ଇସଲାମ ଧର୍ମରେ ରମଜାନ ମାସକୁ ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। କୁହାଯାଏ ଯେ ଏହି ମାସରେ ସୈତାନକୁ ମଧ୍ୟ ବନ୍ଦୀ କରାଯାଏ। ଅନ୍ୟପକ୍ଷରେ, ବାଂଲାଦେଶରେ ଏହି ମାସ ଶେଷରେ ଆରମ୍ଭ ହେଉଥିବା ରମଜାନ ପୂର୍ବରୁ ସୈତାନଙ୍କ ବିରୁଦ୍ଧରେ ଅଭିଯାନ ଆରମ୍ଭ କରାଯାଇଛି। ବାଂଲାଦେଶ ସରକାର ଯେଉଁମାନଙ୍କୁ ସୈତାନ ବୋଲି ଧରିନେଇଛନ୍ତି ସେମାନେ ଆକାଶରୁ ଖସି ନାହାନ୍ତି। ସେମାନେ ହେଉଛନ୍ତି ସେହି ବାଂଲାଦେଶୀ ନାଗରିକ ଯେଉଁମାନେ ନିଜ ସରକାର ବିରୋଧରେ କିଛି ବୟାନବାଜୀ କରୁଛନ୍ତି । ସରକାର ବିରୋଧରେ ଉଠୁଥିବା ସ୍ୱରକୁ ଦମନ କରିବା ପାଇଁ ୟୁନୁସ ସରକାର ‘ଅପରେସନ୍ ଡେଭିଲ୍ ହଣ୍ଟ’ ଆରମ୍ଭ କରିଛନ୍ତି।
ବାଂଲାଦେଶ ସରକାର ଗଣତନ୍ତ୍ର କଥା କହୁଛି। କିନ୍ତୁ ବିରୋଧୀ ସ୍ୱରକୁ ନେଇ ଅସହିଷ୍ଣୁ ଅଛି। ତାହାର ଉଦାହରଣ ହେଉଛି ଦୁଇଜଣ ଲୋକପ୍ରୀୟ ଅଭିନେତ୍ରୀଙ୍କ ଗିରଫଦାରୀ। ମେହର ଅଫ୍ରୋଜ୍ ସାନ ଓ ସୋହନା ସବାଙ୍କ ଫେସବୁକ ପୋଷ୍ଟ ସରକାରଙ୍କୁ ପସନ୍ଦ ଆସିନଥିଲା। ତେଣୁ ସେମାନଙ୍କୁ ଦେଶ ବିରୋଧୀ ଗତିବିଧିରେ ସାମିଲ ଥିବା ଅଭିଯୋଗରେ ଗିରଫ କରାଯାଇଛି। ଅପରେସନ ଡେଭିଲ ହଣ୍ଟ୍ କ୍ରମରେ ଗିରଫ ହୋଇଥିବା ହଜାରେରୁ ଅଧିକ ବ୍ୟକ୍ତିଙ୍କ ମଧ୍ୟରେ ଅନେକ ଆୱାମୀ ଲିଗ୍ ନେତା ରହିଛନ୍ତି।
ସରକାର ବିରୋଧୀ ‘ସୈତାନ’!
ଶୁକ୍ରବାର ରାତିରେ ଗାଜିପୁରରେ ଛାତ୍ର ଏବଂ ସାଧାରଣ ଲୋକଙ୍କ ଉପରେ ଆକ୍ରମଣ ପରେ ବାଂଲାଦେଶରେ ଏହି ଅପରେସନ୍ ଆରମ୍ଭ ହୋଇଥିଲା। ଏପର୍ଯ୍ୟନ୍ତ, ବାଂଲାଦେଶୀ ସୁରକ୍ଷା ବାହିନୀ ଏହି ଅଭିଯାନ ମାଧ୍ୟମରେ ୧୩୦୦ ଜଣଙ୍କୁ ଗିରଫ କରିସାରିଛନ୍ତି। ପ୍ରଧାନମନ୍ତ୍ରୀ ମହମ୍ମଦ ୟୁନୁସ୍ କହିଛନ୍ତି ଯେ “ସମସ୍ତ ସୈତାନୀ ଉପାଦାନ”କୁ ମୂଳପୋଛ ନ କରିବା ପର୍ଯ୍ୟନ୍ତ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଜାରି ରଖିବାକୁ ପ୍ରତିଶ୍ରୁତି ଦେଇଛି।
ଅପରେସନ୍ ଡେଭିଲ୍ ହଣ୍ଟ କ‘ଣ?
ନିକଟରେ ଢାକାରେ ବାଂଲାଦେଶର ପ୍ରତିଷ୍ଠାତା ଶେଖ ମୁଜିବୁର ରହମାନଙ୍କ ଘର ଉପରେ ଆକ୍ରମଣ ହୋଇଥିଲା। ଆକ୍ରମଣକାରୀ ଭଙ୍ଗାରୁଜା ମଧ୍ୟ କରିଥିଲେ। ଘରକୁ ନିଆଁ ଲଗାଇ ଦେଇଥିଲେ। ଏହି ଗଣ୍ଡଗୋଳ ସମୟରେ ଅନେକ ଛାତ୍ର ଆହତ ହୋଇଥିଲେ। ଏହି ଘଟଣା ପରେ ହିଁ ମହମ୍ମଦ ୟୁନୁସ ‘ଅପରେସନ୍ ଡେଭିଲ୍ ହଣ୍ଟ’ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଅଭିଯାନର ଉଦ୍ଦେଶ୍ୟ ହେଉଛି ଦେଶରେ ଆଇନ ଶୃଙ୍ଖଳା ପ୍ରତିଷ୍ଠା କରିବା।
ଲେଫ୍ଟନାଣ୍ଟ ଜେନେରାଲ (ଅବସରପ୍ରାପ୍ତ) ଜାହାଙ୍ଗୀର ଆଲମ ଚୌଧୁରୀ କହିଛନ୍ତି ଯେ ଏହି ଅପରେସନ ମାଧ୍ୟମରେ ସେହି ଲୋକମାନଙ୍କୁ ଅଟକ ରଖାଯାଇଛି ଯେଉଁମାନେ ଦେଶର ସ୍ଥିରତା ପାଇଁ ବିପଦ ଏବଂ ଏହା ସମସ୍ତ ଅପରାଧୀ ତତ୍ତ୍ୱଙ୍କୁ ନଧରିବା ପର୍ଯ୍ୟନ୍ତ ଜାରି ରହିବ।
ସେନା ସହ ମିଶି ପୋଲିସ ଖୋଜୁଛି ‘ସୈତାନ’
ବାଂଲାଦେଶ ଗୃହ ମନ୍ତ୍ରଣାଳୟ ଶନିବାର ସନ୍ଧ୍ୟାରେ ଆଇନ ପ୍ରବର୍ତ୍ତନ ସଂସ୍ଥାଗୁଡ଼ିକ ସହ ଏକ ବୈଠକରେ ଏହି ଅଭିଯାନ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିଲା। ଏହି ଅପରେସନରେ କେବଳ ପୋଲିସ ନୁହେଁ ବରଂ ବାଂଲାଦେଶ ସେନା, ନୌସେନା, ବାୟୁସେନା, ସୀମା ସୁରକ୍ଷା ବାଂଲାଦେଶ (ବିଜିବି), ଅନସାର ଏବଂ ତଟରକ୍ଷୀ ବାହିନୀର କର୍ମଚାରୀମାନେ ମଧ୍ୟ ସାମିଲ ଅଛନ୍ତି। ବେଆଇନ ଅସ୍ତ୍ରଶସ୍ତ୍ର ଜବତ କରିବା ଏବଂ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ସେପ୍ଟେମ୍ବର ୪ ତାରିଖରୁ ଦେଶବ୍ୟାପୀ ସଶସ୍ତ୍ର ବାହିନୀ, ବିଜିବି, ତଟରକ୍ଷୀ ବାହିନୀ, ପୋଲିସ, ରାପିଡ୍ ଆକ୍ସନ୍ ବାଟାଲିଅନ୍ ଏବଂ ଅନସାର ସମେତ ମିଳିତ ବାହିନୀ ମୁତୟନ କରାଯାଇଛି।
ହନୁମାନଙ୍କ ‘ଲଙ୍କା ଦହନ’ ପରେ ମାଙ୍କଡ଼ଙ୍କ ପାଇଁ ଅନ୍ଧାରରେ ଶ୍ରୀଲଙ୍କା
