ଆଜିର ଆଲୋଚନା ଆରମ୍ଭ କରିବା ପୂର୍ବରୁ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କ ଫେସ୍ବୁକ୍ ପୋଷ୍ଠ ଉପରେ ନଜର ପକାଇବା ଜରୁରୀ ବୋଲି ମନେ କରୁଛି।
ଶ୍ରୀମୟୀ ଲେଖିଛନ୍ତି;
କର୍ମୀ ବସିଛନ୍ତି ଅନାଇ
ଦିଲ୍ଲୀରେ deal କରିଦେଲେ କହ୍ନେଇ
ଦଳ ପାଇଁ ଭଣ୍ଡସନ୍ନ୍ୟାସୀ
ନୁହଁ ଶୁଭଙ୍କର
ଭାରି ଭୟଂକର !
କିଛି ମୁହୂର୍ତ୍ତ ଅପେକ୍ଷା କରନ୍ତୁ
ବୁଝିଯିବେ…………….।
ଶ୍ରୀମୟୀ ତାଙ୍କ ପୋଷ୍ଟରେ ଜୟ ଢୋଲକିଆଙ୍କର ବିଜେପିରେ ଯୋଗଦାନର ଭିତିରି କଥା ସମ୍ପର୍କରେ ପରୋକ୍ଷରେ ସୂଚନା ଦେଇଛନ୍ତି। ତେଣୁ ଆଜିର ଆଜି ଡି କୋଡ୍ କରିବା ବିଜେପି ହାତରେ କିଏ ଟେକିଦେଲା ଜୟଙ୍କୁ?
ଶ୍ରୀମୟୀ କଟାକ୍ଷର କହ୍ନେଇ କିଏ?
ଗଲା କିଛିଦିନ ହେଲା ବିଜେଡିର ନିଲମ୍ବିତ ନେତ୍ରୀ ଶ୍ରୀମୟୀ ମିଶ୍ର ବିଜେଡିର ଅଘୋଷିତ ରାଜକୁମାର ଭୈରବ କାର୍ତ୍ତିକେୟନ ପାଣ୍ଡିଆନଙ୍କ ରାଜନୈତିକ ଗୁମରକୁ ତାଙ୍କ ନାଁ ନ ନେଇ ପରୋକ୍ଷରେ କଟାକ୍ଷ କରି କଡ଼ା ସମାଲୋଚନା କରୁଛନ୍ତି। ଆଜି ମଧ୍ୟ ବିଜେଡିର ଭୂତପୂର୍ବ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁତ୍ର ବୋଲି କୁହାଯାଉଥିବା ଜୟ ଢୋଲିକିଆ ବିଜେପିରେ ଯୋଗ ଦେଇଛନ୍ତି। ଶ୍ରୀମୟୀଙ୍କ ଲେଖା ଅନୁସାରେ ଜୟ ଢୋଲକିଆ ନିଜ ନିଷ୍ପତ୍ତିରେ ବିଜେପିରେ ଯୋଗ ଦେଇନାହାନ୍ତି। ତାଙ୍କୁ କହ୍ନେଇ ଦିଲ୍ଲୀରେ ଡିଲ କରି ବିଜେପି ହାତରେ ସମର୍ପି ଦେଇଛି। ତେଣୁ ଲୋକଙ୍କ ମନରେ ପ୍ରଶ୍ନ ଉଠିବା ସ୍ୱାଭାବିକ ଯେ ଏହି କହ୍ନେଇ କିଏ?
କହ୍ନେଇ କିଏ ବୋଲି ଶ୍ରୀମୟୀ ତାହାକୁ ତାଙ୍କ ପର ଧାଡ଼ିରେ ଲେଖିଛନ୍ତି;
ଦଳ ପାଇଁ ଭଣ୍ଡସନ୍ନ୍ୟାସୀ
ନୁହଁ ଶୁଭଙ୍କର,
ଭାରି ଭୟଂକର!।
ଶ୍ରୀମୟୀଙ୍କ ଇଙ୍ଗତରେ ଏହି ଭଣ୍ଡ ସନ୍ୟାସୀ ହେଉଛନ୍ତି ଭୈରବ କାର୍ତ୍ତିକେୟନ ପାଣ୍ଡିଆନ। ପାଣ୍ଡିଆନରୂପକ କହ୍ନେଇ ହିଁ ନିଜର ଫାଇଦା ସୁରକ୍ଷା ପାଇଁ ବିଜେଡିକୁ ବିଜେପି ପାଖରେ ସମର୍ପି ଦେଇଥିବା ଶ୍ରୀମୟୀ ଆଶଙ୍କା କରିଛନ୍ତି।
ନବୀନ ନିବାସରେ ଡ୍ରାମା
ଗତକାଲି ସନ୍ଧ୍ୟାରେ ନବୀନ ପଟ୍ଟନାୟକ ଦିଲ୍ଲୀରୁ ଓଡ଼ିଶା ଫେରିବା ପରେ ଆଜି ସକାଳେ ଜୟଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଥିଲା। ବିଜେଡିର ବରିଷ୍ଠ ନେତାମାନେ ଏନେଇ ଜୟଙ୍କୁ ଅପେକ୍ଷା କରିଥିଲେ। କିନ୍ତୁ ସେ ଆସି ନ ଥିଲେ। ବିଜେଡିର ବରିଷ୍ଠ ନେତା ତଥା ଉପସଭାପତି ଦେବୀ ମିଶ୍ର କହିଛନ୍ତି, ରାତିରେ ଜୟ କଥା ହୋଇଥିଲେ। ସେ ଆସିବେ ବୋଲି କଥା ଦେଇଥିଲେ। ଏଠି ସବୁ ନେତା ଅପେକ୍ଷା କରିଛନ୍ତି କିନ୍ତୁ ତାଙ୍କର ଦେଖା ନାହିଁ। ଆଜି ଆଉ ଯୋଗାଯୋଗ ହୋଇ ନାହିଁ ବୋଲି କହିଛନ୍ତି ଦେବୀ ମିଶ୍ର। ବିଜେପିରେ ଯୋଗ ଦେବା ପ୍ରସଙ୍ଗରେ ସେ କହିଛନ୍ତି କିଛି ସ୍ପଷ୍ଟ ନ ହେଲା ଯାଏ କୌଣସି ମନ୍ତବ୍ୟ ଦେଇ ହେବ ନାହିଁ। କିନ୍ତୁ ଶ୍ରୀମୟୀଙ୍କ କଟାକ୍ଷ ଅନୁସାରେ କହ୍ନେଇ ରୂପକ ଭଣ୍ଡସନ୍ୟାସୀ ଜୟ ଢୋଲକିଆଙ୍କୁ ଦିଲ୍ଲୀରେ ବିଜେପି ହାତରେ ଟେକି ଦେଇସାରିଥିବାରୁ ସେ କିପରି ନବୀନ ନିବାସ ଆସିବେ ବୋଲି ଦଳର ନେତାମାନେ ଆଶା କରୁଛନ୍ତି।
ସାଧାରଣ ନିର୍ବାଚନରେ ବି ପାଣ୍ଡିଆନ ବିଜେପିକୁ ସାହାଯ୍ୟ କରି ଫାଇଦା ପାଇଛନ୍ତି
କିଛି ବିଜେଡି ନେତାଙ୍କ ଅଭିଯୋଗ ଅନୁସାରେ ଗତ ସାଧାରଣ ନିର୍ବାଚନରେ ପାଣ୍ଡିଆନ ନିଜର କୋଟେରୀରେ ଥିବା ଅଫିସରମାନଙ୍କୁ ନେଇ ନିର୍ବାଚନ ପରିଚାଳନା କରିବା ସହିତ ପ୍ରାର୍ଥୀମାନଙ୍କୁ ମଧ୍ୟ ସ୍ଥିର କରିଥିଲେ। ସେ ଏପରି ସ୍ଥିର କରିଥିଲେ ଯେ ବିଜେପି ସହଜରେ ୨୦ଟି ଲୋକସଭା ଆସନ ସହିତ ୭୮ଟି ବିଧାନସଭା ଆସନରେ ବିଜୟୀ ହୋଇ ସରକାର ଗଠନ କରିଛି। ବିଜେପିକୁ ଏପରି ସହାୟତା କରି ରାଜ୍ୟବାସୀଙ୍କ ନଜରରେ ଭିଲିଆନ ସାବ୍ୟସ୍ତ ହୋଇଥିବା ତାଙ୍କର କୋଟେରୀର ଅଫିସରମାନଙ୍କୁ ରାଜ୍ୟରୁ କେନ୍ଦ୍ରକୁ ନେବାରେ ସଫଳ ହୋଇଛନ୍ତି।
ତା ସହିତ ତାଙ୍କ ପତ୍ନୀ ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ମାତ୍ର କିଛିଘଣ୍ଟା ମଧ୍ୟରେ ଭିଆରଏସ ଆପ୍ରୁଭ କରାଇବାରେ ସକ୍ଷମ ହୋଇଛନ୍ତି। ବିଜେଡି ଶାସନ କାଳରେ ହୋଇଥିବା ଆର୍ଥିକ ଅନିୟମିତତାରେ ତାଙ୍କ ସମ୍ପୃକ୍ତି ଥିବାର ଅଭିଯୋଗ ହେଉଥିବାରୁ ପାଣ୍ଡିଆନ ଏବେ ଯେତେସବୁ ପଦକ୍ଷେପ ନେଉଛନ୍ତି ସେଥିରେ ବିଜେଡି ଅପେକ୍ଷା ବିଜେପିକୁ ଅଧିକ ଲାଭ ମିଳୁଛି ବୋଲି ଦଳର ନେତାମାନେ ଆଲୋଚନା କରୁଛନ୍ତି।
ଭାଣ୍ଡିଆ ହେଲେ ଦଳର ପଶ୍ଚିମ ଓଡ଼ିଶା ନେତା
ନୂଆପଡ଼ା ଉପନିର୍ବାଚନ ପରିଚାଳନା ପାଇଁ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଦସ୍ତଖତରେ ପଶ୍ଚିମ ଓଡ଼ିଶାର ଦଳର ବରିଷ୍ଠ ବିଧାୟକ ଓ ନେତାମାନଙ୍କୁ ନେଇ ବିଭିନ୍ନ କମିଟି ଗଠନ କରାଯାଇଛି। ଏହି କମିଟି ଦଳର ପ୍ରାର୍ଥୀଙ୍କୁ କିପରି ଜିତାଇବେ ସେ ସମ୍ପର୍କରେ ରଣନୀତି ପ୍ରସ୍ତୁତ କରିବେ। କିନ୍ତୁ ଦଳ ପକ୍ଷରୁ ଯାହାକୁ ପ୍ରାର୍ଥୀ କରାଯିବ ବୋଲି ଆଲୋଚନ ହେଉଥିଲା; ଏପରିକି ସେ ନିଜେ ନିଜକୁ ବିଜେଡି ପ୍ରାର୍ଥୀ ବୋଲି କହି ପ୍ରଚାର କରୁଥିଲେ ସେ ଏବେ ବିଜେପିରେ। ଦଳର ଗୋଟିଏ ଗୋଷ୍ଠୀର କହିବା ଅନୁସାରେ ପାଣ୍ଡିଆନଙ୍କ ଦୂତ ସାଜି ପ୍ରଣବ ପ୍ରକାଶ ଦାସ ଓରଫ ବବି ଦାସ ଗଲା ମାସେ ହେଲା ନୂଆପଡ଼ାରେ ରଣନୀତି ପ୍ରସ୍ତୁତ ଓ ସର୍ଭେ ନାମରେ ଜୟଙ୍କ ବିରୋଧରେ ଷଡ଼ଯନ୍ତ୍ର କରୁଥିଲେ। ତେଣୁ ଜୟ ବିଜେଡି ନେତାଙ୍କ ଏଭଳି ହାବଭାବରେ ବିରକ୍ତ ହୋଇଥିଲେ।
ଆଜି ନୂଆପଡ଼ାଠାରେ ବିଶିଷ୍ଟ ରାଜନେତା, ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାଜେନ୍ଦ୍ର ଢ଼ୋଲକିଆଙ୍କ ସ୍ମୃତି ସଭା କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ସ୍ମୃତିଚାରଣ କଲି ।
ମହାପ୍ରଭୁ ଶ୍ରୀ ଜଗନ୍ନାଥ ଦିବଙ୍ଗତ ଆତ୍ମାଙ୍କୁ ଶାନ୍ତି ପ୍ରଦାନ କରିବା ସହ ତାଙ୍କ ପରିବାରବର୍ଗଙ୍କୁ ଏହି ଦୁଃଖ ସହିବାର ଶକ୍ତି… pic.twitter.com/39EvJGKMms
— Mohan Charan Majhi (@MohanMOdisha) September 21, 2025
ରାଜେନ୍ଦ୍ରଙ୍କ ଏକାଦଶାହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ରହି ପ୍ରଶଂସା କରିବା ଓ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ପରବର୍ତ୍ତୀ ସମୟରେ ଢୋଲକିଆ ପରିବାର ସହିତ ଯୋଗସୂତ୍ର ବଢ଼ାଇବାରୁ ଜୟ ବିଜେପିରୁ ଆଶାର କିରଣ ପାଇ ବିଜେଡି ଛାଡ଼ିଛନ୍ତି। କିନ୍ତୁ ବିଜେଡିର ଏଭଳି ରଣନୀତିରେ ପାଣ୍ଡିଆନ ବିରୋଧୀ ଭାବରେ କୁହାଯାଉଥିବା ଦଳର ଉପନେତା ପ୍ରସନ୍ନ ଆଚାର୍ଯ୍ୟ ଓ କମିଟିର ଅନ୍ୟନେତାମାନେ ଭାଣ୍ଡିଆ ହୋଇଛନ୍ତି। ତେଣୁ ସେମାନେ ଏବେ କିପରି ଦଳୀୟ କର୍ମୀଙ୍କୁ ମୁହଁ ଦେଖାଇବେ ଓ ନିର୍ବାଚନ ପ୍ରଚାର କରିବେ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ବିଜେଡି ରଣନୀତିକୁ ଆପଣାଇଲା ବିଜେପି
ଅତୀତରେ ବିଜେଡି କ୍ଷମତାରେ ଥିବାବେଳେ ପଶ୍ଚିମ ଓଡ଼ିଶାର କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ପରଲୋକ ପରେ ତାଙ୍କ ପତ୍ନୀ ରୀତା ସାହୁଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳରେ ମିଶାଇ ନିର୍ବାଚନ ଲଢ଼ାଇବା ସହିତ ମନ୍ତ୍ରୀ ପଦ ମଧ୍ୟ ଦେଇଥିଲେ। ଏବେ ବିଜେଡି ଅସ୍ତ୍ରକୁ ଆୟୁଧ କରି ବିଜେପି ତାର ବିରୋଧୀ ବିଜେଡି ଉପରେ ପ୍ରୟୋଗ କରିଛି। ଅବଶ୍ୟ ଏପରି ପଦକ୍ଷେପରେ ବିଜେପିକୁ ବିଜେଡି ନେତାମାନେ ସହଯୋଗ କରିଛନ୍ତି।
ଦଳ ପାଇଁ ଦିନେ ସମ୍ପତ୍ତି ହୋଇଥିବା ପାଣ୍ଡିଆନ ଏବେ ବିପତ୍ତି
ଶ୍ରୀମୟୀ ତାଙ୍କ ପୋଷ୍ଟରେ ଲେଖିଛନ୍ତି;
ଦଳ ପାଇଁ ଭଣ୍ଡସନ୍ନ୍ୟାସୀ,
ନୁହଁ ଶୁଭଙ୍କର,
ଭାରି ଭୟଂକର,!
କିଛି ମୁହୂର୍ତ୍ତ ଅପେକ୍ଷା କରନ୍ତୁ ,
ବୁଝିଯିବେ———-ା
ଯଦି ଶ୍ରୀମୟୀଙ୍କ ଅଭିଯୋଗ ସତ୍ୟ ହୁଏ ତେବେ ଦଳ ପାଇଁ ଦିନେ ସମ୍ପତ୍ତି ହୋଇଥିବା ପାଣ୍ଡିଆନ ଏବେ ବିପତ୍ତି ହୋଇଛନ୍ତି ବୋଲି କୁହାଯିବ। ଅବଶ୍ୟ ସେ କହିଛନ୍ତି; ଭଣ୍ଡସନ୍ନ୍ୟାସୀ ଦଳ ପାଇଁ ଶୁଭଙ୍କର ନୁହେଁ, ଭାରି ଭୟଙ୍କର। ବିଜେଡି ରାଜେନ୍ଦ୍ର ଢୋଲକିଆଙ୍କ ପୁତ୍ର ଜୟଙ୍କୁ ହାତଛଡ଼ା କରିବା ପରେ ଏବେ ନୂଆ ପ୍ରାର୍ଥୀ ଦେବ। ଯାହାକି ପାଣ୍ଡିଆନ ଓ ତାଙ୍କ କୋଟେରୀ ନେତାମାନେ ଚାହୁଁଥିଲେ। ଯଦି ବିଜେଡି ପ୍ରାର୍ଥୀ ପ୍ରଭାବଶାଳୀ ହେବା ପରିବର୍ତ୍ତେ ଦୁର୍ବଳ ହୁଅନ୍ତି ତେବେ ଶ୍ରୀମୟୀଙ୍କ ଅଭିଯୋଗର ସତ୍ୟତା ରହିଛି ବୋଲି ପ୍ରମାଣିତ ହେବ।
ସୁଜାତାଙ୍କ ପାଇଁ ନୂଆପଡ଼ା ହାତଛଡ଼ା କଲା ବିଜେଡି!
ରାଜନୀତିକ ମହଲର ଚର୍ଚ୍ଚା ଅନୁସାରେ ପାଣ୍ଡିଆନଙ୍କ ପତ୍ନୀ ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ଖୁବ୍ ଶୀଘ୍ର ରାଜ୍ୟ ରାଜଚନୀତିରେ ଏଣ୍ଟ୍ରି କରାଯିବ। ଆଗାମୀ ଏପ୍ରିଲରେ ଓଡ଼ିଶାରୁ ଖାଲି ହେଉଥିବା ରାଜ୍ୟସଭା ଆସନ ମଧ୍ୟରୁ ଗୋଟିଏରେ ବିଜେଡି ପ୍ରାର୍ଥୀ ସୁନିଶ୍ଚିତ ବିଜୟୀ ହେବେ। ଆଉ ଏଥିପାଇଁ ଉପକୂଳ ଓଡ଼ିଶାର କେନ୍ଦ୍ରାପଡ଼ା କିମ୍ବା ଜଗତସିଂହପୁରର ଜଣେ ବିଧାୟକଙ୍କୁ ରାଜ୍ୟସଭାକୁ ପଠାଯିବ। ବିଧାୟକ ଯେଉଁ ଆସନ ଖାଲି କରିବେ ସେହି ଆସନରେ ସୁଜାତା ପ୍ରାର୍ଥୀ ହୋଇ ବିଧାନସଭାକୁ ଆସିବା ସହିତ ଦଳର ନେତୃତ୍ୱ ଗ୍ରହଣ କରିବେ ବୋଲି ରଣନୀତି ଚୂଡ଼ାନ୍ତି ହୋଇଛି। ତେଣୁ ସୁଜାତା ଯେପରି ବିଜେପିର ପରୋକ୍ଷ ସହାୟତାରେ ସୁରୁଖୁରୁରେ ବିଧାନସଭାକୁ ନିର୍ବାଚିତ ହେବେ ସେଥିପାଇଁ ବିଜେଡି ନୂଆପଡ଼ା ଆସନ ବିଜେପିକ ହାତକୁ ଟେକି ଦେଲା ବୋଲି ଶ୍ରୀମୟୀ ମିଶ୍ର ତାଙ୍କ ଲୋଖାରେ ସମ୍ୟକ୍ ସୂଚନା ଦେଇଥିବାକୁ କୁହାଯାଉଛି।
ଏସବୁ ଆକଳନକୁ ପ୍ରମାଣ କରିବା ପାଇଁ ଆମମାନଙ୍କୁ ନୂଆପଡ଼ା ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା ଓ ପ୍ରଚାର ଶୈଳୀକୁ ଅପେକ୍ଷା କରିବାକୁ ପଡ଼ିବ।
