ଶାସନ କ୍ଷମତାରେ ଥିବାବେଳେ ପାଣ୍ଡିଆନ୍ଙ୍କ ଦ୍ୱାରା ଅତ୍ୟନ୍ତ ଲାଭାନ୍ୱିତ ହୋଇଥିବା ଜଣେ ରାଜ୍ୟସଭା ସାଂସଦ ଏବେ ବିଜେଡି ନେତାଙ୍କ ଘର ଘର ବୁଲୁଛନ୍ତି। ସୁରୁଖୁରୁରେ ପାଣ୍ଡିଆନ୍ଙ୍କୁ ବିଜେଡି କ୍ଷମତା ହସ୍ତାନ୍ତରଣ ପାଇଁ ନିବେଦନ କରୁଛନ୍ତି। ଦିନକୁ ଦିନ ବଢ଼ୁଥିବା ଅସନ୍ତୋଷକୁ ପ୍ରଶମିତ କରିବାରେ ବିଫଳ ହୋଇଥିବା ନବୀନ-ପାଣ୍ଡିଆନ୍ କମ୍ପାନୀ ଅଚାନକ ଦିଲ୍ଲୀ ଗଲାପରେ ଏବେ ଏହି ହାଇବ୍ରିଡ୍ ନେତାଙ୍କର ଦଳୀୟ ଅସନ୍ତୁଷ୍ଟ ନେତାମାନଙ୍କ ଦୁଆର ବିଜେକୁ ନେଇ ବିଜେଡି ରାଜନୀତି ସରଗରମ ହେବାରେ ଲାଗିଛି। ତା ଭିତରେ ତଥାଗତଙ୍କ ତେରେଚ୍ଛା ବାଣ ଅସନ୍ତୁଷ୍ଟଙ୍କୁ ନୂଆ ଦଳ ତିଆରି ପାଇଁ ଆହ୍ୱାନ ଦେଉଛି। କେହି କେହି କହିଲେଣି ନେପାଳରେ କ୍ଷମତାରେ ଥାଇ ମଧ୍ୟ ନୂଆପିଢ଼ିକୁ ସମ୍ମୁଖୀନ ହୋଇନପାରି କମ୍ୟୁନିଷ୍ଟ ପାର୍ଟିର ନେତାମାନେ ଯେମିତି ଆତ୍ମଗୋପନ କରୁଛନ୍ତି ସେ ଅବସ୍ଥା ଓଡ଼ିଶା ବିଜେଡିରେ ହେବାକୁ ଯାଉଛି।

ଆଜି ସୋଶାଲ୍ ମିଡିଆରେ ବିଶ୍ୱ ଦେଖୁଛି ଭାରତର ଆଉ ଏକ ପଡ଼ୋଶୀ କିପରି ବିଦ୍ରୋହର ଅଗ୍ନିରା ଜଳିପୋଡ଼ି ଛାରଖାଣ ହେଉଛି। ମାତ୍ର ୧୭ ବର୍ଷ ହେଲା ରାଜତନ୍ତ୍ରକୁ ହରାଇଥିବା ନେପାଳ, ଗଣତନ୍ତ୍ରର କ୍ଷମତା ଲୋଭୀ ନେତାଙ୍କ ଭିତରେ ରୁନ୍ଧି ହୋଇପଡ଼ିଛି। ଦୁର୍ନୀତି, ବଂଶବାଦ ଓ ପକ୍ଷପାତିତାର ଚରମ ଶୀର୍ଷରେ ପହଞ୍ଚିଥିବା ନେପାଳ କମ୍ୟୁନିଷ୍ଟ ପାର୍ଟିର ନେତାଙ୍କୁ କିପରି ସାଧାରଣ ଯୁବବର୍ଗ ଗୋଡ଼ାଇ ଗୋଡ଼ାଇ ପିଟୁଛନ୍ତି। ପ୍ରଧାନମନ୍ତ୍ରୀ ଗାଦି ଛାଡ଼ି ପଳାୟନ କରୁଛନ୍ତି। ସେନା ଶାସନ କ୍ଷମତା ଦଖଲ କରି ଶାନ୍ତି ନିବେଦନ କରୁଛି।
ବିଜେଡିରେ ନବୀନ ଚିନ୍ତା

ନେପାଳର ଏହି ଅଚଳାବସ୍ଥା ଆମେ ପୂର୍ବରୁ ଶ୍ରୀଲଙ୍କାରେ ଦେଖିଛୁ, ବାଂଲାଦେଶରେ ଦେଖିଛୁ। ସେପରି ପରିସ୍ଥିତି ଥାଇଲାଣ୍ଡରେ ବି ଉତ୍କଟ ହୋଇଥିବା ବି ଆମେ ଜାଣିଛୁ। ଏସବୁ କ୍ଷେତ୍ରରେ କ୍ଷମତାଶାଳୀ ନେତା ଲୋକଙ୍କୁ ଜବାବ ଦେବାକୁ ସକ୍ଷମ ହୋଇପାରି ନାହାନ୍ତି, ନିଜ କର୍ମୀଙ୍କୁ ନିୟନ୍ତ୍ରଣ କରିପାରି ନାହାନ୍ତି। କିଏ ଦେଶ ଛାଡ଼ିଛି, କିଏ ଅନ୍ୟକୁ କ୍ଷମତା ହସ୍ତାନ୍ତର କରିବାକୁ ବାଧ୍ୟ ହୋଇଛି ତ ଆଉ କିଏ ନିଜ ଦେଶରେ ଆତ୍ମଗୋପନ କରିଛି। ଏସବୁ ପଛରେ ଗୋଟିଏ ବିନ୍ଦୁ ସ୍ପଷ୍ଟ ତାହା ହେଲା ଭାଇ-ଭତିଜାବାଦ। ଯାହାକୁ ଆମେ ଖାଣ୍ଟି ଓଡ଼ିଆରେ ପ୍ରିୟାପ୍ରୀତି ତୋଷଣ ବୋଲି କହୁ। ଆଉ ଏଭଳି ପରିସ୍ଥିତି ଓଡ଼ିଶାକୁ ୨୪ ବର୍ଷ ହେଲା ଶାସନ କରିଥିବା ବିଜେଡି ଭିତରେ ଗୁମୁରି ଗୁମୁରି କୁହୁଳିଛି। କେତେବେଳେ ଅଗ୍ନିପିଣ୍ଡୁଳା ରୂପ ନେବ ତାକୁ ସମସ୍ତେ ଅପେକ୍ଷା କରିଛନ୍ତି। ସବୁରି କେନ୍ଦ୍ରବିନ୍ଦୁରେ ପୂର୍ବତନ ମୁଖ୍ୟମନ୍ତ୍ରୀ, ବର୍ତ୍ତମାନର ବିରୋଧୀ ଦଳ ନେତା ତଥା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଦାୟୀ କରାଯାଉଛି।
ଅଣଓଡ଼ିଆ ଅଧିକାରୀଙ୍କ ଯୋଗୁ ବିଜେଡିରେ ଅସନ୍ତୋଷ
କେବେ ରାଜନୀତିକୁ ଭଲ ପାଉନଥିବା ଏହି ନେତା ନିଜ ପିତାଙ୍କ ମୃତ୍ୟୁ ପରେ ବଂଶବାଦ ଓ କ୍ଷମତା ପ୍ରେମରେ ପଡ଼ି ୧୯୯୭ ମସିହାରେ ରାଜନୀତିରେ ପ୍ରବେଶ କରିଥିଲେ। ରାଜନୀତିରେ ଯୋଗଦେବା ଦିନଠାରୁ ସେ କ୍ଷମତାରେ ରହି ଆସିଛନ୍ତି। କିଛିବର୍ଷ କେନ୍ଦ୍ରରେ ମନ୍ତ୍ରୀ ଆଉ ଦୀର୍ଘ ସମୟ ମୁଖ୍ୟମନ୍ତ୍ରୀ ରହିବା ପରେ ଆଜି ବିରୋଧୀ ଦଳ ନେତା ଭାବେ ନିଜର ପରିଚୟ ରକ୍ଷା କରିଛନ୍ତି।
)
ପ୍ରଥମେ ପିତାଙ୍କ ନାମରେ ଆଉ ଏବେ ନିଜ ନାଁରେ ସେ ଅନେକ ଲୋକଙ୍କ ସମର୍ଥନ ହାସଲ କରିଛନ୍ତି। ୨୦୨୪ ଯାଏ ସେ ଅପରାଜେୟ ବୋଲି ଆଖ୍ୟା ଅର୍ଜନ କରିଥିଲେ; ହେଲେ ୨୦୨୪ ନିର୍ବାଚନରେ ପରାଜୟ କ’ଣ ତାଙ୍କୁ ଭୋଗିବାକୁ ପଡ଼ିଥିଲା। ନିଜେ ପରାଜିତ ହେବା ସହ ଦଳ ବି କ୍ଷମତାରୁ ଚ୍ୟୁତ ହୋଇଥିଲା। ଏହା ପ୍ରମାଣିତ କରୁଛି ଯେ ତାଙ୍କ ପ୍ରତି ଲୋକ ସମର୍ଥନ ଅନେକ କମିଛି। ଖାଲି ସେତିକିରେ ଏହା ସୀମିତ ରହିନାହିଁ।

ବିରୋଧୀ ଦଳରେ ବସିବା ଦିନଠାରୁ ତାଙ୍କ ବିରୋଧରେ କର୍ମୀ ଅସନ୍ତୋଷ ଦେଖିବାକୁ ମିଳିଛି। ଜଣେ ଅଧିକାରୀରୁ ତାଙ୍କର ସେବକ ପାଲଟିଥିବା ଅଣ ଓଡ଼ିଆ ବ୍ୟକ୍ତିଙ୍କ ଯୋଗୁ ଏହି ପରିସ୍ଥିତି ସୃଷ୍ଟି ହୋଇଥିବା ଆଲୋଚନା ହେଉଛି। ବିଶେଷ କରି ଦଳର ଗଣତନ୍ତ୍ରକୁ ହତ୍ୟା କରି ନବୀନ ତାଙ୍କୁ ବା ତାଙ୍କ ପତ୍ନୀଙ୍କୁ ନିଜର ଉତ୍ତରାଧିକାର ଦେବା ପାଇଁ ପ୍ରସ୍ତୁତ ହେବା ନେଇ ଚର୍ଚ୍ଚା ହେଉଛି।
ବିଜେଡିରେ ବିଦ୍ରୋହ ଡାକରା
ପାଣ୍ଡିଆନଙ୍କ ଦ୍ୱାରା ବିଜେଡି ଅକ୍ତିଆର ଚର୍ଚ୍ଚା ଯେ ସତ୍ୟ ତାହାକୁ ଅନୁଭବ କରିଛନ୍ତି ଦଳର ପୁରୁଣା ଓ ନୂଆ ନେତା। ସେଥିଲଗି ମିଡିଆ, ହାଟ, ବଜାର ଓ ନବୀନ ନିବାସ ସବୁଠି ବିଦ୍ରୋହର ଡାକରା ଦେଇଛନ୍ତି ଏମାନେ। ଏହି ଡାକରାରେ ଆଘାତ ହୋଇଛି ନବୀନଙ୍କ ପ୍ରତିଚ୍ଛବି ଓ ମାନସିକ ଅବସ୍ଥା। ଆଉ ସେଥିଲାଗି ସେ ଅଚାନକ ଦିଲ୍ଲୀ ଗସ୍ତରେ ରହିଛନ୍ତି। ପୁରୁଣା ବନ୍ଧୁଙ୍କୁ ଭେଟୁଛନ୍ତି। ତିନି ଦଶନ୍ଧି ତଳେ ଯେମିତି ଦିଲ୍ଲୀ ବନ୍ଧୁମାନଙ୍କ ସହ କଳା ଓ ସଂସ୍କୃତିର ଚର୍ଚ୍ଚା କରୁଥିଲେ ତାହାକୁ ଆପଣାଇଛନ୍ତି।

ନବୀନଙ୍କ ଏହି ଟାଇମ୍ ପାସ୍ ସମୟରେ ବିଜେଡିର ନେତାମାନଙ୍କ ଭିତରେ ତାରତମ୍ୟ କମିଛି ତା’ ନୁହେଁ। ଉଭୟ ଗୋଷ୍ଠୀ ପରସ୍ପରକୁ ମଜଭୁତ କରିବା ଉଦ୍ୟମ କରିଛନ୍ତି। ପୁରୁଖା ନେତାମାନେ ବିଜେଡିର ନିଷ୍ପତ୍ତିକୁ ‘ଆପଣା ହସ୍ତେ ଜିହ୍ୱା ଛେଦି’ ବୋଲି କହୁଛନ୍ତି। ଏପଟେ ନୂଆ ଆଞ୍ଚଳିକ ଦଳ ଗଠନର ବି ଆହ୍ୱାନ ଦେଇଛନ୍ତି। ନିରନ୍ତର ଭାବେ ବିଜୁବାବୁଙ୍କ ଚିନ୍ତାଧାରାକୁ ରକ୍ଷା କରିବା ଲାଗି କିଛି ନେତା ବିଜେଡିଠାରୁ ଅଲଗାର ହେବାକୁ ଚାହୁଁଛନ୍ତି। ଦକ୍ଷିଣରେ ବିଜେଡିର ଟାଣୁଆ ନେତା ଏନ. ଭାସ୍କର ରାଓ ଓ ଲାଲ ବିହାରି ହିମିରିକା ଦଳରୁ ଇସ୍ତଫା ଦେଇ ସ୍ୱାଭିମାନ ମଞ୍ଚ ଗଠନ କରିଛନ୍ତି।
ବୁଲିଲେଣି ପାଣ୍ଡିଆନଙ୍କ ଶାନ୍ତିଦୂତ
ଦଳରେ ଅସନ୍ତୋଷ ବୃଦ୍ଧି ପାଉଥିବାବେଳେ କିଛି ନେତା ପାଣ୍ଡିଆନ୍ଙ୍କ ସପକ୍ଷବାଦୀ ଭାବେ ନିଜର ବଳ ସାଉଁଟୁଛନ୍ତି। ବିଭିନ୍ନ ଗୋଷ୍ଠୀର ନେତାଙ୍କୁ ଦୂତ ପଠାଇ ମାନଭଞ୍ଜନ ଚେଷ୍ଠାରେ ଅଛନ୍ତି। ନିଜ ସାଙ୍ଗରେ ରହିବାକୁ ନେହୁରା ହେଉଛନ୍ତି। ଏହି କାର୍ଯ୍ୟ ଜଣେ ସାଂସଦଙ୍କ ହାତରେ ନ୍ୟସ୍ତ କରାଯାଇଛି। ଯିଏ ନିଜର ବ୍ୟବସାୟିକ ସାମ୍ରାଜ୍ୟ ପାଣ୍ଡିଆନ୍ ଓ ତାଙ୍କର ଅନ୍ୟତମ ଅଫିସର ସହଯୋଗୀ କୁଟ୍ଟେଙ୍କ ଆଶୀର୍ବାଦରେ ବୃଦ୍ଧି କରିଛନ୍ତି। କୁହାଯାଏ ଏହି ଅଧିକାରୀମାନଙ୍କ କଳାଧନକୁ ସେ ନିଜ ବ୍ୟବସାୟିକ ସାମ୍ରାଜ୍ୟରେ ନିବେଶ କରିଛନ୍ତି। ମିଡିଆଠାରୁ ଆରମ୍ଭ କରି ବ୍ରଏଲର ଫାର୍ମ, ପର୍ଯ୍ୟଟନଠାରୁ ଆରମ୍ଭ କରି ଜଙ୍ଗଲଜାତ ଦ୍ରବ୍ୟ କିଣାବିକା ଯାଏ ସେ ସାମିଲ ରହିଛନ୍ତି। ଖାଲି ସେତିକି ନୁହେଁ, ତାଙ୍କ ପରିବାର ମଧ୍ୟ ଏହି ବ୍ୟବସାୟରେ ଜଡ଼ିତ। ରାଜ୍ୟର କିଛି ଘରୋଇ ବିଶ୍ୱବିଦ୍ୟାଳୟରେ ମଧ୍ୟ ସେ ନିଜର ଅନୁଷ୍ଠାନ ଖୋଲି ଭତ୍ତା ଆକାରରେ ମୋଟା ଅଙ୍କ ଲାଭ କରୁଛନ୍ତି। ଏବେ ସେହି ବ୍ୟକ୍ତିଙ୍କୁ ପାଣ୍ଡିଆନ୍ ଅନ୍ୟତମ ବିଶ୍ୱସ୍ତଭାବେ ବିଭିନ୍ନ ବିଧାୟକଙ୍କ ସହ ବୁଝାମଣା କରିବା ପାଇଁ ନିୟୋଜନ କରିଥିବା କଥା ଚର୍ଚ୍ଚା ହେଉଛି।
ବିଜେଡି ପରିଚୟ ହରଣର ଭୟ

ଏହି ବୁଝାମଣା ଉଦ୍ୟମ ପଛର କାରଣ ହେଉଛି ଦଳର ବିଭାଜନ ଓ ପ୍ରକୃତ ବିଜେଡି ପରିଚୟ ହରଣର ଭୟ। କାରଣ ଦଳ ବଦଳ ବିରୋଧୀ ଆଇନ ଏବଂ ୨୦୦୩ ମସିହାରେ ହୋଇଥିବା ଏହି ଆଇନର ୯୩ ତମ ସଂଶୋଧନ ଅନୁସାରେ କୌଣସି ପାର୍ଟିର ଦୁଇ ତୃତୀୟାଂଶ ସଦସ୍ୟ ଯଦି ଏକାଠି ହୋଇ ଦଳରୁ ବାହାରି ଯାଆନ୍ତି ତେବେ ସେମାନେ ଅନ୍ୟ ଦଳ ଗଠନ କରିପାରିବେ, ଅନ୍ୟ ଦଳରେ ମିଶି ପାରିବେ ବା ନିଜକୁ ଅରିଜିନାଲ ବୋଲି ପରିଚୟ ଦେଇପାରିବେ। ମହାରାଷ୍ଟ୍ର, ମେଘାଳୟ ଏବଂ ଅନ୍ୟ ରାଜ୍ୟମାନଙ୍କରେ ଏହା ଦେଖିବାକୁ ମିଳିଛି। ଏହିକ୍ରମରେ ବିଜେଡିର ୫୧ ଜଣ ବିଧାୟକଙ୍କ ଭିତରୁ ୩୪ ଜଣ ବିଧାୟକ ଯଦି ଏକାଠି ହୁଅନ୍ତି ଏବଂ ରାଜ୍ୟସଭାର ୪ ଜଣ ସାଂସଦ ଯଦି ତାଙ୍କ ସହ ସାମିଲ ହୁଅନ୍ତି ତେବେ ଖେଳ ଆଉ ପାଣ୍ଡିଆନ୍ ବା ତାଙ୍କ ଗୁରୁ ନବୀନଙ୍କ ହାତମୁଠାରେ ରହିବ ନାହିଁ। ସେମାନେ ପ୍ରକୃତ ବିଜେଡି ବୋଲି କହି ନବୀନଙ୍କୁ ଦଳରୁ ଅଲଗା କରିପାରନ୍ତି।
ତଥାଗତଙ୍କ ଆଶଙ୍କା; ବିଭାଜନ ଆଡ଼କୁ ମୁହାଁଇଛି ଦଳ

ନିକଟ ଅତୀତରେ ରାଜ୍ୟସଭାରେ ସାଂସଦମାନଙ୍କ ଭିତରେ ମନୋମାଳିନ୍ୟ ଏବଂ ପରସ୍ପର ବିରୋଧୀ ଭୋଟ୍ ଦାନ ଏହାକୁ ପ୍ରମାଣିତ କରିଛି। ଏହି କାରଣରୁ ଉପରାଷ୍ଟ୍ରପତିଙ୍କ ନିର୍ବାଚନ ସମୟରେ ଦିଲ୍ଲୀ ଯାଇ ମଧ୍ୟ ନବୀନ ସବୁ ସାଂସଦଙ୍କୁ ଏକତ୍ର କରିପାରି ନାହାନ୍ତି। ଏହାର ଅର୍ଥ ଦଳ ବିଭାଜନ ଆଡ଼କୁ ମୁହାଁଇଛି। ପୂର୍ବତନ ସାଂସଦ ତଥାଗତ ସତପଥି ଏହାକୁ ଠିକଣା ଭାବେ ଚିହ୍ନଟ କରିଛନ୍ତି। ଅର୍ଥାତ୍ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରିୟାପ୍ରୀତି ତୋଷଣ ଭାବ ବିଜେଡିକୁ ଭଙ୍ଗୁର କରିଛି। ଏହି ଭଙ୍ଗୁର ପରିସ୍ଥିତି ଦଳରେ ଦୁର୍ନୀତି, ବିଶୃଙ୍ଖଳାକୁ ପ୍ରଶ୍ରୟ ଦେଉଛି ଯେମିତି ନେପାଳ ପରିସ୍ଥିତିରେ ସ୍ପଷ୍ଟ ହେଉଛି। ଫରକ ଏତିକି ଯେ ସେଠାରେ ବାହ୍ୟ ଶକ୍ତି ଆନ୍ଦୋଳନକାରୀଙ୍କ ସହ ଏକାଠି ହେବାରୁ ପ୍ରଧାନମନ୍ତ୍ରୀ ବି ଚୌକି ଛାଡ଼ି ପଳାୟନ କରିବାକୁ ବାଧ୍ୟ ହେଲେ। ଏଠାରେ ଯଦି କୌଣସି ବାହ୍ୟ ଶକ୍ତି ବିଦ୍ରୋହୀଙ୍କ ସହ ଏକାଠି ହୁଅନ୍ତି ତେବେ ପରିସ୍ଥିତି ‘ଅଖା ଧୋଉଥିବ ଗୁଣ ଗାଉଥିବ’ ଭଳି ହେବାର ଆଶଙ୍କାକୁ ଏଡ଼ାଯାଇ ନ ପାରେ।
Also readhttps://purvapaksa.com/divine-feminine-in-odishas-yogini-temples/
Divine Feminine In Odisha’s Yogini Temples ।। ଓଡ଼ିଶାର ୨ଟି ଯୋଗିନୀ ପୀଠରେ ନାରୀ ଶକ୍ତିର ନିଆରା ରୂପ


