Squad: ଚୀନ୍ର ଚତୁରତାକୁ ସମ୍ମୁଖୀନ କରିବାକୁ ଭାରତକୁ ସାଥି ନେବାକୁ ପଡ଼ିବ! ଫିଲିପିନସ୍ ଏହି ବିଷୟ ଭଲରେ ବୁଝିଛି। ତେଣୁ ସେ ଏକ ଅନୌପଚାରିକ ସାମରିକ ମୋର୍ଚ୍ଚା ସ୍କ୍ୱାଡରେ ଭାରତକୁ ସାମିଲ କରିବା ପ୍ରସ୍ତାବ ଦେଇଛି।
ଭାରତ ଦୀର୍ଘଦିନ ଧରି କ୍ୱାଡ୍ର ଅଂଶ ବିଶେଷ ହୋଇ ରହିଛି। ଏହା ଅଷ୍ଟ୍ରେଲିଆ, ଭାରତ, ଜାପାନ ଓ ଆମେରିକାର ଏକ ଗୋଷ୍ଠୀ। ଏହାର ଉଦ୍ଦେଶ୍ୟ ହେଉଛି ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳକୁ ମୁକ୍ତ, ସ୍ଥିର ଏବଂ ସମୃଦ୍ଧ କରିବା। ଏବେ ଫିଲିପାଇନ୍ସ ଭାରତକୁ ‘ସ୍କ୍ୱାଡ୍’ରେ ସାମିଲ ହେବା ପାଇଁ ନିମନ୍ତ୍ରଣ କରିଛି। ଦକ୍ଷିଣ ଚୀନ୍ ସାଗରରେ ଚୀନ୍ର ଏ ଆକ୍ରମଣକୁ ରୋକିବା ପାଇଁ ଗଠିତ ଅଷ୍ଟ୍ରେଲିଆ, ଜାପାନ, ଆମେରିକା ଓ ଫିଲିପାଇନ୍ସର ଏହା ଏକ ଅନୌପଚାରିକ ଗୋଷ୍ଠୀ। ଫିଲିପାଇନ୍ସର ସଶସ୍ତ୍ର ବାହିନୀର ଚିଫ୍ ଅଫ୍ ଷ୍ଟାଫ୍ ଜେନେରାଲ ରୋମିଓ ଏସ୍ ବ୍ରୋନର କହିଛନ୍ତି ଯେ ସେ ଭାରତ ଏବଂ ଦକ୍ଷିଣ କୋରିଆକୁ ମଧ୍ୟ ଏହି ଗୋଷ୍ଠୀରେ ସାମିଲ ହେବାକୁ ଚାହୁଁଛନ୍ତି। ରାଇସିନା ଡାଇଲଗରେ ସେ କହିଛନ୍ତି ଯେ ସେ ଭାରତର ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ (ସିଡିଏସ୍) ଜେନେରାଲ ଅନିଲ ଚୌହାନଙ୍କ ସହ ଏ ବିଷୟରେ ଆଲୋଚନା କରିବେ।
ଚୀନ୍କୁ ‘ସାଧାରଣ ଶତ୍ରୁ’ ବୋଲି ବର୍ଣ୍ଣନା କରି ବ୍ରାଉନର କହିଛନ୍ତି ଯେ ଚୀନ୍ ତିନିଟି କୃତ୍ରିମ ଦ୍ୱୀପ ସୃଷ୍ଟି କରି ଦକ୍ଷିଣ ଚୀନ୍ ସାଗରକୁ ଦଖଲ କରିଛି। ଏହି କୃତ୍ରିମ ଦ୍ୱିପରେ ୨.୭ କିଲୋମିଟର ରନୱେ, ଏୟାର ଡିଫେନ୍ସ ଓ ମିସାଇଲ ସିଷ୍ଟମ ରହିଛି।
ସ୍କ୍ୱାଡ୍ କ’ଣ?
ବ୍ଲୁମବର୍ଗ କହିବା ଅନୁଯାୟୀ, ଏହି ଗ୍ରୁପ୍କୁ ଆମେରିକୀୟ ପେଣ୍ଟାଗନ୍ ଅଧିକାରୀମାନେ ‘ସ୍କ୍ୱାଡ୍’ ନାମ ଦେଇଛନ୍ତି। ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ପାଇଁ ଏହା ଏକ ପ୍ରୟାସ। ଅବଜର୍ଭର ରିସର୍ଚ୍ଚ ଫାଉଣ୍ଡେସନ (ଓଆରଏଫ) ଅନୁଯାୟୀ ଏହାର ପ୍ରଥମ ବୈଠକ ୩ ଜୁନ ୨୦୨୩ରେ ଏବଂ ପ୍ରଥମ ଯୁଗ୍ମ ନୌସେନା ଅଭ୍ୟାସ ଏପ୍ରିଲ ୨୦୨୪ରେ ଅନୁଷ୍ଠିତ ହୋଇଥିଲା।
ଇକୋନୋମିକ୍ ଟାଇମ୍ସ ଅନୁଯାୟୀ, ଏହି ଗୋଷ୍ଠୀର ଦେଶଗୁଡ଼ିକ ଗତ ଏକବର୍ଷ ଧରି ଦକ୍ଷିଣ ଚୀନ୍ ସାଗରରେ ନୌସେନା ଅଭ୍ୟାସ କରୁଛନ୍ତି। ଅନ୍ତର୍ଜାତୀୟ ଆଇନର ଉଲ୍ଲଂଘନ କରି ଚୀନ୍ ସମଗ୍ର ଅଞ୍ଚଳ ଉପରେ ନିଜ ଦାବି ରଖୁଛି। ଅନ୍ୟପକ୍ଷରେ ସ୍ଥାୟୀ ମଧ୍ୟସ୍ଥତା ଅଦାଲତ (ହେଗ୍) ୨୦୧୬ରେ ଚୀନ୍ରକ ଦାବିକୁ ପ୍ରତ୍ୟାଖ୍ୟାନ କରିଥିଲା। ତଥାପି ଚୀନ୍ ଫିଲିପାଇନ୍ସ ଉପରେ ପ୍ରବଳ କୂଟନୈତିକ ଚାପ ପକାଉଛି।
ବଢ଼ୁଛି ଚୀନ୍ର ପ୍ରଭାବ
ପ୍ରତିବର୍ଷ ୩ ଟ୍ରିଲିୟନ ଡଲାରର ସାମୁଦ୍ରିକ ବାଣିଜ୍ୟର ମାର୍ଗ ଦକ୍ଷିଣ ଚୀନ ସାଗର ଦେଇ ଯାଇଥାଏ । ଚୀନ୍ର ବଢ଼ୁଥିବା ଆକ୍ରମଣକୁ ରୋକିବା ପାଇଁ ଏହି ସ୍କ୍ୱାଡ୍ ଗଠନ କରାଯାଇଛି। ପଡ଼ୋଶୀ ଦେଶ ଦକ୍ଷିଣ ଚୀନ୍ ସାଗର ଓ ତାଇଓ୍ଵାନ୍ ଷ୍ଟ୍ରେଟରେ ଅନ୍ତର୍ଜାତୀୟ ନିୟମକୁ ଅଣଦେଖା କରିବା ପାଇଁ ଚୀନ୍କୁ ଦାୟୀ କରାଯାଇଛି। ୩୭୦ଟି ଯୁଦ୍ଧ ଜାହାଜ ଓ ବୁଡ଼ାଜାହାଜ ସହ ବିଶ୍ୱର ସର୍ବବୃହତ ନୌସେନା ଥିବା ଚୀନ୍ ଭାରତ ମହାସାଗରୀୟ ଅଞ୍ଚଳ (ଆଇଓଆର)ରେ ସ୍ଥାୟୀ ଭାବେ ୭-୮ଟି ଯୁଦ୍ଧ ଜାହାଜ ମୁତୟନ କରିଛି।
କ’ଣ କହୁଛନ୍ତି ବିଶେଷଜ୍ଞ?
ଓଆରଏଫର ଏକ ରିପୋର୍ଟ ଅନୁଯାୟୀ ସ୍କ୍ୱାଡ୍ ଏବଂ କ୍ୱାଡ୍କୁ ପରସ୍ପରର ପ୍ରତିଦ୍ୱନ୍ଦ୍ୱୀ ଭାବରେ ଦେଖିବା ଉଚିତ ନୁହେଁ। ଦକ୍ଷିଣ ଚୀନ୍ ସାଗର ଉପରେ ଏହି ସ୍କ୍ୱାଡ୍ ଫୋକସ୍ କରିଥିବାବେଳେ କ୍ୱାଡ୍ ସମଗ୍ର ଭାରତ-ପ୍ରଶାନ୍ତ ମହାସାଗରକୁ ଲକ୍ଷ୍ୟ ରଖିଛି। ଏହି ଗ୍ରୁପ୍ ଏକ ନୂତନ ସୁରକ୍ଷା ଢାଞ୍ଚା ସୃଷ୍ଟି କରିବା ଦିଗରେ ଏକ ପଦକ୍ଷେପ । ଏହି ଦଳ ଏୟୁକେୟୁଏସ୍ (ଅଷ୍ଟ୍ରେଲିଆ-ବ୍ରିଟେନ୍-ଆମେରିକା) ଏବଂ ଜେଏପିଏଚ୍ୟୁଏସ୍ (ଜାପାନ-ଫିଲିପାଇନ୍ସ-ଆମେରିକା) ଭଳି ମିନି-ଲାଟେରାଲ୍ ଗ୍ରୁପ୍ର ଏକ ସ୍ୱାଭାବିକ ଉନ୍ନତି ବୋଲି ସୂଚନା ଦେଇଛି। ଏହି ଗ୍ରୁପ୍ ନିୟମିତ ପାଟ୍ରୋଲିଂ, ଗୁଇନ୍ଦା ଆଦାନପ୍ରଦାନ ଏବଂ ସାମୁଦ୍ରିକ ସୁରକ୍ଷା ସହଯୋଗକୁ ପ୍ରୋତ୍ସାହିତ କରିବ।
ଷ୍ଟକହୋମ୍ ସେଣ୍ଟର ଫର୍ ସାଉଥ୍ ଏସିଆନ୍ ଆଣ୍ଡ୍ ଇଣ୍ଡୋ-ପ୍ୟାସିଫିକ୍ ଆଫେୟାର୍ସର ମୁଖ୍ୟ ଜଗନ୍ନାଥ ପଣ୍ଡା କହିଛନ୍ତି, ଭବିଷ୍ୟତରେ ଏହି ଦଳ ଏକ ସ୍ଥାୟୀ ମେଣ୍ଟରେ ପରିଣତ ହୋଇପାରେ। ତାଙ୍କ ମତରେ ଏହି ଗୋଷ୍ଠୀର ଦେଶଗୁଡ଼ିକର ଦୃଢ଼ ସାମୁଦ୍ରିକ ଶକ୍ତି ଏବଂ ଅର୍ଥନୈତିକ ସ୍ୱାର୍ଥ ଏହାକୁ ଅଧିକ ସଂଗଠିତ କରିପାରିବ।
ଜଳିଲା ଚୀନ୍
ଏହି ମେଣ୍ଚକୁ ନେଇ ଚୀନ୍ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ସରକାରୀ ଖବରକାଗଜ ଗ୍ଲୋବାଲ ଟାଇମ୍ସ ଏହାକୁ ‘ଫ୍ରାଙ୍କେନଷ୍ଟାଇନ୍’ ନାମରେ ନାମିତ କରିଛି, ଯାହା କେବଳ ଦକ୍ଷିଣ ଚୀନ୍ ସାଗରକୁ ଅସ୍ଥିର କରିପାରିବ। ଏହି ଗୋଷ୍ଠୀ ଶାନ୍ତି ଓ ସହଯୋଗ ପାଇଁ ନୁହେଁ, ବରଂ ଉତ୍ତେଜନା ବଢ଼ାଇବା ପାଇଁ ଗଠିତ ବୋଲି ଚୀନ୍ ଦାବି କରିଛି। ଚୀନ୍ ଅନୁଯାୟୀ, ‘ସ୍କ୍ୱାଡ୍ର ପ୍ରକୃତ ‘ଏସ୍’ ସୁରକ୍ଷା ପାଇଁ ନୁହେଁ, ବରଂ ‘ଷଡ଼ଯନ୍ତ୍ର’ ଏବଂ ‘ସଂଘର୍ଷ’ ପାଇଁ।
Also readhttps://purvapaksa.com/today-gold-rate/