- ଦ୍ୱିତୀୟ ଦିନରେ ପଡ଼ିଲା ୧୪ ୱିକେଟ
- ହେଡ୍ଙ୍କ ଶତକ, ବୋଲାଣ୍ଡଙ୍କ ଘାତକ ବୋଲିଂ
- ଭାରତ ଦ୍ୱିତୀୟ ଇନିଂସ ୫/୧୨୮
- ଆହୁରି ୨୯ ରନ୍ ପଛରେ
ଘରୋଇ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟରେ କ୍ରମାଗତ ୨ଦିନ ଧରି ଘରୋଇ ଦଳ ଆଧିପତ୍ୟ ଜାରି ରଖିଛି। ଭାରତ ପ୍ରଥମ ଇନିଂସ ଭଳି ଦ୍ୱିତୀୟ ଇନିଂସରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ଆସନ୍ନ ପରାଜୟ ଏଡ଼ାଇବାକୁ ସଂଘର୍ଷ କରୁଛି। ଅଷ୍ଟ୍ରେଲିଆ ସିରିଜ ବରାଜର କରିବା ପାଇଁ ପଥ ପ୍ରସ୍ତୁତ କରିବାରେ ଲାଗିଛି।
ପ୍ରଥମ ଇନିଂସରେ ଭାରତ ୧୮୦ ରନ କରି ଅଲ୍ଆଉଟ୍ ହୋଇଥିଲା। ଏହାପରେ ଅଷ୍ଟ୍ରଲିଆ ଦମ୍ଦାର ବ୍ୟାଟିଂ ପ୍ରଥମ ଇନିଂସରେ ୩୩୭ ରନ୍ ସଂଗ୍ରହ କରିଥିଲା ଓ ମୋଟ ୧୫୭ ରନରେ ଅଗ୍ରଣୀ ହାସଲ କରିଥିଲା। ପ୍ରଥମ ଟେଷ୍ଟ ଭଳି ଭାରତ ଏଥର ମଧ୍ୟ ଦ୍ୱିତୀୟ ଇନିଂସରେ ପ୍ରତ୍ୟାବର୍ତ୍ତନ କରିବ ବୋଲି ଆଶା କରାଯାଉଥିଲା। ମାତ୍ର ସ୍କଟ ବୋଲାଣ୍ଡ ଓ ପ୍ୟାଟ୍ କମିନ୍ସଙ୍କ ଘାତକ ବୋଲିଂ ଆଗରେ ସମ୍ଭବ ହୋଇ ନଥିଲା। ଦ୍ୱିତୀୟ ଦିନର ଷ୍ଟମ୍ପ ଘୋଷଣା ସରିଛି। ଭାରତ ଦ୍ୱିତୀୟ ଇନିଂସରେ ୫ ୱିକେଟ ହରାଇ ୧୨ ରନ୍ ସଂଗ୍ରହ କରିଛି। ଇନିଂସ ପରାଜୟଠୁ ଦଳ ଆଉ ୨୯ ରନ ପଛରେ ରହିଛି। ରିଷଭ ପନ୍ତ ୨୮ ଓ ନୀତୀଶ କୁମାର ରେଡ୍ଡୀ ୧୫ ରନ୍ କରି ଅପରାଜିତ ରହିଛନ୍ତି।
ଆଜି ଅଷ୍ଟ୍ରେଲିଆ ଲଢୁଆ ବ୍ୟାଟିଂ ପ୍ରଦର୍ଶନ କରିଥିଲା। ବିଶେଷ କରି ଟ୍ରେଭିସ ହେଢ ବିସ୍ଫୋରକ ସଟ୍ମାନ ଖେଳି ୧୪୧ଟି ବଲ୍ରୁ ୧୪୦ ରନ୍ ସଂଗ୍ରହ କରିଥିଲେ। ଏହି ଇନିଂସରେ ସେ ୧୭ଟି ଚୌକା ଓ ୪ଟି ବିଶାଳ ଛକା ମାରିଥିଲେ। ସେହିପରି ମାର୍ନସ ଲାବୁସାନ ୬୪ରନ୍ର ଏକ ଧୈର୍ଯ୍ୟପୂର୍ଣ୍ଣ ଇନିଂସ ଖେଳିଥିଲେ।
ଅଷ୍ଟ୍ରେଲିଆ ଅସମାପ୍ତ ପ୍ରଥମ ଇନିଂସ ୧/୬ ରନରୁ ବ୍ୟାଟିଂ ଆରମ୍ଭ କରିଥିଲା। ପୂର୍ବ ଦିନରୁ ଅପରାଜିତ ଥିବା ନାଥାନ ମ୍ୟକସ୍ୱିନି ଓ ଲାବୁସାନ ସତର୍କତାର ସହ ବ୍ୟାଟିଂ ଆରମ୍ଭ କରିଥିଲେ। ଦଳୀୟ ସ୍କୋର ୯୧ ବେଳେ ମ୍ୟାକ୍ସ୍ୱିନି ବ୍ୟକ୍ତିଗତ ୩୯ ରନ୍ କରି ବୁମରାଙ୍କ ବଲରେ ଆଉଟ ହୋଇଥିଲେ। ଏହାପରେ ଷ୍ଟିଭେନ ସ୍ମିଥ୍ଙ୍କୁ(୨) ମଧ୍ୟ ବୁମରା ପାଭିଲିୟନ ପଠାଇ ଦେଇଥିଲେ। ସହଳ ୨ଟି ୱିକେଟର ପତନ ପରେ ଭାରତ ମ୍ୟାଚ୍କୁ ଫେରିବ ବୋଲି ଅନୁମାନ କରାଯାଉଥିଲା। ମାତ୍ର ସେଭଳି କିଛି ଦେଖିବାକୁ ମିଳିନଥିଲା। ହେଡ କ୍ରିଜ୍କୁ ଓହ୍ଲାଇବା ପରେ ଆକ୍ରମଣାତ୍ମକ ବ୍ୟାଟିଂ କରି କ୍ଷଣକ ମଧ୍ୟରେ ଭାରତ ହାତରୁ ମ୍ୟାଚ୍ ଛଡ଼ାଇ ନେଇଥିଲେ। ଅନ୍ୟ କୌଣସି ବ୍ୟାଟର ସେଭଳି କ୍ରିଜରେ ଜମି ପାରି ନଥିଲେ। ମାତ୍ର ହେଡ ଏକୁଟିଆ ଭାରତର ବୋଲିଂ ବିଭାଗକୁ ଧ୍ୱଂସ କରିବା ପାଇଁ ଯଥେଷ୍ଟ ସାବ୍ୟସ୍ତ ହୋଇଥିଲେ।
ଭାରତ ଦ୍ୱିତୀୟ ନୂଆ ବଲ୍ ନେବା ପରେ ମହମ୍ମଦ ସିରାଜଙ୍କ ବଲରେ ହେଡ୍ ଆଉଟ ହୋଇଥିଲେ। ଅବଶ୍ୟ ସେତେବେଳକୁ ଦଳୀୟ ସ୍କୋର ୩୧୦ରେ ପହଞ୍ଚି ସାରିଥିଲା। ଶେଷ ୩ଟି ୱିକେଟ ମଧ୍ୟରେ ଅଷ୍ଟ୍ରେଲିଆ ଆଉ ୨୭ ରନ୍ ଯୋକ କରି ଶେଷରେ ୩୩୭ ରନ୍ କରି ଅଲ୍ ଆଉଟ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ମିଚେଲ ମାର୍ଶ ୧୫, ପ୍ୟାଟ କମିନ୍ସ ୧୨, ମିଚେଲ ଷ୍ଟର୍କ ୧୮ ରନ୍ କରିଥିଲେ। ଭାରତ ପକ୍ଷରୁ ବୁମରା ଓ ସିରାଜ ୪ଟି ଲେଖାଏଁ ଓିକେଟ୍ ନେଇଥିଲେ।
୧୫୭ ରନ୍ ପଛରେ ଥାଇ ଭାରତ ଦ୍ୱିତୀୟ ଇନିଂସ ବ୍ୟାଟିଂ ଆରମ୍ଭ କରିଥିଲା। ଏଥର କମିନ୍ସ ବିପର୍ଯ୍ୟୟ ଘଟାଇଥିଲେ। ଦଳୀୟ ସ୍କୋର ୧୨ ବେଳ କେଏଲ ରାହୁଲ ମାତ୍ର ୭ ରନ୍ କରି ପ୍ରଥମେ ଆଉଟ ହୋଇଥିଲେ। ଯଶସ୍ୱୀ ଜୈସ୍ୱାଲ ୪ଟି ଦର୍ଶନୀୟ ଚୌକା ମାରିଥିଲେ ହେଁ ଶେଷରେ ୨୪ ରନ୍ କରି ପାଭିଲିୟନ ଲେଉଟିଥିଲେ। ଶୁଭମନ ଗିଲ୍ ଓ ବିରାଟ କୋହଲି ୨୪ ରନ୍ର ଭାଗିଦାରୀ ଗଠନ କରିଥିଲେ। ସ୍କଟ ବୋଲାଣ୍ଡ ୧୫ତମ ଓଭରରେ କୋହଲି(୧୧)ଙ୍କୁ ଆଉଟ କରି ଗ୍ରାଉଣ୍ଡରେ ଉନ୍ମାଦନା ଖେଳାଇ ଦେଇଥିଲେ। ଭାରତୀୟ ଦର୍ଶକଙ୍କ ଗ୍ୟାଲେରୀ ଶାନ୍ତ ପଡ଼ି ଯାଇଥିଲା। ପରେ ପରେ ଗିଲ୍ ୨୮ ଓ ରୋହିତ ଶର୍ମା ୬ ରନ୍ କରି ଆଉଟ ହେବା ସହ ଭାରତ ୧୦୫ ରନରେ ୫ଟି ୱିକେଟ ହରାଇଥିଲା। ମାତ୍ର ରିଷଭ ପନ୍ତ ଓ ନୀତୀଶ କୁମାର ଆକ୍ରମଣାତ୍ମକ ସଟ୍ ଖେଳିବା ସହ ଷ୍ଟମ୍ପ ପର୍ଯ୍ୟନ୍ତ ଅପରାଜିତ ରହି ଦଳୀୟ ସ୍କୋରକୁ ୧୨୮ରେ ପହଞ୍ଚାଇଥିଲେ।
ଆସନ୍ତା କାଲି ଭାରତକୁ ଲଢୁଆ ବ୍ୟାଟିଂ କରିବାକୁ ହେବ। ବିଶେଷ କରି ପ୍ରଥମ ଅଧିବେଶନ ଶେଷ ହେବା ପର୍ଯ୍ୟନ୍ତ ପନ୍ତ ଓ ନୀତୀଶ ଅପରାଜିତ ରହିପାରିଲେ ଭାରତର ବିଜୟ ପାଇଁ ଲଢେଇ କରିପାରିବ।
previous article: https://purvapaksa.com/starc-gets-to-adelaide-fifty-bumrah-to-2024-fifty/