- ୬ ଛାତ୍ରଙ୍କ ମୃତ୍ୟୁ ଘଟଣାର ତଦନ୍ତ କରୁଛି ପୁଲିସ
ଡେରାଡୁନର ଓଏନଜିସି ଛକରେ ସୋମବାର ରାତିରେ ଏକ ଦ୍ରୁତ ଗତିରେ ଆସୁଥିବା ମଲ୍ଟି ୟୁଟିଲିଟି ଭେଇକିଲ (ଏମୟୁଭି) ଇନୋଭା ଏକ କଣ୍ଟେନର ଟ୍ରକ୍ ସହ ଧକ୍କା ହେବା ଫଳରେ ୬ ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଛି। ହିମାଚଳ ପ୍ରଦେଶର ଚମ୍ବାର କୁନାଲ କୁକ୍ରେଜା (୨୩)ଙ୍କ ବ୍ୟତୀତ ଡେରାଡୁନର ଅନ୍ୟ ସମସ୍ତେ ଅତୁଲ ଅଗ୍ରୱାଲ (୨୪), ଋଷଭ ଜୈନ (୨୪), ନଭ୍ୟା ଗୋଏଲ (୨୩), କାମାକ୍ଷୀ (୨୦) ଓ ଗୁନୀତ (୧୯) ବୋଲି ଜଣାପଡ଼ିଛି। ମୃତ୍ୟୁରୁ ଅଳ୍ପକେ ବର୍ତ୍ତିଯାଇଥିବା ସିଦ୍ଧେଶ ଅଗ୍ରୱାଲ (୨୫)ଙ୍କ ଅବସ୍ଥା ସ୍ଥିର ରହିଛି। ସେ ସମ୍ପ୍ରତି ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ ହେଁ ଘଟଣା ସମ୍ପର୍କରେ ମନେ ପକାଇପାରୁନାହାନ୍ତି।
କ୍ୟାଣ୍ଟ ଥାନାର ଇନ୍ସପେକ୍ଟର କେସି ଭଟ୍ଟ କହିଛନ୍ତି, ଗାଡ଼ିର ମାଲିକ ଉକ୍ତ ଏମୟୁଭି ଚଳାଉଥିଲେ। ସେ ମୃତ୍ୟୁବରଣ କରିଥିବାରୁ ଆମେ ଆଇନଗତ ବିକଳ୍ପ ଖୋଜୁଛୁ କାରଣ ମରଣୋତ୍ତର ଭାବେ କୌଣସି ଅଭିଯୋଗ ଦାଖଲ କରାଯାଇପାରିବ ନାହିଁ। ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ ଦ୍ରୁତ ଗତିରେ ଗାଡି ଚଳାଇବା ମୁଖ୍ୟ କାରଣ ଥିଲା ଏବଂ ଟ୍ରକ ଡ୍ରାଇଭରଙ୍କର କୌଣସି ଦୋଷ ନଥିଲା ।
ଲାଇସେନ୍ସ ପ୍ଲେଟ୍ ବିହୀନ ଏକ ନୂଆ ଏମୟୁଭିଟି ପଛ ପଟୁ ଟ୍ରକର ବାମ ପାର୍ଶ୍ୱକୁ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଥିଲା। ସିସିଟିଭି କ୍ୟାମେରା ଫୁଟେଜରୁ ଜଣାପଡିଛି ଯେ, ପ୍ରାରମ୍ଭରୁ ଉକ୍ତ ଏମ୍ୟୁଭିଟି ମନ୍ଥର ଗତିରେ ଯାଉଥିଲା। କିନ୍ତୁ ଓଏନଜିସି ଛକ ନିକଟରେ ଏକ ବିଳାସପୂର୍ଣ୍ଣ କାର ଉକ୍ତ ଏମୟୁଭିକୁ ଅତିକ୍ରମ କରିଥିଲା। ଉକ୍ତ ଗାଡ଼ିକୁ ଚ୍ୟାଲେଞ୍ଜ ଦେବାକୁ ଯାଇ ଏମ୍ୟୁଭି ଡ୍ରାଇଭରଜଣକ ନିଜ ଗାଡ଼ିର ବେଗ ବଢାଇଥିଲା ଏବଂ ଉକ୍ତ ଏକ ବିଳାସପୂର୍ଣ୍ଣ କାରକୁ ଓଭରଟେକ୍ କରିବାକୁ ଚେଷ୍ଟା କରିଥିଲା। ସମ୍ମୁଖରେ କଣ୍ଟେନର ଟ୍ରକ୍ ଦେଖି ଡ୍ରାଇଭର ଜଣକ ନିଜ ଗାଡିକୁ ନିୟନ୍ତ୍ରଣରେ ରଖିନପାରି ଧକ୍କା ଦେଇଥିଲା।
ଏହାର ପ୍ରଭାବରେ ଏମୟୁଭିର ଛାତ ଫାଟି ଯିବାରୁ ଦୁଇ ଜଣ ଯାତ୍ରୀଙ୍କ ମୁଣ୍ଡ ଛିଡ଼ି ଯାଇଥିଲା। ଗାଡ଼ିଟିକୁ ଚିହ୍ନିବା ବାହାରେ ଥିବା ପ୍ରତ୍ୟକ୍ଷଦର୍ଶୀମାନେ ବର୍ଣ୍ଣନା କରିଛନ୍ତି।ରାତି ପ୍ରାୟ ସାଢ଼େ ଗୋଟାଏ ସମୟରେ ଓଏନ୍ ଜିସି ଛକରେ କାରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସର୍କଲ ଅଫିସର (ସିଟି) ନୀରଜ ସେମୱାଲଙ୍କ କହିବା ଅନୁସାରେ, କାରଟି ପଛପଟୁ ଟ୍ରକ୍କୁ ଧକ୍କା ଦେଇଥିଲା ଏବଂ ଘଟଣାସ୍ଥଳରେ ୬ ଜଣଙ୍କର ମୃତ୍ୟୁ ଘଟିଥିଲା।
ଏକ ନୂଆ ଭିଡ଼ିଓରୁ ଜଣାପଡିଛି ଯେ, ଏକ ଟ୍ରକ୍ ପଛକୁ କାର୍ ଚଳାଇବାର କିଛି ସମୟ ପୂର୍ବରୁ ଛାତ୍ରମାନେ ମଦ୍ୟପାନ କରି ପାର୍ଟି କରୁଥିଲେ। ପୁଲିସ ସୂଚନା ଅନୁଯାୟୀ, ସ୍ଥାନୀୟ ଅଞ୍ଚଳର ସିସିଟିଭି କ୍ୟାମେରା ଫୁଟେଜରେ ଛାତ୍ରଛାତ୍ରୀମାନେ ଦ୍ରୁତ ବେଗରେ ଗାଡ଼ି ଚଳାଉଥିବା ଦେଖିବାକୁ ମିଳିଛି। ଏହି ଭିଡ଼ିଓରେ ଦେଖିବାକୁ ମିଳିଛି ଯେ କିଛି ଯୁବକ ଯୁବତୀ ନାଚୁଛନ୍ତି ଏବଂ ମଦ ପିଉଛନ୍ତି। ନିଶା ସେବନ କରି ଗାଡ଼ିଚଳାଇବା ଯୋଗୁଁ ଏହି ଦୁର୍ଘଟଣାର ଗଟିଥିବା ଆଶଙ୍କା କରାଯାଉଛି। ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ବାକି ଥିବାରୁ ପୁଲିସ ଏ ନେଇ କୌଣସି ସୂଚନା ଦେଇନାହିଁ।
ମନି କଣ୍ଟ୍ରୋଲର ରିପୋର୍ଟ ଅନୁଯାୟୀ, ଏହି ଦୁର୍ଘଟଣାରେ ସମ୍ପୃକ୍ତ ଇନୋଭାଟି ସାହାରନପୁରର ବାଣ ବ୍ୟବସାୟୀ ସୁନୀଲ ଅଗ୍ରୱାଲଙ୍କର ଥିଲା, ଯିଏ କି ନିକଟରେ ଧନତେରସ ପର୍ବରେ ଏହି ଗାଡ଼ି କିଣିଥିଲେ । ଦୁର୍ଘଟଣା ସମୟରେ ତାଙ୍କ ପୁଅ ଅତୁଲ ୬ ଜଣ ସାଙ୍ଗଙ୍କ ସହ ଡେରାଡୁନ ଯାଇଥିଲେ। ଅତୁଲ ଏକ ନୂଆ କାର୍ କିଣିଥିବାରୁ ତାଙ୍କ ସାଙ୍ଗ ପାର୍ଟି କରିବାକୁ ଦାବି କରିଥିବା ଜଣାପଡ଼ିଛି। ଅତୁଲ ସୋମବାର ରାତିରେ ଜାଖାନ୍ ସ୍ଥିତ ସିଦ୍ଧେଶ ଅଗ୍ରୱାଲଙ୍କ ଘରେ ଏକ ପାର୍ଟିର ଆୟୋଜନ କରିଥିଲେ। ଏହାପରେ ଅତୁଲ ତାଙ୍କ ବନ୍ଧୁଙ୍କ ସହ ଡ୍ରାଇଭ୍ କରିବାକୁ ଯାଇଥିଲେ।
previous article: https://purvapaksa.com/wife-caught-purveted-usband/