ଅପରେସନ ସିନ୍ଦୁର ଓ ସିନ୍ଧୁ ନଦୀ ଜଳ ଚୁକ୍ତି ରଦ ପରେ ବିଳାପ କରୁଛି ପାକିସ୍ତାନ। ଭାରତର କାର୍ଯ୍ୟାନୁଷ୍ଠାନ ପରେ ଆରମ୍ଭ କରୁଛି ନୂଆ ଫନ୍ଦିଫିକର। ପାକ୍ ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫ୍ କହିଛନ୍ତି ଯେ କାଶ୍ମୀରକୁ ଏବେ ଅନ୍ତର୍ଜାତୀୟ ସ୍ତରରେ ପରିଚାଳନା କରାଯିବ। ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫ୍ ୧୯୭୨ ସିମଲା ଚୁକ୍ତିନାମାକୁ “ଏକ ମୃତ ଦଲିଲ୍” ଭାବେ ଘୋଷଣା କରିଛନ୍ତି, ଯାହା କାଶ୍ମୀର ଉପରେ ଇସଲାମାବାଦର ଦୃଷ୍ଟିକୋଣରେ ଏକ ବଡ଼ ପରିବର୍ତ୍ତନର ସଙ୍କେତ ଦେଇଛି। ଏକ ଟେଲିଭିଜନ ଚ୍ୟାନେଲରେ ବିବୃତ୍ତି ଦେଇ, ଆସିଫ୍ କହିଛନ୍ତି ଯେ ପାକିସ୍ତାନ ୧୯୪୮ର ଜାତିସଂଘ-ସମର୍ଥିତ ସ୍ଥିତିକୁ ଫେରିଛି, ନିୟନ୍ତ୍ରଣ ରେଖାକୁ ଏକ ସ୍ୱୀକୃତିପ୍ରାପ୍ତ ସୀମା ବଦଳରେ ଏକ ଅସ୍ତ୍ରବିରତି ରେଖା ବୋଲି ଧରି ନେଇଛି। ବଢ଼ୁଥିବା ଉତ୍ତେଜନା ଏବଂ ଭାରତ ସହିତ ଦ୍ୱିପାକ୍ଷିକ ଚୁକ୍ତିନାମା ଉପରେ ପାକିସ୍ତାନର ଦୀର୍ଘକାଳୀନ ଦୃଷ୍ଟିକୋଣର ପୁନଃନିରୀକ୍ଷଣ ମଧ୍ୟରେ ଏହି ମନ୍ତବ୍ୟ ଦେଇଛନ୍ତି ପାକ୍ ମନ୍ତ୍ରୀ ।
ଖୱାଜା ଆସିଫ୍ ଦୃଢ଼ ଭାବରେ କହିଛନ୍ତି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦ୍ୱିପାକ୍ଷିକ ଢାଞ୍ଚା ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି। “ସିମଲା ଚୁକ୍ତିନାମା ଏବେ ଏକ ମୃତ ଦଲିଲ୍ ହୋଇଛି। ଆମେ ୧୯୪୮ର ପରିସ୍ଥିତିକୁ ଫେରି ଆସିଛୁ, ଯେତେବେଳେ ଜାତିସଂଘ ଯୁଦ୍ଧବିରତି ଏବଂ ପ୍ରସ୍ତାବ ପରେ ନିୟନ୍ତ୍ରଣ ରେଖାକୁ ଏକ ଅସ୍ତ୍ରବିରତି ରେଖା ଭାବରେ ଘୋଷଣା କରିଥିଲା,”। “ଆଗକୁ ଏହି ବିବାଦଗୁଡ଼ିକର ସମାଧାନ ବହୁପାକ୍ଷିକ କିମ୍ବା ଅନ୍ତର୍ଜାତୀୟ ସ୍ତରରେ କରାଯିବ ବୋଲି ପାକ୍ ପ୍ରତିରକ୍ଷା ମନ୍ତ୍ରୀ କହି ନୂଆ ବିବାଦ ସୃଷ୍ଟି କରିଛନ୍ତି। “ସିନ୍ଧୁ ଜଳ ଚୁକ୍ତି ସ୍ଥଗିତ ରଖାଯାଉ କି ନାହିଁ, କିନ୍ତୁ ସିମଲା ଚୁକ୍ତି ପୂର୍ବରୁ ଶେଷ ହୋଇସାରିଛି,” ବୋଲି ସେ କହିଛନ୍ତି।
ତେବେ ଏହା ପ୍ରଥମ ଥର ନୁହେଁ ଯେତେବେଳେ କି ଇସଲାମାବାଦ ଦ୍ୱିପାକ୍ଷିକ ରାସ୍ତା ପରିତ୍ୟାଗ କରିଛି। ଏହା ପୂର୍ବରୁ ଅଗଷ୍ଟ ୨୦୧୯ରେ ଭାରତ ଧାରା ୩୭୦ ପ୍ରତ୍ୟାହାର କରିବା ପରେ ପାକିସ୍ତାନ ସିମଲା ଚୁକ୍ତିନାମାକୁ ସ୍ଥଗିତ ରଖିଥିଲା, ଯାହା ଜମ୍ମୁ ଏବଂ କାଶ୍ମୀରର ସ୍ୱତନ୍ତ୍ର ସ୍ଥିତିକୁ ସମାପ୍ତ କରେ। ସେବେଠାରୁ, ପାକିସ୍ତାନ ବାରମ୍ବାର ଅନ୍ତର୍ଜାତୀୟ ଫୋରମରେ ଏହି ପ୍ରସଙ୍ଗ ଉଠାଇଛି, ଯେତେବେଳେ କି ଭାରତ କାଶ୍ମୀର ଏହାର ଆଭ୍ୟନ୍ତରୀଣ ମାମଲା ବୋଲି କହି ଆସିଛି ।
୧୯୭୧ ଭାରତ-ପାକ୍ ଯୁଦ୍ଧ ପରେ ୧୯୭୨ରେ ସ୍ୱାକ୍ଷରିତ ହୋଇଥିବା ସିମଲା ଚୁକ୍ତିନାମା ଦ୍ୱିପାକ୍ଷିକ ଆଲୋଚନା ମାଧ୍ୟମରେ ବିବାଦ ସମାଧାନ କରିବାକୁ ଦୁଇ ଦେଶକୁ ପ୍ରତିଶ୍ରୁତି ଦେଇଛି। ଯେଉଁ ନୀତିକୁ ଭାରତ ଏବେ ବି ବଜାୟ ରଖିଛି। ଅନ୍ୟପଟେ ପାକ ପ୍ରତିରକ୍ଷା ମନ୍ତ୍ରୀ ଆସିଫ୍ ପାକିସ୍ତାନର ପରମାଣୁ ସ୍ଥିତି ଦର୍ଶାଇ ଭାରତକୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ ଦେଶ ସତର୍କତାରେ ଅଛି ଏବଂ ଯଦି “ଆମର ଅସ୍ତିତ୍ୱ ପ୍ରତି ସିଧାସଳଖ ବିପଦ” ଥାଏ ତେବେ ପରମାଣୁ ଅସ୍ତ୍ର ବ୍ୟବହାର କରିବାକୁ ବିଚାର କରିବୁ ନିଶ୍ଚୟ। ସେ ନିଶ୍ଚିତ କରିଛନ୍ତି ଯେ ପାକିସ୍ତାନ ଚୀନ ସମେତ ଉପସାଗରୀୟ ଦେଶ ଏବଂ ଆଞ୍ଚଳିକ ସହଯୋଗୀଙ୍କ ସହିତ ପରାମର୍ଶ କରିଛି ଏବଂ ବର୍ତ୍ତମାନର ଘଟଣାବଳୀ ବିଷୟରେ ୟୁକେ ଏବଂ ଆମେରିକାକୁ ଅବଗତ କରିଛି। “ଆରବ ଉପସାଗରରେ ଆମର କିଛି ବନ୍ଧୁ ଉଭୟ ପକ୍ଷ ସହିତ କଥା ହୋଇଛନ୍ତି,” ଆସିଫ୍ କୌଣସି ଦେଶର ନାମ ନ ନେଇ ଏଭଳି କହିଛନ୍ତି। ଏହି ସମୟରେ, ଚୀନ୍ ସଂଯମ ରହିବାକୁ ଆହ୍ୱାନ କରିଛି ଏବଂ ଆସିଫ୍ କହିଛନ୍ତି ଯେ ଆମେରିକା ଏପର୍ଯ୍ୟନ୍ତ ହସ୍ତକ୍ଷେପ କରିବାରୁ ଦୂରରେଇ ରହିଛି”।
ପାକ୍ ପ୍ରତିରକ୍ଷା ମନ୍ତ୍ରୀଙ୍କ ଏକ ଭାଇରାଲ୍ ସାକ୍ଷାତକାର ପରେ ବିବାଦ ଆହୁରି ଘନୀଭୂତ ହେବାରେ ଲାଗିଛି। ଯେଉଁଥିରେ ଆସିଫ୍ ଆତଙ୍କବାଦୀ ସଂଗଠନଗୁଡ଼ିକୁ ସମର୍ଥନ କରିବାରେ ପାକିସ୍ତାନର ଭୂମିକା ସ୍ୱୀକାର କରିଥିଲେ। ଯେତେବେଳେ ତାଙ୍କୁ ପଚରାଗଲା ଯେ ପାକିସ୍ତାନ ଆତଙ୍କବାଦୀ ଗୋଷ୍ଠୀଗୁଡ଼ିକୁ ସମର୍ଥନ, ତାଲିମ ଏବଂ ଆର୍ଥିକ ସହାୟତା ପ୍ରଦାନ କରିଛି କି ନାହିଁ? ଆସିଫ୍ ଉତ୍ତରରେ କହିଥିଲେ “ଆମେ ପ୍ରାୟ ୩ ଦଶନ୍ଧି ଧରି ଆମେରିକା ପାଇଁ ଏହି ଘୃଣ୍ୟ କାମ କରିଆସୁଛୁ… ଏବଂ ବ୍ରିଟେନ ସମେତ ପଶ୍ଚିମ ଦେଶର.. ଏହା ଏକ ଭୁଲ ଥିଲା ଏବଂ ଆମେ ଏହାର ମୂଲ୍ୟ ଦେଇଛୁ।” ସେ ଏହି ସମର୍ଥନକୁ ଶୀତଳ ଯୁଦ୍ଧ ଯୁଗର ଭୂ-ରାଜନୀତି ଏବଂ ପଶ୍ଚିମ ଦେଶ ସହ ୯/୧୧ ପରବର୍ତ୍ତୀ ମେଣ୍ଟର ଅଂଶ ଭାବରେ ବର୍ଣ୍ଣନା କରିଥିଲେ। “ଯଦି ଆମେ ସୋଭିଏତ୍ ୟୁନିଅନ୍ ବିରୁଦ୍ଧରେ ଯୁଦ୍ଧରେ ଏବଂ ପରେ ୯/୧୧ ପରବର୍ତ୍ତୀ ଯୁଦ୍ଧରେ ସାମିଲ ହୋଇନଥାନ୍ତୁ, ତେବେ ପାକିସ୍ତାନର ଟ୍ରାକ୍ ରେକର୍ଡ ନିର୍ଦ୍ଦୋଷ ହୋଇଥାନ୍ତା,” ଆସିଫ୍ କହିଛନ୍ତି। ପାକ୍ ମନ୍ତ୍ରୀଙ୍କ ଏହି ସ୍ୱୀକାରୋକ୍ତି ପାକିସ୍ତାନ ବିରୁଦ୍ଧରେ ଏକ ଦୀର୍ଘକାଳୀନ ଅଭିଯୋଗକୁ ସ୍ପଷ୍ଟ କରେ। ଆଞ୍ଚଳିକ ଶାନ୍ତିର ମୂଲ୍ୟରେ ଏହା ବିଶ୍ୱବ୍ୟାପୀ ଜିହାଦୀ ନେଟୱାର୍କ ପାଇଁ ଏକ ସ୍ୱର୍ଗ ଏବଂ କେନ୍ଦ୍ର ଭାବରେ କାର୍ଯ୍ୟ କରେ ବୋଲି ପ୍ରମାଣ କରିଛି।
Also readhttps://purvapaksa.com/rahul-gandhis-words-are-like-pakistans/
” Rahul Gandhi’s words are like Pakistan’s ” II ” ରାହୁଲ ଗାନ୍ଧୀଙ୍କ କଥା ପାକିସ୍ତାନ ପରି “