Who Is Pratika Rawal? ଭାରତୀୟ ମହିଳା କ୍ରିକେଟରେ ଜଣେ ନୂଆ ତାରକାଙ୍କ ଆବିର୍ଭାବ ଘଟିଛି। ଇତି ମଧ୍ୟରେ ସେ ଖେଳିଛନ୍ତି ମାତ୍ର ୬ଟି ଦିନିକିଆ ଏବଂ ସ୍କୋର କରିଛନ୍ତି ୭୪.୦୦ ହାରରେ ୪୪୪ରନ୍। ଏଥିରେ ରହିଛି ଗୋଟିଏ ଶତକ ଓ ୩ଟି ଅର୍ଦ୍ଧ ଶତକ। ନିଜ ନାମରେ ଯୋଡ଼ିଛନ୍ତି ଅନେକ ରେକର୍ଡ। ଚଳିତ ବର୍ଷ ଭାରତ ଦିନିକିଆ ବିଶ୍ୱକପ ଆୟୋଜନ କରିବ। ଏହା ପୂର୍ବରୁ ଜଣେ ପ୍ରତିଭାବାନ ଓପନରଙ୍କ ଆବିର୍ଭାବ ଭାରତୀୟ ଦଳର ଶକ୍ତି ବଢାଇ ଦେଇଛି। ସ୍ମୃତି ମନ୍ଧନା ଓ ଶେଫାଳି ବର୍ମା ଭାରତୀୟ ଦଳର ସ୍ଥାୟୀ ଓପନର। ତଥାପି ପ୍ରତୀକାଙ୍କ ପ୍ରଦର୍ଶନ ଭାରତୀୟ ଦଳର ଅନେକ ଅସୁବିଧା ଦୂର କରିବ। ତୃତୀୟ ଓପନର ଭାବେ ସେ ଦଳରେ ସ୍ଥାନ ପାଇବେ। ବର୍ତ୍ତମାନ ଶେଫାଳି ଦଳରେ ନାହାନ୍ତି। କିନ୍ତୁ ସିନିୟର ଦିନିକିଆ ଚ୍ୟାଲେଞ୍ଜର୍ସ ଟ୍ରଫିରେ ସର୍ବାଧିକ ରନ୍ କରି ସେ ପ୍ଲେୟାର ଅଫ ଦ ଟୁର୍ଣ୍ଣାମେଣ୍ଟ ବିବେଚିତ ହୋଇଛନ୍ତି। ଖୁବ୍ ଶୀଘ୍ର ସେଫାଳି ଦଳକୁ ଫେରିବେ ଓ ଓପନର ଦାୟିତ୍ୱ ତୁଲାଇବେ। ତଥାପି ପ୍ରତୀକାଙ୍କ କ୍ୟାରିୟର ପ୍ରଭାବିତ ହେବ ନାହିଁ। ବ୍ୟାଟିଂ କ୍ରମର ସବୁ ସ୍ଥାନରେ ଖେଳିବା ଭଳି କ୍ଷମତା ତାଙ୍କ ନିକଟରେ ରହିଛି। ବର୍ତ୍ତମାନ ଆମେ ପ୍ରତୀକାଙ୍କ ବିଷୟରେ ଜାଣିବା। ହଠାତ୍ ଦଳକୁ ଧଶେଇ ପଶିଥିବା ପ୍ରତୀକା କିଏ? ଘରୋଇ କ୍ରିକେଟରେ ତାଙ୍କ ପ୍ରଦର୍ଶନ କିପରୀ ରହିଛି? ଇତ୍ୟାଦି।
- ଆୟର୍ଲାଣ୍ଡ ବିପକ୍ଷରେ ଖେଳିଥିଲେ ଐତିହାସିକ ୧୫୪ ରନ୍ର ପାଳି
- ୬ଟି ମ୍ୟାଚରେ ସଂଗ୍ରହ କରିଛନ୍ତି ୪୪୪ରନ
- ଗତ ଆୟର୍ଲାଣ୍ଡ ବିପକ୍ଷ ତୃତୀୟ ଦିନିକିଆରେ ୧୨୯ ବଲରୁ ୧୫୪ ରନ୍ ସଂଗ୍ରହ କରିଥିଲେ।
ଆୟର୍ଲାଣ୍ଡ ବିପକ୍ଷ ତୃତୀୟ ତଥା ଅନ୍ତିମ ଦିନିକିଆରେ ଚମତ୍କାର ଶତକ ହାସଲ କରି ରାଜକୋଟକୁ ଆଲୋକିତ କରି ଦେଇଥିଲେ ପ୍ରତୀକା ରାୱଲ। କ୍ୟାରିୟର୍ର ଷଷ୍ଠ ଦିନିକିଆ ଖେଳୁଥିବା ପ୍ରତୀକା ପ୍ରଥମ ଅନ୍ତର୍ଜାତୀୟ ଶତକ ହାସଲ କରିବା ସହ ୧୨୯ ବଲ୍ ରୁ ୧୫୪ ରନ୍ କରିଥିଲେ। ସେ ପ୍ରଥମେ ସତର୍କାତାର ସହ ବ୍ୟାଟିଂ କରି ରନ୍-ଏ-ବଲ୍ ଶତକ ହାସଲ କରିଥିଲେ। ଏହାପରେ ଆରମ୍ଭ ହୋଇଥିଲା ବିସ୍ଫୋରଣ। ରାଜକୋଟରେ ହୋଇଥିଲା ଚୌକା ବର୍ଷା। ଅନ୍ୟ ପଟରେ ମନ୍ଧନାଙ୍କ ବିସ୍ଫୋରଣ ଜାରି ରହିଥିଲା। ସେ ପ୍ରଥମ ଭାରତୀୟ ମହିଳା ବ୍ୟାଟର ଭାବେ ଦଶମ ଦିନିକିଆ ଶତକ ହାସଲ କରିଥିଲେ। ମାତ୍ର ୭୦ଟି ବଲ୍ରେ ସେ ଶତକ ଅର୍ଜନ କରିଥିଲେ। ପ୍ରତୀକା ୧୦୦ ବଲରେ ନିଜର ପ୍ରଥମ ଦିନିକିଆ ଶତକ ହାସଲ କରିବା ସହ ୧୨୯ ବଲରେ ୧୫୪ ରନ୍ କରିଥିଲେ। ଭାରତ ପକ୍ଷରୁ ସେ ତୃତୀୟ ସର୍ବ ବୃହତ ଇନିଂସ ଖେଳିଥିଲେ। ଦିନିକିଆରେ ଦୀପ୍ତି ଶର୍ମା (୧୮୮) ଓ ହର୍ମନପ୍ରୀତ (୧୭୧*) ସର୍ବ ବୃହତ୍ ଇନିଂସ ଖେଳିଛନ୍ତି। ମନ୍ଧାନା ଓ ରାୱଲ ୧୩ତମ ଓଭରରେ ଶତକ ପୂରଣ କରିଥିଲେ। ମାତ୍ର ୬ଟି ଇନିଂସରେ ୪ଥର ଶତକୀୟ ଭାଗିଦାରୀ ଗଠନ କରିଛନ୍ତି। ଉଭୟ ୨୩୩ ରନ୍ ଓପନିଂ ଭାଗିଦାରୀ ଗଠନ କରିଥିଲେ। ଏହି ଯୋଡ଼ିଙ୍କ ପ୍ରଦର୍ଶନ ଯୋଗୁଁ ଭାରତ ୫ ୱିକେଟ୍ ହରାଇ ୪୩୫ ରନ୍ ସଂଗ୍ରହ କରିଥିଲା, ଯାହା କି ୫୦ ଓଭର ଫର୍ମାଟରେ ଭାରତର ସର୍ବୋଚ୍ଚ ସ୍କୋର ଥିଲା।
- ପ୍ରତୀକା ରାୱଲ କିଏ?
ପ୍ରତୀକା ୧ ସେପ୍ଟେମ୍ବର ୨୦ରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ । ସେ ରେଳବାଇ ପକ୍ଷରୁ ଘରୋଇ କ୍ରିକେଟ୍ ଖେଳୁଛନ୍ତି। ତାଙ୍କ ପିତା ପ୍ରଦୀପ ରାଓ୍ଵଲ ଦିଲ୍ଲୀ ଓ ଜିଲ୍ଲା କ୍ରିକେଟ ଆସୋସିଏସନ୍ (ଡିଡିସିଏ)ର ବିସିସିଆଇ ପ୍ରମାଣିତ ଲେବଲ୍-୨ ଅମ୍ପାୟାର। ସେ ବାରଖମ୍ବା ରୋଡସ୍ଥିତ ମଡର୍ଣ୍ଣ ସ୍କୁଲରେ ତାଙ୍କର ବିଦ୍ୟାଳୟ ଶିକ୍ଷା ଶେଷ କରିଥିଲେ ଏବଂ ସିବିଏସଇ ବୋର୍ଡ ପରୀକ୍ଷାରେ ୯୨.୫ ପ୍ରତିଶତ ହାସଲ କରିବା ପରେ ନୂଆଦିଲ୍ଲୀର ଜେସୁସ ଆଣ୍ଡ ମେରି କଲେଜରୁ ମନୋବିଜ୍ଞାନରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ ।
କ୍ରିକେଟ ବ୍ୟତୀତ ପ୍ରତୀକା ରାଜେନ୍ଦ୍ର ନଗରସ୍ଥିତ ବାଲ ଭାରତୀ ସ୍କୁଲ ପାଇଁ ବାସ୍କେଟବଲ ଖେଳି ୨୦୧୯ ଜାନୁଆରୀରେ ଦିଲ୍ଲୀର ୬୪ତମ ସ୍କୁଲ ଜାତୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। କୋଚ୍ ଶ୍ରବଣ କୁମାରଙ୍କ ପରାମର୍ଶକ୍ରମେ ସେ ପ୍ରଥମେ ରୋହତକ ରୋଡ୍ ଜିମଖାନା କ୍ରିକେଟ୍ ଏକାଡେମୀରେ ପ୍ରଶିକ୍ଷଣ ନେଇଥିଲେ। ଗତ ମାସରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଘରୋଇ ଶୃଙ୍ଖଳାରେ ସେ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ। ପଦାର୍ପଣ ରେ ସେ ୪୦ ରନ୍ କରିବା ସହ ମନ୍ଧାନାଙ୍କ ସହ ୧୧୦ ରନ୍ ଯୋଡ଼ିଥିଲେ। ସେହି ମ୍ୟାଚରେ ସେ ୱେଷ୍ଟଇଣ୍ଡିଜ୍ ଅଧିନାୟକ ହେଲି ମାଥ୍ୟୁଜଙ୍କୁ ଆଉଟ୍ କରି ନିଜର ପ୍ରଥମ ଦିନିକିଆ ୱିକେଟ୍ ନେଇଥିଲେ।
ପ୍ରତିକା ରେଳବାଇରେ ଯୋଗ ଦେବା ପୂର୍ବରୁ ୨୦୨୧ରୁ ୨୦୨୪ ପର୍ଯ୍ୟନ୍ତ ଦିଲ୍ଲୀରୁ ପ୍ରତିନିଧିତ୍ୱ କରିଥିଲେ। ନିଜର ପ୍ରଥମ ଶତକ ହାସଲ କରିବା ପରେ ପ୍ରତୀକା କହିଛନ୍ତି ଯେ ତାଙ୍କ ପାଠପଢା ପ୍ରତି ଦୁର୍ବଳତା ଏବଂ କ୍ରିକେଟ ପ୍ରତି ଭଲପାଇବା ତାଙ୍କ ଭାରତୀୟ ଦଳକୁ ଆଣିବାରେ ସହାୟକ ହୋଇଛି। “ମୁଁ ମନତ୍ସତ୍ତ୍ୱ ବିଷୟରେ ଅଧ୍ୟୟନ କରିବାକୁ ଚାହୁଁଥିଲି ଏବଂ ଯେତେବେଳେ ମୁଁ ଏହା ବିଷୟରେ ଅଧ୍ୟୟନ ଆରମ୍ଭ କଲି, ମୁଁ ବୁଝିବାକୁ ବହୁତ ଆଗ୍ରହୀ ଥିଲି ଯେ ଆମେ ପଡ଼ିଆରେ ଏବଂ ପଡ଼ିଆ ବାହାରେ କିପରି ମାନସିକ ଭାବରେ ପ୍ରତିକ୍ରୀୟା କରିଥାଉ । ଏହା ମୋତେ କ୍ରିକେଟରେ ସଫଳ ହେବା ପାଇଁ ମଧ୍ୟ ବହୁତ ସାହାଯ୍ୟ କରିଛି ବୋଲି ବିସିସିଆଇ ଦ୍ୱାରା ‘ଏକ୍ସ’ ଉପରେ ପୋଷ୍ଟ କରାଯାଇଥିବା ‘ପ୍ରତୀକ ରାୱଲ: ସାଇକୋଲୋଜି ମିଟ୍ କ୍ରିକେଟ୍’ ଶୀର୍ଷକ ଏକ ଭିଡିଓରେ ଦିଲ୍ଲୀର ଏହି କ୍ରିକେଟର କହିଛନ୍ତି।
previous article: https://purvapaksa.com/are-paris-olympic-medals-getting-discolored/