ରାଜ୍ୟ ରାଜନୀତିରେ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ୍ଙ୍କ ନାଁ କାହାକୁ ଅଛପା ନାହିଁ। ତାମିଲନାଡ଼ୁର ମଦୁରାଇ ବାସିନ୍ଦା, ପଞ୍ଜାବ କ୍ୟାଡର ଆଇଏଏସ୍ ଅଧିକାରୀ, ଓଡ଼ିଶାର ଜ୍ୱାଇଁ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏକାନ୍ତ ଖାସ୍। କେନ୍ଦ୍ରାପଡ଼ାର ଅନ୍ୟତମ ଆଇଏଏସ୍ ଅଫିସର ସୁଜାତା ରାଉତଙ୍କୁ ବାହା ହେବା ପରେ ସେ ଓଡ଼ିଶା କ୍ୟାଡରର ଅଧିକାରୀଭାବେ ବଦଳି ହୋଇ ଆସିଥିଲେ। ଓଡ଼ିଶାରେ ତୃଣମୂଳଠାରୁ ଆରମ୍ଭ କରି ସର୍ବୋଚ୍ଚ ଅଧିକାରୀଙ୍କ ଭୂମିକାରେ ସେ କାର୍ଯ୍ୟ କରିଛନ୍ତି। ଓଡ଼ିଶାର ସର୍ବବୃହତ୍ ଆଞ୍ଚଳିକ ଦଳକୁ ସେ ପରୋକ୍ଷଭାବେ ଚଳାଉଥିବାର ଅଭିଯୋଗ ହୁଏ।
୪ ଜୁନ୍, ୨୦୨୪ ପରେ ସରକାର ବଦଳିବା ପରେ ଶ୍ରୀ ପାଣ୍ଡିଆନ୍ଙ୍କ ଗୁରୁତ୍ୱ ହ୍ରାସ ପାଇବ ବୋଲି ଆଶଙ୍କା ପ୍ରକାଶ ପାଇଥିଲା, କିନ୍ତୁ ପାଣ୍ଡିଆନ୍ଙ୍କ ସମସ୍ତ ଅନୁଗତଙ୍କୁ ମୋହନ ସରକାର ଦଣ୍ଡ ଦେବା ପରିବର୍ତ୍ତେ ଅଦୃଶ୍ୟ ଶକ୍ତିର ନିର୍ଦ୍ଦେଶରେ ସୁରକ୍ଷା ପ୍ରଦାନ କରିଥିବା ସ୍ପଷ୍ଟ ହୋଇଛି। ଏହି ଅଦୃଶ୍ୟ ଶକ୍ତି ମଧ୍ୟ ପାଣ୍ଡିଆନଙ୍କ ଅଙ୍ଗୁଳିରେ ନାଚୁଥିବା ଆଲୋଚନା ହେଉଛି।
ଏକଦା ଆଜିର ମୁଖ୍ୟମନ୍ତ୍ରୀ ବିରୋଧୀ ଦଳରେ ବସୁଥିବାବେଳେ ପାଣ୍ଡିଆନ୍ ଓ ତାଙ୍କ ସହଯୋଗୀଙ୍କୁ ସମାଲୋଚନା କରିଥିଲେ। ତାଙ୍କ ବିରୋଧରେ ଗଣମାଧ୍ୟମକୁ ଜଣାଇବା ସହ ତାଙ୍କ ନେତୃତ୍ୱରେ ଦଳ ମାଟି ଖାଇବ ତାହା ବି କହିବାକୁ ପଛାଇ ନ ଥିଲେ। କେହି କେହି ପାଣ୍ଡିଆନ୍ଙ୍କୁ ଚାକିରି ଛାଡ଼ି ରାଜନୀତିକୁ ଆସନ୍ତୁ ବୋଲି ଆହ୍ୱାନ ଦେଇଥିଲେ। ତାହା ସ୍ୱୀକାର କରି ୨୦୨୩ ଅକ୍ଟୋବର ମାସରେ ପାଣ୍ଡିଆନ୍ ଚାକିରି ଛାଡ଼ି ବିଜେଡିର ସଦସ୍ୟ ହେଲେ। ଆଉ ଦିନକୁ ଦିନ ସକ୍ରିୟତା ବଢ଼ିଲା। ନବୀନଙ୍କ ଚଳନ୍ତି ପ୍ରତିମା ହୋଇ ରାଜ୍ୟର ବିଭିନ୍ନ କୋଣରେ ସଭାସମିତି କରି ଭୋଟ୍ ମାଗିଲେ।
ଅନେକ କହିଲେ ସେ ହେଉଛନ୍ତି ନବୀନଙ୍କ ଉତ୍ତରାଧିକାରୀ। ହେଲେ ପାଣ୍ଡିଆନ୍ଙ୍କ ଏହି ଭୂମିକାକୁ ପସନ୍ଦ କରିଲେ ନାହିଁ ସାଧାରଣ ଜନତା। ପୁଣି ପାଣ୍ଡିଆନ୍ଙ୍କ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନେତାମାନେ ଚୁପ୍ ରହିବା ତାଙ୍କୁ ପସନ୍ଦ ହେଲା ନାହିଁ। ଫଳରେ ଭୋଟ୍ ଗଲା ବିଜେପିକୁ।
ଆଉ ୪ ଜୁନ୍- ୨୦୨୪ ନିର୍ବାଚନ ପରେ ରାଜ୍ୟର ବିରୋଧୀ ଦଳ ବସିଲା ଶାସନ ଗାଦିରେ। ୨୪ ବର୍ଷ ହେଲା ନିରନ୍ତର ଶାସନ କରୁଥିବା ବିଜେଡି ହେଲା ଚିତ୍ପଟାଙ୍ଗ। ଏଥିଲାଗି ରାଜ୍ୟର ମିଡିଆଠୁ ଆରମ୍ଭ କରି ନେତା ଓ ବିଶ୍ଳେଷକମାନେ ପାଣ୍ଡିଆନ୍ଙ୍କୁ ଦାୟୀ କଲେ। ତାଙ୍କ ଉପରେ ଦୋଷ ଲଦିଲେ। ଆଜିବି ସେହି ନ୍ୟାରେଟିଭ୍ ଚାଲିଛି।
ଭୈରବ କାର୍ତ୍ତିକେୟନ ପାଣ୍ଡିଆନ୍ଙ୍କୁ ଭିଲେନ୍ ବୋଲି ପ୍ରମାଣିତ କରିବାକୁ ଅନେକ ଉଦ୍ୟମ ହୋଇଛି। ନିଜ ଦଳରେ ନେତା ବିଦ୍ରୋହ କରିଛନ୍ତି। କିନ୍ତୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ତାଙ୍କୁ ଦେଇଥିବା ଅଯାଚିତ ସୁରକ୍ଷାରେ ସରକାରୀ କଳ ଓ ଦଳ ବି ନରମିଛନ୍ତି। ଫଳରେ ଯେଉଁ ପାଣ୍ଡିଆନ୍ଙ୍କୁ ସରକାରରେ ଖଳନାୟକ, ମୁଖ୍ୟମନ୍ତ୍ରୀଙ୍କୁ ହ୍ୟାଇଜାକ୍ କରିଥିବା ବ୍ୟୁରୋକ୍ରାଟ ବୋଲି ବିଜେପି କହି ଅନେକ ଅଭିଯୋଗ ଆଣୁଥିଲା ଶାସନକୁ ଆସିବା ପରେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ତ ଦୂରର କଥା ପଦଟିଏ କହିବାକୁ ବି କେହି ସାହସ କଲେ ନାହିଁ।
ଏପରିକି ତାଙ୍କ ସମର୍ଥନ ବା କୋଟେରୀରେ ଥିବା ଅଧିକାରୀଙ୍କୁ ବି ଛୁଇଁ ପାରିଲେ ନାହିଁ ମୋହନ ସରକାର। ସେମାନଙ୍କୁ ସୁରକ୍ଷା ଦେବା ପାଇଁ ବିକଳ୍ପ ପନ୍ଥା ବି ଆପଣାଇଲେ। ଏହିକ୍ରମରେ ପାଣ୍ଡିଆନ୍ଙ୍କୁ ଅତ୍ୟନ୍ତ ନିକଟତର ଥାଇ ସରକାରଙ୍କୁ ରାଜନୀତିକ ଫାଇଦା ଦେବା ପାଇଁ କାମ କରୁଥିବା ସାତଜଣ ପ୍ରମୁଖ ଅଧିକାରୀଙ୍କୁ କେନ୍ଦ୍ରୀୟ ଡେପ୍ୟୁଟେସନରେ ଯିବା ଲାଗି କ୍ଲିନ୍ ଚିଟ୍ ଦେଲେ।
ଏମାନଙ୍କୁ ପାଣ୍ଡିଆନ୍ଙ୍କ ସାତ ଦୂତ ବୋଲି କୁହାଯାଏ। ସେଥିରେ ୪ ଆଇପିଏସ୍ ଓ ୩ ଆଇଏଏସ୍ ଅଧିକାରୀ ରହିଛନ୍ତି। ସେମାନେ ହେଲେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ସଚିବ ପାହ୍ୟାରେ ଥିବା ଆଇପିଏସ୍ ଅଧିକାରୀ ଡିଏସ୍ କୁଟ୍ଟେ, ଦିଲ୍ଲୀରେ ସରକାରଙ୍କ ପ୍ରତିନିଧି ଥିବା ଆଇପିଏସ୍ ରବିକାନ୍ତ ଏବଂ ଆଇପିଏସ୍ ଅଧିକାରୀ ମିତ୍ରଭାନୁ ମହାପାତ୍ର। ଡିଏସ୍ କୁଟ୍ଟେ ବିଜେଡି ସମର୍ଥନରେ ନିର୍ବାଚନକୁ ପ୍ରଭାବିତ କରୁଥିବା ଅଭିଯୋଗରେ ନିଲମ୍ବିତ ମଧ୍ୟ ହୋଇଥିଲେ। ବିଜେପି କ୍ଷମତାକୁ ଆସିବା ପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସମସ୍ତେ ଆଶା କରୁଥିଲେ। କିନ୍ତୁ ଫଳ ହେଲା ଓଲଟା।
ସେହିପରି କେନ୍ଦୁଝର ଓ ରାଉରକେଲା ଏସ୍ପି ଥିବା ସମୟରେ ମିତ୍ରଭାନୁ ମହାପାତ୍ର ବିଜେଡିର ପ୍ରତିନିଧି ଥିଲେ ବୋଲି ବିଜେପି ଅଭିଯୋଗ କରିଥିଲା। ଏପରିକି କ୍ଷମତାକୁ ଆସିବା ପରେ ତାଙ୍କୁ ସେଠାରୁ ପୁଲିସ୍ ମୁଖ୍ୟାଳୟକୁ ବଦଳି କରିଥିଲା, ଆଶା କରାଯାଉଥିଲା ତାଙ୍କ ପ୍ରତି ମୋହନ ସରକାର ଦଣ୍ଡବିଧାନ ହେବ, କିନ୍ତୁ ହେଲା ନାହିଁ। ଏବେ ସେ ବିଏସ୍ଏଫ୍ ଆଇଜି ଭାବେ ଦାୟିତ୍ୱ ନେଇଛନ୍ତି।
ଠିକ୍ ସେହିଭଳି ଆଉ ଜଣେ ବିବାଦୀୟ ଅଧିକରୀ ହେଉଛନ୍ତି ଆଇପିଏସ୍ ଆଶୀଷ ସିଂହ। ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଅଧିକାରୀ ଭାବେ ସେ କାର୍ଯ୍ୟ କରୁଥିଲେ। ପାଣ୍ଡିଆନ୍ଙ୍କ ଅତ୍ୟନ୍ତ ବିଶ୍ୱସ୍ତ ସାଜି ସେ ନିଜ କାର୍ଯ୍ୟରେ ବିଜେଡିର ପ୍ରତିନିଧି ହେବାକୁ ଚାହିଁଥିଲେ। ଏଣୁ ତାଙ୍କୁ ବି ବିଜେପି କ୍ଷମତାକୁ ଆସିବା ପରେ କେନ୍ଦ୍ରକୁ ଯିବା ପାଇଁ କ୍ଲିନ୍ ଚିଟ୍ ଦେଲ। ଆଉ ସେ ଆଇଟିବିପିକୁ ସ୍ଥାନାନ୍ତରିତ ହୋଇଛନ୍ତି।
ଏବେ ତିନି ଆଇଏଏସ୍ଙ୍କ କଥା। ଯେଉଁମାନେ ବିଜେପି ପାଇଁ ବାଟରେ କଣ୍ଟା ସାଜିଥିଲେ ସେମାନେ ହେଲେ ଭିନୀଲ କ୍ରିଷ୍ଣା, ଭିଭି ଯାଦବ ଏବଂ ଆଶୀଷ ଠାକରେ। ଏମାନଙ୍କ ଭିତରେ ଭିଭି ଯାଦବ ବରିଷ୍ଠ। ଏ ତିନିଜଣଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସମସ୍ତେ ଆଶଙ୍କା କରୁଥିଲେ। କିନ୍ତୁ ସରକାରର ଏକ ବର୍ଷ ଭିତରେ କାର୍ଯ୍ୟାନୁଷ୍ଠାନ ନୁହେଁ ତାଙ୍କୁ କେନ୍ଦ୍ରୀୟ ଡେପ୍ୟୁଟେସନ୍ ପାଇଁ କ୍ଲିନ୍ ଚିଟ୍ ଦେଇଛନ୍ତି ମୋହନ ସରକାର।
ଏହି ଦୂତମାନଙ୍କ ବ୍ୟତୀତ ପାଣ୍ଡିଆନ୍ଙ୍କର ଧର୍ମପତ୍ନୀ ସୁଜାତା, ଯାହାଙ୍କ ଯୋଗୁ କାର୍ତ୍ତିକେୟ ଓଡ଼ିଶାରେ ଅଧିକାରୀ ହେବାକୁ ମନ ବଳାଇଥିଲେ, ତାଙ୍କୁ ବି ରାତି ଅଧିଆ ଭିଆରଏସ ନେବା ଲାଗି ସହାୟତା କରିଥିଲେ ରାଜ୍ୟ ସରକାର। ଅର୍ଥାତ୍ ତାଙ୍କ ନିବେଦନ କେଉଁଠି ବି ଅଟକି ନ ଥିଲା। ଏହା ପାଣ୍ଡିଆନ୍ଙ୍କ ପ୍ରଭାବ ନୁହେଁ ତ ଆଉ କ’ଣ?
ଶେଷଧାଡ଼ିରେ ଏହା କୁହାଯାଇପାରେ ଯେ ପାଣ୍ଡିଆନ୍ଙ୍କ ସମସ୍ତ ୭ ବିଶ୍ୱସ୍ତ ଅଧିକାରୀ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ। ମୋହନ ମାଝୀଙ୍କ ସରକାର ଗଲାପରେ ହୁଏତ ସେମାନେ ପୁଣି ରାଜ୍ୟକୁ ଫେରି ପାରନ୍ତି। ଏଣୁ ସେମାନେ ଦିଲ୍ଲୀରେ ରହିଲେ ବି ଓଡ଼ିଶାରେ ବିଜେପିର ପତନକୁ ନେଇ ଜପ କରିବା ସ୍ୱାଭାବିକ।
Also readhttps://purvapaksa.com/pearl-harbor-operation-spider-web-and-world-war-iii/