ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘକୁ ବିଜେପିର ମୂଳପିଣ୍ଡଭାବେ ଗ୍ରହଣ କରାଯାଏ। ଏପରିକି ବିନା ସଂଘରେ ବିଜେପିର ଅସ୍ତିତ୍ୱ ନାହିଁ ବୋଲି ବି ଅତୀତରେ ଅନୁଭବ ହୋଇଛି। ସେଥିଲାଗି ନିର୍ବାଚନ ଥାଉ ବା ନ ଥାଉ ବିଜେପି ସବୁବେଳେ ସଂଘ ପରାମର୍ଶ ପାଇଁ ଆତୁର ରହେ। ଆଉ ଯେତେବେଳେ ବିଜେପିର ନେତୃତ୍ୱ ସଂଘ ବିନା ବିଜୟ ହାସଲ କରିବ ବୋଲି ଭାବେ ସେତେବଳେ ବିପର୍ଯ୍ୟୟ ଆସେ। ଏହା ଅନେକ ଥର ପ୍ରମାଣିତ ହୋଇଛି। ପ୍ରତ୍ୟକ୍ଷ ରାଜନୀତିରେ ହସ୍ତକ୍ଷେପ ନ କରିବା ସଂଘର ନୀତି ଓ ଆଦର୍ଶ। ହେଲେ ସରକାରଙ୍କୁ ପରାମର୍ଶ ଦେବାକୁ ଯାଇ ବିଭିନ୍ନ ସଭାସମିତିରେ ସଂଘ ସୁପ୍ରିମୋ ଯାହା କହନ୍ତି ତାହା ବିଜେପି ଓ ଏହା ନେତାଙ୍କ ଲାଗି ଏକ ବଳିଷ୍ଠ ବାର୍ତ୍ତାରେ ପରିଣତ ହୁଏ। ଆଉ ଏମିତି ଏକ ବାର୍ତ୍ତା ସଂଘ ସୁପ୍ରିମୋ ଗତକାଲି ନାଗପୁରରେ ପ୍ରଦାନ କରିଛନ୍ତି। ଯାହା ବିଶ୍ୱଗୁରୁ ବୋଲି ଭାବୁଥିବା ମୋଦୀ ଓ ତାଙ୍କ ସରକାରଙ୍କୁ ଏକ ଶକ୍ତ ଚାପୁଡ଼ା ଭଳି ହୋଇଛି।
ପ୍ରସଙ୍ଗ ହେଉଛି ‘ବିଶ୍ୱଗୁରୁ’ ସମ୍ବନ୍ଧୀୟ। ସ୍ଥାନ ମହାରାଷ୍ଟ୍ରର ନାଗପୁରରେ ଥିବା ଏକ ମନ୍ଦିର। ଏହି ମନ୍ଦିରକୁ ଦର୍ଶନ କରିବାକୁ ଯାଇ ଭକ୍ତଙ୍କ ସହ ଆଲୋଚନାବେଳେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ସରସଂଘ ଚାଳକ ମୋହନ ଭାଗବତ କହିଛନ୍ତି ‘ଅର୍ଥନୀତିରେ ବିଶ୍ୱ ସହ ପ୍ରତିଦ୍ୱନ୍ଦ୍ୱିତା ଓ ସଫଳତା ଭାରତକୁ ‘ବିଶ୍ୱଗୁରୁ’ରେ ପରିଶତ କରିନାହିଁ। ଆମେରିକା ଓ ଚୀନ୍ ଭଳି ମହାଶକ୍ତି ଭାରତକୁ ଏହାର ଆଧ୍ୟାତ୍ମିକତା ଓ ଧର୍ମ ଲାଗି ବିଶ୍ୱଗୁରୁ ଭାବେ ମାନନ୍ତି’।
ସାମ୍ପ୍ରତିକ ପରିସ୍ଥିତିରେ ଭାରତର ବନ୍ଧୁତାକୁ ଦମନ କରି ଭାରତ ଉପରେ ଆମେରିକା ଅର୍ଥନୀତିକ ଯୁଦ୍ଧ ଘୋଷଣା କରିଥିବାବେଳେ ମୋହନ ଭାଗବତଙ୍କ ଏ ଉକ୍ତି ଅନେକ ଇଙ୍ଗିତ ଦେଉଛି। ସେ କହିଛନ୍ତି ଭାରତ ବିଶ୍ୱର ତୃତୀୟ ବୃହତ ଅର୍ଥନୀତି ହେବା ବିଶ୍ୱ ପାଇଁ କିଛି ନୂଆ କଥା ନୁହେଁ। ଏହା ପୂର୍ବରୁ ଅନେକ ଦେଶ ଏହି ଆଖ୍ୟା ପ୍ରାପ୍ତ କରିଛନ୍ତି। ଆମେରିକା ଅତ୍ୟନ୍ତ ଧନୀ ଏବଂ ଚୀନ୍ ବି ଧନୀ ହୋଇସାରିଛି। ଏଣୁ ତୃତୀୟ ବୃହତ୍ ଅର୍ଥନୀତି ହେଲେ ବିଶ୍ୱ ଭାରତକୁ ପ୍ରଣାମ କରିବ ନାହିଁ। ଅର୍ଥାତ୍ ବିଶ୍ୱର ଶକ୍ତିଶାଳୀ ଦେଶଗୁଡ଼ିକ ଏହା ଧ୍ୟାନ ଆକର୍ଷଣ କରିପାରିବ ନାହିଁ।
ନରେନ୍ଦ୍ର ମୋଦୀଙ୍କ ସରକାର ଭାରତର ଅର୍ଥନୀତିକୁ ଏହି ଶାସନ କାଳରେ ୫ମ ବୃହତ ଅର୍ଥନୀତିରେ ପରିଣତ କରିବା ଏବଂ ଆଗକୁ ତୃତୀୟ ବୃହତ ଅର୍ଥନୀତି ଆଡ଼କୁ ଅଗ୍ରସର କରାଉଥିବା ନେଇ ଡିଣ୍ଡିମ ପିଟୁଛନ୍ତି। ଏହାକୁ ଏକ ବୃହତ ସଫଳତାଭାବେ ପ୍ରଚାର କରୁଛନ୍ତି। କିନ୍ତୁ ବିଜେପିର ମୁଖ୍ୟ ପୁଷ୍ଠପୋଷକ ସଂଘର ମୁଖ୍ୟ ଏପରି ବୟାନ ଦେବା ମୋଦୀଙ୍କ ଉତ୍ସାହରେ ପାଣି ପକାଇ ଦେଇଛି।
ସେ କହିଛନ୍ତି, ଅର୍ଥନୀତିକ ପ୍ରଗତୀ ଜରୁରୀ। କିନ୍ତୁ ଏହା ଭାରତକୁ ବିଶ୍ୱଗୁରୁ ଭାବେ ପରିଣତ କରିପାରିବନାହିଁ। ଭାରତର ମୂଳ ପିଣ୍ଡ ଆଧ୍ୟାତ୍ମିକତା ଓ ଧର୍ମରେ ରହିଛି, ଯାହା ଅନ୍ୟ ଦେଶରେ ନାହିଁ। ଏଣୁ ଆମକୁ ଆମର ଧର୍ମ ଓ ଆଧ୍ୟାତ୍ମିକତା ଦିଗରେ ମନୋନିବେଶ କରିବା ଜରୁରୀ। ଏଥିଲାଗି ବିଶ୍ୱ ଭାରତକୁ ଆସିବାକୁ ଚାହେଁ। ଏଥିଲାଗି ବିଶ୍ୱ ଭାରତକୁ ଗୁରୁତ୍ୱ ଦିଏ। ଏହାର ଅର୍ଥନୀତି ପାଇଁ ନୁହେଁ। ଆମର ଅର୍ଥନୀତିକ ସଫଳତା ଏହି ଦେଶଗୁଡ଼ିକୁ ଚକିତ କରିବ ନାହିଁ ବୋଲି କହିଛନ୍ତି ଭାରତ। ଏଣୁ ଆମେ ସବୁ ଦିଗରୁ ବିକାଶ କରିବା ଆବଶ୍ୟକ। କିନ୍ତୁ ବିଶ୍ୱଗୁରୁ ହେବାକୁ ହେଲେ ଆମର ଆଧ୍ୟାତ୍ମିକ ବିକାଶ ଉପରେ ଗୁରୁତ୍ୱ ନିବେଶ କରିବାକୁ ହେବ। ଆମର ଧାର୍ମିକ ବିକାଶ ପାଇଁ ଧ୍ୟାନ ଦେବାକୁ ହେବ।
ଏହା ପୂର୍ବରୁ ୨୦୨୪ ଡିସେମ୍ବରରେ ମଧ୍ୟ ସମାନ ବିଷୟ ‘ବିଶ୍ୱଗୁରୁ’ ସମ୍ବନ୍ଧରେ ଉଲ୍ଲେଖ କରି ଶ୍ରୀ ଭାଗବତ ଧାର୍ମିକ ସମନ୍ୱୟ ରକ୍ଷା ପାଇଁ ନିବେଦନ କରିଥିଲେ। ବାବ୍ରୀ ମସ୍ଜିଦକୁ ଶ୍ରୀ ରାମ ଜନ୍ମଭୂମିଭାବେ ପ୍ରତିପାଦିତ କରି ସେଠାରେ ଶ୍ରୀ ରାମଲାଲାଙ୍କ ମନ୍ଦିର ସ୍ଥାପନା ପରେ ଅନ୍ୟ ମସ୍ଜିଦଗୁଡ଼ିକରେ ମନ୍ଦିର ଖୋଜା ଆରମ୍ଭ ହୋଇଥିଲା। ବିଶେଷକରି ଜ୍ଞାନବାପୀ ମସ୍ଜିଦରେ ଶିବ ଲିଙ୍ଗ ମିଳିବା ଘଟଣା ସାରାଦେଶକୁ ସାମ୍ପ୍ରଦାୟିକ ସମ୍ବେଦନଶୀଳତା ଆଡ଼କୁ ମୁହାଁଇଥିଲା। ଉତ୍ତରପ୍ରଦେଶରେ କହିବାକୁ ଗଲେ ପ୍ରତିଦିନ ମସ୍ଜିଦ-ମନ୍ଦିର ବିବାଦ ଦେଖିବାକୁ ମିଳୁଥିଲା। ଏପରିକି ସରକାରୀ ଶକ୍ତି ଏହାକୁ ପ୍ରୋତ୍ସାହନ ଦେଉଥିବା ଅଭିଯୋଗ ହୋଇଥିଲା। ଏହିପରି ବିବାଦକୁ ଚର୍ଚ୍ଚାରୁ ଦୂରରେ ରଖିଥିବା ମୋହନ ଭାଗବତଙ୍କ ସେତେବେଳର ଟିପ୍ପଣୀ। ମସ୍ଜିଦରେ ମନ୍ଦିର ଖୋଜିବା ପରମ୍ପରାକୁ ସେ ନିନ୍ଦା କରିଥିଲେ। ଭାରତର ଧାର୍ମିକ ସଦ୍ଭାବନା, ସାଂସ୍କୃତି ମଜଭୁତିକୁ ଗୁରୁତ୍ୱ ଦେଇଥିଲେ। ଆଉ ଏହାପରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ମସ୍ଜିଦରେ ଶିବଲିଙ୍ଗ ଖୋଜା ପ୍ରକ୍ରିୟାକୁ ହତୋତ୍ସାହିତ କରିଥିଲା। ଫଳରେ ୨୦୨୫ରେ ଆଉ ଏପରି ମାମଲା ସାମ୍ନାକୁ ଆସି ନାହିଁ।
ଏବେ ଭାଗବତଙ୍କ ଏହି ବାର୍ତ୍ତା ସରକାରଙ୍କୁ ଆମର ଆଧ୍ୟାତ୍ମିକ ଜ୍ଞାନ ବୃଦ୍ଧି ଲାଗି ଉଦ୍ୟମ ସନ୍ନିବେଶିତ କରିବା ଦିଗରେ ଆହ୍ୱାନ ଜଣାଉଛି। କିନ୍ତୁ ଏହା ହେବ କିପରି?
ବିଗତ କିଛିବର୍ଷ ହେଲା ବିଶ୍ୱ ପରିପଟ୍ଟଳରେ ଭାରତର ଅର୍ଥନୀତିକ ପ୍ରତିଦ୍ୱିନ୍ଦ୍ୱିତା କ’ଣ ଭାରତକୁ ନୂଆ ଶତ୍ରୁ ଆମନ୍ତ୍ରଣ କରିଛି?
ବନ୍ଧୁ ବୋଲି ଯେଉଁ ଟ୍ରମ୍ପଙ୍କ ନିର୍ବାଚନ ପ୍ରଚାରକୁ ମୋଦୀ ସହଜ କରିଥିଲେ ସେ ଆମେରିକାର ରାଷ୍ଟ୍ରପତି ହେବା ପରେ ଭାରତ ଉପରେ ଟାରିଫ୍ କଟକଣା ଲାଗୁ କରିବା କ’ଣ ଭାରତର ଏହି ଆର୍ଥିକ ଅଭିବୃଦ୍ଧି ପାଇଁ ଦାୟୀ ରହିଛି? ଭାରତର କ’ଣ ଏହି ଆର୍ଥିକ ପ୍ରତିଦ୍ୱନ୍ଦ୍ୱିତାରେ ନିଜକୁ ସାମିଲ କରିବା ଅନୁଚିତ?
ଏହାକୁ ବି ସ୍ପଷ୍ଟ କରିଛନ୍ତି ଶ୍ରୀ ଭାଗବତ। ସେ କହିଛନ୍ତି, ଯଦିବି ଆମେ ୩ ଟ୍ରିଲିୟନ ଡଲାରର ଅର୍ଥନୀତି ହାସଲ କରିଦେଉଛୁ ତଥାପି ତାହା ଆମେରିକା, ଚୀନ୍ ଏବଂ ଅନ୍ୟ ଧନୀ ରାଷ୍ଟ୍ରକୁ ଚକିତ କରିବ ନାହିଁ। ଅନେକ ରାଷ୍ଟ୍ର ଏହା କରିସାରିଛନ୍ତି। ଆଉ ଆମେ ବି କରିବା। ହେଲେ ବିଶ୍ୱ ପାଖରେ ଆମେ ଧାରଣ କରିଥିବା ଆଧ୍ୟାତ୍ମ ଓ ଧର୍ମ ନାହିଁ।
ପରୋକ୍ଷଭାବେ ସେ ବିଶ୍ୱରେ ଭାରତୀୟ ପରମ୍ପରା, ଧର୍ମ ଓ ସଂସ୍କୃତିର ବିକାଶ ଲାଗି ଆହ୍ୱାନ ଦେଇଛନ୍ତି। ଆମେରିକା ହେଉ ବା ଚୀନ୍ ହେଉ ସେମାନଙ୍କ ସହ ଆର୍ଥିକ ଯୁଦ୍ଧ ଅପେକ୍ଷା ସାଂସ୍କୃତିକ ଓ ଧାର୍ମିକ ସଦ୍ଭାବ ବିକାଶ କଥାକୁ ଗୁରୁତ୍ୱ ଦେଇଛନ୍ତି। ଏହା ହେଉଛି ଭାରତର ସମ୍ପତ୍ତି, ଏଣୁ ଆମକୁ ତାହା କରିବାକୁ ହେବ।
ଏହା ମୋଦୀଙ୍କ ବିଦେଶ ନୀତିରେ ପରିବର୍ତ୍ତନକୁ ଇଙ୍ଗିତ ଦେଉଛି। ଯେମିତି ଦେଶ ଭିତରେ ସବୁ ଧର୍ମର ସମନ୍ୱୟକୁ ସଂଘ ପ୍ରମୁଖ ଗୁରୁତ୍ୱ ଦେଇଥିଲେ, ଠିକ୍ ସେମିତି ଆମ ଭିତରେ ଥିବା ଅସୁବିଧା ଓ ସମସ୍ୟାକୁ ଅବଦମିତ କରି ଆଗକୁ ଧର୍ମ ଓ ଆଧ୍ୟାତ୍ମିକତା ପ୍ରଚାର ପାଇଁ ଗୁରୁତ୍ୱ ଦେଇଛନ୍ତି। ଅର୍ଥାତ୍ ଅର୍ଥନୀତି ସମ୍ପର୍କର ସେତୁ ନୁହେଁ, ବରଂ ଆଧ୍ୟାତ୍ମିକତା ଆମ ବୈଦେଶିକ ସମ୍ପର୍କର ମୂଳବିନ୍ଦୁ ହେବା ଆବଶ୍ୟକ। ଗତ କିଛିବର୍ଷ ହେଲା ଆମେ ବିଦେଶ ନୀତିରେ ବାଣିଜ୍ୟକୁ ଗୁରୁତ୍ୱ ଦେଇଛୁ। ଏହାର ପରିବର୍ତ୍ତନର ଆବଶ୍ୟକତାକୁ ବୋଧ ହୁଏ ଭାଗବତ ଇଙ୍ଗିତ କରିଛନ୍ତି।
ନିକଟ ଅତୀତରେ ସଂଘ ପ୍ରମୁଖ ୭୫ ବର୍ଷ ବୟସରେ ରାନୀତିରୁ ସନ୍ନ୍ୟାସ ନେବା କଥା ଉଲ୍ଲେଖ କରିଥିଲେ। ଏହା ଆମର ଆଧ୍ୟାତ୍ମିକ ଦର୍ଶନ ଏବଂ ଧାର୍ମିକ ଜୀବନ ଶୈଳୀର ଏକ ଅଂଶ ବିଶେଷ। ଆମ ସଂସ୍କୃତି ଓ ଆଧ୍ୟାତ୍ମିକ ପରିବେଶ ୭୫ ବର୍ଷ ବୟସରେ ସନ୍ନ୍ୟାସ ଜୀବନଧାରଣକୁ ଆହ୍ୱାନ ଦେଇଛି। ଏଣୁ ଯେକୌଣସି ପଦପଦବୀରେ ରହିଲେ ବି ଏହାକୁ ନୂଆ ପିଢ଼ିକୁ ହସ୍ତାନ୍ତର କରିବା ଲାଗି ଏହା ଗୁରୁତ୍ୱ ଦିଏ। ଏହିକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ ଓ ଖୋଦ୍ ସଂଘ ପ୍ରମୁଖ ଚଳିତ ବର୍ଷ ୭୫ ବର୍ଷରେ ପଦାର୍ପଣ କରୁଛନ୍ତି। ଏଣୁ ରାଜୀତିରୁ ସନ୍ନ୍ୟାସ ନେଇ ନୂଆ ପିଢ଼ିକୁ ଦିଗଦର୍ଶନ କରିବାରେ ମୋଦୀ କ’ଣ ଆଦର୍ଶ ହୋଇପାରିବେ?
ଏ ପ୍ରଶ୍ନକୁ ଅଧିକ ଦୃଢ଼ୀଭୂତ କରିଛି ମୋହନଙ୍କ ନୂଆ ‘ବିଶ୍ୱଗୁରୁ’ ବାର୍ତ୍ତା। ବିଜେପିର ସମ୍ବିଧାନ ଅଲଗା ବୋଲି ଉଲ୍ଲେଖ କରି ତାଙ୍କର ଅନୁଗାମୀମାନେ ଯେଉଁଭଳି ଭାବେ ମୋଦୀଙ୍କ ବିକଳ୍ପ ନାହିଁ ବୋଲି କହୁଛନ୍ତି ତାହା ବାସ୍ତବରେ ମୋଦୀଙ୍କ ନିଷ୍ପତ୍ତି ଉପରେ ହିଁ ନିର୍ଭର କରେ। ଆଉ ଯଦି ତାହା ହୁଏ ତେବେ ମୋଦୀ ଏକ ନୂଆ ଟ୍ରେଣ୍ଡ ରାଜନୀତିରେ ଆରମ୍ଭ କରିବେ। ବିଜେପିରେ ନୂଆ ନେତା ସୃଷ୍ଟି କରିବେ ଏବଂ ପ୍ରକୃତ ‘ଗୁରୁ’ର ଉଦାହରଣ ସାଜିବେ। ବାସ୍ତବରେ ସମୟ ହିଁ କହିପାରିବ ମୋଦୀ କ୍ଷମତା ଲୋଭୀ ନା ଗୁରୁ ?
Also readhttps://purvapaksa.com/brahmos-is-gaining-popularity-in-asia/
Brahmos is gaining popularity in Asia ।। ଏସିଆରେ ବ୍ରହ୍ମୋସର ଧମାଲ,ଗୋଟିଏ ପରେ ଗୋଟିଏ ଦେଶ ଦେଉଛନ୍ତି ଅର୍ଡର
