Pakistan: ଆମେରିକୀୟ ଅଧିକାରୀଙ୍କ ଦାବି, ମାଡ଼ ଖାଇବା ପରେ ଭାରତକୁ ଅସ୍ତ୍ରବିରତ ପାଇଁ ବିନତୀ କରିଥିଲା ପାକିସ୍ତାନ।
ଭାରତରେ ଲୋକ ଆଇପିଏଲ ପାଇଁ ଡ୍ରିମ୍ ଟିମ୍ ତିଆରି କରୁଥିଲେ। ୪୯ ଟଙ୍କାର କୋଟିପତି ଓ ଥାର କାର ଜିତିବା ପାଇଁ କ୍ରିକେଟ୍ ଏକ୍ସପର୍ଟ ହେଉଥିଲେ ଭାରତୀୟ। ଠିକ୍ ସେହି ହାଲତ ଏବେ ପାକିସ୍ତାନର। ତେବେ ଏଠି କ୍ରିକେଟ୍ ଯୁଦ୍ଧ ନୁହେଁ ,ସେଠି ଅସଲ ଯୁଦ୍ଧକୁ ନେଇ ସୋସିଆଲ ମିଡିଆରେ ପାକିସ୍ତାନୀ ତିଆରି କରୁଛନ୍ତି ମିମ୍।
ପାକିସ୍ତାନର ସୋସିଆଲ ମିଡ଼ିଆ ଆର୍ମୀ ମିମ୍ସ ତିଆରି କରି ଯୁଦ୍ଧ ଜିତୁଥିବା ଦାବି କରୁଛି, କିନ୍ତୁ ବାସ୍ତବ କ୍ଷେତ୍ରରେ ଏଭଳି ଦାବିରେ କୌଣସି ଦମ୍ ନାହିଁ। ଏହାକୁ କେବଳ ଭାରତ ନୁହେଁ, ଅନ୍ତର୍ଜାତୀୟ ଗଣମାଧ୍ୟମ ମଧ୍ୟ ସ୍ୱୀକାର କରିଛି। କେବଳ ଏତିକି ନୁହେଁ, ଆମେରିକାର ପୂର୍ବତନ ପ୍ରତିରକ୍ଷା ଅଧିକାରୀ ମାଇକେଲ ରୁବିନ ଏପରି ଏକ ବୟାନ ଦେଇଛନ୍ତି, ଯାହା ଶୁଣି ପାକିସ୍ତାନର ସେନା ମୁଖ୍ୟ ଆସିମ ମୁନିରଙ୍କୁ ଆଘାତ ଲାଗିବ।
ପାକିସ୍ତାନ ସତ୍ୟ ଲୁଚାଇ ଭ୍ରମ ସୃଷ୍ଟି କରୁଛି
ପାକିସ୍ତାନ କେଉଁଭଳି ଭାବେ ନିଜ ଲୋକଙ୍କଠାରୁ ସତ୍ୟ ଲୁଚାଇ ଭ୍ରମ ସୃଷ୍ଟି କରୁଛି, ତାହା ଉପରେ ଆଲୋକପାତ କରିଛନ୍ତି ଆମେରିକାର ପୂର୍ବତନ ପେଣ୍ଟାଗନ ଅଧିକାରୀ ତଥା ଆମେରିକୀୟ ଏଣ୍ଟରପ୍ରାଇଜ ଇନଷ୍ଟିଚ୍ୟୁଟର ସିନିୟର ଫେଲୋ ମାଇକେଲ ରୁବିନ। ନ୍ୟୁଜ ଏଜେନ୍ସୀ ଏଏନଆଇକୁ ଦେଇଥିବା ସାକ୍ଷାତ୍କାରରେ ସେ ସ୍ପଷ୍ଟ କହିଛନ୍ତି ଯେ ଭାରତୀୟ ସେନାର ପାକିସ୍ତାନ ଉପରେ ଆକ୍ରମଣ ଏତେ ପ୍ରଭାବଶାଳୀ ଥିଲା ଯେ ପାକିସ୍ତାନ ଧଇଁସଇଁ ହୋଇ ଦୌଡ଼ି ଯୁଦ୍ଧବିରାମ ମାଗିବାକୁ ବାଧ୍ୟ ହେଲା।
ମାଇକେଲ ରୁବିନ କହିଛନ୍ତି ଯେ ପହଲଗାମରେ ହୋଇଥିବା ନିର୍ମମ ଆକ୍ରମଣ ପରେ ଭାରତ ଯେଉଁ ସଠିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା, ତାହା ପାକିସ୍ତାନକୁ ସ୍ତମ୍ଭିତ କରିଦେଇଥିଲା। ଭାରତୀୟ ସେନା ବାଛି ବାଛି ଆତଙ୍କବାଦୀଙ୍କ ଆସ୍ଥାନଗୁଡ଼ିକୁ ଧ୍ୱଂସ କରିଥିଲା। ସେ ଭାରତର ସାମରିକ କାର୍ଯ୍ୟାନୁଷ୍ଠାନକୁ ଖୁବ୍ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ଭାରତ ଏହି ସଂଘର୍ଷରେ ସୈନିକ ଓ କୂଟନୈତିକ ସ୍ତରରେ ପାକିସ୍ତାନକୁ ପଛରେ ପକାଇ ଦେଇଛି। ଭାରତର ସବୁଠାରୁ ବଡ଼ ବିଜୟ ହେଉଛି ଏହି ଆକ୍ରମଣ ବିଶ୍ୱର ଦୃଷ୍ଟିକୁ ପାକିସ୍ତାନ ଦ୍ୱାରା ଆତଙ୍କବାଦକୁ ପୃଷ୍ଠପୋଷଣ ଉପରେ ଆକର୍ଷିତ କରିଛି।
‘ଭୟରେ ଯୁଦ୍ଧବିରାମ ମାଗିଲା ପାକିସ୍ତାନ’
ରୁବିନ ଆହୁରି କହିଛନ୍ତି ଯେ ଏହି ଅପରେସନ ପାକିସ୍ତାନୀ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ସମ୍ପର୍କକୁ ଉନ୍ମୋଚିତ କରିଛି। ଯେଉଁଭଳି ପାକିସ୍ତାନୀ ଅଧିକାରୀମାନେ ବର୍ଦୀ ପିନ୍ଧି ଆତଙ୍କବାଦୀଙ୍କ ଅନ୍ତିମ ସଂସ୍କାରରେ ସାମିଲ ହେଲେ, ତାହା ସୈନିକ ଓ ଆତଙ୍କବାଦୀ ମଧ୍ୟରେ ପାର୍ଥକ୍ୟକୁ ଲୋପ କରିଦେଇଛି। ତାଙ୍କର ସବୁଠାରୁ ତୀକ୍ଷ୍ଣ ମନ୍ତବ୍ୟ ଥିଲା ଯେ ମାତ୍ର ଚାରି ଦିନର ଲଢ଼େଇରେ ପାକିସ୍ତାନର ଅବସ୍ଥା ଭୟଭୀତ କୁକୁର ପରି ହୋଇଗଲା, ଯିଏ ହାଇଁପାଇଁ ହୋଇ ଯୁଦ୍ଧବିରାମ ମାଗିବାକୁ ଦୌଡ଼ିଲା। ପାକିସ୍ତାନ ହାରିଛି କିନ୍ତୁ ଏହାକୁ ସ୍ୱୀକାର କରୁନାହିଁ।
ରୁବିନ ପ୍ରଥମ ଥର ପାଇଁ ପାକିସ୍ତାନର ଆତଙ୍କବାଦ ମୋର୍ଚ୍ଚାରେ ଆଲୋଚନା କରିନାହାନ୍ତି। ସେ ପୂର୍ବରୁ ମଧ୍ୟ ପାକିସ୍ତାନକୁ ଆତଙ୍କବାଦର ପୃଷ୍ଠପୋଷକ ଦେଶ ବୋଲି ଅଭିହିତ କରି ସେଠାକାର ସେନାପ୍ରମୁଖ ଆସିମ ମୁନିରଙ୍କୁ ଓସାମା ବିନ ଲାଦେନ ସହ ତୁଳନା କରିଥିଲେ।
ରୁବିନ୍ ଖୋଲିଲେ ଟ୍ରମ୍ପଙ୍କ ମୁଖା
ରୁବିନ ଭାରତ-ପାକିସ୍ତାନ ମାମଲାରେ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୀତିଗୁଡ଼ିକୁ ମଧ୍ୟ ସମାଲୋଚନା କରିଛନ୍ତି। ଟ୍ରମ୍ପଙ୍କ ମଧ୍ୟସ୍ଥତାକୁ ନେଇ ସେ ବ୍ୟଙ୍ଗ କରି କହିଛନ୍ତି, “ଯଦି ଟ୍ରମ୍ପଙ୍କୁ ପଚାରିବେ, ସେ କହିବେ ଯେ ସେ ଏକାକୀ ବିଶ୍ୱକପ ଜିତିଛନ୍ତି।” ଏମିତିରେ ଟ୍ରମ୍ପ ଦିନକୁ କାଳେ ୨୧ଟି ମିଛ କୁହନ୍ତି । ଏବେ ରୁବିନ୍ ଏହି ଉଡ଼ାକଥା ଉପରେ ମୋହର ମାରିଛନ୍ତି ।
ସୂଚନା କମିଶନ ନିଯୁକ୍ତିରେ ବାବୁ ପ୍ରୀତି; ଅମଲାଙ୍କ ଚକ୍ରବ୍ୟୁହରେ ଓଡ଼ିଶା ତନ୍ତ୍ର-୨