ନିଗାଟା ପ୍ରିଫେକ୍ଚରର ମଝିରେ, ଯେଉଁଠି ଏକଦା ନୀଳ-ସବୁଜ ଧାନଖେତ ଦିଗନ୍ତ ପର୍ଯ୍ୟନ୍ତ ବିସ୍ତାରିତ ଥିଲା, ସେଠାରେ ଏବେ ଫାଟିଯାଇଥିବା ଶୁଖିଲା ଭୂମିଦେଖାଯାଉଛି। ପୂର୍ବଭଳି ଦଳ ଦଳ ଚାଷୀଙ୍କ କୋଳାହଳ ଏବେ ଆଉ ନାହିଁ। କେଉଁ ଏକ ଅଜଣା ଆକର୍ଷଣରେ ଶୁଖିଲା ଜମି ଉପରେ ଉଦାସ ଭାବରେ ବିଚରଣ କରୁଛନ୍ତି ଜଣେ ୬୮ ବର୍ଷୀୟ ଚାଷୀ ହିରୋଶି ତାନାକା। ଜମିକୁ ନେଇ ନିଜ ପ୍ରତିକ୍ରିୟାରେ ସେ କହିଥିଲେ “ଏହି ଜମି ଦିନେ ଆମ ପରିବାରର ଗୌରବ ଥିଲା,” ସେ ଶୁଷ୍କ ମାଟିକୁ ଚାହିଁ କୋହଭରା କଣ୍ଠରେ ସ୍ୱାଭାବିକ ପ୍ରତିକ୍ରିୟା ସ୍ୱରରେ କହିଲେ। “ଏବେ ଏହା କେବଳ ଏକ ବୋଝ ପାଲଟିଛି।” ତାନାକାଙ୍କ ଅନୁଭବ ଅନନ୍ୟ ନୁହେଁ। ଜାପାନରେ, ଧାନ ଚାଷର ପ୍ରାଚୀନ କଳା-ଯାହା ସଂସ୍କୃତି, ଖାଦ୍ୟ ଓ ପରିଚୟର ଭିତ୍ତିଭୂମି ଥିଲା ତାହା ଆଜି ସରକାରଙ୍କ-ନୀତିଗତ ଭୁଲ, ଜଳବାୟୁ ପରିବର୍ତ୍ତନ, ଓ ଗ୍ରାମାଞ୍ଚଳର ବୟସ୍କ ଶ୍ରମଶକ୍ତି ଯୋଗୁଁ ଡୁବିବାରେ ଲାଗିଛି। ଦେଶରେ ଧାନର ଅଭାବ ବଢ଼ୁଛି ଓ ଦର ଆକାଶଛୁଆଁ ହେଉଛି, ଏହି କ୍ରମରେ ଏକ ପ୍ରଶ୍ନ ଉଙ୍କି ମାରୁଛି: ଜାପାନ କ’ଣ ତା’ର ଧାନଖେତକୁ ସମ୍ପୂର୍ଣ୍ଣ ଲୋପ ପାଇବା ଆଗରୁ ବଞ୍ଚାଇ ପାରିବ?
ସଙ୍କଟର ଝଡ଼
ଜାପାନର ଧାନ ଉତ୍ପାଦନ ବିଗତ ଏକ ଦଶନ୍ଧି ଧରି ନିମ୍ନମୁଖୀ ହେଉଛି, କିନ୍ତୁ ୨୦୨୪କୁ ଟିପିଙ୍ଗ ପଏଣ୍ଟ ଭାବେ ଚିହ୍ନିତ କରାଯାଇଛି। ୨୦୨୩ରେ ଦେଶରେ ୬୬.୧ ଲକ୍ଷ ଟନ ଧାନ ଉତ୍ପାଦନ ହୋଇଥିଲା ,ଯାହା ପୂର୍ବ ବର୍ଷ ତୁଳନାରେ ୯୦,୦୦୦ ଟନ କମ ଥିଲା ଏବଂ ୨୦୨୪ ଜୁନ ସୁଦ୍ଧା ବେସରକାରୀ ଭଣ୍ଡାର ୧୫.୬ ଲକ୍ଷ ଟନକୁ ଖସି ଆସିଥିଲା ଓ ୧୯୯୯ ପରେ ଏହା ସର୍ବନିମ୍ନ ଥିଲା। ଏହି ବର୍ଷ ପ୍ରଚଣ୍ଡ ଗ୍ରୀଷ୍ମ ତାତି ଉତ୍ପାଦନକୁ ଆହୁରି କମାଇ ଦେଇଥିଲା। ଅତି ଅଧିକ ତାପମାତ୍ରା ଯୋଗୁଁ ଧାନ ଧଳା ଓ ଫାଟି ଯାଇ ବଜାର ପାଇଁ ଅନୁପଯୁକ୍ତ ପ୍ରମାଣିତ ହୋଇଥିଲା। “ଏତେ ଗରମରେ ଧାନ ଠିକ୍ ଭାବେ ବିକଶିତ ହୁଏ ନାହିଁ। ଏକଥା ପ୍ରମାଣ ଦେଇ ସ୍ପଷ୍ଟ କରିଛନ୍ତି ତୋହୋକୁ ବିଶ୍ୱବିଦ୍ୟାଳୟର କୃଷି ବିଶେଷଜ୍ଞ ଡକ୍ଟର ଯୁକୋ ନାକାମୁରା। ତାଙ୍କର କହିବା କଥା ହେଲା ପ୍ରଚଣ୍ଡ ତାତି କାରଣରୁ ଧାନରେ “ଷ୍ଟାର୍ଚ ଜମା ହୋଇପାରିନଥାଏ ଏବଂ ଏହାର ରଙ୍ଗ ଧଳା ଓ ଠିକଭାବେ ଚାଉଳ ହୋଇପାରିନଥାଏ।”
ଜଳବାୟୁ କେବଳ ଏକ ଅଂଶ । ୧୯୭୧ ଠାରୁ ଜାପାନ ସରକାର ଧାନ ଦରକୁ ଉଚ୍ଚ ରଖିବା ପାଇଁ ଜେନ୍ଟାନ ନାମକ ଏକ ନୀତି ଲାଗୁ କରିଛନ୍ତି, ଯାହା ଉତ୍ପାଦନକୁ ସୀମିତ କରିବାରେ ବଡ଼ କାରଣ ସାଜିଛି। ଆଜି ଜାପାନର ୪୦% ଧାନ କ୍ଷେତ ଅବ୍ୟବହୃତ ରହିଛି, ଚାଷୀମାନେ ସବସିଡି ମାଧ୍ୟମରେ ଗହମ ଓ ସୋୟାବିନ ଚାଷ କରିବାକୁ ଉତ୍ସାହିତ ହେଉଛନ୍ତି। ୨୦୧୮ରେ ଏହି ନୀତି ଔପଚାରିକଭାବେ ବନ୍ଦ ହୋଇଥିଲେ ମଧ୍ୟ, ଏହାର ପ୍ରଭାବ ବ୍ୟାପକ ଭାବରେ ଦେଖିବାକୁ ମିଳିଛି। ଧାନ ବଦଳରେ ଅଧିକ ଜମିରେ ଗହମ ଓ ସୋୟାବିନ ଚାଷ ବଢ଼ୁଥିବା ଦେଖିବାକୁ ମିଳୁଛି। ମାତ୍ର ୬୦% ଜମିରେ ଧାନ ଚାଷ ସୀମିତ ରହିଛି। “ସରକାର ଉଚ୍ଚ ଦର ଚାହୁଁଥିଲେ, କିନ୍ତୁ ଏହା ସିଷ୍ଟମକୁ କେତେ ଦୁର୍ବଳ କରିଛି ସେ ବିଷୟରେ ଭାବି ନଥିଲେ,” କୃଷି ନୀତି ବିଶେଷଜ୍ଞ କାଜୁହିତୋ ଯାମାଶିତା କହନ୍ତି। “ଗୋଟିଏ ଖରାପ ଅମଳ ହେଲେ, ଆମେ ସଙ୍କଟରେ ପଡ଼ୁ।”
ସେହି ସଙ୍କଟ ୨୦୨୪ରେ ଆସିଲା। ବର୍ଷର ପ୍ରଥମାର୍ଦ୍ଧରେ ରେକର୍ଡ ୧୭.୮ ନିୟୁତ ପର୍ଯ୍ୟଟକ ଜାପାନକୁ ଆସିଲେ। ଯାହା ସୁଶି ଓ ଓନିଗିରି ଭଳି ଧାନଭିତ୍ତିକ ଖାଦ୍ୟର ଚାହିଦା ବଢ଼ାଇ ଦେଇଥିଲା। ୨୦୨୪ ଶେଷ ସୁଦ୍ଧା ଟୋକିଓ ଓ ଓସାକାର ସୁପରମାର୍କେଟରେ ଚାଉଳର ଅଭାବ ଦେଖିବାକୁ ମିଳିଲା। ଫଳରେ ଅଚାନକ ଧାନର ଦର ୨୦-୩୦% ବଢ଼ିଗଲା। “ଆଗରୁ କେବେ ଲୋକଙ୍କୁ ଗୋଟିଏ ଧାନ ବସ୍ତା ପାଇଁ ଲଢ଼ୁଥିବା ଦେଖିନଥିଲି ବୋଲି କହନ୍ତି କ୍ୟୋଟୋର ଜଣେ ବ୍ୟବସାୟିକ ପ୍ରତିନିଧି ଆଇକୋ ଯାମାଦା ।
ମାନବିକ କ୍ଷତି
ଧାନ ଚାଷର ହ୍ରାସ କେବଳ ସଂଖ୍ୟାର କାହାଣୀ ନୁହେଁ-ଏହା ଲୋପ ପାଉଥିବା ସମୁଦାୟର କାହାଣୀ। ଯାମାଗାଟା ପ୍ରିଫେକ୍ଚରର ଗ୍ରାମୀଣ ଶୋନାଇରେ, ୧୯୯୦ ଦଶକ ପରେ ଚାଷୀଙ୍କ ସଂଖ୍ୟା ଅଧାକୁ ଖସିଛି, ଓ ଜମିର ଦର ୭୦% ହ୍ରାସ ପାଇଛି। ଅଧିକାଂଶ ଧାନ ଚାଷୀ, ତାନାକା ଭଳି, ୬୫ ବର୍ଷରୁ ଅଧିକ, ଓ ସେମାନଙ୍କ ପିଲାମାନେ ଚାଷ ଜାରି ରଖିବାକୁ ଆଗ୍ରହୀ ନୁହନ୍ତି। “ଧାନ ଚାଷରେ ଲାଭ ନାହିଁ,” ତାନାକାଙ୍କ ଝିଅ ଏମି କହନ୍ତି, ଯିଏ ଟୋକିଓରେ ଏକ ଟେକ୍ ସଂସ୍ଥାରେ ଚାକିରି କରନ୍ତି। “ସହରରେ ଅଧିକ ରୋଜଗାର କରିପାରୁଥିବାବେଳେ ମୁଁ କାହିଁକି କମ୍ ଆୟ ପାଇଁ ଅଧିକ କଷ୍ଟ କରିବି?”ବୋଲି ଥିଲା ତାଙ୍କର ପ୍ରତିକ୍ରିୟା। ଯୁବପିଢ଼ି ଆଉ ଚାଷ ନୁହଁ ,ଚାକିରୀ ପାଇଁ ଆଗ୍ରହୀ।
ଏହି ଜନସାଂଖ୍ୟିକ ହ୍ରାସ ପୁରା ଗାଁକୁ ଖାଲି କରିଦେଇଛି। କେତେକ ଅଞ୍ଚଳରେ, ପରିତ୍ୟକ୍ତ ଧାନଖେତ ଜଙ୍ଗଲୀ ଘାସରେ ଭରିଯାଇଛି କିମ୍ବା ସୌର ଫାର୍ମ ପାଇଁ ବଦଳି ଯାଇଛି, ଶତାବ୍ଦୀ ପୁରୁଣା ଭୂଦୃଶ୍ୟକୁ ନଷ୍ଟ କରିଛି। “ଧାନ କେବଳ ଖାଦ୍ୟ ନୁହେଁ; ଏହା ଆମର ଐତିହ୍ୟ,” ନିଗାଟାର ଶିନ୍ତୋ ପୂଜାରୀ ଶିଗେରୁ କାତୋ କହନ୍ତି, ଯିଏ ଭଲ ଅମଳ ପାଇଁ ରୀତିନୀତି କରନ୍ତି। “କ୍ଷେତ ଚାଲିଗଲେ, ଆମ ଆତ୍ମାର ଏକ ଅଂଶ ମଧ୍ୟ ନଷ୍ଟ ହୋଇଯାଏ ବୋଲି ସେ କହନ୍ତି।”
ନୀତିଗତ ଦ୍ୱନ୍ଦ୍ୱ
ସରକାରଙ୍କ ପ୍ରତିକ୍ରିୟା ଅଧା-ଅଧୁରା। ୨୦୨୪ ଶେଷରେ, କର୍ତ୍ତୃପକ୍ଷ ୯୧୦,୦୦୦ ଟନର ଜରୁରୀ ଧାନ ଭଣ୍ଡାରରୁ ୧୬୫,୦୦୦ ଟନ ଖାଲି କଲେ, କିନ୍ତୁ ବଣ୍ଟନ ବାଧା ଯୋଗୁଁ ଧାନ ଧୀରେ ଗ୍ରାହକଙ୍କ ପାଖରେ ପହଞ୍ଚିଲା। ଐତିହାସିକ ଭାବେ ଘରୋଇ ଧାନ ପ୍ରତି ଗର୍ବ ଯୋଗୁଁ ଆମଦାନୀ ଶେଷ ବିକଳ୍ପ ଥିଲା, କିନ୍ତୁ ୨୦୨୫ ଫେବୃଆରୀରେ ୫୫୧ ଟନ ଆମଦାନୀ ହେଲା, ଯାହା ମଧ୍ୟରେ ଦକ୍ଷିଣ କୋରିଆରୁ ୨୪ ଟନର ଏକ ବିରଳ ରପ୍ତାନି ଥିଲା-୨୫ ବର୍ଷରେ ସବୁଠାରୁ ବଡ଼।
ସମାଲୋଚକମାନେ କହନ୍ତି ଯେ ସରକାରଙ୍କୁ ଦଶନ୍ଧି ଧରି ଚାଲିଆସୁଥିବା ନିୟନ୍ତ୍ରଣ ନୀତିକୁ ଓଲଟାଇବାକୁ ହେବ। “ଉତ୍ପାଦନ ସୀମା ସମ୍ପୂର୍ଣ୍ଣ ରଦ୍ଦ କରି ଚାଷୀଙ୍କୁ ପ୍ରତିଯୋଗିତା କରିବାକୁ ଦିଆଯିବା ଉଚିତ ହେବ।” ଯାମାଶିତା ପରାମର୍ଶ ଦେଇ କହନ୍ତି, “ଜାପାନ ତା’ର ବଜାରକୁ ସ୍ଥିର କରିବା ପାଇଁ ଧାନ ରପ୍ତାନୀ ମଧ୍ୟ କରିପାରେ।” ଅନ୍ୟମାନେ, ଯେପରି ଚାଷୀ ସମର୍ଥନ ଗୋଷ୍ଠୀ, ଯୁବ ଚାଷୀଙ୍କ ପାଇଁ ଋଣ ଛାଡ଼ ଓ ଆଧୁନିକୀକରଣ ତଥା ସବସିଡି ଭଳି ଉତ୍ତମ ସମର୍ଥନ ଦାବି କରୁଛନ୍ତି । “ଆମକୁ ସ୍ୱପ୍ନ ନୁହେଁ, ଡ୍ରୋନ ଦରକାର ଏକଥା ଜାପାନର ଯୁବ ଚାଷୀ ମାନେ ଦୃଢ଼ତାର ସହିତ ଦାବି କରନ୍ତି।
ଜଳବାୟୁ ସହ ଯୁଦ୍ଧ
ଜଳବାୟୁ ପରିବର୍ତ୍ତନ ଏକ ଆହୁରି କଠିନ ଚ୍ୟାଲେଞ୍ଜ। କୃଷି ମନ୍ତ୍ରାଳୟ ଅନୁସାରେ, ଯଦି ତାପମାତ୍ରା ବଢୁଛି, ୨୧୦୦ ସୁଦ୍ଧା ଜାପାନର ଧାନ ଉତ୍ପାଦନ ୨୦% ହ୍ରାସ ପାଇପାରେ। ଚାଷୀମାନେ ଶିନ୍ନୋସୁକେ ଓ ଏମିହୋକୋରୋ ଭଳି ତାପ-ପ୍ରତିରୋଧୀ ଜାତୀୟ ଧାନ ପରୀକ୍ଷଣ କରୁଛନ୍ତି, କିନ୍ତୁ ଏହାକୁ ବୃହତ ମାତ୍ରାରେ କରିବାକୁ ସମୟ ଲାଗିବ। ଏହା ମଧ୍ୟରେ, ନିଗାଟା ଓ ହୋକାଇଡୋ ଭଳି ମୁଖ୍ୟ ଧାନ ଉତ୍ପାଦନ ଅଞ୍ଚଳରେ ଜଳ ଅଭାବ ସିଞ୍ଚନ ନିର୍ଭର ଖେତକୁ ବିପଦରେ ପକାଇଛି। “ଆମେ ଏବେ ପ୍ରକୃତି ସହ ଲଢୁଛୁ,” ନାକାମୁରା କହନ୍ତି। “ଆଉ ପ୍ରକୃତି ଜିତୁଛି।”
ଆଶାର କିରଣ
ଅନ୍ଧକାର ମଧ୍ୟରେ, କେତେକ ଏହି ସଙ୍କଟରେ ସୁଯୋଗ ଦେଖୁଛନ୍ତି। ଆକିତା ପ୍ରିଫେକ୍ଚରରେ, ଯୁବ ଚାଷୀଙ୍କ ଏକ ସହକାରୀ ଜୈବିକ ଧାନ ଓ ସିଧାସଳଖ ଗ୍ରାହକଙ୍କୁ ବିକ୍ରି ଆରମ୍ଭ କରିଛି, ଯାହା ଉଚ୍ଚ ଦର ଆଣୁଛି। “ଲୋକେ କେବଳ ପରିମାଣ ନୁହେ, ଗୁଣ ଚାହୁଁଛନ୍ତି,” ସହକାରୀ ନେତା ର୍ୟୋ ସାତୋ କହନ୍ତି। “ଆମେ ଏକ କାହାଣୀ ବିକୁଛୁ-ଆମର ଧାନ, ଆମର ଜମି, ଆମର ଭବିଷ୍ୟତ।” କିନ୍ତୁ ହିରୋଶି ତାନାକାଙ୍କ ପାଇଁ, ଭବିଷ୍ୟତ ଅନିଶ୍ଚିତ ଲାଗୁଛି। ସେ ତାଙ୍କର ସଙ୍କୁଚିତ ଖେତକୁ ଦେଖୁଛନ୍ତି ଓ ଭାବୁଛନ୍ତି, ତାଙ୍କ ନାତିନାତୁନୀମାନେ ସତରେ କଣ ଏହା ଉତ୍ପାଦନ କରିବାର କଳା ଜାଣିବେ କି? “ଧାନ ହେଉଛି ଜାପାନ,” ସେ ଧୀରେ କହନ୍ତି। “ଯଦି ଆମେ ଏହା ହରାଇବୁ, ତେବେ ଆଉ କ’ଣ ରହିବ?”
Also readhttps://purvapaksa.com/russias-s-400-successful-in-india-failed-in-their-country/