ସ୍ୱୟଂସିଦ୍ଧଙ୍କ ରିପୋର୍ଟ
ଏପ୍ରିଲ ୨୯ ତାରିଖରେ, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୂର୍ବ ମେଦିନୀପୁରର ପ୍ରସିଦ୍ଧ ବେଳାଭୂମି ରିସର୍ଟ ଦିଘାରେ ନୂତନ ଜଗନ୍ନାଥ ମନ୍ଦିରର ପ୍ରତିଷ୍ଠା ଉତ୍ସବରେ ଏକ ମହାଯଜ୍ଞ ଆଗରେ ଉଭା ହୋଇ ଆହୁତି ପ୍ରଦାନ କରିଥିଲେ। ସେଦିନ ସେଠାରେ ସେ କେବଳ ଏକ ପର୍ଯ୍ୟବେକ୍ଷକ ନ ଥିଲେ, ବରଂ ମୁଖ୍ୟ ଯଜମାନଭାବେ କାର୍ଯ୍ୟ କରି ଦେବତାଙ୍କ ପ୍ରାଣପ୍ରତିଷ୍ଠା ପର୍ଯ୍ୟନ୍ତ ସମସ୍ତ ଧାର୍ମିକ କାର୍ଯ୍ୟକୁ ତଦାରଖ କରିଥିଲେ।
ଦିଘା ଜଗନ୍ନାଥ ମନ୍ଦିରର ବିଗ୍ରହ ପଥରରେ ନିର୍ମିତ ହେଇଥିବା ନେଇ ଅଭିଯୋଗ ଉଠିବା ପରେ ପ୍ରତିଷ୍ଠା ଯଜ୍ଞର ପୁରୋଧା ତଥା ଦଇତା ପତି ନିଯୋଗର ସମ୍ପାଦକ ରାମକୃଷ୍ଣ ଦାସ ମହାପାତ୍ର ଏହା ନିମ୍ବ ଦାରୁରେ ନିର୍ମିତ ବୋଲି ସଫେଇ ଦେଇଥିଲେ। ବିଗ୍ରହଙ୍କ ପବିତ୍ରତାକୁ ନେଇ ସେ ଏକ ବଙ୍ଗାଳି ଟେଲିଭିଜନ ଚ୍ୟାନେଲରେ ସଫେଇ ଦେଇ ଏହା ପୁରୀରୁ ଆସିଛି ଏଵଂ ନବ କଳେବର ପାଇଁ ଆସିଥିବା ଦାରୁର ବଳକା ଅଂଶରେ ତିଆରି ବୋଲି କହି ଦେଇଥିଲେ।
ତା’ପରଠୁ ଉଠିଛି ଝଡ଼। ନବକଳେବର ଦାରୁ ଦୀଘା ଯିବାକୁ ପସନ୍ଦ କହିପାରୁନାହାନ୍ତି ଜଗନ୍ନାଥ ପ୍ରେମୀ। ରାଜ୍ୟରେ ଏହାକୁ ନେଇ ଉତ୍ତେଜନା ବଢ଼ୁଥିବାବେଳେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ। ଶ୍ରୀମନ୍ଦିରର ପ୍ରଶାସନ ପକ୍ଷରୁ ଡାକରା ପାଇ ରାମକୃଷ୍ଣ ଦାସ ମହାପାତ୍ର ନିଜ ପକ୍ଷ ରଖିଛନ୍ତି। ଥାନାରେ ତାଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି।
ବଙ୍ଗୋ ବାହିନୀର ଓଡ଼ିଶା ବିରୋଧି ଅଭିଯାନ

ଓଡ଼ିଶା ଓ ପଶ୍ଚିମବଙ୍ଗ ଦୁଇ ରାଜ୍ୟରେ ଏହାକୁ ନେଇ ଉତ୍ତେଜନା ବଢ଼ୁଥିବାବେଳେ ସୋସିଆଲ ମିଡ଼ିଆରେ ଓଡ଼ିଶା ପର୍ଯ୍ୟଟନକୁ ନାଁ କହି ଏକ ଅଭିଯାନ ଆରମ୍ଭ କରିଛି ବଙ୍ଗୋ ବାହିନୀ। ଓଡ଼ିଶାବାସୀ ମଧ୍ୟ ଏହାର ଦୃଢ଼ ଜବାବ ଦେଉଛନ୍ତି। ବଙ୍ଗୀୟମାନେ ପର୍ଯ୍ୟଟନ ନାଁରେ ଓଡ଼ିଶାରେ ବେପାର ବଣିଜ, ଆତିଥେୟତା ଶିଳ୍ପ, ଆଇଟି କମ୍ପାନୀରେ ନିଯୁକ୍ତି ପାଇବା ସହିତ ଏମ୍ସ, ଏସସିବି ମେଡିକାଲ କଲେଜରେ ବ୍ୟାପକ ସ୍ଵାସ୍ଥ୍ୟ ସୁବିଧା ନେଉଥିବା କାଉଣ୍ଟର କରାଯାଇଛି। ଦୀଘା ଜଗନ୍ନାଥ ମନ୍ଦିରକୁ ଧାମ କୁହାଯିବାକୁ ସହଜରେ ଗ୍ରହଣ କରାଯାଇପାରୁନାହିଁ । ସେଠାରେ ଶ୍ରୀଜୀଉମାନଙ୍କ ବିଗ୍ରହ ତିଆରି କରିଥିବା କଥା ପ୍ରଚାର ହେବା ପରେ ବିବାଦ ଘନେଇଛି।
ଏହି ମନ୍ଦିରର ପ୍ରତିଷ୍ଠା ଉତ୍ସବ ପାଇଁ ଔପଚାରିକ ନିମନ୍ତ୍ରଣ ପଶ୍ଚିମବଙ୍ଗ ଗୃହନିର୍ମାଣ ଭିତ୍ତିଭୂମି ଉନ୍ନୟନ ନିଗମ (HIDCO)ର ଉପାଧ୍ୟକ୍ଷ ଏଚ.କେ. ଦ୍ୱିବେଦୀଙ୍କ ଦ୍ୱାରା ଜାରି କରାଯାଇଥିଲା। କିନ୍ତୁ ବିଭାଗୀୟ ମନ୍ତ୍ରୀ ଏଥିରେ ଯୋଗ ଦେଇନଥିଲେ। ପ୍ରତିଷ୍ଠା ଉତ୍ସବରେ ଯଜମାନ ଭାବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆହୁତି ଓ ଆରତୀ କରି ନିଜକୁ ଦେବତାଙ୍କ ମନୋନୀତ ଭକ୍ତଭାବେ ଉପସ୍ଥାପନ କରିଥିଲେ।
ଜଗନ୍ନାଥଙ୍କ ଆତ୍ମଘୋଷିତ ଭକ୍ତ ମମତା ରାଜ୍ୟର ସୂଚନା ଓ ସାଂସ୍କୃତିକ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ ଯେ ପଶ୍ଚିମବଙ୍ଗର ପ୍ରତ୍ୟେକ ପରିବାର ଦେବତାଙ୍କ ଏକ ଫଟୋଗ୍ରାଫ ଓ ପ୍ରସାଦ ପାଇବେ। ଏହା ତାଙ୍କର ଦେବତାଙ୍କ ପ୍ରତି ଭକ୍ତି ବଦଳରେ ରାଜନୀତି ବୋଲି ଚର୍ଚ୍ଚା ହେଉଛି। ଯଦି ତାଙ୍କର ଜଗନ୍ନାଥଙ୍କ ପ୍ରତି ସାମାନ୍ୟ ଭକ୍ତି ରହିଥାନ୍ତା ତେବେ ସେ ସରକାରୀ ଦଲିଲରେ ଏହାକୁ ଜଗନ୍ନାଥ ଧାମ ଲେଖିବାର ଦୁଃସାହସ କରିନଥାଆନ୍ତେ କି ଯଜ୍ଞ ପରେ କପାଳରେ ଲାଗିଥିବା ଚନ୍ଦନକୁ ତୁରନ୍ତ ଲିଭାଇ ପକାଇ ନ ଥାନ୍ତେ।
ଓଡ଼ିଆଙ୍କ ପ୍ରତି ବିଦ୍ୱେଷ
କେବେ ଆଳୁ ବନ୍ଦ କରି ତ କେବେ ଭାଷା ଦ୍ୱାହି ଦେଇ ଓଡ଼ିଆଙ୍କ ପ୍ରତି ଅସୂୟା ଭାବ ପୋଷଣ କରି ଆସିଛି ପଡ଼ୋଶୀ ପଶ୍ଚିମବଙ୍ଗ। ମଇ ପ୍ରଥମ ସପ୍ତାହରେ ମୂର୍ଶିଦାବାଦ ଅଞ୍ଚଳର ଶ୍ରମିକମାନଙ୍କ ସହିତ ଉପକୂଳ ଓଡ଼ିଶାର ଏକ ଅଞ୍ଚଳର ବଚସାକୁ ନେଇ ସୋସିଆଲ ମିଡିଆରେ ଓଡ଼ିଆଙ୍କୁ ତୀବ୍ର ସମାଲୋଚନା କରାଯିବା ସହିତ ମନ୍ତ୍ରାଳୟକୁ ଓଡ଼ିଶା ବିପକ୍ଷରେ ଫେରାଦ ହୋଇଛି ବଙ୍ଗ।
କେବଳ ସେତିକି ନୁହଁ ଓଡ଼ିଶାର ରସଗୋଲାକୁ ନିଜର ଦାବି କରି ଏକ ପ୍ରକାର ସଫଳ ହେବା ପରେ ଟିଏମସି ନେତ୍ରୀ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା କୋଟି ଓଡ଼ିଆଙ୍କ ଇଷ୍ଟ ଓ ଆରାଧ୍ୟ ଦାରୁ ଦେବତାଙ୍କୁ ନିଜର କରିବା ପ୍ରୟାସ ଆରମ୍ଭ କରିଛନ୍ତି। ବର୍ଷ ବର୍ଷ ଧରି ମଦ ଓ ମନୋରଞ୍ଜନର ବିନ୍ଦୁ ପାଲଟିଥିବା ଦିଘା ରିସର୍ଟକୁ ଏବେ ଦେଉଛନ୍ତି ଧାମର ଆଖ୍ୟା । ଟିଏମସି ନେତା ଓ କର୍ମୀ ସୋସିଆଲ ମିଡିଆରେ ଜୟ ଜଗନ୍ନାଥ ଲେଖି ବକ୍ତବ୍ୟ ଆରମ୍ଭ କରୁଛନ୍ତି। ପ୍ରତିଥର ନିଜ ନିର୍ବାଚନ ପୂର୍ବରୁ ପୁରୀ ସେବାୟତଙ୍କୁ ନେଇ ବଡ଼ ପୂଜାର ଆୟୋଜନ କରୁଥିବା ମମତା ଏବେ ନିଜର ସମର୍ଥକଙ୍କୁ ଉସୁକାଇ ପୁରୀ ପର୍ଯ୍ୟଟନ ବ୍ୟାନ ଅଭିଯାନକୁ ଗତି ଦେଉଥିବା ଅଭିଯୋଗ ଉଠିଛି।
ଓଡ଼ିଶାରେ ପଶ୍ଚିମବଙ୍ଗ ଲୋକଙ୍କ ସଂଖ୍ୟା ୫ ଲକ୍ଷରୁ ଅଧିକ
୨୦୧୧ ଜନଗଣନା ଅନୁଯାୟୀ ପଶ୍ଚିମବଙ୍ଗରେ ଓଡ଼ିଆଙ୍କ ସଂଖ୍ୟା ଥିଲା ୧,୬୨,୧୪୨ ଓ ଓଡ଼ିଶାରେ ବଙ୍ଗାଳିଙ୍କ ସଂଖ୍ୟା ତା’ଠାରୁ କିଛି ଅଧିକ। ଏବେ ଓଡ଼ିଶାରେ ପଶ୍ଚିମବଙ୍ଗ ଲୋକଙ୍କ ସଂଖ୍ୟା ୫ ଲକ୍ଷରୁ ଅଧିକ ହୋଇଥିବାବେଳେ ସେଠି ଥିବା ଓଡ଼ିଶା ଲୋକଙ୍କ ସଂଖ୍ୟା ଦୁଇଲକ୍ଷରୁ କମ ହେବ। ବାଲେଶ୍ଵର ଭଦ୍ରକର ଟ୍ରଲର ଓ ମାଛ ବ୍ୟବସାୟରେ ବଙ୍ଗାଳି ଅଧିକ ଥିବାବେଳେ ଜଗତସିଂହପୁରର ଏରସମା, ବାଲିକୁଦା, ପୁରୀର କାକଟପୁର, ଅସ୍ତରଙ୍ଗ ଖୋର୍ଦ୍ଧାର ବାଲୁଗାଁ ସମେତ କଟକ, ପୁରୀ ଓ ଭୁବନେଶ୍ୱର ସହରରେ ଚାକିରି,ବ୍ୟବସାୟ ଓ ଧାର୍ମିକ ପରମ୍ପରା ନିର୍ବାହ କରୁଥିବା ଲକ୍ଷାଧିକ ବଙ୍ଗାଳି ଅଛନ୍ତି। ଓଡ଼ିଶାର ଟେଣ୍ଟ ବ୍ୟବସାୟ କ୍ଷେତ୍ରରେ ବଙ୍ଗାଳୀଙ୍କ ରହିଛି ଏକଚାଟିଆ ଆଧିପତ୍ୟ। ପଶ୍ଚିମବଙ୍ଗର ଓଡ଼ିଆମାନେ ମୁଖ୍ୟତଃ ଶ୍ରମିକ ଥିବାବେଳେ ଓଡ଼ିଶାର ବଙ୍ଗାଳିମାନେ ଆର୍ଥିକ ଦୃଷ୍ଟିରୁ ଢେର ଉନ୍ନତି କରିଛନ୍ତି। ଏଭଳି ସ୍ଥିତିରେ ଓଡ଼ିଶା ପର୍ଯ୍ୟଟନକୁ ବ୍ୟାନ୍ ଡାକରା ଦେବା ନିଜ ଗୋଡ଼ରେ ନିଜେ କୁରାଢ଼ି ମାରିବା ଭଳି ହେବ।
ଜଗନ୍ନାଥ ମନ୍ଦିର ନିର୍ମାଣକୁ କିଏ ବିରୋଧ କରୁନି କିନ୍ତୁ ପୁରୀର ପ୍ରତିଷ୍ଠା ତଥା ଜଗନ୍ନାଥ ସଂସ୍କୃତିର ଛବିକୁ ମଳିନ କଲେ ବିରୋଧ ତ ହେବ ହିଁ ହେବ।
Also readhttps://purvapaksa.com/govt-to-beat-empty-drums/


