାତ୍ରା କରିଥିଲେ। ସେମାନେ କଠୋର ଦମନ, ଗଣ ଗିରଫଦାରୀର ସମ୍ମୁଖୀନ ହୋଇଥିଲେ ସତ କିନ୍ତୁ ଶେଷରେ ଔପନିବେଶିକବାଦୀ ଶାସକ ଏବଂ କାର୍ଯ୍ୟକର୍ତ୍ତାଙ୍କ ହସ୍ତକ୍ଷେପ ଫଳରେ ଶାସକମାନଙ୍କ ଠାରୁ ରିହାତି ପାଇବାରେ ସଫଳ ନେବାକୁ ହୋଇଥିଲେ।
ରଣପୁର ଆନ୍ଦୋଳନ (୧୯୩୯) ହିଂସାତ୍ମକ ସଂଘର୍ଷରେ ପରିଣତ ହୋଇଥିଲା ଯେତେବେଳେ ବ୍ରିଟିଶ ଏଜେଣ୍ଟ ବେଜେଲଗେଟ ବିକ୍ଷୋଭକାରୀଙ୍କ ଉପରେ ଗୁଳି ଚଳାଇଥିଲେ। ପରେ ଏହା ବେଜେଲଗେଟଙ୍କ ମୃତ୍ୟୁର କାରଣ ହେବା ସହ, ରାଜାଙ୍କ ଦ୍ଵାରା ଦମନ ବୃଦ୍ଧି, ଫାଶୀ ଏବଂ ଆନ୍ଦୋଳନର ନେତାମାନଙ୍କୁ ନିର୍ବାସନ ଦଣ୍ଡ ଦେବାଭଳି ପରିସ୍ଥିତି ସୃଷ୍ଟି କରିଥିଲା। କିନ୍ତୁ ଜନସାଧାରଣଙ୍କ ସଂକଳ୍ପକୁ ଆହୁରି ଦୃଢ କରିଥିଲା।
ଅନୁରୂପ ବିରୋଧ ଏବଂ ସାଂଗଠନିକ ଆନ୍ଦୋଳନ ଅନ୍ୟ ରାଜ୍ୟ (ମୟୂରଭଞ୍ଜ, ତାଳଚେର, ଏବଂ ଅନ୍ୟାନ୍ୟ ରାଜ୍ୟ) କୁ ବ୍ୟାପିବାରେ ଲାଗିଲା।ଏହି ସମୟରେ କୃଷକମାନେ ପ୍ରଜାମଣ୍ଡଳ ଆନ୍ଦୋଳନ ସହିତ ଯୋଡ଼ି ହୋଇଗଲେ ଏବଂ ସ୍ଥାନୀୟ ରାଜା ଏବଂ ଔପନିବେଶିକ କର୍ତ୍ତୃପକ୍ଷଙ୍କ ବିରୋଧରେ ପ୍ରତିରୋଧର ଏକ ବିରାଟ ଆଂଦୋଳନର ରୂପ ନେଲା।
ପ୍ରଜାମଣ୍ଡଳ ଆନ୍ଦୋଳନ ଚାରିଆଡେ ବ୍ୟାପିବା ଫଳରେ ବ୍ରିଟିଶ କର୍ତ୍ତୃପକ୍ଷ ଏବଂ କେତେକ ଗଡଜାତ ଶାସକଙ୍କୁ ଜନସାଧାରଣଙ୍କ ଦାବି ପୂରଣ କରିବାକୁ ବାଧ୍ୟ କରିଥିଲା। ଅତ୍ୟାଚାରୀଙ୍କ ଶୋଷଣକୁ ଉଚ୍ଛେଦ କରିବା ସହ ସଂସ୍କାର ପ୍ରକ୍ରିୟା ଆରମ୍ଭ କରିବାକୁ ସେମାନଙ୍କୁ ବାଧ୍ୟ କରିଥିଲା। ଏହି ଆନ୍ଦୋଳନ ଲୋକଙ୍କ ଭିତରେ ରାଜନୈତିକ ଜାଗରଣ ସୃଷ୍ଟି କରିବା ସହ , ଗଣତାନ୍ତ୍ରିକ ମୂଲ୍ୟବୋଧକୁ ପ୍ରୋତ୍ସାହିତ କରିଥିଲା ଏବଂ ସାମନ୍ତବାଦୀ ରାଜତନ୍ତ୍ରକୁ ସମାପ୍ତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା।ସ୍ୱାଧୀନତା ପରେ ଓଡ଼ିଶା ପ୍ରଦେଶ ସହିତ ଦେଶୀୟ ରାଜ୍ୟଗୁଡ଼ିକର ମିଶ୍ରଣ ପାଇଁ ମଧ୍ୟ ପ୍ରଜାମଣ୍ଡଳ ଆନ୍ଦୋଳନ ପଥ ପରିଷ୍କାର କରିଥିଲା। ଏହା ଆଞ୍ଚଳିକ ଏକତା ସୃଷ୍ଟି କରିଥିଲା ଏବଂ ସ୍ୱାଧୀନତା ପରବର୍ତ୍ତୀ ସମୟରେ ଓଡ଼ିଶାର ସାମାଜିକ-ରାଜନୈତିକ ପରିବର୍ତ୍ତନର ମୂଳଦୁଆ ପକାଇଥିଲା।
ଓଡ଼ିଶାର ପ୍ରଜାମଣ୍ଡଳ ଆନ୍ଦୋଳନ ପ୍ରାଦେଶିକ ଏବଂ ଜାତୀୟ ଇତିହାସରେ ଏକ ମାଇଲଖୁଣ୍ଟ ଭାବରେ ଛିଡ଼ା ହୋଇଅସିଛି। ଏହି ଆନ୍ଦୋଳନ ଆପଣା ଛାଏଁ ମୁଣ୍ଡ ଟେକିଥିଲା ଏବଂ ଓଡ଼ିଶାରେ ଗଣତନ୍ତ୍ର ଏବଂ ସ୍ୱାୟତ୍ତ ଶାସନର ବିବର୍ତ୍ତନରେ ସିଧାସଳଖ ଯୋଗଦାନ ଦେଇଥିଲା ।
କ୍ରମାଗତ ଆର୍ଥିକ ଶୋଷଣ, ସାମନ୍ତବାଦୀ ଅତ୍ୟାଚାର ଏବଂ ରାଜାଙ୍କ ଦ୍ୱାରା ନାଗରିକ ଅଧିକାରରୁ ବଞ୍ଚିତ ହେବା ବିରୁଦ୍ଧରେ ଓଡ଼ିଶା ପ୍ରଜାମଣ୍ଡଳ ଆନ୍ଦୋଳନକୁ ଗାନ୍ଧୀବାଦୀ ନେତାମାନେ ମାର୍ଗଦର୍ଶନ ଏବଂ ରୂପ ଦେବାରେ ଗୁରୁତ୍ଵପ୍ପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ଅହିଂସାତ୍ମକ ପ୍ରତିରୋଧକୁ ପ୍ରୋତ୍ସାହିତ କରିବାରେ ଏବଂ ରାଜକୀୟ ଅତ୍ୟାଚାର ବିରୁଦ୍ଧରେ ବ୍ୟାପକ ଜନସମର୍ଥନ ସଂଗ୍ରହ କରିବାରେ ଗାନ୍ଧୀବାଦୀମାନେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।
ହରେକୃଷ୍ଣ ମହତାବଃ ଉଭୟ ରଣନୀତିଜ୍ଞ ଏବଂ ଶାନ୍ତି ପ୍ରଣେତା ଭାବରେ କାର୍ଯ୍ୟ କରିଥିଲେ। ନୀଳଗିରିରେ ପ୍ରଜାମଣ୍ଡଳ ଗଠନର ନେତୃତ୍ୱ ସେ ନେଇଥିଲେ ଏବଂ ଅହିଂସାତ୍ମକ ଉପାୟରେ କୃଷକଙ୍କ ସ୍ବାର୍ଥକୁ ସୁରକ୍ଷିତ ରଖିବା ପାଇଁ ବ୍ରିଟିଶ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ। ସାରଙ୍ଗଧର ଦାସ ତୃଣମୂଳ ସ୍ତରର ଆନ୍ଦୋଳନକୁ ସଂଗଠିତ କରିବାରେ ଏବଂ ଗାନ୍ଧୀବାଦୀ ସତ୍ୟାଗ୍ରହ କୌଶଳ ଗ୍ରହଣକୁ ପ୍ରୋତ୍ସାହିତ କରିବାରେ ସହାୟକ ହୋଇଥିଲେ। ବିଶେଷ କରି ନୀଳଗିରି ଏବଂ ଢେଙ୍କାନାଳରେ ସେ ସକ୍ରିୟ ଥିଲେ। କେଉଁଝର ଗାନ୍ଧୀ କୁହାଯାଉଥିବା ଧରଣୀ ଧର ସେଠାରେ ଆଦିବାସୀ ଅଧିକାର ସଂଗ୍ରାମର ନେତୃତ୍ୱ ନେଇଥିଲେ। ଆଦିବାସୀଙ୍କୁ ନ୍ୟାୟ ପାଇଁ ଓକିଲାତି କରିଥିଲେ ଏବଂ ସ୍ଥାନୀୟ ପ୍ରତିରୋଧରେ ଗାନ୍ଧୀବାଦୀ ଆଦର୍ଶର ପ୍ରତୀକ ଭାବରେ କାର୍ଯ୍ୟ କରିଥିଲେ। ଆଚାର୍ଯ୍ୟ ହରିହର ଦାସ ସାମାଜିକ ସଂସ୍କାରରେ ଯୋଗଦାନ କରି, ଜନସାଧାରଣଙ୍କ ପ୍ରତିବାଦର ଉତ୍ଥାନ, ଏକତା ଓ ଗାନ୍ଧୀବାଦୀ ଦୃଷ୍ଟିକୋଣ ଉପରେ ଗୁରୁତ୍ୱାରୋପ କରିଥିଲେ।ପଶ୍ଚିମ ଓଡ଼ିଶାର ଗାନ୍ଧୀ ରୂପେ ପରିଚିତ ନୃସିଂହ ଗୁରୁ ଅହିଂସାକୁ ଆଗେଇନେବା , ଖଦିକୁ ଲୋକପ୍ରିୟ କରାଇବା, ମଦ ବିରୋଧୀ ଏବଂ ଅସ୍ପୃଶ୍ୟତା ବିରୋଧୀ ଅଭିଯାନକୁ ପ୍ରୋତ୍ସାହିତ କରିବାରେ ଉଲ୍ଲେଖଯୋଗ୍ୟ ଭୂମିକା ଗ୍ରହଣ କରିଥିଲେ।ତା ସହିତପ୍ରଜାମଣ୍ଡଳ ତଥା ଜାତୀୟ କଂଗ୍ରେସର ଉଦ୍ଦେଶ୍ୟ ପୂରଣ ପାଇଁ ସ୍ଥାନୀୟ ସମର୍ଥନ ସଂଗ୍ରହ କରିବାରେ ଲାଗିପଡି ଥିଲେ।
ଆନ୍ଦୋଳନକୁ ଦମନ କରିବାର ପ୍ରଚେଷ୍ଟା ସତ୍ବେ ସତ୍ୟାଗ୍ରହ ,ଗଠନମୂଳକ, ଅହିଂସାତ୍ମକ ପ୍ରତିବାଦ ଉପରେ ଗୁରୁତ୍ୱ ଦେଇ ଗାନ୍ଧୀବାଦୀ ନେତାମାନେ ପ୍ରଜାମଣ୍ଡଳ ଆନ୍ଦୋଳନକୁ ଶାନ୍ତିପୂର୍ଣ୍ଣ ରଖିବା ସୁନିଶ୍ଚିତ କରିଥିଲେ। ସେମାନେ ସ୍ଥାନୀୟ ଆନ୍ଦୋଳନକୁ ବ୍ୟାପକ ଭାବରେ ଭାରତୀୟ ଜାତୀୟ ଆନ୍ଦୋଳନ ସହିତ ଯୋଡ଼ିଥିଲେ।ଲୋକଙ୍କ ଭିତରେ ଏକତା ସୃଷ୍ଟି କରିଥିଲେ ,କଂଗ୍ରେସ ଏବଂ ସହଯୋଗୀ ସଂଗଠନଗୁଡ଼ିକ ସହିତ ସହଯୋଗର ରାସ୍ତାକୁ ସୁଗମ କରିଥିଲେ। ସେମାନଙ୍କର ନେତୃତ୍ୱ ଜନସାଧାରଣଙ୍କ ମଧ୍ୟରେ ଆତ୍ମବିଶ୍ୱାସ ସୃଷ୍ଟି କରିଥିଲା, କୃଷକ ଏବଂ ଆଦିବାସୀମାନଙ୍କ ମଧ୍ୟରେ ଏକ ଦୃଢ଼ ରାଜନୈତିକ ଜାଗରଣ ସୃଷ୍ଟି କରିଥିଲା ଏବଂ ଗଡଜାତ ଶାସକମାନଙ୍କୁ ସଂସ୍କାର ଆଣିବା ସହ ଲୋକହିତକର ଶାସନକୁ ସ୍ୱୀକାର କରିବାକୁ ବାଧ୍ୟ କରିଥିଲା।
ପ୍ରଜାମଣ୍ଡଳ ଆନ୍ଦୋଳନ ସମୟକ୍ରମେ ଲୋକପ୍ରିୟ ହୋଇଥିଲା, ଲୋକଙ୍କ ଭିତରେ ରାଜନୈତିକ ଚେତନା ସୃଷ୍ଟି କରିଥିଲା ଏବଂ ସ୍ଵାଧୀନତା ପରେ ଏହି ରାଜ୍ୟଗୁଡ଼ିକର ଓଡ଼ିଶା ସହିତ ମିଶ୍ରଣକୁ ଅନିର୍ବାର୍ଯ୍ୟ ମଧ୍ୟ କରିଥିଲା। ଢେଙ୍କାନାଳ, ରଣପୁର, ନୟାଗଡ଼, ଗାଙ୍ଗପୁର, ନୀଳଗିରି ଏବଂ ଆହୁରି ଅନେକ ସ୍ଥାନରେ ତୀବ୍ର ରାଜନୈତିକ ଜାଗରଣ ଏବଂ ବ୍ୟାପକ ବିରୋଧ ପ୍ରଦର୍ଶନ ସହିତ ବଡ଼ ଧରଣର ପ୍ରଜାମଣ୍ଡଳ ବିଦ୍ରୋହ ଏବଂ ଜନସମାବେଶ ପାଇଁ ଏହା ସୁଯୋଗ ସୃଷ୍ଟି କରିଥିଲା।
ପ୍ରଜାମଣ୍ଡଳ ବିଦ୍ରୋହର ଶିଖର ବର୍ଷ ଥିଲା ୧୯୩୮-୧୯୩୯। ଢେଙ୍କାନାଲ ବାଜି ରାଉତ ହତ୍ୟା, ରଣପୁରର ରାଜନୈତିକ ଏଜେଣ୍ଟ ବାଜେଲଗେଟଙ୍କ ମୃତ୍ୟୁ ସେତେବେଳେ ଜନସାଧାରଣଙ୍କ ଭିତରେ ବ୍ୟାପକ ଏକତା ସୃଷ୍ଟି କରିବା ସହ ଏହା ଜାତୀୟ ଦୃଷ୍ଟି ଆକର୍ଷଣ କରିଥିଲା।
ଜାନୁଆରୀ ୧୯୪୮ ବେଳକୁ ପ୍ରାୟ ସମସ୍ତ ଦେଶୀୟ ରାଜ୍ୟ (ମୟୂରଭଞ୍ଜକୁ ଛାଡ଼ିଦେଲେ) କେନ୍ଦ୍ର ସରକାରଙ୍କ ପ୍ରରୋଚନାରେ ଏବଂ ପ୍ରଜାମଣ୍ଡଳ କାର୍ଯ୍ୟକଳାପର ଚାପ ଯୋଗୁଁ ଓଡ଼ିଶା ସହିତ ମିଶି ଯାଇଥିଲେ। ଏହି ମିଶ୍ରଣ ସାମନ୍ତବାଦୀ ରାଜତନ୍ତ୍ରର ଅବସାନ ଘଟାଇଥିଲା କେବଳ ନୁହେଁ, ଲକ୍ଷ ଲକ୍ଷ ଲୋକଙ୍କୁ ମତାଧିକାର ପ୍ରଦାନ କରିଥିଲା ଏବଂ ଓଡ଼ିଆ ଭାଷୀ ଅଞ୍ଚଳକୁ ଏକକ, ଗଣତାନ୍ତ୍ରିକ ଭାବରେ ଶାସିତ ପ୍ରଦେଶରେ ଏକୀକୃତ କରିଥିଲା।
ଅନ୍ୟ ଅର୍ଥରେ, ଏହା ଆଧୁନିକ ଓଡ଼ିଶାର ମୂଳଦୁଆ ପକାଇଥିଲା।
Also Read https://purvapaksa.com/president-trump-wishes-friend-pm-modi-on-birthday/
President Trump wishes ‘friend’ PM Modi on birthday ।। ମୋଦିଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଲେ ଟ୍ରମ୍ପ
