ଇସ୍ଲାମାବାଦ ଓ ଓ୍ଵାଶିଂଟନ ମଧ୍ୟରେ କୂଟନୈତିକ ସମ୍ପର୍କରେ ଏକ ନୂଆ ଉତ୍ସାହ ଦେଖାଯାଉଛି। ଡୋନାଲ୍ଡ ଟ୍ରମ୍ପ ଓ ପାକିସ୍ତାନର ଫିଲ୍ଡ ମାର୍ଶାଲ ଅସିମ ମୁନିରଙ୍କ ମଧ୍ୟରେ ହ୍ଵାଇଟ ହାଉସରେ ମଧ୍ୟାହ୍ନ ଭୋଜନରେ ହୋଇଥିବା ବୈଠକ ପରେ ଏବେ ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କ ସହ ଟେଲିଫୋନରେ କଥାବାର୍ତ୍ତା କରିଛନ୍ତି। ଏହି ସମୟରେ ଉଭୟ ନେତା ଆଞ୍ଚଳିକ ସ୍ଥିରତା, ଭାରତ-ପାକିସ୍ତାନ ତଣାବ, ମଧ୍ୟପ୍ରାଚ୍ୟର ସ୍ଥିତି ଏବଂ ଆତଙ୍କବାଦ ବିରୋଧରେ ମିଳିତ ପ୍ରୟାସ ଉପରେ ସହମତି ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ପାଇଁ ପୁନର୍ବାର ଶ୍ରେୟ ଦେଇଛନ୍ତି। ପାକିସ୍ତାନ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରୁ ଜାରି ଏକ ବିବୃତିରେ କୁହାଯାଇଛି, “ପ୍ରଧାନମନ୍ତ୍ରୀ ପାକିସ୍ତାନ ବିଷୟରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ସକାରାତ୍ମକ ମନ୍ତବ୍ୟକୁ ସ୍ଵାଗତ କରିଛନ୍ତି ଏବଂ ଦକ୍ଷିଣ ଏସିଆରେ ସ୍ଥାୟୀ ଶାନ୍ତି ପାଇଁ ଏହାକୁ ପ୍ରୋତ୍ସାହନକାରୀ ବୋଲି ବର୍ଣ୍ଣନା କରିଛନ୍ତି।”
କିନ୍ତୁ ଏହି ସମୟରେ ଶେହବାଜ ଶରିଫ ଭାରତ ସହ ଆଲୋଚନା କରାଇବା ପାଇଁ ଆମେରିକାକୁ ପୁନର୍ବାର ଅନୁରୋଧ କରିଛନ୍ତି। ଶେହବାଜ ଜମ୍ମୁ ଓ କଶ୍ମୀର, ସିନ୍ଧୁ ଜଳ ଚୁକ୍ତି, ବାଣିଜ୍ୟ ଏବଂ ଆତଙ୍କବାଦ ବିରୋଧୀ ସମେତ ସମସ୍ତ ବିବାଦୀୟ ବିଷୟରେ ଭାରତ ସହ ଅର୍ଥପୂର୍ଣ୍ଣ ଆଲୋଚନା କରିବାକୁ ଆମେରିକାକୁ କହିଛନ୍ତି। ଏହା ସହିତ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଡୋନାଲ୍ଡ ଟ୍ରମ୍ପଙ୍କୁ ପାକିସ୍ତାନରେ ଥିବା କିଛି ଦୁର୍ଲଭ ଖଣିଜ ସମ୍ପଦ ପ୍ରଦାନ କରିବାକୁ ପୁନର୍ବାର ପ୍ରୟାସ କରିଛନ୍ତି।
ପାକିସ୍ତାନ ପୁଣି କଲା ଗୁହାରି
ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ଆମେରିକୀୟ ବୈଦେଶିକ ମନ୍ତ୍ରୀଙ୍କ ସହ କଥାବାର୍ତ୍ତା ସମୟରେ କହିଛନ୍ତି ଯେ ପାକିସ୍ତାନ ଭାରତ ସହ ସମସ୍ତ ବିବାଦୀୟ ବିଷୟ, ବିଶେଷକରି ଜମ୍ମୁ-କଶ୍ମୀର, ସିନ୍ଧୁ ଜଳ ଚୁକ୍ତି, ବାଣିଜ୍ୟ ଏବଂ ଆତଙ୍କବାଦ ଉପରେ ଗମ୍ଭୀର ଓ ରଚନାତ୍ମକ ଆଲୋଚନା ପାଇଁ ପ୍ରସ୍ତୁତ। ଯଦିଓ ଭାରତ ସ୍ପଷ୍ଟ କରିଛି ଯେ ପାକିସ୍ତାନ ଆତଙ୍କବାଦକୁ ସମ୍ପୂର୍ଣ୍ଣ ନିର୍ମୂଳ ନକରିବା ପର୍ଯ୍ୟନ୍ତ ତା ସହ କୌଣସି ଆଲୋଚନା ହେବ ନାହିଁ। ଏହା ବ୍ୟତୀତ ଭାରତ ସ୍ପଷ୍ଟ କରିଛି ଯେ ଦିଲ୍ଲୀ ଏବେ କେବଳ ପିଓକେ ଉପରେ ଆଲୋଚନା କରିବ। ଦିଲ୍ଲୀ ଅନେକ ଥର ପାକିସ୍ତାନକୁ ପିଓକେ ଖାଲି କରିବାକୁ କହିଛି। ଶେହବାଜ ଶରିଫ ଟ୍ରମ୍ପ ଓ ରୁବିଓଙ୍କ ଉଦ୍ୟମର ମଧ୍ୟ ପ୍ରଶଂସା କରିଛନ୍ତି, ଯାହା ଦ୍ଵାରା ଭାରତ-ପାକିସ୍ତାନ ମଧ୍ୟରେ ଏକ ନୂଆ ଯୁଦ୍ଧବିରତି ଚୁକ୍ତିର ଆଧାର ସ୍ଥାପନ ହୋଇଛି। ଯଦିଓ ଭାରତ ବାରମ୍ବାର ସ୍ପଷ୍ଟ କରିଛି ଯେ ଆମେରିକା ଭାରତ-ପାକିସ୍ତାନ ମଧ୍ୟରେ ମଧ୍ୟସ୍ଥତା ପାଇଁ ଦାୟୀ ନୁହେଁ। ଭାରତ ଆମେରିକାକୁ ଏହାର ଶ୍ରେୟ ଦେବାକୁ ମନା କରିଦେଇଛି।
ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଟେଲିଫୋନ କଥାବାର୍ତ୍ତା ସମୟରେ କହିଥିଲେ ଯେ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ଉଭୟ ଦେଶର ସେନା ମଧ୍ୟରେ ହୋଇଥିବା ଆଲୋଚନା ପରେ ସମ୍ଭବ ହୋଇଛି ଏବଂ ଆମେରିକା ଏଥିରେ ସାମିଲ ନଥିଲା। ଏହା ସହିତ ଶେହବାଜ ଶରିଫ ଆମେରିକୀୟ ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓଙ୍କ ସହ କଥାବାର୍ତ୍ତା ସମୟରେ ବାଲୁଚିସ୍ତାନ ଲିବରେସନ ଆର୍ମୀ ଓ ତେହରିକ-ଏ-ତାଲିବାନ ପାକିସ୍ତାନ ପରି ଆତଙ୍କବାଦୀ ସଂଗଠନ ବିରୋଧରେ ପାକିସ୍ତାନ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ବିଷୟରେ ସୂଚନା ଦେଇଥିଲେ। ମାର୍କୋ ରୁବିଓ ପାକିସ୍ତାନର ପ୍ରୟାସର ପ୍ରଶଂସା କରି ଆଶ୍ଵାସନା ଦେଇଥିଲେ ଯେ ଆମେରିକା ଆଞ୍ଚଳିକ ଆତଙ୍କବାଦ ବିରୋଧରେ ପାକିସ୍ତାନୀ ସୁରକ୍ଷା ସଂସ୍ଥାମାନଙ୍କ ସହ ଠିଆ ହେବ।
Also read https://purvapaksa.com/china-government-to-tightens-internet-controls-with-new-virtual-id/
