ବିଜୁ ଜନତା ଦଳରେ ପାଣ୍ଡିଆନ୍ଙ୍କ ବିନା ଗୋଟିଏ ବି ପତ୍ର କଅଁଳେ ନାହିଁ ଏହାକୁ ଅସ୍ୱୀକାର କରିବା ହେଉଛି ରାଜନୀତିକ ବୋକାମୀ। ଆଉ ଦଳର ସୁପ୍ରିମୋ ବାରମ୍ବାର ମିଡିଆ ସାମ୍ନାରେ ବୟାନ ଦେଇ ଏହି ବୋକାମୀକୁ ଦୋହରାଇଛନ୍ତି। ଆମେ ଏଠାରେ ଦଳରେ ପାଣ୍ଡିଆନ୍ଙ୍କ ପ୍ରଭାବ କଥା କହୁଛୁ। ସେ ଯେ ଦଳରୁ ସମସ୍ତ ରାଜନୀତିକ କାର୍ଯ୍ୟକ୍ରମରୁ ବାହାରେ ରହିଛନ୍ତି, କେବଳ ନବୀନଙ୍କ ସେବକ ସାଜିଛନ୍ତି ତାହା ଭାବିବା, ସେ ଭାବନାରେ ବ୍ୟସ୍ତ ରହିବା ଅଥବା ସେ ଧାରଣାକୁ ନେଇ ଯୁକ୍ତି ବାଢ଼ିବା ହେଉଛି ବିଜେଡି ଜାଲରେ ନିଜକୁ ବାନ୍ଧିବା ଅଥବା ଆଖିରେ ବିଜେଡି ପଟି ବାନ୍ଧି ସାଧାରଣ ଲୋକଙ୍କୁ ଭୁଆଁ ବୁଲାଇବା ସହ ସମାନ। ଗତ କିଛିଦିନ ହେଲା ଏ ବିଷୟ ନୀରବ ରହିବା ପରେ ଏବେ ନିକଟରେ ଯେଉଁ ରାଜନୀତିକ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି ତାହାର ସୂତ୍ରଧର ବି ସେ। ଏହା ପ୍ରମାଣିତ ହୋଇଛି ନିକଟରେ ଘଟିଥିବା ଆନ୍ଦୋଳନ ସମୟରେ।
୨୦୨୪ ନିର୍ବାଚନରେ କ୍ଷମତା ହରାଇବା ପରେ ବିଜୁ ଜନତା ଦଳର ବରିଷ୍ଠ-କନିଷ୍ଠ ନେତା ଓ କର୍ମୀ ପାଣ୍ଡିଆନ୍ଙ୍କ ରଣନୀତିକୁ ଘୃଣା କଲେ। ତାଙ୍କ ବିରୋଧରେ ଜନମତ ସୃଷ୍ଟି କଲେ। ତାଙ୍କ ଚାରିପାଖରେ ରହୁଥିବା ନେତାଙ୍କୁ ସମାଲୋଚନା କଲେ। ଅର୍ଥାତ୍ ୨୦୨୩ ଅକ୍ଟୋବର ମାସରେ ଶାରଦୀୟ ପୂଜା ସମୟରେ ଆଇଏଏସ୍ରୁ ଅବ୍ୟାହତି ନେଇ ଫୁଲ୍ ଟାଇମ୍ ଲୋକଙ୍କ ଦୁଃଖ ଶୁଣୁଛନ୍ତି ବୋଲି ଜନମାନସରେ ଏକ ଛାପ ଛାଡ଼ିବାକୁ ଚାହିଁଥିଲେ ପାଣ୍ଡିଆନ୍। ଏଥିନେଇ ସରକାରୀ ଅର୍ଥରେ ପ୍ରତି ଜିଲ୍ଲାରେ ଜନଶୁଣାଣୀ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।
କେବଳ ୨୦୨୩ ମସିହାରେ ସେପ୍ଟେମ୍ବର ୨୩ ତାରିଖ ସୁଦ୍ଧା ପାଣ୍ଡିଆନ୍ ୧୯୦ଟି ଜନ ଶୁଣାଣି କରିଥିଲେ। ଯେଉଁଥିରେ ୫୭ ହଜାର ୪୪୨ଟି ଅଭିଯୋଗ ପତ୍ର ସେ ବିଭିନ୍ନ ବର୍ଗର ଲୋକଙ୍କଠାରୁ ସଂଗ୍ରହ କରିଥିଲେ। ତାଙ୍କରି ହସ୍ତକ୍ଷେପରେ ତୁରନ୍ତ ଅଭିଯୋଗ ଫଇସଲା ହେଉଛି ବୋଲି ଦର୍ଶାଇବା ଲାଗି ୪୩୫୩୬ଟି ଅଭିଯୋଗ ଏହି ସମୟରେ ସମାଧାନ ହୋଇଥିବା ସରକାରୀ ସୂତ୍ରରେ ତଥ୍ୟ ପ୍ରଦାନ କରାଯାଇଥିଲା। ଏହାକୁ ସେତେବଳେ ଦି’ ହିନ୍ଦୁ ଖବରକାଗଜରେ ପ୍ରକାଶ କରାଯାଇଥିଲା।
ହେଲେ ଏହି ଅଭିଯୋଗ ଶୁଣାଣି ବାହାନାରେ ନିଜର ପରିଚୟ ଅଭିଯାନ ବିଜେଡିକୁ ଘାଟା ଆଣିଥିଲା। ବିଜେଡିର ଭୋଟ୍ କାଟିବାରେ ପରମ ସହାୟକ ହୋଇଥିଲେ ପାଣ୍ଡିଆନ୍। କିନ୍ତୁ ବଜାରରେ ନବୀନଙ୍କ ନୀରବତା, ପ୍ରଦର୍ଶିତ ଶାରିରୀକ ଅକ୍ଷମତା ଏବଂ ପାଣ୍ଡିଆନ୍ଙ୍କ କ୍ରିୟାଶୀଳତା ଏହି ବାର୍ତ୍ତା ଦେଇଥିଲା ଯେ, ପାଣ୍ଡିଆନ୍ ଆଗକୁ ଦଳକୁ କବ୍ଜା କରିବାକୁ ଯାଉଛନ୍ତି। ସେ ହିଁ ନବୀନଙ୍କ ଉତ୍ତରାଧିକାରୀ ହେବାକୁ ଯାଉଛନ୍ତି। ଜଣେ ବାହାରି ଅଫିସରଙ୍କୁ ରାଜନୀତିକ ମଙ୍ଗ ପ୍ରଦାନ କରିବା ଲୋକଙ୍କ ହଜମ ହୋଇନଥିଲା।
ଗଣମାଧ୍ୟମରେ ଏନେଇ ଅନେକ ଚର୍ଚ୍ଚା ହେଲା। ପରିସ୍ଥିତି ଏମିତି ହେଲା ଯେ, ବିଜେଡିର ଘରେ ଥିବା ଭୋଟ ବିଜେପି ଆଡ଼କୁ ଢଳିଥିଲା। ଆଉ ଏହାର ଆଭାସ ପାଇ ନିଜେ ପାଣ୍ଡିଆନ୍ ସତର୍କ ହେଲେ। ଆଗକୁ ଯେମିତି ନିଜ ଉପରେ ଦୋଷ ନ ପଡ଼ିବ ସେଥିଲାଗି ନବୀନଙ୍କ ଦ୍ୱାରା ଏକ ବାର୍ତ୍ତା ଦେବା ଲାଗି ଦୁଇଟି ନ୍ୟୁଜ୍ ଏଜେନ୍ସୀକୁ ବ୍ୟବହାର କରାଯାଇଥିଲା।
୨୦୨୪ ନିର୍ବାଚନ ଆରମ୍ଭରୁ ଏହି ବିପର୍ଯ୍ୟୟ ଜଣାପଡ଼ିବା ପରେ ବିଜେଡି ସୁପ୍ରିମୋ ପାଣ୍ଡିଆନ୍ ଦଳର ଉତ୍ତରାଧିକାରୀ ନୁହଁନ୍ତି ବୋଲି କହିଥିଲେ। କିନ୍ତୁ କ୍ଷତ ଏତେ ଗଭୀର ହୋଇଥିଲା ଯେ ଏହା ଆଣ୍ଟିବାୟୋଟିକ୍ ହୋଇପାରିନଥିଲା। ୧୭ ବର୍ଷର ନିର୍ବାଚନ କ୍ୟାରିୟରରେ କେବେ ହାରିନଥିବା ନବୀନ ପଟ୍ଟନାୟକଙ୍କୁ ପରାଜୟର ଗ୍ଲାନି ଦେଖିବାକୁ ପଡ଼ିଥିଲା।
ନିର୍ବାଚନ ପରେ ଅନେକ କର୍ମୀ ଅସନ୍ତୋଷ, ଭାଙ୍ଗୁଥିବା ଦଳକୁ ଦେଖି ପାଣ୍ଡିଆନ୍ ଚୁପ୍ ରହିବା ପାଇଁ ଉଚିତ ଭାବିଲେ। ହେଲେ ଏହା ତାଙ୍କ ଲୋଭ ବା ତାଙ୍କ ଦ୍ୱାରା ରଚା ଯାଇଥିବା ଜାଲର ଆଉ ଏକ ଅଧ୍ୟାୟ। ନବୀନଙ୍କ ପରାମର୍ଶ ହେତୁ ସେ ନବୀନଙ୍କ ପାଖରେ ହିଁ ରହିଲେ। ନବୀନ ନିବାସରୁ ଦଳକୁ ନିୟନ୍ତ୍ରଣ କଲେ କିନ୍ତୁ ଦଳରେ ସେ ନାହାନ୍ତି ବୋଲି ବାର୍ତ୍ତା ପ୍ରଚାର ହେଲା। ଦଳ ଯେ ତାଙ୍କ ନେତୃତ୍ୱରେ ତାଙ୍କ କଥାରେ ଚାଲୁ ନାହିଁ ଏହି ବାର୍ତ୍ତାକୁ ଭୁଲ୍ ପ୍ରମାଣିତ କରିବା ଲାଗି କିଛି ନେତା ଓ କର୍ମୀ ନବିନ ନିବାସରେ ପ୍ରବେଶ କଲେ। ତାଙ୍କ ବିରୋଧରେ ନାରା ଦେଲେ। ସେହି ସବୁ ନିୟନ୍ତ୍ରଣକାରୀ ବୋଲି ଗଣମାଧ୍ୟମରେ ବୟାନ ଦେଇଥିଲେ। ହେଲେ ପୁଣିଥରେ ନବୀନ ସାମ୍ନାକୁ ଆସି ଏହା ସ୍ପଷ୍ଟ କଲେ ଯେ, ପାଣ୍ଡିଆନ୍ ଦଳରେ ସକ୍ରିୟ ନାହାନ୍ତି। ଏହାପରେ କିଛି ବରିଷ୍ଠ ନେତାଙ୍କୁ ନିଲମ୍ବନ କରାଯାଇଥିଲା। କିନ୍ତୁ ଏଠାରେ ପ୍ରଶ୍ନ ଉଠେ ସକ୍ରିୟ ରହିବାର ଅର୍ଥ କ’ଣ?
ଏହାର ଅର୍ଥ ଏହା ଯେ ଦଳ ଦ୍ୱାରା ହେଉଥିବା ଆନ୍ଦୋଳନ, କାର୍ଯ୍ୟକ୍ରମରୁ ଦୂରେଇ ରହିବା? ଏହାର ଅର୍ଥ ଏହା ଯେ, ଗଣମାଧ୍ୟମରେ ବିବୃତ୍ତି ନ ରଖିବା? ଏହାର ଅର୍ଥ ଏହା ଯେ କିଛି ଟପ୍ ଲେଭେଲ୍ ନେତାଙ୍କ ସହ କଥା ହେବା ଏବଂ ଅନ୍ୟମାନଙ୍କୁ ଦୂରେଇ ରଖିବା?
ଏଠି ଦର୍ଶକେ ସ୍ପଷ୍ଟ ହେବା ବାଞ୍ଛନୀୟ ଯେ, ସକ୍ରିୟ ନାହାନ୍ତି ମାନେ ନୁହେଁ ଯେ ସେ ଦଳରୁ ଇସ୍ତଫା ଦେଇଛନ୍ତି ବା କେବେ ସେ ସାହସ କରିଛନ୍ତି। ଅର୍ଥାତ୍ ସେ ଦଳରେ ଅଛନ୍ତି। ପୁଣି କେଉଁଠି ଅଛନ୍ତି, ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ମୁଖ୍ୟ ସହଯୋଗୀ ଅଛନ୍ତି। ଯେମିତି ୨୦୨୩ ମସିହା ପୂର୍ବରୁ ଥିଲେ। ସରକାରୀ ଚାକିରିରେ ରହି ରାଜନୀତିକ କାର୍ଯ୍ୟକ୍ରମକୁ ସରକାରୀ କରୁଥିଲେ, ଠିକ୍ ସେମିତି ଏବେ ପାଣ୍ଡିଆନ୍ ସକ୍ରିୟ ନ ଥାଇ ବି ନିଜର କୋଟେରୀ ମାଧ୍ୟମରେ ବିଜୁ ଜନତା ଦଳର ସମୀକରଣକୁ ପରିଚାଳିତ କରୁଛନ୍ତି।
ମୁଁ ଏହାକୁ କୌଣସି ରାଜନୀତିକ କପୋଳକଳ୍ପିତ ଗପ ଭାବେ ଉପସ୍ଥାପନ କରୁନାହିଁ, ବରଂ, ନିକଟରେ ଘଟିଥିବା ସମସ୍ତ ଘଟଣାକ୍ରମକୁ ଗୋଟିଏ ଗୋଟିଏ ବଳିଷ୍ଠ ଯୁକ୍ତି ଭାବେ ଉପସ୍ଥାପନ କରୁଛି।
ବାଲେଶ୍ୱର ଏଫ୍ଏମ୍ କଲେଜ ଛାତ୍ରୀ ସୌମ୍ୟାଶ୍ରୀଙ୍କ ଆତ୍ମହୁତି ଓ ମୃତ୍ୟୁ ଘଟଣାରେ ସାରା ଓଡ଼ିଶା ଚକିତ ରହିଛି। ରାଜ୍ୟ ପ୍ରଶାସନର ବିଫଳତାକୁ ଇଙ୍ଗିତ କରୁଛି। ଏହାକୁ ନେଇ ବିରୋଧୀ କଂଗ୍ରେସ ଓ ବିଜେଡି ବିକ୍ଷୋଭ ପ୍ରଦର୍ଶନ ଓ ସ୍ୱର ଉତ୍ତୋଳନ କରୁଛନ୍ତି। ଏହା ବାଞ୍ଛନୀୟ। ଗଣତାନ୍ତ୍ରିକ ଶାସନରେ ବିରୋଧୀ ଦଳର ସକ୍ରିୟତା ଆବଶ୍ୟକ। କିନ୍ତୁ ପ୍ରଶ୍ନ ଉଠୁଛି ଏଥିରେ ପାଣ୍ଡିଆନ୍ଙ୍କ ଭୂମିକା ରହିଥିଲା ନା ନାହିଁ? ସେ ସକ୍ରିୟ ଥିଲେ ନା ନାହିଁ?
ଜଣେ ସାଧାରଣ ନାଗରିକ ଭାବେ ନୁହେଁ ବରଂ ରାଜନୀତିକ ଶକ୍ତି ଭାବେ ପାଣ୍ଡିଆନ୍ ନିଜର ଫ୍ୟାନ୍ ପେଜରେ ଏ ଘଟଣାକୁ କେନ୍ଦ୍ର କରି ସରକାରଙ୍କ ବିରୋଧରେ ଅନେକ ମିମ୍ ଏବଂ ଟିପ୍ପଣୀ ପ୍ରକାଶ କରିଥିଲେ। ଏହି ଟିପ୍ପଣୀ ବିଜେଡିର ରଙ୍ଗରେ ରଙ୍ଗାୟିତ ଥିଲା। ଆପଣ ବି ତାଙ୍କ ଫ୍ୟାନ୍ ପେଜକୁ ଓଲଟାଇଲେ ଏହା ଦେଖିପାରିବେ। ହେଲେ ନିଜ ଭିତରେ ସାହସର ଅଭାବ ତଥା କୌଣସି ବଡ଼ ଭୁଲ୍ କରିଥିବାର ପାପ ତାଙ୍କୁ ଜନସାଧାରଣଙ୍କୁ ସମ୍ମୁଖୀନ ହେବା ଲାଗି ସାହସ ଦେଇପାରୁ ନାହିଁ। ଆଉ ସେଥିଲାଗି ସେ ପ୍ରତ୍ୟକ୍ଷ ସାମ୍ନା କରିପାରୁ ନାହାନ୍ତି।
ଦ୍ୱିତୀୟ ଉଦାହରଣ ହେଉଛି ବିଜେଡିର ବିକ୍ଷୋଭ ସମୟରେ ଉପ ସଭାପତି ଓ ସାଂସଦ ଆହତ ହେବା ଘଟଣା। ସେମାନେ ଆହତ ହେବା ସତ କି ମିଛ ତାହା କହିବା ମୁସ୍କିଲ । କାରଣ ରବର ଗୁଳି ଚାଳନା ହୋଇନଥିଲେ ବି ସେ ରବର ଗୁଳି ଚାଳନା ହୋଇଥିବା ଅଭିଯୋଗ କରିଛନ୍ତି। ଅପରପକ୍ଷେ ପୂର୍ବରୁ ଆନ୍ଦୋଳନକାରୀଙ୍କୁ ଭାଙ୍ଗିବା ଲାଗି ଲୁହବୁହା ଗ୍ୟାସ, ପାଣି ସ୍ପ୍ରେ, ରବର ଗୁଳି ପ୍ରୟୋଗ କିଛି ନୂଆ କଥା ନୁହେଁ। ସ୍ୱାଧୀନତା ପରେ ଅନେକଥର ପ୍ରାୟ ପ୍ରତ୍ୟେକ ସରକାର ଏପରି ଆଚରଣ କରିଛନ୍ତି। କିନ୍ତୁ କେହି କେବେ ଏଥିରେ ଆହତ ହୋଇ ଆଇସିୟୁରେ ଭର୍ତ୍ତି ହେବା ଦେଖିବାକୁ ମିଳି ନାହିଁ। ହେଲେ ପ୍ରଣବ ପ୍ରକାଶ ଦାସଙ୍କୁ ଏହି ଅବସ୍ଥାରେ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଆମେ ଡାକ୍ତର ନୋହୁ, ଏଣୁ ଏ ବିଷୟରେ ଅଧିକ କହିବା ଆମ ପାଇଁ କାଠିକର ପାଠ। କିନ୍ତୁ ମନରେ ପ୍ରଶ୍ନ ଉଠେ ଯେ, ଏ ଘଟଣା ପରେ ପାଣ୍ଡିଆନ୍ ଓ ତାଙ୍କ ପତ୍ନୀ କାହିଁକି ଡାକ୍ତରଖାନାରେ ତାଙ୍କୁ ଦେଖା କରିବାକୁ ଯାଇଥିଲେ? ଏହା ରାଜନୀତିକ ଉଦ୍ଦେଶ୍ୟ ପ୍ରଣୋଦିତ ନୁହେଁ କି? ସକ୍ରିୟ ରାଜନୀତିରୁ ଦୂରରେ ଥିବା ତଥା ନବୀନ ନିବାସରୁ ବାହାରକୁ ବାହାରୁ ନ ଥିବା ନେତା ଡାକ୍ତରଖାନାରେ କ’ଣ କରୁଥିଲେ? ଏହା ତାଙ୍କ ପ୍ରଚ୍ଛଦପଟ୍ଟ ରାଜନୀତିକ ସକ୍ରିୟତାର ପ୍ରମାଣ ନୁହେଁ କି?
ପାଣ୍ଡିଆନ ଓ ତାଙ୍କ ପତ୍ନୀ ସୁଜାତା କାର୍ତ୍ତିକେୟନ ପାଣ୍ଡିଆନ୍ ଡାକ୍ତରଖାନାକୁ ଆହତ ବିଜେଡି ନେତାଙ୍କୁ ଦେଖିବାକୁ ଯାଇଥିଲେ। କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି ସୁଜାତା ବିଜେଡିର ସଦସ୍ୟ ନୁହନ୍ତି କିମ୍ବା କୌଣସି ପଦପଦବୀରେ ନାହାନ୍ତି। ତା’ହେଲେ ସେ କାହିଁକି ବିଜେଡିର ନେତାମାନଙ୍କୁ ଦେଖିବାକୁ ଡାକ୍ତରଖାନାକୁ ଯାଇଥିଲେ। ବିଜେଡିର କିଛି ନେତାଙ୍କ କହିବା ଅନୁସାରେ ସୁଚିନ୍ତିତ ଢଙ୍ଗରେ ଭିଡିଓ ମଧ୍ୟ ପ୍ରସ୍ତୁତ କରାଯାଇ ଗଣମାଧ୍ୟମକୁ ଲିକ୍ କରାଗଲା। ରାଜନୀତିରେ ଏଣ୍ଟ୍ରି ପୂର୍ବରୁ ଏସବୁ ମାଧ୍ୟମରେ ସୁଜାତାଙ୍କୁ ନେଇ କିଭଳି ପ୍ରତିକ୍ରିୟା ରହୁଛି ତାକୁ ଆକଳନ କରିବାର ପ୍ରୟାସ ହୋଇଥିବା ସୂଚନା ମିଳିଛି। ଏହି ଆକଳନ ଅନୁସାରେ ସୁଜାତାଙ୍କୁ କେବେ ବିଜେଡି ରାଜନୀତିରେ ଏଣ୍ଟ୍ରି କରିବେ ତାହା ସ୍ଥିର ହେବ ବୋଲି ଦଳୀୟ ମହଲରେ ଆଲୋଚନା ହେଉଛି।
ସଂକ୍ଷେପରେ କହିଲେ ବିଜେଡିରୁ ପାଣ୍ଡିଆନ୍ଙ୍କ ପ୍ରଭାବ ଯାଇ ନାହିଁ। ଆଜି ବି ନବୀନଙ୍କ ଡାହାଣ ହାତ ହେଉଛନ୍ତି ପାଣ୍ଡିଆନ୍। ତାଙ୍କ ବିନା ଇଙ୍ଗିତରେ ବିଜେଡିର ପତ୍ର କଅଁଳୁ ନାହିଁ। ଯେଉଁ ଧାରଣା ଅବତାରଣା କରାଯିବାକୁ ଚେଷ୍ଟା କରାଯାଉଛି ତାହା କେବଳ ଓଡ଼ିଆ ଘରରର ରୁଢ଼ି ‘ଲୁଚିଛି ନା ଗୋଡ଼ ଦି’ଟା ଦିଶୁଛି’ ସହ ସମାନ।
ଆପଣମାନେ ବିଚାର କରନ୍ତୁ। ନବୀନଙ୍କ ଉତ୍ତରାଧିକାରୀ କିଏ ହେବେ ଚିନ୍ତା କରନ୍ତୁ। ୨୦୨୯ ଆଉ ଦୂର ହୋଇ ନାହିଁ। ଏଣୁ ବର୍ଷ ଦୁଇବର୍ଷ ପରେ ପୁଣି ଏ ଚର୍ଚ୍ଚା ଆରମ୍ଭ ହେବ, ପ୍ରସ୍ତୁତ ରୁହନ୍ତୁ।
Also readhttps://purvapaksa.com/mohans-headache-minister/
