ଆଜି ଆପଣଙ୍କୁ ବିଜେଡି ଘରର ହାଲଚାଲ କହିବି। ଇତିହାସର ପୃଷ୍ଠଭୂମି ଦେବି। କେମିତି ଏଠି ନେତାଙ୍କୁ ଅପମାନିତ କରାଯାଇଛି, କେମିତି ପ୍ରତିଶୋଧ ପରାୟଣ ହୋଇଛନ୍ତି ପରମ ସହାୟକ ତାହା କହିବି। ଜଣେ ମହିଳାଙ୍କୁ ପ୍ରତିଷ୍ଠିତ କରିବା ପାଇଁ ଆଉ ଜଣେ ମହିଳା ନେତ୍ରୀଙ୍କୁ କିପରି ଅପମାନିତ କରାଯାଇ ନିର୍ଯାତିତ କରାଗଲା ତାହା ବି ଉପସ୍ଥାପନ କରିବି। ଭାରି ରୋଚକ ହେବ ଏ କାହାଣୀ। କାରଣ ଯେଉଁ ନେତାଙ୍କୁ ସୁପର ହିରୋ ବୋଲି ଓଡ଼ିଶାବାସୀ ବର୍ଷବର୍ଷ ଧରି ଗ୍ରହଣ କରିଥିଲେ ସେ ହିଁ ଏ କାହାଣୀର ମୁଖ୍ୟ ଭିଲେନ୍।
ଦଳର ଆନ୍ଦୋଳନ ପାଇଁ ନବୀନଙ୍କ ସମର୍ଥନ ନାହିଁ
ରାଜ୍ୟରେ ବିଧାନସଭା ଚାଲିଛି। ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବିଜେଡି ସରକାରଙ୍କୁ ଘେରୁଛି। ବିଧାନସଭାର ବାହାରେ ମଧ୍ୟ ବିଶାଳ ଶୋଭାଯାତ୍ରାରେ ଦଳ ଶକ୍ତି ପ୍ରଦର୍ଶନ କରୁଛି କିନ୍ତୁ ସଭାପତି କି ତାଙ୍କ ସଭାପତିଙ୍କ ପରମ ସହାୟକ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ୍ ରାଜ୍ୟରେ ନାହାନ୍ତି। ଜାଣିଶୁଣି ଏପରି ଉଭାନ ଉତ୍ସବ ଆୟୋଜନ କରାଯାଇଛି କି ନା ତାହା ଭିନ୍ନ ବିଷୟ କିନ୍ତୁ ଯେଉଁ ବିଷୟରେ ବିଜେଡି ଆନ୍ଦୋଳନ କରୁଛି ବା ସ୍ୱର ଉତ୍ତୋଳନ କରୁଛି ସେ ବିଷୟରେ ସଭାପତି ପଦୁଟିଏ ବି କହୁନାହାନ୍ତି। ସୋଶାଲ ମିଡିଆରେ ଶକ୍ତିଶାଳୀ ଥିବା ତାଙ୍କ ଟିମ୍ ବି ଗୋଟିଏ ବାର୍ତ୍ତା ଦେଉ ନାହାନ୍ତି। ଅର୍ଥାତ୍ ଏହା ପ୍ରମାଣିତ କରୁଛି ଯେ ଯେଉଁ ପଞ୍ଚାୟତ ପ୍ରତିନିଧିଙ୍କ କ୍ଷମତା ସଙ୍କୁଚିତ ହୋଇଛି ବୋଲି ବିଜେଡି କହୁଛି ସେଥିପ୍ରତି ସଭାପତି ନବୀନ ପଟ୍ଟନାୟକ ବା ତାଙ୍କ ପରମ ସହଯୋଗୀ ପାଣ୍ଡିଆନ୍ଙ୍କ କୌଣସି ସମର୍ଥନ ନାହିଁ।
ସେବକଙ୍କ ନାଁ ନେଲେ ମୁଣ୍ଡ କାଟ୍
ଖାଲି ସେତିକି ନୁହେଁ, ଦଳରେ ନେତା ବା କର୍ମୀ କ’ଣ କରୁଛନ୍ତି ବା ନ କରୁଛନ୍ତି ତାହା ପ୍ରତି ବି ସଭାପତି-ସେବକ ଯୋଡ଼ିର ନିଘା ନାହିଁ। ବର୍ଷ ବର୍ଷ ଧରି ନବୀନ ନିବାସ ସେମାନଙ୍କ ପାଇଁ ବନ୍ଦ ପଡ଼ିବା ଆଉ ପାର୍ଟି ଅଫିସରେ କିଛି ନ ଘଟିବା ଏହାକୁ ପ୍ରମାଣିତ କରୁଛି। କିନ୍ତୁ ଯଦି କିଏ ସେହି ସେବକଙ୍କୁ ସମ୍ପୃକ୍ତ କରି କିଛି ବି କହୁଛି ତେବେ ତାଙ୍କ ଜିଭ କାଟିବାକୁ ଚେଷ୍ଟା କରାଯାଉଛି, ଦଳରୁ ବହିଷ୍କାର କରାଯାଉଛି ବା ନିଲମ୍ବନ କରାଯାଉଛି। ଏମିତି ଘଟଣା ବିଗତ ଦିନରେ ଅନେକ ଘଟିଛି। ଯାହା ବିଜେଡି ନେତାଙ୍କ ଦୁର୍ବଳତା ଓ ନବୀନ-ପାଣ୍ଡିଆନ୍ଙ୍କ ଏକଛବାଦୀତାକୁ ପ୍ରମାଣିତ କରୁଛି।
ମହିଳାଙ୍କ ସମ୍ମାନ ବିରୋଧି ନବୀନ
ମଙ୍ଗଳବାର ସନ୍ଧ୍ୟାରେ ଏମିତି ଏକ ଘଟଣା ଘଟିଛି। ସକାଳେ ଶ୍ରୀମୟୀ ମିଶ୍ର ଭଗବତ ଗୀତାର ଏକ ଶ୍ଳୋକକୁ ଉଦ୍ଧାର କରି ‘ଶ୍ରେଷ୍ଠ ବ୍ୟକ୍ତି କିଏ ଓ ସେ କିପରି ଅନୁକରଣୀୟ ହୁଅନ୍ତି’ ତାହାକୁ ଆଲୋଚନା କରିଥିଲେ। ଯଦି ଜଣେ ନେତା ମହିଳାଙ୍କ ଅଧିକାର ଓ ମର୍ଯ୍ୟାଦା ରକ୍ଷାପାଇଁ ଦୃଢ଼ ପଦକ୍ଷେପ ନିଅନ୍ତି ତେବେ ଅନ୍ୟମାନେ ତାଙ୍କ ଆଦର୍ଶକୁ ଅନୁସରଣ କରି ମହିଳାଙ୍କୁ ପ୍ରତି ସମ୍ମାନ ପୋଷଣ କରନ୍ତି ବୋଲି ସେ କହିଥିଲେ। ଇଙ୍ଗିତରେ ଏହା ନବୀନଙ୍କ ପ୍ରତି ଉଦ୍ଦିଷ୍ଟ ଥିଲା ବୋଲି ଚର୍ଚ୍ଚା ହେଲା। ଆଉ ସନ୍ଧ୍ୟାରେ ବିଜୁ ଜନତା ଦଳର କାର୍ଯ୍ୟାଳୟ ଉପ ସଭାପତି ଏକ ନୋଟିସରେ ଶ୍ରୀମୟୀଙ୍କୁ ସଭାପତି ଦଳରୁ ନିଲମ୍ବନ କରିଛନ୍ତି ବୋଲି ଆଦେଶ ଦେଲେ। ଏହା ପ୍ରମାଣ କରୁଛି ଯେ ମହିଳାଙ୍କ ସୁରକ୍ଷା ପାଇଁ ଜଣେ ମହିଳା ଯେତେବେଳେ କିଛି ବି କହିବାକୁ ଚାହୁଁଛି ତା ବିରୋଧରେ ଅତ୍ୟନ୍ତ ପ୍ରତିଶୋଧ ପରାୟଣ ହେବାକୁ ବି ପଛାଉ ନାହାନ୍ତି ଦଳର ସଭାପତି ନବୀନ ପଟ୍ଟନାୟକ।
ଓଡ଼ିଶାବାସୀଙ୍କ ସ୍ୱପ୍ନକୁ କିଏ ଧୋକା ଦେଉଛି
ନବୀନଙ୍କୁ ଏବେ ୭୮ ବର୍ଷ। ୨୪ ବର୍ଷ ଧରି ସେ ଓଡ଼ିଶାକୁ ଶାସନ କରିଛନ୍ତି। ଅର୍ଥାତ୍ କ୍ଷମତାକୁ ଭରପୂର ଉପଭୋଗ କରିଛନ୍ତି। ଏବେ ସେ ବିରୋଧୀ ଦଳର ନେତା। କିନ୍ତୁ ବିଧାନସଭାରେ ତାଙ୍କର ଉପସ୍ଥିତି ଦେଖିବାକୁ ମିଳୁ ନାହିଁ। ପୂର୍ବରୁ ମଧ୍ୟ ଓଡ଼ିଶାବାସୀ ତାଙ୍କୁ ଯେଉଁ ଆସନରେ ଯେତେବେଳେ ବସାଇଛନ୍ତି ତାହାର ଦାୟିତ୍ୱ ସେ ନିର୍ବାହ କରିନଥିବା ନେଇ ଅନେକ ଅଭିଯୋଗ ହୋଇଛି। ମୁଖ୍ୟମନ୍ତ୍ରୀ ଥିବାବେଳେ କା’ ମୁଖ୍ୟମନ୍ତ୍ରୀ ଭାବେ ପ୍ରଥମେ ପ୍ୟାରୀ ମୋହନ ମହାପାତ୍ର, ପରେ ପାଣ୍ଡିଆନ୍ ଶାସନ ପରିଚାଳନା କରୁଥିଲେ ଆଉ ବିରୋଧୀ ଦଳର ନେତା ପଦକୁ ଆସିବା ପରେ ପାଣ୍ଡିଆନ୍ ବିଧାନସଭାକୁ ଆସୁନଥିବାରୁ ସେ ବି ଆସୁ ନାହାନ୍ତି ବୋଲି ଚର୍ଚ୍ଚା ହେଉଛି। ଏଠି ଓଡ଼ିଶାବାସୀଙ୍କ ସ୍ୱପ୍ନକୁ କିଏ ଧୋକା ଦେଉଛି ତାହା ଆପଣ ବିଚାର କରନ୍ତୁ।
ପାଣ୍ଡିଆନ୍ଙ୍କ ଚତୁରତାକୁ ନେଇ ପ୍ରଶ୍ନବାଚୀ
ଏବେ ପ୍ରଶ୍ନ ହେଉଛି ଶ୍ରୀମୟୀଙ୍କ ଗୋଟିଏ ପୋଷ୍ଟ କ’ଣ ନବୀନଙ୍କୁ ବିବ୍ରତ କରିଦେଲା? ଉତ୍ତର ସମ୍ପୂର୍ଣ୍ଣ ନା। କାରଣ ଶ୍ରୀମୟୀଙ୍କର ଏ ପୋଷ୍ଟ ନବୀନଙ୍କ ପ୍ରତି ଉଦ୍ଦିଷ୍ଟ ନ ଥିଲା, ବରଂ ତାହା ପାଣ୍ଡିଆନ୍ଙ୍କ କାରନାମାକୁ ଇଙ୍ଗିତ କରୁଥିଲା। ଏହା ପୂର୍ବରୁ ସେ ଫେସବୁକ୍ ପୋଷ୍ଟରେ ଯେଉଁ ଭଣ୍ଡ ସନ୍ନ୍ୟାସୀ ଉପାଖ୍ୟାନ କହିଥିଲେ ତାହା ସମ୍ପୂର୍ଣ୍ଣ ଭାବେ ପାଣ୍ଡିଆନ୍ଙ୍କ ଇଙ୍ଗିତ କରୁଥିବା ଚର୍ଚ୍ଚା ହୋଇଥିଲା। ଆଉ ସେହି ଦିନଠାରୁ ପାଣ୍ଡିଆନ୍ଙ୍କ ଟିମ୍ ଶ୍ରୀମୟୀଙ୍କ ପାଟି ଚୁପ କରିବାକୁ ଲାଗିଥିଲେ। ଏପରିକି ତାଙ୍କର କିଛି ଦୁର୍ବଳ ଭିଡିଓ ବିଜେଡି ନେତାଙ୍କ ପାଖରେ ରହିଛି ବୋଲି କହି ତାଙ୍କୁ ଧମକ ଦେଇଥିଲେ। ଏ ଧମକ କାମ ନ କରିବାରୁ ତାଙ୍କୁ ଦଳରୁ ନିଲମ୍ବନ କରାଗଲା ବୋଲି ରାଜନୀତିକ ମହଲ ଚର୍ଚ୍ଚା କରୁଥିବା ବେଳେ ସେ ଦଳର ସଦସ୍ୟତା ଗ୍ରହଣ କରି ନାହାନ୍ତି ବୋଲି ସ୍ପଷ୍ଟ ଭାବେ କହି ପାଣ୍ଡିଆନ୍ଙ୍କ ଚତୁରତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି।
ଶ୍ରୀମୟୀଙ୍କୁ ଧୋକା
ଏହା ପୂର୍ବରୁ ଅମର ଶତପଥି ମଧ୍ୟ ସମାନ ଅଭିଯୋଗ ଆଣିଥିଲେ। ଯାହାର ଉତ୍ତର ଏଯାଏ ଦେଇ ପାରି ନାହିଁ ଦଳ। ଅର୍ଥାତ୍ ଏହା ପ୍ରମାଣିତ କରୁଛି ଯେ ଦଳ ବରିଷ୍ଠ ସଦସ୍ୟଙ୍କ ବାବଦରେ ବି ତଥ୍ୟ ରଖିବାରେ ବି ଅସମର୍ଥ ହୋଇଛି। ଶ୍ରୀମୟୀଙ୍କ ପାଇଁ ବ୍ଲାକମେଲିଂ ଧମକ ନୂଆ ବା ଏକମାତ୍ର ନୁହେଁ। ଏହା ପୂର୍ବରୁ ଶ୍ରୀମୟୀଙ୍କୁ ଅନେକ ଧୋକା ଦେଇଛି ବିଜେଡି। ତାଙ୍କୁ ଗୋଟିଏ ଧୋକାକୁ ପ୍ରଶମିତ କରିବାକୁ ବଡ଼ ଉପହାର ଦେବାର ପ୍ରତିଶ୍ରୁତି ଦେଇଛି କିନ୍ତୁ ତାହା ବି ଧୋକାରେ ପରିଣତ ହୋଇଛି। ତାଙ୍କୁ ପ୍ରଥମେ ବଲାଙ୍ଗୀର ଓ କଳାହାଣ୍ଡିରେ ବିଧାୟକ କରିବା ପାଇଁ ବିଜେଡି ପ୍ରତିଶ୍ରୁତି ଦେଇଥିଲା। ଏ ନେଇ ପ୍ରଚାର ପ୍ରସାର ଚାଲିଥିଲା। କିନ୍ତୁ ୨୦୧୯ରେ କ୍ୟାପ୍ଟେନ୍ ଦିବ୍ୟଶଙ୍କରଙ୍କୁ ଅଣାଯାଇ ତାଙ୍କୁ ଆଉଟ କରିଦିଆଗଲା। ଏହାପରେ ତାଙ୍କୁ ଭୁବନେଶ୍ୱର ମେୟର ଓ ପରେ ଭୁବନେଶ୍ୱର ସାଂସଦ ଟିକଟ ପାଇଁ ପ୍ରତିଶ୍ରୁତି ଦିଆଗଲା। ପ୍ରଚାର ବି ହୋଇଥିଲା । ହେଲେ ୨୦୨୪ ନିର୍ବାଚନରେ କ୍ୟାପ୍ଟେନ୍ ମନ୍ମଥ ରାଉତରାୟଙ୍କୁ ଆଣି ତାଙ୍କୁ ଆଉଟ କରିଦିଆଗଲା। ଏହା ପରଠୁ ଶ୍ରୀମୟୀ ପୂରା ନୀରବ ରହିଥିଲେ। ଆଉ ଦଳର ବିପର୍ଯ୍ୟୟ ପରେ ଧୀରେ ଧୀରେ ଅନ୍ୟାୟ ବିରୋଧରେ ସ୍ୱର ଉତ୍ତୋଳନ କଲେ ଆଉ ଯେତେବେଳେ ପାଣ୍ଡିଆନ-ନବୀନ ଦ୍ୱୟଙ୍କୁ ଟାର୍ଗେଟ କରିଲେ ସେତେବେଳେ କାର୍ଯ୍ୟାନୁଷ୍ଠାନ ଭୋଗିଲେ।
୨୦୧୪ରୁ ନେତାଙ୍କୁ ଦଣ୍ଡ ଦେବା ପ୍ରକ୍ରିୟା ଆରମ୍ଭ
ଶ୍ରୀମୟୀ ଏହି ପ୍ରତିଶ୍ରୁତି-ପ୍ରତାରଣା ଓ ତୁଣ୍ଡ ଖୋଲି ଦଣ୍ଡ ଭୋଗିଥିବା ତାଲିକାରେ ସର୍ବଶେଷ ହୋଇପାରନ୍ତି କିନ୍ତୁ ପ୍ରଥମ ବା ଏକମାତ୍ର ନୁହନ୍ତି। ଏପରି ତାଲିକା ୨୦୧୪ ମସିହାରୁ ନିରନ୍ତର ଭାବେ ଗଡ଼ି ଚାଲିଛି। ୨୦୧୪ ବର୍ଷକୁ ଆରମ୍ଭ ଭାବେ ଗ୍ରହଣ କରିବା ପଛରେ କାରଣ ହେଉଛି, ବିଜେଡି ରାଜନୀତିରେ ଏହିଠାରୁ ହିଁ ପାଣ୍ଡିଆନ୍ଙ୍କ ପ୍ରବେଶ ହୋଇଥିଲା। ରାଜନୀତିକ ବ୍ୟକ୍ତିଙ୍କ ପରାମର୍ଶ ନବୀନ ନେବା ପ୍ରାୟତଃ ବନ୍ଦ କରିଦେଇଥିଲେ। ଆଉ ଏହି ସମୀକରଣରେ ପ୍ରଥମ ଶିକାର ହୋଇଥିଲେ ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡ଼େଇ। ୨୦ ସେପ୍ଟେମ୍ବର, ୨୦୧୪ ମସିହାରେ ପ୍ରଫୁଲ୍ଲ ଘଡ଼େଇଙ୍କୁ ଦଳରୁ ନିଲମ୍ବନ କରାଯାଇଥିଲା। ଏହାପରେ ଦାମୋଦର ରାଉତଙ୍କୁ ଦଳ ୧୨ ସେପ୍ଟେମ୍ବର, ୨୦୧୮ରେ ଆଉଟ କରିଦେଲା। ବିଜୁ ପନ୍ଥୀ ଦାମୋଦର ଦଳକୁ ଫେରିବା ପାଇଁ ଜୀବନର ଶେଷ ନିଃଶ୍ୱାସ ଯାଏ ଅପେକ୍ଷା କଲେ। ଦଳ ଯଦିଓ ତାଙ୍କ ଉପରୁ ବହିଷ୍କାର ଆଦେଶ ହଟାଇଲା କିନ୍ତୁ ସେତେବେଳକୁ ତାଙ୍କ ନିଃଶ୍ୱାସ ମୃତ୍ୟୁ ସଙ୍ଗେ ଲଢ଼େଇ କରୁଥିଲା। ଆଉ କିଛିଦିନ ପରେ ତାଙ୍କର ମୃତ୍ୟୁ ବି ହୋଇଗଲା।
୨୦୧୮ରେ ବୈଜୟନ୍ତ ଦଣ୍ଡିତ
ସେହିବର୍ଷ ୨୦୧୮ ଜାନୁୟାରୀ ୨୪ ତାରିଖରେ ବୈଜୟନ୍ତ ପଣ୍ଡାଙ୍କୁ ଦଳରୁ ନିଲମ୍ବନ କଲା ଦଳ। ଦୁଇଥର ଲୋକସଭାର ସଦସ୍ୟ ଥିବା ଶିଳ୍ପପତି ପରିବାରର ବୈଜୟନ୍ତଙ୍କ ନାଁରେ ଅଭିଯୋଗ ଆସିଥିଲା ସେ ଦଳ ବିରୋଧୀ କାର୍ଯ୍ୟ କରୁଛନ୍ତି। ହେଲେ ତାଙ୍କ ଟିଭିରେ ବାରମ୍ବାର ପାଣ୍ଡିଆନ୍ଙ୍କ ବିରୋଧରେ ନ୍ୟୁଜ ପ୍ରସାରଣ କରାଯିବା ଏହାର କାରଣ ରହିଥିଲା। ଖାଲି ନିଲମ୍ବନ କରାଗଲା ତାହା ନୁହେଁ ତାଙ୍କ ବାପା ତଥା ବିଜୁ ବାବୁଙ୍କ ଘନିଷ୍ଠ ବନ୍ଧୁ ବଂଶୀଧର ପଣ୍ଡାଙ୍କ ଶେଷ ଦର୍ଶନକୁ ବି ନବୀନ ବର୍ଜନ କରିଥିଲେ।
ଗୋପାଳପୁରରୁ ଆରମ୍ଭ ହେଲା ପାଣ୍ଡିଆନ ବିରୋଧି ସ୍ୱର
ଜଣେ ପରେ ଜଣେ ପ୍ରଭାବଶାଳୀ, ବିତ୍ତଶାଳୀ, ଅଭିଜ୍ଞତାସମ୍ପନ୍ନ ରାଜନେତାଙ୍କୁ ଏପରି ରାତାରାତି ନିରସ୍ତ୍ର କରିଦେବା ନୀତିକୁ ଦେଖି ଅନେକ ଡରିଲେ। ମୁଖ୍ୟମନ୍ତ୍ରୀ ବି ନିଜ କାର୍ଯ୍ୟ କରିବା ପୂର୍ବରୁ ପ୍ରଥମେ ୫ଟି ଅଫିସର ସନ୍ତକ ଖୋଜିଲେ। ଆଉ ଏହା ଦେଖି ଅନେକ ନେତା କେବଳ ଭୟଭୀତ ହେଲେ ବା ନବୀନଙ୍କୁ ଛାଡ଼ି ପାଣ୍ଡିଆନ୍ଙ୍କୁ ଅସଲ ନେତା ଭାବେ ଗ୍ରହଣ କଲେ। କିଛି ନେତା ତ ବ୍ୟବସାୟ ବଢ଼ାଇବାରେ ଲାଗିଗଲେ। ଆଉ କିଛି କୁର୍ସି ବଞ୍ଚାଇବା ପାଇଁ ଚାପୁଲୁସି ବି କଲେ। ହେଲେ ଗୋପାଳପୁରରୁ ସ୍ୱର ବଢ଼ିଲା। ଏକଦା ନବୀନଙ୍କ ରାଜନୀତିକ ନୋମିନି ଥିବା ପ୍ରଦୀପ ପାଣିଗ୍ରାହୀ ପାଣ୍ଡିଆନ୍ଙ୍କ ବିରୋଧରେ ସ୍ୱର ଉତ୍ତୋଳନ କଲେ। ବଳିଷ୍ଠ ଯୁକ୍ତି କଲେ। ପାଣ୍ଡିଆନ୍ଙ୍କୁ ରାସ୍ତା ଘାଟରେ ବିରୋଧ କଲେ। ଏହାର ପରିଣାମସ୍ୱରୂପ ବିଜେଡି ତାଙ୍କୁ ୨୯ ନଭେମ୍ବର ୨୦୨୦ରେ ପାର୍ଟିରୁ ବହିଷ୍କାର କରିଦେଲା। ତାଙ୍କ ଝିଅର ବାହାଘର ରୋକିଦେଲେ। ତାଙ୍କ ସମୁଦି ଓ ଜ୍ୱାଇଁ ହେବାକୁ ଥିବା ବନ୍ଧୁଙ୍କୁ ଗିରଫ କରି ପ୍ରଶାସନ ଜେଲ ହାଜତକୁ ନେଲେ। କିନ୍ତୁ ପରେ ଏସବୁ ରାଜନୀତିକ ଅଭିସନ୍ଧି ବୋଲି ଜଣାପଡ଼ିଲା। ସେମାନେ ମୁକୁଳିଲେ। କିନ୍ତୁ ପ୍ରଦୀପଙ୍କ ପଣରେ ନବୀନଙ୍କ ଗଞ୍ଜାମ ଗଡ଼ ଭାଙ୍ଗିଗଲା।
କେତେଜଣଙ୍କୁ ପାଣ୍ଡିଆନ ନିଲମ୍ବିତ କରିବେ?
ଏହାଙ୍କ ପରେ ସୁଜିତ କୁମାର, ମମତା ମହାନ୍ତ, ପ୍ରଫୁଲ୍ଲ ମଲ୍ଲିକଙ୍କୁ ଦଳ ନିଲମ୍ବିତ କରିଛି। ଏନିଲମ୍ବିତ ନେତାମାନେ ବିଭିନ୍ନ ସ୍ଥାନରେ ପ୍ରତିଷ୍ଠିତ ରହିଛନ୍ତି। କିନ୍ତୁ ପାଣ୍ଡିଆନ୍ କ୍ଷମତାରୁ ଗଲା ପରେ ନବୀନଙ୍କ ଛଡ଼ା ଦଳକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଛନ୍ତି। ନିଜ ଉପରେ ଥିବା ଅଣ ଓଡ଼ିଆ କଳଙ୍କରୁ ସେ ମୁକୁଳି ପାରୁନାହାନ୍ତି। ନିଜ ପତ୍ନୀଙ୍କୁ ବିଜେଡିରେ ଭର୍ତ୍ତି କରି ଦଳକୁ ଅପହରଣ କରିବାକୁ ସେ ଉଦ୍ୟମ କରୁଥିବା ଅଭିଯୋଗ ହେଉଛି। ଏହାର ଅନେକ ପରୋକ୍ଷ ପ୍ରମାଣ ବି ବିଜେଡିର ନେତାମାନେ ଦେଉଛନ୍ତି। କିନ୍ତୁ ଦଳର ସଭାପତି କେବଳ ପାଣ୍ଡିଆନ୍ଙ୍କ ଉପରେ ହିଁ ଅତୁଟ ଭରସା କରିବା ଦଳ ଓ ଦଳର ବଳ ଉଭୟଙ୍କୁ ଦୁର୍ବଳ କରୁଛି। ଆଉ ପ୍ରତିଶୋଧ ପରାୟଣ ପାଣ୍ଡିଆନ୍ଙ୍କ ଅଧିକ ରାଗ ତମତମ ହୋଇ ଦଳରେ ବିରୋଧୀ ନେତାଙ୍କୁ ଖୋଜିବାରେ ଲାଗିଛନ୍ତି। କୁହାଯାଉଛି କମ୍ବଳ ବାଳ ଭଳି ବିଜେଡିର ମୂଳେ, ଡାଳେ ଏବଂ ପତ୍ରରେ ପାଣ୍ଡିଆନ୍ଙ୍କୁ ବିରୋଧ କରୁଥିବା ନେତା ରହିଛନ୍ତି, କେତେଜଣଙ୍କୁ ସେ ବହିଷ୍କାର କରିବେ? ଏହା କ’ଣ ବିଜୁ ଦାୟାଦ ବୋଲି ନବୀନଙ୍କ ଉପରେ ବିଶ୍ୱାସ ରଖିଥିବା ଜନତାଙ୍କ ପ୍ରତି ନ୍ୟାୟ ହେବ?
ବିଜେଡିରେ ଏବେ ଭୂସ୍ଖଳନକୁ ଅପେକ୍ଷା
ବର୍ତ୍ତମାନ ବିଜେଡିରେ ଯେଉଁଭଳି ନେତାମାନଙ୍କୁ ନିଲମ୍ବିତ ଓ ବହିଷ୍କାର ପର୍ବ ଚାଲିଛି ତାହା ଭୂସ୍ଖଳନର ସଂକେତ ଦେଉଛି। ଭୂସ୍ଖଳନ ପୂର୍ବରୁ ଯେପରି ଗୋଡ଼ି ଓ ଛୋଟ ଛୋଟ ପଥର ପାହାଡ଼ ଉପରୁ ଖସିପଡ଼େ ସେହିଭଳି କିଛି ନେତା ଏବେ ପାଣ୍ଡିଆନଙ୍କ କୋପରୁ ବଳି ପଡ଼ୁଛନ୍ତି। ଆଗକୁ ବଡ଼ ଧରଣର ବିଜେଡିରେ ବଡ଼ ଧରଣର ଭୂସ୍ଖଳନ ହୋଇପାରେ ବୋଲି ରାଜନୀତିକ ମହଲରେ ଆଲୋଚନା ହେଉଛି।
Also read https://purvapaksa.com/who-will-be-scapegoat-for-sujata/
Who will be scapegoat for Sujata? II ସୁଜାତାଙ୍କ ପାଇଁ କିଏ ହେବ ‘ବଳିର ଛେଳି’?
